ବ୍ରହ୍ମପୁର: ଗ୍ୟାଙ୍ଗଷ୍ଟାର ହାଇଦରଙ୍କୁ ଏନକାଉଣ୍ଟର ପରେ ଏବେ ସବୁ ଜେଲରେ ଗ୍ୟାଙ୍ଗଷ୍ଟାରମାନଙ୍କୁ ଏନକାଉଣ୍ଟର ଭୟ ଘାରିଛି। ଘଟଣାକୁ ନେଇ ସବୁ ବିଚଳିତ ଥିବା ବେଳେ ଜେଲ ମଧ୍ୟରେ ରହିବା ହିଁ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଏବେ ଭାବି ନେଇଛନ୍ତି। ହାଇଦରଙ୍କୁ ଏନକାଉଣ୍ଟର ପରେ ବ୍ରହ୍ମପୁର ଜେଲକୁ ତିନି ମାସ ପୂର୍ବେ ଝାରପଡ଼ା ଜେଲରୁ ସ୍ଥାନାନ୍ତର ହୋଇ ଆସିଥିବା ଗ୍ୟାଙ୍ଗଷ୍ଟାର ଟିଟୋ (ସୟଦ ଉଷ୍ଣାନ୍ ଅଲ୍ଲୀ)ଙ୍କ ଉପରେ ଏବେ ସମସ୍ତଙ୍କ ନଜର। ହାଇଦର ଏବଂ ଟିଟୋ ଉଭୟେ ବିରୋଧୀ ହୋଇଥିବା ବେଳେ ହାଇଦରର ଏନକାଉଣ୍ଟରରେ ଟିଟୋ ଯେତିକି ଖୁସି ନାହିିଁ ସେତିକି ଭୟଭୀତ ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି। ହାଇଦରଙ୍କୁ ଏନକାଉଣ୍ଟର ଦିନଠାରୁ ଟିଟୋ ପୂର୍ବଠାରୁ ଅଧିକ ସମୟ ଟିଭି ଦେଖିବା ସହ ହାଇଦରର ପ୍ରତି ଘଟଣାକୁ ସେ ଟିକିନିଖି ଦେଖୁଥିବା ଜେଲ ସୂତ୍ରରୁ ପ୍ରକାଶ।
ଝାରପଡ଼ା ଜେଲ ଭିତରେ ରହି ଟିଟୋ ନେଟୱର୍କ ଚଲାଉଥିବା ବେଳେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଜେଲକୁ ମେ ୪ ତାରିଖରେ ସ୍ଥାନାନ୍ତର କରାଯାଇଥିଲା। ସେହି ସମୟରେ ହାଇଦରଙ୍କ ମୁଖ୍ୟ ସହଯୋଗୀ ସକିଲ ବ୍ରହ୍ମପୁର ଜେଲରେ ରହିଥିଲେ। ସକିଲ ଏବଂ ଟିଟୋଙ୍କ ମଧ୍ୟରେ ଜେଲ ମଧ୍ୟରେ କାଳେ କିଛି ଅଘଟଣ ଘଟିବ ସେ ନେଇ ସକିଲ୍ ଅହମଦକୁ ମାସ ୧୬ ତାରିଖରେ କୋରାପୁଟ ଜେଲକୁ ସ୍ଥାନାନ୍ତର କରିଦିଆଯାଇଛି।
ହାଇଦର ଏବଂ ଟିଟୋ ପ୍ରଥମେ ଗୋଟିଏ ଗ୍ୟାଙ୍ଗରେ ରହି କାମ କରୁଥିବା ବେଳେ ଧିରେ ଧିରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଯୋଗୁଁ ଉଭୟେ ନିଜ ନିଜ ଗ୍ୟାଙ୍ଗ କରିଥିଲେ। ଫଳରେ ହାଇଦର ଏବଂ ଟିଟୋ ମଧ୍ୟରେ ଶତ୍ରୁତା ବଢ଼ିଥିଲା। ୨୦୦୫ରୁ ହାଇଦର ଚୁନା ହତ୍ୟା ଘଟଣାରେ ଜେଲରେ ରହିଥିବା ବେଳେ ଟିଟୋ କିନ୍ତୁ ବାହାରେ ନିଜର ଗ୍ୟାଙ୍ଗକୁ ସଦୃଢ କରୁଥିଲା। ହାଇଦର ଗ୍ୟାଙ୍ଗରେ ସକିଲ୍ ରହୁଥିବା ବେଳେ ସେ ମଧ୍ୟ ବିଭିନ୍ନ କ୍ରାଇମ୍ କରି ଟିଟୋ ଗ୍ୟାଙ୍ଗର ଏକ ଶତ୍ରୁ ଭାବେ ଟାର୍ଗେଟ ହୋଇ ଆସୁଥିଲେ। କୌଣସି ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଟିଟୋଙ୍କୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯିବା ପରେ ସକିଲଙ୍କୁ ବ୍ରହ୍ମପୁର ଜେଲରୁ କୋରାପୁଟକୁ ସ୍ଥାନାନ୍ତର କରି ଦିଆଯାଇଛି।
ହାଇଦର ଏନକାଉଣ୍ଟର ପରେ ଟିଟୋ ଭୟଭୀତ ହୋଇ ବ୍ରହ୍ମପୁର ଜେଲରେ ଦିନ କାଟୁଥିବା ଜଣାପଡ଼ିଛି। ହାଇଦରଙ୍କୁ ଏନକାଉଣ୍ଟର ପରେ ଦିନ ତମାମ୍ ଟିଟୋ ଚୁପଚାପ୍ ଟିଭି ଦେଖୁଥିଲା। ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ଜେଲରେ ବହୁ ହାର୍ଡକୋର କ୍ରିମିନାଲମାନେ ରହୁଥିବା ବେଳେ ଜେଲର ସୁରକ୍ଷା ସହ ସେମାନଙ୍କ ନେଟୱକିଂକୁ ନେଇ କିଛି ଅପରାଧୀଙ୍କୁ ରାଜ୍ୟର ବିଭିନ୍ନ ଜେଲକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ଆହୁରି ସଦୃଢ ହୋଇଛି। ସେହିଭଳି ବ୍ରହ୍ମପୁର ଜେଲରେ ବର୍ତ୍ତମାନ କିଛି ହାର୍ଡକୋର କ୍ରିମିନାଲ୍ ରହିଥିବା ବେଳେ ସେମାନେ ମଧ୍ୟ ଜେଲ ଭିତରେ ରହି କ୍ରାଇମ୍ ନେଟୱର୍କିଂ ଚଲାଉଥିବା ନେଇ ସୂଚନା ଆସିଛି। ଏହାକୁ ନେଇ କିଛି ହାର୍ଡକୋର କ୍ରିମିନାଲଙ୍କୁ ବ୍ରହ୍ମପୁର ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।