ଅନ୍ୟ ମାନଙ୍କ ପାଇଁ ଆଦର୍ଶ ଦୃଷ୍ଟିହୀନ ଦମ୍ପତି: ଭିକ୍ଷାବୃତ୍ତି ନ ଆପଣାଇ ବ୍ୟବସାୟ କରି ପୋଷୁଛନ୍ତି ପେଟ

ତାଳଚେର ସହର: ବର୍ତମାନ ସମୟରେ ଅଧିକାଂଶ କର୍ମଠ ଲୋକ ପରିଶ୍ରମ ନ କରି ବାର ଆଡେ ବୁଲି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ଆଉ କିଛି ଶାରୀରିକ ଅକ୍ଷମ ବ୍ୟକ୍ତି ପେଟ ପୋଷିବା ପାଇଁ ଭିକ୍ଷା ବୃତ୍ତିକୁ ଆପଣେଇ ନେଉଛନ୍ତି । କିନ୍ତୁ ତାଳଚେର ସହରରେ ଏକ ଭିନ୍ନ ଚିନ୍ତା ଧାରାର ମଣିଷଙ୍କୁ ଦେଖିବାକୁ ମିଳିଥିଲା । ସ୍ୱାମୀ ଓ ସ୍ତ୍ରୀ ଉଭୟ ଦୃଷ୍ଟିହୀନ ହୋଇଥିବା ସତ୍ୱେ ଏଣେ ତେଣେ ଭିକ୍ଷା ବୃତ୍ତି ନକରି ବ୍ୟବସାୟକୁ […]

ତାଳଚେର ସହର: ବର୍ତମାନ ସମୟରେ ଅଧିକାଂଶ କର୍ମଠ ଲୋକ ପରିଶ୍ରମ ନ କରି ବାର ଆଡେ ବୁଲି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ଆଉ କିଛି ଶାରୀରିକ ଅକ୍ଷମ ବ୍ୟକ୍ତି ପେଟ ପୋଷିବା ପାଇଁ ଭିକ୍ଷା ବୃତ୍ତିକୁ ଆପଣେଇ ନେଉଛନ୍ତି । କିନ୍ତୁ ତାଳଚେର ସହରରେ ଏକ ଭିନ୍ନ ଚିନ୍ତା ଧାରାର ମଣିଷଙ୍କୁ ଦେଖିବାକୁ ମିଳିଥିଲା । ସ୍ୱାମୀ ଓ ସ୍ତ୍ରୀ ଉଭୟ ଦୃଷ୍ଟିହୀନ ହୋଇଥିବା ସତ୍ୱେ ଏଣେ ତେଣେ ଭିକ୍ଷା ବୃତ୍ତି ନକରି ବ୍ୟବସାୟକୁ ହିଁ ରୋଜଗାରର ପ୍ରମୁଖ ମାଧ୍ୟମ ରୁପେ ବାଛି ନେଇଛନ୍ତି । ଦୃଷ୍ଟିହୀନ ଦମ୍ପତି ଦ୍ୱୟ ହେଲେ ଆକାଶ ନାହାକ ଏବଂ ପତ୍ନୀ ନର୍ମଦା ନାହାକ। ଉଭୟ ବ୍ରହ୍ମପୁର ଅଞ୍ଚଳର ବାସୀନ୍ଧା ହୋଇଥିବା ବେଳେ ବ୍ୟବସାୟ କରି ପେଟ ପୋଷିବା ପାଇଁ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଘୁରି ବୁଲୁଛନ୍ତି । ଆକାଶ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ନର୍ମଦା ଜନ୍ମର ୫ ବର୍ଷ ପରେ ଦୃଷ୍ଟିହୀନ ହୋଇଯାଇଥିଲେ । ପରିବାର କହିଲେ ଦୁଇ ଝିଅ ଏବଂ ଗୋଟିଏ ପୁଅ । ବାପା ମା ତିନି ଛୁଆଙ୍କୁ ଧରି ବିଭିନ୍ନ ସ୍ଥାନରେ ବୁଲି ବ୍ୟବସାୟ କରନ୍ତି ।

ପ୍ରଥମେ ଢେଙ୍କାନାଳ ଜିଲ୍ଲାରେ ରହି ବ୍ୟବସାୟ କରି ଚାଳୁଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଭୟଭୀତ ହୋଇ ଅନୁଗୁଳ ଜିଲ୍ଲାକୁ ସ୍ଥାନାନ୍ତର ହୋଇଥିଲେ। ବର୍ତମାନ ତାଳଚେର ବ୍ଲକ୍ ଅନ୍ତର୍ଗତ ରେମୁଆଁ ସ୍ଥିତ ଏକ ଭଡ଼ା ଘର ନେଇ ରହୁଥିବା ଆକାଶ ସୂଚନା ଦେଇଛନ୍ତି। ପୁର୍ବରୁ ଘଣ୍ଟା , ମନିପର୍ସ , ନେଲକଟର ଇତ୍ୟାଦି ବିକ୍ରି କରିବା ସହ ଓଜନ ମାପ ଯନ୍ତ୍ରରେ ଲୋକଙ୍କ ଓଜନ ମାପକରି ଅର୍ଥ ରୋଜଗାର କରୁଥିଲେ। ମଝିରେ ଓଜନ ମାପକ ଯନ୍ତ୍ରକୁ କେହି ଚୋରି କରି ନେଇ ଯିବା ଫଳରେ ଟଙ୍କାର ଅଭାବ କାରଣରୁ ଆକାଶ ବ୍ୟବସାୟରେ ବିରତି ନେଇଥିଲେ । କିନ୍ତୁ ତଥାପି ହାରିଯାଇ ନ ଥିଲେ ଆକାଶ । ପୁଣି ସଞ୍ଚିତ ଅର୍ଥରୁ ଏକ ଓଜନ ମାପକ ମେସିନ କିଣି ଏବେ ଆରମ୍ଭ କରିଦେଇଛନ୍ତି ତାଙ୍କ ବେପାର। ଅର୍ଥ ଅଭାବ କାରଣରୁ ଅନ୍ୟ ସାମଗ୍ରୀ କିଣି ନ ପାରି କେବଳ ଓଜନ ମାପ କରି ଅର୍ଥ ରୋଜଗାର କରୁଛନ୍ତି। ଶାରୀରିକ ଅକ୍ଷମ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଆକାଶ ଏବଂ ତାଙ୍କ ପତ୍ନୀ ନର୍ମଦା । ବ୍ୟବସାୟ ଭଲ ଭାବେ ଚାଲୁଥିଲା ବେଳେ ଦୈନିକ ୩ ଶହ ରୁ ୪ ଶହ ଟଙ୍କା ରୋଜଗାର ହେଉଥିବା ଆକାଶ ଦର୍ଶାଇଥିଲେ। କିନ୍ତୁ ବର୍ତମାନ କେବଳ ଓଜନ ମାପ କରୁଥିବା କାରଣରୁ ରୋଜଗାରରେ ବ୍ୟାଘାତ ସୃଷ୍ଟି କରିଛି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଆକାଶଙ୍କୁ ଏଯାଏଁ ମିଳିନି ଆବାସ ଯୋଜନାରେ ଘର କି ରାସନ୍ । ତାଳଚେର ଅଞ୍ଚଳରେ ସରକାରୀ ଜମିରେ ଘର ଖଣ୍ଡେ ଯୋଗାଇଦେବାକୁ ଦୃଷ୍ଟିହୀନ ଆକାଶ ଏବଂ ପତ୍ନୀ ନର୍ମଦା ଉପଖଣ୍ଡ ପ୍ରଶାସନକୁ ନିବେଦନ କରିଛନ୍ତି । ଭିକ୍ଷାବୃତ୍ତିଠୁ ନିବୃତ ରହି ନିଜ ଗୋଡ଼ରେ ଛିଡା ହେବାର ମାନସିକତା ରଖିଥିବା ଆକାଶକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

About The Author: The Sakala