ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ନାନା ସମସ୍ୟା ସହ ଚିକିତ୍ସାରେ ଅବହେଳା ଆଦି ଅନେକ ପ୍ରସଙ୍ଗରେ ଛନ୍ଦି ହୋଇଛି। ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି ପ୍ରସୂତି ବିଭାଗ। ପ୍ରସବ କରାଇବା ପାଇଁ ରୋଗୀଙ୍କଠୁ ନିଆଯାଉଛି ଲାଞ୍ଚ। ବିଭାଗର ଲେବର୍ ରୁମ୍(ପ୍ରସୂତି କକ୍ଷ) ଏବଂ ଓଟିରେ ପ୍ରସବ ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ଆସିଛି। କାହାଠୁ ୫ ଶହ କାହାଠୁ ହଜାରେ ତ ପୁଣି କାହାଠୁ ୩ ହଜାର ଟଙ୍କା। ଏମିତିକି ଲୋକ ଦେଖି ସେମାନଙ୍କଠୁ ଅଧିକ କମ୍ ଟଙ୍କା ନିଆଯାଉଛି। ଆଉ ଏହା ଡାକ୍ତର, ସେବିକା, ଦିଦିମାନଙ୍କ ଭିତରେ ଭାଗ ବଣ୍ଟା ହେଉଥିବା କୁହାଯାଉଛି। ଏହାବ୍ୟତୀତ ଗର୍ଭବତୀ ଜଣକ ବହୁତ ସିରିୟସ୍ ଅଛନ୍ତି କହି ସମ୍ପର୍କୀୟଙ୍କୁ ଭୟଭୀତ ମଧ୍ୟ କରାଯାଇଥାଏ। ‘ଳରେ ଭୟରେ ଅନେକ ଲୋକ ଟଙ୍କା ଦେଇ ଭଲ ଚିକିତ୍ସା ପାଇଁ ଡାକ୍ତର ଓ ସେବିକାଙ୍କୁ ନିବେଦନ କରନ୍ତି। ମୁହଁ ଖୋଲିଲେ କାଳେ ରୋଗୀଙ୍କୁ ଭଲ ଚିକିତ୍ସା ମିଳିବନି ଭୟରେ ଏହାକୁ କେହି ପ୍ରତିବାଦ କରୁନାହାନ୍ତି। ଯାହାର ଏକପ୍ରକାର ଫାଇଦା ଉଠାଯାଉଛି। ବିନା ଅସୁବିଧାରେ ପ୍ରସବ ହେବା ପରେ କିଛି ରୋଗୀ ସମ୍ପର୍କୀୟ ଖୁସିରେ ମଧ୍ୟ ଟଙ୍କା ଦେଇଥାନ୍ତି। ଏମିତି ଏକ ଟଙ୍କା ଦେବା ନେବା ପ୍ରଥା ଅନେକ ଦିନରୁ ଚାଲିଆସୁଛି। ନା ଟଙ୍କା ନେବା ଲୋକ ପ୍ରତିବାଦ କରୁଛନ୍ତି ନା ଦେବା ଲୋକ ଏହା ବିରୋଧରେ ସ୍ୱର ଉଠାଉଛନ୍ତି।
ସୂଚନାଯୋଗ୍ୟ, ସରକାରୀ ବଡ଼ ହସପିଟାଲରେ ଥିବା ପ୍ରସୂତି ବିଭାଗର ପ୍ରସୂତ କକ୍ଷ ବାହାରେ ବଡ ବଡ ଅକ୍ଷରରେ ଚିକିତ୍ସା, ଅସ୍ତ୍ରୋପଚାର ଓ ପ୍ରସବ, ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ଅଟେ। କିନ୍ତୁ ସେଠାରେ ପ୍ରତିଦିନ ରୋଗୀଙ୍କ ସହ ଡିଲ୍ ହେଉଛି। ସାଧାରଣ ପ୍ରସବ କରାଇଦେବାକୁ କହି ଝିଅ ହେଲେ ୫ ଶହ ଏବଂ ପୁଅ ଜନ୍ମ ହେଲେ ୧ ହଜାର ଟଙ୍କା ନେଉଛନ୍ତି। ଏ ନେଇ ମାର୍କୋଣାରୁ ଆସିଥିବା ଦମ୍ପତି ଅଭିଯୋଗ ଆଣିଛନ୍ତି। ମହିଳାଜଣକ ମାର୍କୋଣାରୁ ଚଳିତମାସ ୧୭ ତାରିଖ ଦିନ ବାଲେଶ୍ୱର ବଡ଼ ହସପିଟାଲକୁ ଆସିବା ପରେ ପ୍ରସବ ପାଇଁ ଆସି ଭର୍ତ୍ତି ହୋଇଥିଲେ। ତେବେ ତାଙ୍କର ପୁଅ ଜନ୍ମ ହେବା ପରେ ତାଙ୍କଠୁ ୧ ହଜାର ଟଙ୍କା ନିଆଯାଇଛି। ତେବେ ଦମ୍ପତି ଜାଣିନପାରି ଟଙ୍କା ପ୍ରଦାନ କରିଥିବା କଥା କହିଛନ୍ତି। ଏହିପରି ପ୍ରତିଦିନ ବଡ଼ ହସପିଟାଲରେ ୮/୧୦ ଜଣ ଗର୍ଭବତୀଙ୍କ ପ୍ରସବ ହେଉଛି। ଅଧିକାଂଶଙ୍କଠୁ ପ୍ରସବ ସମୟରେ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି।
ସେହିପରି ରତ୍ନାକର ରାଉତ ନାମକ ଜଣେ ବ୍ୟକ୍ତି ଚଳିତ ମାସ ୨୪ ତାରିଖ ଦିନ ଟୁଇଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ‘ଲେବର୍ ରୁମ ଓ ଓଟିରେ ପ୍ରସବ ପାଇଁ ଟଙ୍କା ନିଆଯାଉଛି। ବିନା ଅର୍ଥରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଛି। ଉକ୍ତ ଟୁଇଟ୍ ନେଇ ତଦନ୍ତ କରାଯିବ ବୋଲି ବାଲେଶ୍ୱର ମେଡିକାଲ କଲେଜ ଓ ହସପିଟାଲ ପକ୍ଷରୁ ପ୍ରତ୍ୟୁତ୍ତର ମଧ୍ୟ ଆସିଛି। ସେହିପରି ଏପରି ସମସ୍ୟାକୁ ନିଜେ ଦେଖିଥିବା ହେଲପିଙ୍ଗ ହ୍ୟାଣ୍ଡସ ସଭାପତି ରହିମତ ଅଲ୍ଲୀ କହିଛନ୍ତି, ଏଠି ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ। କିନ୍ତୁ ସତ୍ୟତା ଭିନ୍ନ ଅଟେ। ଯଦି ଜଣେ ଅସହାୟ ଗରିବ ଲୋକଟି ଟଙ୍କା ଦେବାକୁ ଅରାଜି ହୁଏ ତେବେ ରୋଗୀଙ୍କୁ ସେମିତି ଯନ୍ତ୍ରଣାରେ ଛଟପଟ ହେବାକୁ ଛାଡ଼ିଦିଆଯାଏ। ଏଥିପ୍ରତି ଜିଲ୍ଲାପାଳ, ସିଡିଏମଓ ଧ୍ୟାନ ନଦେଲେ ଆଗକୁ ଆହୁରି ସାଧାରଣ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବ’। ଜିଲ୍ଲା ଚିକିତ୍ସାଧିକାରୀ ଦୁଲାଲସେନ ଜଗଦେବଙ୍କୁ ପଚାରିବାରୁ କହିଥିଲେ, ମୁଁ ଏ ସମ୍ପର୍କରେ ବୁଝୁନାହିଁ। ଏହା ମେଡିକାଲ ସୁପରିଟେଣ୍ଡେଣ୍ଟ ବୁଝୁଛନ୍ତି। ତେଣୁ ସେ ଯାହା ତଦନ୍ତ କରି ପଦକ୍ଷେପ ନେବେ’। ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ଏପରି ଏକ ସାଂଘାତିକ ଅଭିଯୋଗ ଆସୁଥିବା ବେଳେ ସିଡିଏମଓ କିଛି ଉତ୍ତର ନ ରଖି ନିଜ ଆଡୁ ଦୋଷ ଛଡ଼ାଇ ଦେଉଛନ୍ତି।