କେନ୍ଦ୍ରାପଡ଼ା: ଦୈନିକ ଖବରକାଗଜ ‘ସକାଳ’ ଗତ ୨୩ ତାରିଖରେ ‘ମରଣ ସହ ଲଢ଼େଇ କରୁଛନ୍ତି ପଞ୍ଚାନନ, ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଭିକ ମାଗୁଛନ୍ତି ପତ୍ନୀ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତୁରନ୍ତ ସହାୟତା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଦୁଇଘଣ୍ଟା ମଧ୍ୟରେ ଇନ୍ଦୁପୁର କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରୁ ସ୍ୱତନ୍ତ୍ର ମେଡିକାଲ ଟିମ୍ ଡିହମୁଗବାଡ଼ି ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ଘରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ପଞ୍ଚାନନ ଶ୍ୱାସନଳୀ କର୍କଟରେ ପୀଡ଼ିତ ଅଛନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ ସାର୍ବଜନୀନ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ କଟକସ୍ଥ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ମାଗଣା ଚିକିତ୍ସା କରାଯାଇଛି। ରେଡିଓ ଥେରାପି ଓ କେମୋ ଥେରାପି ଚିକିତ୍ସା ଦିଆଯାଇଛି। ବର୍ତ୍ତମାନ ଟ୍ରାକିଓଷ୍ଟୋମି ଚିକିତ୍ସା ସହ ପଞ୍ଚାନନ ଘରେ ରହି ଔଷଧ ଖାଉଛନ୍ତି।
ତଦନ୍ତକାରୀ ଡାକ୍ତରୀ ଟିମ୍ ଜଣାଇଛନ୍ତି ଯେ, ବର୍ତ୍ତମାନ ପଞ୍ଚାନନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି। ଡାକ୍ତର ଦେଇଥିବା ତାରିଖ ଅନୁସାରେ ନିୟମିତ ଯାଞ୍ଚ କରିବା ପାଇଁ ତାଙ୍କୁ ତଦନ୍ତକାରୀ ଟିମ୍ ବୁଝାଇଥିଲେ। ଔଷଧ ସହ ଅନ୍ୟ କ’ଣ କରିବା ଦରକାର ତାହା ମଧ୍ୟ କୁହାଯାଇଛି। ଡାକ୍ତରୀ ଟିମ୍ ପଞ୍ଚାନନଙ୍କ ଘରେ ଥିଲାବେଳେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶମତେ ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କ ଘରେ ପହଞ୍ଚି ଆର୍ଥିକ ସ୍ଥିତି ପରଖିଥିଲେ। ତାଙ୍କୁ ମାଗଣାରେ ୧୦ କିଲୋ ଚାଉଳ ଯୋଗାଇ ଦିଆଯାଉଛି। ଭତ୍ତା ଯୋଜନା ପାଇଁ ତାଙ୍କଠାରୁ ଦରଖାସ୍ତ ସଂଗ୍ରହ କରାଯାଇଛି। ଖୁବ୍ଶୀଘ୍ର ପଞ୍ଚାନନଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏଥିସହ ଶ୍ରୀ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ପଞ୍ଚାନନଙ୍କ ହସ୍ପିଟାଲ ଯାତାୟାତ ଓ ମେଡିସିନ ଆଦି ଖର୍ଚ୍ଚ ନିମନ୍ତେ ୧୦ ହଜାର ଟଙ୍କାର ସହାୟତା ଦେଇଛନ୍ତି। ‘ସକାଳ’ ଖବରକାଗଜରେ ପ୍ରକାଶିତ ଖବର ଉପରେ ତତ୍କ୍ଷଣାତ ପଦକ୍ଷେପ ନେଇ ଗରିବ ପଞ୍ଚାନନଙ୍କୁ ସାହାଯ୍ୟ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ଧନ୍ୟବାଦ ଜଣାଇବା ସହ ଏସବୁ ଯୋଜନା ପ୍ରଣୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗରିବ ପଞ୍ଚାନନଙ୍କ କଥା ଦୃଷ୍ଟିକୁ ଆଣିଥିବାରୁ ମୁଖ୍ୟ ଶାସନ ସଚିବ, ‘ସକାଳ’ର ସାମ୍ୱାଦିକ ଓ ସମ୍ପାଦନା ମଣ୍ଡଳୀଙ୍କୁ ସାଧୁବାଦ ଦିଆଯାଇଛି।