ଏମିତି ଏକ ଅଦାଲତ, ଯେଉଁଠି କେବଳ ମଣିଷଙ୍କୁ ନୁହେଁ ଭଗବାନଙ୍କୁ ବି ଦଣ୍ଡ ମିଳେ

ବସ୍ତର(ଛତିଶଗଡ଼) : ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବସ୍ତରରେ କଙ୍ଗାରୁ କୋର୍ଟର ପ୍ରଥା ସମସ୍ତଙ୍କୁ ଜଣାଥିବ। ନକ୍ସଲଙ୍କ ଦ୍ବାରା ପରିଚାଳିତ ଏହି କୋର୍ଟରେ କେହି ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଏହି କୋର୍ଟରେ କଠୋର ଦଣ୍ଡ ମିଳିଥାଏ। କିନ୍ତୁ ଏଠାକାର ଆଦିବାସୀ ସଂପ୍ରଦାୟ ମଧ୍ୟରେ ଆଉ ଏକ ନୀତି ପ୍ରଚଳିତ ରହିଛି ଯାହା ଶୁଣିଲେ ଯେକେହି ବିସ୍ମିତ ହେବେ । ଏଠାରେ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଆଉ ଏକ ସଭାରେ ଭଗବାନ କିମ୍ବା ଦେବାଦେବୀଙ୍କ […]

ବସ୍ତର(ଛତିଶଗଡ଼) : ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବସ୍ତରରେ କଙ୍ଗାରୁ କୋର୍ଟର ପ୍ରଥା ସମସ୍ତଙ୍କୁ ଜଣାଥିବ। ନକ୍ସଲଙ୍କ ଦ୍ବାରା ପରିଚାଳିତ ଏହି କୋର୍ଟରେ କେହି ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଏହି କୋର୍ଟରେ କଠୋର ଦଣ୍ଡ ମିଳିଥାଏ। କିନ୍ତୁ ଏଠାକାର ଆଦିବାସୀ ସଂପ୍ରଦାୟ ମଧ୍ୟରେ ଆଉ ଏକ ନୀତି ପ୍ରଚଳିତ ରହିଛି ଯାହା ଶୁଣିଲେ ଯେକେହି ବିସ୍ମିତ ହେବେ । ଏଠାରେ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଆଉ ଏକ ସଭାରେ ଭଗବାନ କିମ୍ବା ଦେବାଦେବୀଙ୍କ ବିଚାର ହୁଏ ଏବଂ ସେମାନଙ୍କୁ ମଧ୍ୟ ଦଣ୍ଡିତ କରାଯାଏ।

ବସ୍ତର ଅଞ୍ଚଳର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ହେଉଛି ଆଦିବାସୀ ସଂପ୍ରଦାୟର। ଏଠାରେ ଗୋଣ୍ଡ,ମାରିଆ,ଭାତ୍ରା,ହାଲବା ଏବଂ ଧୁରୱା ଶ୍ରେଣୀର ଆଦିବାସୀ ରହିଥିଲା ବେଳେ ସେମାନଙ୍କ ଦ୍ବାରା ଭିନ୍ନ ଭିନ୍ନ ପ୍ରଥା ପାଳନ କରିବା ଦେଖାଯାଇଥାଏ। ଏଠାରେ ଏମିତି କିଛି ପରମ୍ପରା ଓ ପ୍ରଥା ପ୍ରଚଳିତ ରହିଛି ଯାହାକି ଦେଶର ଅନ୍ୟ କୌଣସି ଆଦିବାସୀ ସଂପ୍ରଦାୟ ମଧ୍ୟରେ ଦେଖା ଯାଇ ନଥାଏ। ସେଥିପାଇଁ ଏହି ଅଞ୍ଚଳର ଆଦିବାସୀ ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ବତନ୍ତ୍ର ବୋଲି କୁହାଯାଏ।

ତେବେ ବିଭିନ୍ନ ପ୍ରଥା ମଧ୍ୟରୁ ଏଠାରେ ପ୍ରଚଳିତ ଜନ ଅଦାଲତ ପ୍ରଥା ସବୁଠୁ ଚର୍ଚ୍ଚିତ ରହି ଆସିଛି। ପ୍ରତ୍ୟେକ ବର୍ଷା ଋତୁରେ ଏଠାକାର ଆଦିବାସୀ ଲୋକମାନେ ଭାଦୋ ଯାତ୍ରା ଆୟୋଜନ କରିଥାଆନ୍ତି ଏବଂ ଏହି ସମୟରେ ସେମାନେ ଭଙ୍ଗାରାମ ଦେବୀ ମନ୍ଦିରରେ ଏକାଠି ହୋଇଥାଆନ୍ତି। ତିନି ଧରି ଚାଲୁଥିବା ଏହି ମେଳା ବା ଉତ୍ସବରେ ଭଙ୍ଗାରାମ ଦେବୀଙ୍କ ନିର୍ଦ୍ଦେଶରେ ସବୁକିଛି ହୋଇଥାଏ। ଏହି ସମୟରେ ଅନ୍ୟ ଦେବାଦେବୀଙ୍କ ଦୋଷ ମଧ୍ୟ ବିଚାର ହୋଇଥାଏ। ଏପରିକି କିଏ ଯଦି କୌଣସି ଦେବତା କିମ୍ବା ଦେବୀଙ୍କୁ କିଛି କାର୍ଯ୍ୟ ପାଇଁ ପ୍ରାର୍ଥନା କରିଥାଏ ଏବଂ ତାହା ଫଳପ୍ରଦ ହୋଇ ନ ଥାଏ ତେବେ ସଂପୃକ୍ତ ଦେବାଦେବୀଙ୍କ ବିଷୟ ମଧ୍ୟ ବିଚାର କରାଯାଇ ତାଙ୍କୁ ଦଣ୍ଡିତ କରାଯାଇଥାଏ।

ଏଥିପାଇଁ କୁକୁର, ବିଲେଇଙ୍କ ଠାରୁ ଆରମ୍ଭ କରି କୁକୁଡ଼ା ଏବଂ ଅନ୍ୟାନ୍ୟ ପକ୍ଷୀଙ୍କୁ ମଧ୍ୟ ସାକ୍ଷୀ ରଖାଯାଇଥାଏ। ଯଦି କୌଣସି ଦେବାଦେବୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଣ୍ଡ ସ୍ବରୂପ ସଂପୃକ୍ତ ଦେବାଦେବୀଙ୍କ କାଠ ମୂର୍ତ୍ତିକୁ ମନ୍ଦିରର ପଛ ଭାଗକୁ ନିଆଯାଇ ରଖାଯାଇଥାଏ। ଯେପରିକି କେହି ତାଙ୍କୁ ଦର୍ଶନ କରିପାରିବେ ନାହିଁ କି ପ୍ରାର୍ଥନା କରିପାରିବେ ନାହିଁ। ଆଉ କଠିନ ଦଣ୍ଡବିଧାନ ପାଇଁ ଦେବାଦେବୀଙ୍କୁ ସବୁଦିନ ପାଇଁ ଏକ ନିକାଞ୍ଚନ ସ୍ଥାନକୁ ନିଆଯାଇ ସେଠାରେ ଅବସ୍ଥାପନ କରାଯାଏ। ଏହି ସମୟରେ ଭୋଜି ମଧ୍ୟ ଆୟୋଜନ କରାଯାଇଥାଏ। ଯେଉଁଥିରେ ନିକଟସ୍ଥ ଗାଁର ସବୁ ଲୋକ ଭାଗ ନେଇଥାଆନ୍ତି। ଖାଲି ଦଣ୍ଡବିଧାନ ନୁହେଁ, ଦେବାଦେବୀଙ୍କୁ ତାଙ୍କ ସ୍ବଭାବରେ ପରିବର୍ତ୍ତନ କରିବାକୁ ମଧ୍ୟ ସୁଯୋଗ ଦିଆଯାଇଥାଏ। ଯଦି କେହି ସମୟାନୁସାରେ ନିଜର ଦୋଷ , ତ୍ରୁଟିକୁ ବଦଳାଇପାରନ୍ତି ତେବେ ସଂପୃକ୍ତ ଦେବାଦେବୀଙ୍କୁ ପୁଣି ଥରେ ପୂର୍ବ ସ୍ଥାନରେ ଅବସ୍ଥାପିତ କରାଯାଇଥାଏ ଏବଂ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥାଏ। ଏଠାକାର ଆଦିବାସୀଙ୍କ ମତରେ ଲୋକମାନଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଜାଣିବା ଏବଂ ଏଥିପାଇଁ ଉତ୍ତରଦାୟୀ ରହିବା ଭଗବାନଙ୍କ କର୍ତ୍ତବ୍ୟ। ଯଦି କେହି ଏଥିରେ ଊଣା କରନ୍ତି ତେବେ ଯେକୌଣସି ଦେବତା କିମ୍ବା ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇପାରିବ।

About The Author: The Sakala