ଭୁବନେଶ୍ୱର: ରାଜଧାନୀରେ ଥାନାଗୁଡ଼ିକର ପରିଚୟ ଏବେ ବଦଳିବାକୁ ଲାଗିଲାଣି। କମିସନରେଟ ପୁଲିସର ସହରାଞ୍ଚଳରେ ଥିବା ଥାନାଗୁଡ଼ିକ ଏବେ କିଛି ଘଟଣା ଲାଗି ପ୍ରସିଦ୍ଧ ହେବା ଆଡ଼କୁ ଅଗ୍ରସର ହେଉଛି। କେଉଁ ଥାନା ଠକେଇ ଲାଗି ପ୍ରସିଦ୍ଧ ତ ଆଉ କେଉଁ ଥାନା ନିଶା କାରବାର ଲାଗି ପ୍ରସିଦ୍ଧ ଲାଭ କଲାଣି। ଆଉ ଥାନା ନାଁ ନେଇ ଠକେଇ, ଚୋରି, ନିଶା କାରବାର, ହତ୍ୟା ଓ ଅପହରଣ କହିଲେ କମିସନରେଟ ପୁଲିସର ବଡ଼ବାବୁ ବୁଝିଗଲେଣି। କେଉଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବ ତାହା ବରିଷ୍ଠ ଅଧିକାରୀ ଅନୁମାନ କରିଦେଲେଣି। କେଉଁ ଥାନା କ’ଣ ପାଇଁ ପରିଚୟ ଲାଭ କରିଛି, ନାମକରଣ ହେବ ବୋଲି ଚର୍ଚ୍ଚା ହେଉଛି।
କମିସନରେଟ ପୁଲିସର ଠକେଇ ଥାନା ଭାବେ ବଡ଼ଗଡ଼଼ ପ୍ରସିଦ୍ଧି ଲାଭ କରୁଛି। ବଡ଼ଗଡ଼଼ ଥାନାର ପ୍ରତିବର୍ଷର କ୍ରାଇମ୍ ରିପୋର୍ଟ ଦେଖିଲେ ପ୍ର୍ତିବର୍ଷ ୩୫୦ରୁ ୪୫୦ଟି ମାମଲା ରୁଜୁ ହେଉଛି। ସେଥିରୁ ୩୦ପ୍ରତିଶତ ଅଭିଯୋଗ ଠକେଇ ସମ୍ପର୍କିତ। ଉକ୍ତ ଥାନା ଅଞ୍ଚଳରେ ଜମି ରହୁଥିବାରୁ ବିଲ୍ଡର ଜମି ଦେବାକୁ କହି ଟଙ୍କା ନେଇ ଛୁ ହୋଇଯାଉଛନ୍ତି। ସେଭଳି କାର୍ ଦେବାକୁ କହି ହେଉ କିମ୍ବା ଫ୍ଲାଟ୍ ଦେବା ହେଉ କହି ଠକେଇ କରୁଛନ୍ତି ଠକ। ଗତବର୍ଷ ବଡ଼ଗଡ଼଼ ଥାନାରେ କେବଳ ୯୧ଟି ଠକେଇ ମାମଲା ରୁଜୁ କରାଯାଇ ୩୩ ଜଣଙ୍କୁ ଗିରଫ କରାଯାଇଛି। ବଡ଼ଗଡ଼଼ ପଛକୁ ମଞ୍ଚେଶ୍ୱରରେ ୭୯ ମାମଲା, ଚନ୍ଦ୍ରଶେଖରପୁର ଓ କ୍ୟାପିଟାଲ ଥାନା ଆଦି ରହିଛି। ସେହିପରି ସହରରୁ ଉପକଣ୍ଠ ବାଲିପାଟଣା, ସହିଦନଗର ଥାନା ଅଞ୍ଚଳରେ ଅଧିକ ବିଲ୍ଡର ସଂସ୍ଥା ରହିବା ସହ କିଛି ଜମିବାଡି ଓ ଫ୍ଲାଟ୍ ମଧ୍ୟ ରହିଛି। ତେଣୁ ବିଲ୍ଡରମାନେ ମଧ୍ୟ ଲୋକଙ୍କ ଠାରୁ ଟଙ୍କା ନେଇ ଫେରାର୍ ହୋଇଯାଉଛନ୍ତି।
ସେହିପରି କ୍ୟାପିଟାଲ ଚୋରି, ଲୁଟ୍ପାଟ୍ ପାଇଁ ପ୍ରସିଦ୍ଧି ଲାଭ କରୁଛି। ଉକ୍ତ ଥାନା ଅଞ୍ଚଳରେ ଅଧିକ ବସ୍ତିଗୁଡିକ ଗଢ଼ିଉଠିବାରୁ ଚୋରି ଓ ଛିନ୍ତାଇ ଅଧିକ ହେଉଛି। ଜନବସତି ବଢ଼଼ିବା ସହ ଲୋକ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ହେଉଛି। ତେଣୁ ଉକ୍ତ ଥାନାଗୁଡିକ ଅଞ୍ଚଳରେ ଅଧିକ ଚୋରି, ଛିନ୍ତାଇ ମାମଲା ରହୁଛି। କ୍ୟାପିଟାଲ ଥାନାରେ ବର୍ଷକୁ ୮୦୦ରୁ ୯୦୦ ମାମଲା ରୁଜୁ ହେଉଛି। ସେଥିର ଅଧିକ ଚୋରି ଓ ଲୁଟ୍ପାଟ୍ ସମ୍ପର୍କିତ। ଉକ୍ତ ଥାନା ଅଞ୍ଚଳରେ ୟୁନିଟ୍-୧ ଓ ୨ମାର୍କେଟ ଏବଂ ସରକାରୀ କ୍ୱାର୍ଟସ୍ ରହିଥିବାରୁ ଅଧିକ ଭିଡ଼ ହେଉଛି। ତେଣୁ ଲୁଟେରା ସକ୍ରିୟ ହେବାର ମୁଖ୍ୟ କାରଣ। ସେହିଭଳି କ୍ୟାପିଟାଲ ଥାନା ପଛକୁ ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆଦି ଥାନା ରହିଛି। ତେବେ ଖାରବେଳନଗର ଥାନା ଅଞ୍ଚଳରେ ମାଳିସାହି ରହିଛି। ସେଠାରେ ବାଲାଂଦେଶୀ ଆଡ୍ଡା ଜମାଉଛନ୍ତି। ତେଣୁ ସେମାନେ ଆସି ଉକ୍ତ ଅଞ୍ଚଳରୁ ଲୁଟ୍ପାଟ୍ ଅଧିକ କରୁଛନ୍ତି। ସେପଟେ ଚନ୍ଦ୍ରଶେଖରପୁର ଅଞ୍ଚଳ ଏବେ ଅପେକ୍ଷାକୃତ ବଢ଼଼ୁଛି। ତେଣୁ ଉକ୍ତ ଅଞ୍ଚଳରେ ଲୁଟ୍ପାଟ୍, ଚୋରି, ଛିନ୍ତାଇ ଏବେ ଦିନକୁ ଦିନ ବୃଦ୍ଧି ହେଉଛି। ଉକ୍ତ ଥାନା ଅଞ୍ଚଳରେ ୬୦୦ର ୬୫୦ ମାମଲା ରୁଜୁ ହେଉଛି। ସେଥିରୁ ୫୫ ପ୍ରତିଶତ ଚୋରି ସମ୍ବନ୍ଧୀୟ।
ଅନ୍ୟପଟେ ନିଶା କାରବାର ଥାନା ଭାବେ ଭରତପୁର ପ୍ରସିଦ୍ଧ ଲାଭ କରିଛି। ଗୋଟିଏ ବର୍ଷ ଭିତରେ ଥାନାରେ ରୁଜୁ ହୋଇଥିବା ମାମଲାର ୬୦ ପ୍ରତିଶତ ନିଶା ଜନିତ। ବସ୍ତି ସଂଖ୍ୟା ଅଧିକ ଥିବା ସହିତ ସବୁ ବସ୍ତିରେ ଦେଶୀ ମଦ କାରବାର ବୃଦ୍ଧି ହୋଇଛି। ଭରତପୁର ପଛକୁ ଚନ୍ଦକା ଥାନା ରହିଛି। ଥାନାଟି ସହରର ଉପକଣ୍ଠରୁ ରହୁଥିବାରୁ ଦେଶୀ ମଦ କାରବାର ଅଧିକ ହେଉଛି। ଚନ୍ଦକା ଥାନା ଅଞ୍ଚଳରେ ପ୍ରତିବର୍ଷ ୨୦୦ରୁ ୨୫୦ ମାମଲା ରୁଜୁ ହେଉଛି। ସେଥିରୁ ୭୦ପ୍ରତିଶତ ମାମଲା ମଦ କାରବାର ଲାଗି ରୁଜୁ ହୋଇଛି। ଉପକଣ୍ଠରେ ପୁଲିସର ଢିଲା ଚଢ଼ଉ ଯୋଗୁ ଘରେ ଘରେ ଦେଶୀ ମଦ କାରବାର ହେଉଛି। ସେଠାରେ ଖୋର୍ଦ୍ଧା, ନୟାଗଡ଼଼ ଆଦି ଜିଲ୍ଲାରୁ ମଧ୍ୟ ଚାଲାଣ କରାଯାଉଛି। ସେପରି ହତ୍ୟାରେ ଜଟଣୀ ଆଗରେ ରହିଛି। ଗତବର୍ଷ ୪ଟି ହତ୍ୟା ମାମଲା ରୁଜୁ ହୋଇଛି। ଜଟଣୀ ପଛକୁ ଭରତପୁର, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ୩ଟି ଲେଖାଏଁ ମାମଲା ରୁଜୁ ହୋଇଛି।
ସେହିପରି ଅପହରଣ ଥାନା ଭାବେ ଗଣା ହେଲା ନୂଆପଲ୍ଲୀ। ନୂଆପଲ୍ଲୀ ଥାନାରେ ୨୩ଟି ଅପହରଣ ମାମଲା ରୁଜୁ କରାଯିବା ସହ ଏଥର ପ୍ରସିଦ୍ଧ ଲାଭ କରିଛି। ନୂଆପଲ୍ଲୀ ପଛକୁ ମଞ୍ଚେଶ୍ୱର, ବଡ଼ଗଡ଼଼ ଆଦି ଥାନାକୁ ଅପହରଣ ଥାନା ଭାବେ ପରିଚିତ ଲାଭ କରିଛନ୍ତି।