ଦୁର୍ବଳ ତଦନ୍ତ ଓ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ଅଭିଯୁକ୍ତ: ୧୫ ବର୍ଷରେ ୧୪୨୦ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ସନ୍ନ୍ୟାସୀ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଅନନ୍ତ ରାଉତଙ୍କୁ କୋର୍ଟ ଗୁରୁବାର ନିର୍ଦ୍ଦୋଷରେ ଖଲାସ କରିଥିଲେ। କେବଳ ସନ୍ନ୍ୟାସୀ ହତ୍ୟା ମାମଲା ନୁହେଁ, ଏହିଭଳି ରବିଟକିଜ୍‍ ମିଠା ଦୋକାନୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଉପଯୁକ୍ତ ପ୍ରମାଣ ଏବଂ ସାକ୍ଷୀ ଯୋଗାଡ଼ କରିପାରୁ ନ ଥିବାରୁ ଅଭିଯୁକ୍ତ ସହଜରେ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ଯାହାକୁ ନେଇ ପୁଲିସ ତଦନ୍ତ ଉପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। […]

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ସନ୍ନ୍ୟାସୀ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଅନନ୍ତ ରାଉତଙ୍କୁ କୋର୍ଟ ଗୁରୁବାର ନିର୍ଦ୍ଦୋଷରେ ଖଲାସ କରିଥିଲେ। କେବଳ ସନ୍ନ୍ୟାସୀ ହତ୍ୟା ମାମଲା ନୁହେଁ, ଏହିଭଳି ରବିଟକିଜ୍‍ ମିଠା ଦୋକାନୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଉପଯୁକ୍ତ ପ୍ରମାଣ ଏବଂ ସାକ୍ଷୀ ଯୋଗାଡ଼ କରିପାରୁ ନ ଥିବାରୁ ଅଭିଯୁକ୍ତ ସହଜରେ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ଯାହାକୁ ନେଇ ପୁଲିସ ତଦନ୍ତ ଉପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ପୁଲିସ ଏବେ ମାଳ ମାଳ ହାଇପ୍ରୋଫାଇଲ୍‍ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଏହି ମାମଲା ସବୁ ଚାଲୁଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିପାରୁ ନ ଥିବାରୁ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଯିବେ ବୋଲି କୁହାଯାଉଛି। କାରଣ ଗତ କିଛି ବର୍ଷ ଭୁବନେଶ୍ୱର କୋର୍ଟରୁ ଏକାଧିକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏଥିପାଇଁ ପୁଲିସର ଦୁର୍ବଳ ତଦନ୍ତ ଏବଂ ପ୍ରମାଣ ଯୋଗାଡ଼ କରିବାରେ ବିଫଳ ବୋଲି ଦାୟୀ କରାଯାଉଛି। ୨୦୦୭ରୁ ୨୦୨୧ ପର୍ଯ୍ୟନ୍ତ ୧୫ ବର୍ଷରେ ୧୪୨୦ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି। ପୁଲିସ ଗଣମାଧ୍ୟମରେ କହୁଛି ଗୋଟିଏ କଥା ଆଉ କୋର୍ଟକୁ ଦେଖାଉଛି ଆଉ ଗୋଟିଏ କଥା। ଯେଉଁଥିପାଇଁ ଅପରାଧୀ ନିର୍ଦ୍ଦୋଷରେ ଖସିବାର ଅନ୍ୟ ଏକ କାରଣ।

ପୁଲିସ ତଥ୍ୟ ଅନୁଯାୟୀ, ୨୦୦୭ରୁ ୨୦୨୧ ପର୍ଯ୍ୟନ୍ତ ଅର୍ଥାତ୍‍ ୧୫ ବର୍ଷରେ ୧୪୨୦ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ କୋର୍ଟରୁ ଖଲାସ ହୋଇଛନ୍ତି। ସେଥିରୁ ମାତ୍ର ୩୬୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ। ୨୦୧୪ରେ ସର୍ବାଧିକ ୨୩୧ ଜଣ ନିର୍ଦ୍ଦୋଷରେ ଖସିଯାଇଥିବାବେଳେ ୨୦୧୮ରେ ସର୍ବନିମ୍ନ ୧୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସେହିଭଳି ୨୦୦୭ରେ ସର୍ବାଧିକ ୧୨୮ ଜଣ ସଜା ପାଇଥିବାବେଳେ ୨୦୧୭ରେ ସର୍ବନିମ୍ନ ୨ ଜଣ ସଜା ପାଇଛନ୍ତି। ନିର୍ଦ୍ଦୋଷରେ ଖଲାସ ହୋଇଥିବା ୧୪୨୦ ଜଣଙ୍କ ମଧ୍ୟରୁ ଚୋରିରେ ୧୦୯, ହତ୍ୟା ମାମଲାରେ ୨୮, ଡକାୟତିରେ ୮, ସିନ୍ଧିଚୋରିରେ ୪୭, ଧମକାଇ ଲୁଟ୍‍ରେ ୩୦, ଠକେଇ ମାମଲାରେ ୫, ଦଙ୍ଗା ମାମଲାରେ ୧୧, ଦୁଷ୍କର୍ମ ମାମଲାରେ ୫୧, ଏମ୍‍.ଭିରେ ୩୮ ଓ ମିସ୍‍କେସ୍‍ରେ ସର୍ବାଧିକ ୧୦୯୦ ଜଣ ନିର୍ଦ୍ଦୋଷରେ କୋର୍ଟରୁ ଖସିଯାଇଛନ୍ତି। ୨୦୦୭/୦୮ ଏବଂ ୨୦୦୯ ମସିହାରେ ହତ୍ୟା ମାମଲାରେ କେହି ଖସିଯାଇ ନ ଥିବାବେଳେ ୨୦୧୦ରେ ୨ଜଣ ଖଲାସ ହୋଇଛନ୍ତି। ୨୦୧୧ରେ ଜଣେ, ୨୦୧୨ରେ ୩, ୨୦୧୩ରେ ୨, ୨୦୧୪ରେ ସର୍ବାଧିକ ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେହିପରି ୨୦୧୫ରେ ୫, ୨୦୧୬ରେ ୨ ଓ ୨୦୧୭ରେ ଜଣେ ଖଲାସ ହୋଇଥିବାବେଳେ ୨୦୧୮ରେ କେହି ଯାଇନାହାନ୍ତି। ସେହିଭଳି ଦୁଷ୍କର୍ମ ମାମଲାରେ ୨୦୦୭ରେ ୨ଜଣ, ୨୦୦୮ରେ ୪ ଜଣ, ୨୦୦୯ ଏବଂ ୨୦୧୦ରେ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୧ରେ ୨ଜଣ, ୨୦୧୨ରେ ୪ଜଣ, ୨୦୧୩ରେ ୩ ଜଣ, ୨୦୧୪ରେ ୭ ଜଣ, ୨୦୧୯ରେ ସର୍ବାଧିକ ୯ ଜଣ, ୨୦୧୬ରେ ୭ ଜଣ, ୨୦୧୭ରେ ୬ ଓ ୨୦୧୮ରେ ୫ ଜଣ ରହିଛନ୍ତି। ଚୋରିରେ ୨୦୧୭ରେ ୨ ଜଣ, ୨୦୦୮ରେ ଜଣେ, ୨୦୦୯ରେ ୨ଜଣ, ୨୦୧୦ରେ ୪ ଜଣ, ୨୦୧୧ରେ ୩ ଜଣ, ୨୦୧୨ରେ ୧୩ ଜଣ, ୨୦୧୩ରେ ୧୪ ଜଣ, ୨୦୧୪ରେ ୧୮ ଜଣ, ୨୦୧୫ରେ ୧୩ ଜଣ, ୨୦୧୬ରେ ସର୍ବାଧିକ ୨୪ ଜଣ, ୨୦୧୭ରେ ୧୨ ଜଣ ଓ ୨୦୧୮ରେ ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଅର୍ଚ୍ଚନା ବିରୋଧରେ ପ୍ରମାଣ ଯୋଗାଡ଼ କରିପାରିବ ତ!
ପୁଲିସ ପୂର୍ବରୁ ଯେଉଁସବୁ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି, ସେମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିପାରୁନି। ତେଣୁ ବର୍ତ୍ତମାନ ହାଇପ୍ରୋଫାଇଲ୍‍ ମାମଲା କୁହାଯାଉଥିବା ଅର୍ଚ୍ଚନା ନାଗ ମାମଲାରେ ପୁଲିସ ତଦନ୍ତ ଠିକ୍‍ ହେବ ତ; ନା ଗିରଫ ପରେ ପ୍ରମାଣ ଯୋଗାଡ଼ କରିବାରେ ପୁଲିସ ବିଫଳ ହେବ। ଶେଷରେ ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ କୋର୍ଟରୁ ଖଲାସ ହୋଇଯିବ ନାହିଁ ତ?

ତଦନ୍ତ ପାଇଁ ସମୟ ମିଳୁନି
ପୁଲିସର ଦୁର୍ବଳ ତଦନ୍ତ ପଛରେ ଅନେକ କାରଣ ରହିଛି। କାରଣ ଖୁବ୍‍ କମ୍‍ ସମୟରେ ଏସ୍‍ଆଇମାନଙ୍କୁ ପଦୋନ୍ନତି ଦେବା ମୁଖ୍ୟ କାରଣ। ଆହୁରି ମଧ୍ୟ କୋର୍ଟରେ ସାକ୍ଷୀ ବୟାନ ବଦଳାଇବା, କୋର୍ଟ ଇନ୍ସପେକ୍ଟର ନ ରହିବା, ତଦନ୍ତ ଅଧିକାରୀଙ୍କୁ ଲ’ ଆଣ୍ଡ ଅର୍ଡର କାର୍ଯ୍ୟରେ ନିଯୁକ୍ତ କରାଇବା, ତଦନ୍ତ ଅଧିକାରୀ ଓ ପିପି ବାରମ୍ବାର ବଦଳିବା, ତଦନ୍ତ ଅଧିକାରୀଙ୍କୁ ମାମଲା ଶେଷ କରିବା ପାଇଁ ଚାପ ପଡ଼ିବା ଆଦି ଅନେକ କାରଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାରେ ସହଯୋଗ କରୁଛି।

About The Author: The Sakala