କଟକ: ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ନୂଆ ରୂପ ନେବ। ଭାରତୀୟ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ), ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନର ମିଳିତ ଉଦ୍ୟମରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ମଙ୍ଗଳବାର ଅପରାହ୍ନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଯୋଗ ଦେଇ ନୂତନ ବାରବାଟୀ ଷ୍ଟାଡିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଓସିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୩୦ଜିଲ୍ଲାର ମୋଟ ୪୧ଟି କ୍ରିକେଟ ଏକାଡେମୀ ମଧ୍ୟ ଉଦ୍ଘାଟିତ ହେବ।
ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସଞ୍ଜୟ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସମସ୍ତ ସୂଚନା ଦେଇଛନ୍ତି। ୪୧ଟି ଯାକ କ୍ରିକେଟ ଏକାଡେମୀରେ ଅଭିଜ୍ଞ କ୍ୟୁରେଟର ଓ କୋଚ୍ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ଏକାଡେମୀରେ ଟର୍ଫ ୱିକେଟ, ନେଟ୍ କେଜେସ୍, ଇଭି ରୋଲର୍, ପିଚ୍ ଗ୍ରାସ କଟର, ବୋଲିଂ ମେସିନ, ପ୍ରାକ୍ଟିସ କିଟ୍ସ, ଟ୍ରେନିଂ କିଟସ ସମେତ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଓସିଏ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ସମ୍ମିଳନୀରେ କୁହାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନୀଲକ୍ରୀଷ୍ଣା, ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓଡ଼ିଶା ହାଇକୋର୍ଟର ଆଡଭୋକେଟ ଜେନେରାଲ ଅଶୋକ ପରିଜା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏତଦବ୍ୟତୀତ ପୂର୍ବତନ ଅନ୍ତର୍ଜାତୀୟ ତାରକା କ୍ରିକେଟର ଇର୍ଫାନ ପଠାନ୍, ପ୍ରଜ୍ଞାନ ଓଝାଙ୍କ ସମେତ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳ, ସ୍ୱାଗତିକା ରଥ, ରସନାରା ପରୱିନ, ମାଧୁରୀ ମେହେଟା ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ସାମିଲ ହେବେ। ଏହି ଅବସରରେ ରାଜ୍ୟ ତିନି ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା, ଶ୍ରଦ୍ଧାନନ୍ଦ ଦାସ ଏବଂ ଅଧୀପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯିବ। ବଲିଉଡ କଣ୍ଠଶିଳ୍ପୀ ନେହା କକରଙ୍କ ଦ୍ୱାରା ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମ୍ମିଳନୀରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ସିଇଓ ସୁବ୍ରତ କୁମାର ବେହେରା ଉପସ୍ଥିତ ଥିଲେ।