ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବୈତରଣୀ ନଦୀର ଗେମନ ବ୍ରିଜ୍ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ବ୍ରିଜ୍ ଉପରେ ଯୁବକଙ୍କର ଜୋତା ଓ ମୋବାଇଲ୍ ପଡ଼ିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ଯୁବକ ଜଣକ ହେଲେ ରାଜକନିକା ଥାନା ଅନ୍ତର୍ଗତ ମଧୁପଡ଼ା ଗାଁର ଜୟରଥ ମଲ୍ଲିକ।
ଗତକାଲି ରାତିରୁ ଜୟରଥ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ ଗେମନ ବ୍ରିଜ୍ ଉପରେ ତାଙ୍କର ମୋବାଇଲ୍ ଫୋନ୍ ଏବଂ ଜୋତା ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଖବର ଦିଆଯାଇଥିଲା।
ଯୁବକ ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ଏହି ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି, ସେନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ଏବଂ ପୋଲିସ ମଧ୍ୟ ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିଛନ୍ତି। ଅନ୍ୟପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ଖୋଜାଖୋଜି ଆରମ୍ଭ କରିଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।