ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଔଷଧ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବାକୁ ଯାଉଛନ୍ତି। ଟ୍ରମ୍ପ୍ଙ୍କ ଏହି ଘୋଷଣା ପରେ ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକର ସେୟାର ମଙ୍ଗଳବାର ୪% ପର୍ଯ୍ୟନ୍ତ ହ୍ରାସ ପାଇଛି। ଟ୍ରମ୍ପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଔଷଧ ଆମଦାନୀ ଉପରେ ଭାରି ଶୁଳ୍କ ଲାଗୁ କରିବାକୁ ଯାଉଛନ୍ତି। ଏହି ବିବୃତ୍ତି ପରେ ନିଫ୍ଟି ଫାର୍ମା ସୂଚକାଙ୍କ ୨% ହ୍ରାସ ପାଇ ୨୧,୬୦୦ ପଏଣ୍ଟ ସ୍ତରରେ ପହଞ୍ଚିଛି।
ଭାରତ ପ୍ରତିବର୍ଷ ୧୦ ବିଲିୟନ ଡଲାର (ପ୍ରାୟ ୮୬,୨୦୦ କୋଟି ଟଙ୍କା) ମୂଲ୍ୟର ଔଷଧ ଆମେରିକାକୁ ରପ୍ତାନି କରିଥାଏ, ଯାହା ଆମେରିକାର ମୋଟ ଔଷଧ ଆମଦାନୀର ୬%। ପୂର୍ବରୁ ଏପ୍ରିଲରେ ଟ୍ରମ୍ପ ଫାର୍ମା ଉପରେ ଶୁଳ୍କ ଲାଗୁ ବିଷୟରେ କହିଥିଲେ, କିନ୍ତୁ ପରେ ଏହାକୁ ୯୦ଦିନ ପାଇଁ ସ୍ଥଗିତ ରଖିଥିଲେ। ଏବେ ପୁଣି ଶୁଳ୍କ ହେଉଥିବା ନେଇ ବିବୃତ୍ତି ଦେବା ବଜାରରେ ଅନିଶ୍ଚିତତା ବୃଦ୍ଧି କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଔଷଧ ଶୁଳ୍କ ଲଗାଯାଏ, ତେବେ ଏହା ଭାରତୀୟ ଔଷଧ କମ୍ପାନୀଗୁଡ଼ିକର ଆୟ ଉପରେ ବଡ଼ ପ୍ରଭାବ ପକାଇପାରେ। କାରଣ ସେମାନଙ୍କ ଆୟର ଏକ ବଡ଼ ଅଂଶ ଆମେରିକାରୁ ଆସିଥାଏ। ଟ୍ରମ୍ପଙ୍କ ଔଷଧ ସାମଗ୍ରୀ ଉପରେ ଶୁଳ୍କ ଲାଗୁ ପରେ ଗ୍ରାନୁଏଲ୍ସ ଇଣ୍ଡିଆ, ଲୁପିନ୍, ନାଟ୍କୋଫାର୍ମ ଏବଂ ଅରବିନ୍ଦ ଫାର୍ମାର ସେୟାର ମୂଲ୍ୟରେ ସର୍ବାଧିକ ୪% ହ୍ରାସ ପାଇଛି। ଲୌରସ୍ ଲ୍ୟାବ୍ସ ଏବଂ ଡକ୍ଟର ରେଡ୍ଡିଜ୍ ଲ୍ୟାବ୍ସର ସେୟାର ମଧ୍ୟ ୩% ରୁ ଅଧିକ ହ୍ରାସ ପାଇଛି। ସନ୍ ଫାର୍ମା, ସିପ୍ଲା, ଗ୍ଲେନମାର୍କ ଏବଂ ନାଟକୋ ଫାର୍ମା ଭଳି ବଡ଼ ନାମ ମଧ୍ୟ ୨-୨.୬% ହ୍ରାସ ପାଇଛି। ଟ୍ରମ୍ପ କହିଛନ୍ତି ଯେ ବିଦେଶୀ ଦେଶ, ବିଶେଷକରି ଭାରତ ଏବଂ ଚୀନରୁ ଆସୁଥିବା ଶସ୍ତା ଔଷଧ ଯୋଗୁଁ ଆମେରିକା ଔଷଧ ଶିଳ୍ପ ଦୁର୍ବଳ ହେଉଛି। ତାଙ୍କର ଲକ୍ଷ୍ୟ ହେଉଛି ବିଦେଶୀ କମ୍ପାନୀଗୁଡ଼ିକ ଆମେରିକାରେ ସେମାନଙ୍କର କାରଖାନା ସ୍ଥାପନ କରନ୍ତୁ, ଯାହା ଦ୍ଵାରା ଚାକିରି ବୃଦ୍ଧି ପାଇବ ଏବଂ ଔଷଧ ଉତ୍ପାଦନ ସ୍ୱାବଲମ୍ବୀ ହେବ। କିନ୍ତୁ ଟ୍ରମ୍ପ ପୂର୍ବରୁ ବୟାନ ଦେଇଛନ୍ତି ଯେ ସେ ଏତେ ଉଚ୍ଚ ଶୁଳ୍କ ଲାଗୁ କରିବେ ଯେ କମ୍ପାନୀଗୁଡ଼ିକ ପାଇଁ ଆମେରିକାରେ ୟୁନିଟ୍ ସ୍ଥାପନ କରିବା ଶସ୍ତା ହେବ। କିଛି ରିପୋର୍ଟରେ ଅନୁମାନ କରାଯାଇଛି ଯେ ଏହି ଶୁଳ୍କ ୧୦% ରୁ ୨୫% ମଧ୍ୟରେ ହୋଇପାରେ। ତଥାପି, ଏ ନେଇ ସରକାରୀ ଘୋଷଣାକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ ଯେ, ଭାରତ ଆମେରିକାକୁ ଏକ ବଡ଼ ଔଷଧ ଯୋଗାଣକାରୀ। ଏଠାରୁ ଶସ୍ତା ଜେନେରିକ୍ ଔଷଧ ଆମେରିକାକୁ ଯାଏ, ଯାହା ସେଠାକାର ଲୋକଙ୍କୁ ସୁଲଭ ମୂଲ୍ୟରେ ଉପଳବ୍ଧ ହୋଇଥାଏ। ଯଦି ଶୁଳ୍କ ଲାଗୁ ହୁଏ, ତେବେ ଏହି ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଏଡାଛଡା ଫାର୍ମା କମ୍ପାନୀଙ୍କ ବିକ୍ରି ହ୍ରାସ ମଧ୍ୟ ପାଇବ। ଏଥିଯୋଗୁ ସନ୍ ଫାର୍ମା, ଡକ୍ଟର ରେଡ୍ଡିଜ୍ ଏବଂ ଅରବିନ୍ଦ ଫାର୍ମା ଭଳି ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରଭାବିତ ହେବେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏହି କମ୍ପାନୀଗୁଡ଼ିକର ସେୟାରରେ ଆହୁରି ହ୍ରାସ ଘଟାଇପାରେ। ହେଲେ ଭାରତ ସରକାର ଏହି ପ୍ରସଙ୍ଗରେ ସତର୍କ। ରିପୋର୍ଟ ଅନୁଯାୟୀ, ଭାରତ ବାଣିଜ୍ୟ ଚୁକ୍ତି ପୂର୍ବରୁ ଆମେରିକାଠାରୁ ପ୍ରତିଶ୍ରୁତି ମାଗିଛି ଯେ କୌଣସି ନୂତନ ଶୁଳ୍କ ଲାଗୁ କରାଯିବନାହିଁ। ଜୁଲାଇ ୯ ସୁଦ୍ଧା ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ପ୍ରୟାସ କରାଯାଉଛି, ଯାହା ଦ୍ଵାରା ଭାରତର ଔଷଧ ଶିଳ୍ପକୁ କ୍ଷତିରୁ ରକ୍ଷା ପାଇପାରିବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଟ୍ରମ୍ପଙ୍କ ଅନିଶ୍ଚିତ ମନୋଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆହୁରିମଧ୍ୟ ଯଦି ଔଷଧ ଉପରେ ଶୁଳ୍କ ଲଗାଯାଏ, ତେବେ ଆମେରିକାରେ ଔଷଧର ମୂଲ୍ୟ ବୃଦ୍ଧି ଘଟାଇବ। ଏହା ସେଠାକାର ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଭାରତରେ ଔଷଧ କମ୍ପାନୀଗୁଡ଼ିକ ମଧ୍ୟ କ୍ଷତି ସହିପାରନ୍ତି, ଯାହା ରପ୍ତାନି ହ୍ରାସ କରିପାରେ। ଯଦି ଭାରତ ଏବଂ ଆମେରିକା ମଧ୍ୟରେ ସଠିକ୍ ଚୁକ୍ତି ହୁଏ, ତେବେ ଏହି ପ୍ରଭାବ ହ୍ରାସ ହୋଇପାରେ।