ସୁନ୍ଦରଗଡ: ଚାରି ବର୍ଷ ତଳେ ସୁନ୍ଦରଗଡ ସଦର ଥାନା ଅଂଚଳରେ ଘଟି ଯାଇଥିବା ଗଣ ଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ସୁନ୍ଦରଗଡ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ମାମଲାର ବିଚାର କରି ସଂପୃକ୍ତ ୨ ଅଭିଯୁକ୍ତ ରାଜେନ କୁଜୁର (୨୦) ଏବଂ ରବି ଓରାମ (୨୪)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦଣ୍ଡସ୍ୱରୂପ ତାଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେହିପରି ବିଚାରପତି ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ବିଗତ ୨୦୧୯ ମସିହା ଜୁନ ୧୮ ତାରିଖରେ ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସୁନାଜୋର ବୁଢ଼ାଝରଣ ଗ୍ରାମର ଜଣେ ଯୁବତୀ କୌଣସି କାମରେ ସୁନ୍ଦରଗଡ଼ ଆସିଥିଲେ । କାମ ସାରି ଘରକୁ ଫେରିବା ସମୟରେ ଡେରି ହୋଇଯିବାରୁ ଅଲେଇକେରାର ସୁବାସିନୀ ନାମକ ଜଣେ ସାଙ୍ଗକୁ ଫୋନ କରି ତାଙ୍କ ଘରକୁ ଯାଇଥିଲେ । ରାତି ହୋଇ ଯିବାରୁ ସୁବାସିନୀ ତାଙ୍କୁ ତାଙ୍କ ଘରେ ରହିବାକୁ ଅନୁରୋଧ କରିଥିଲେ । ସେହିଦିନ ସୁବାସିନୀଙ୍କ ଘରେ ସଂପୃକ୍ତ ୨ ଅଭିଯୁକ୍ତ ମଧ୍ୟ ଥିଲେ । ରାତିରେ ସୁବାସିନୀ ପଡୋଶୀ ଠେଲକୋବୁଡ଼ ଗ୍ରାମରେ ତାଙ୍କ ସାଙ୍ଗଙ୍କ ବାହା ଘର ଥିବାରୁ ସାଙ୍ଗ ହୋଇ ଯିବାକୁ ଏହି ଯୁବତୀଙ୍କୁ କହିଥିଲେ । ଯୁବତୀ ଜଣକ ମନା କଲେ ମଧ୍ୟ ସେ ତାଙ୍କୁ ବାହା ଘର ଯିବାକୁ ବାଧ୍ୟ କରିଥିଲେ ।
ଅଭିଯୁକ୍ତ ସୁବାସିନୀ ଓ ଉକ୍ତ ଯୁବତୀଙ୍କ ସହିତ ଅଭିଯୁକ୍ତ ରାଜେନ ଓ ଅନ୍ୟ କେତେକେ ମଧ୍ୟ ବିବାହରେ ଉତ୍ସବରେ ଯୋଗ ଦେବା ପାଇଁ ଠେଲକୋବୁଡ଼ ଗ୍ରାମକୁ ଯିବାକୁ ବାହାରି ଥିଲେ । ଅଭିଯୁକ୍ତ ରାଜେନ ତାଙ୍କ ବାଇକରେ ଯୁବତୀଙ୍କୁ ବସାଇ ଥିଲେ । ତେବେ କିଛି ବାଟ ଗଲା ପରେ ରାଜେନ ତାଙ୍କୁ କୁଲବା ଜଙ୍ଗଲକୁ ନେଇ ପ୍ରଥମେ ଦୁଷ୍କର୍ମ କରିଥିଲେ । ଏହା ପରେ ତାଙ୍କୁ ନେଇ ଘରେ ଛାଡ଼ି ଦେବାକୁ କହିଥିଲେ । ମାତ୍ର ସେ ତାଙ୍କ ବାଇକରେ ଅନ୍ୟ ଅଭିଯୁକ୍ତ ରବିଙ୍କ ଘର ପାଖକୁ ତାଙ୍କୁ ଡାକି ଥିଲେ । ପରେ ଉକ୍ତ ଦୁଇ ଅଭିଯୁକ୍ତ ତାଙ୍କୁ ଆମକୁଦରକୁ ନେଇ ଗଣ ଦୁଷ୍କର୍ମ କରିବା ପରେ ସୁବସିନୀ ଘରେ ଛାଡି ଦେଇଥିଲେ । ଅଭିଯୁକ୍ତ ରାଜେନଙ୍କ ମା’ ଆନ୍ନା କୁଜୁର ପ୍ରତିଷ୍ଠିତ ନେତ୍ରୀ ହୋଇଥିବାରୁ ସେ ତାଙ୍କ କ୍ଷମତାର ଅପ ବ୍ୟବହାର କରି ଅର୍ଥ ବଳରେ ପୀଡ଼ିତାଙ୍କ ମୁହଁ ବନ୍ଦ କରିବାକୁ ଅପଚେଷ୍ଟା କରିଥିଲେ । ଏଥିରେ ସେ ରାଜି ନ ହେବାରୁ ଗ୍ରାମର ଅନ୍ୟ ସାକ୍ଷୀ ମାନଙ୍କୁ ପୀଡ଼ିତା ସପକ୍ଷରେ ସାକ୍ଷୀ ନ ଦେବା ପାଇଁ ଧମକାଇ ଥିଲେ । କିନ୍ତୁ ପୀଡ଼ିତା ଏଥିରେ ନ ଡରି ନିଜ ପ୍ରତି ହୋଇଥିବା ବର୍ବର କାଣ୍ଡ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସଦର ଥାନାର ତତ୍କାଳୀନ ଭାରପ୍ରାପ୍ତ ଥାନା ଅଧିକାରୀ ବୃନ୍ଦାବତୀ ତାଣ୍ଡି ଥାନା କେଶ ନଂ୧୦୮/ ୧୯.୦୬.୨୦୧୯ ରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୭୬(୨)(ଏନ)/୩୭୬(ଡି) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।
ତଦନ୍ତ ଅଧିକାରୀ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରି ଅଦାଲତରେ ଚାର୍ଯ୍ୟସିଟ ଦାଖଲ କରିବା ପରେ ମାମଲାର ଶୁଣାଣି ହୋଇଥିଲା । ୨୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ପ୍ରମାଣ ଭିତିରେ ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ତରଫରୁ ଜିଲ୍ଲା ମୁଖ୍ୟ ସରକାରୀ ଓକିଲ ଦିଲ୍ଲୀପ କୁମାର ମୁର୍ମୁ ମାମଲା ପରିଚାଳନା କରୁଥିଲେ।