ନୂଆଦିଲ୍ଲୀ : ଭାରତର ମୁନ୍ ମିଶନ୍ ସଫଳ ହେବାକୁ ଆଉ ମାତ୍ର କିଛି ଘଣ୍ଟାକୁ ଅପେକ୍ଷା। ଦିନେ ପରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୩। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ରୁଷର ମୁନ୍ ମିଶନ ଫେଲ୍ ମାରିବା ପରେ ଭାରତର ଚନ୍ଦ୍ର ଅଭିଯାନ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ୨୩ ତାରିଖକୁ ସାରା ଦେଶ ଉତ୍ସୁକତା ସହ ଅପେକ୍ଷା କରିଛି ।
ଶନିବାର ବିଳମ୍ବିତ ରାତ୍ରୀରେ ଲ୍ୟାଣ୍ଡରର ଦ୍ଵିତୀୟ ଡି-ବୁଷ୍ଟିଂ ପରେ ଆହୁରି ହ୍ରାସ ପାଇଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅର୍ବିଟ । ଚନ୍ଦ୍ରଠାରୁ ସର୍ବନିମ୍ନ ଦୂରତା ୨୫ କିଲୋମିଟର ଓ ସର୍ବାଧିକ ଦୂରତା ୧୩୪ କିଲୋମିଟରକୁ ଖସି ଆସିଛି । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ବର୍ତ୍ତମାନ ଚନ୍ଦ୍ରରେ ରାତି ଅଛି । ୨୩ ତାରିଖର ସୂର୍ଯ୍ୟୋଦୟକୁ ଅପେକ୍ଷା ରହିଛି । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ୨୫ କିଲୋମିଟର ଉଚ୍ଚତାରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ।
ଜହ୍ନରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨
ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଭାରତର ଏହି ମିଶନ ଲଗାତାର ବିନା ବାଧାରେ ଆଗକୁ ବଢ଼ିଚାଲିଛି । ଧୀରେ ଧୀରେ ଚନ୍ଦ୍ରରେ ଅବତରଣ କରିବାର ସମୟ କମି କମି ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ୍ ଦେଇଛି ଇସ୍ରୋ। ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ସମ୍ପର୍କ ସ୍ଥାପନ ହୋଇଛି । ଚନ୍ଦ୍ରାଯାନ-୨ର ଅର୍ବିଟର ଚନ୍ଦ୍ରାଯନ-୩କୁ ସ୍ୱାଗତ କରିଛି ।
ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଲେଖାଯାଇଛି ଯେ, ‘ସ୍ୱାଗତମ୍ ବନ୍ଧୁଟ୍ଟ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଛି ଚନ୍ଦ୍ରଯାନ-୨ ଅର୍ବିଟର । ଏବେ ଦୁହିଁଙ୍କ ମଧ୍ୟରେ ଦୁଇପଟୁ ଯୋଗାଯୋଗ ସ୍ଥାପନ ହୋଇଛି। ଏହାଫଳରେ ବେଙ୍ଗାଲୁରୁସ୍ଥିତ ମିସନ ଅପରେସନ କପ୍ଲେକ୍ସ (ଏମଓଏକ୍ସ) ପାଖର ଲ୍ୟାଣ୍ଡର ମଡ୍ୟୁଲ ସହ ଯୋଗାଯୋଗ କରିବାକୁ ଏକାଧିକ ରାସ୍ତା ଖୋଲିଯାଇଛି ।
ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ ସଫଳ ଉତକ୍ଷେପଣ ପରଠୁ ବର୍ତ୍ତମାନ ଯାଏଁ କିଛି ଅସୁବିଧା ହୋଇନଥିବା ବେଳେ ଆଗକୁ ମଧ୍ୟ କିଛି ଅସୁବିଧା ହେବନାହିଁ। ଆଗାମୀ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଇସ୍ରୋ ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ କରାଯାଇଛି। ଇସ୍ରୋ କହିଛି ଚନ୍ଦ୍ରଯାନ-୨ ସମୟରେ ଯାହା ସମସ୍ୟା ଥିବା ତାହା ଆଉ ହେବନାହିଁ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ସମୟର ଶେଷ କିଛି ମିନିଟରେ ଯେଉଁ ବିପଦ ଦେଖାଦେଇଥିଲା ତାହାକୁ ଦୂର କରାଯାଇଛି। ଅବତରଣ ସମୟରେ ସେହି ସମସ୍ତ ବିକଳ୍ପ ଉପଲବ୍ଧ ହେବ, ଯାହା କୌଣସି ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷିତ ଅବତରଣ ପାଇଁ ବ୍ୟବହୃତ ହୋଇପାରିବ। ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ନିରାପଦ ଏବଂ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯେତିକି ସମୟ ପାଖେଇ ଆସୁଛି। ଇସ୍ରୋ ପକ୍ଷରୁ ମଧ୍ୟ ସେତିକି ପ୍ରସ୍ତୁତି ହେଉଛି। ଆମର ବୈଜ୍ଞାନିକ ମାନେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି ଇସ୍ରୋ କହିଛି।
ଅନ୍ୟପଟେ ଦୁନିଆର ଅନେକ ଦେଶର ଆଖି ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ ରହିଛି। ବିଶେଷକରି ଋଷ, ଆମେରିକା ଏବଂ ଚୀନ୍ ‘ଚନ୍ଦ୍ରୟାନ୍-୩’ର ସଫ୍ଟ ଲ୍ୟାଣ୍ଡିଂ ଉପରେ ଦୃଷ୍ଟି ରଖିଛନ୍ତି। ଏହାର କାରଣ ହେଉଛି, ଏହି ତିନୋଟି ଦେଶ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂରେ ସଫଳତା ହାସଲ କରିଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମରେ ଏଭଳି ଏକ ‘ରେସ୍କ୍ୟୁ ମୋଡ୍’ ରହିଛି, ଯାହା ସବୁ କିଛି ଭୁଲ୍ ହେଲେ ମଧ୍ୟ ଅବତରଣ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୨ ବିଫଳ ହେବା ପରେ ଚନ୍ଦ୍ରଯାନ-୩ରେ ଅନେକ ସୁଧାର କରାଯାଇଛି ଏବଂ ଏହା ସୁରକ୍ଷିତ ଭାବେ ଅବତରଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ।
‘ଚନ୍ଦ୍ରଯାନ-୩’ ପାଇଁ ଫ୍ଲାଟ ସାଇଟ୍ ଚୟନ କରାଯାଇଛି
ଚନ୍ଦ୍ର ପୃଷ୍ଠରେ ପରିବେଶ ପରିଷ୍କାର ଅଟେ। ସେଠାରେ ପ୍ରଦୂଷଣର କୌଣସି ନାହିଁ। ଯଦି ଏପରି କଣିକା ଥାଏ, ଏହା ବାୟୁରେ ଜଳିଯାଏ। ଏହି କାରଣରୁ, ଯେ କୌଣସି ବସ୍ତୁ ସେଠାକୁ ଆସେ, ଏହା ସିଧାସଳଖ ଚନ୍ଦ୍ର ପୃଷ୍ଠକୁ ଆଘାତ କରେ। ଯେତେବେଳେ କୌଣସି ବସ୍ତୁ ସିଧାସଳଖ ଧକ୍କା ହୁଏ, ଏହା ମଧ୍ୟ ବିଛାଡି ହୋଇପଡେ। ଚନ୍ଦ୍ରରେ ପ୍ରବାହିତ ଜଳ ନାହିଁ, ତେଣୁ ସେଠାରେ ଥିବା ଗର୍ତ୍ତଗୁଡ଼ିକ ପୂର୍ଣ୍ଣ ହୁଏ ନାହିଁ । ଏଣୁ ଚନ୍ଦ୍ରଯାନ-୩ ପାଇଁ ଏକ ଫ୍ଲାଟ ସାଇଟ୍ ଚୟନ କରାଯାଇଛି। ଯଦିଓ ସେହି ସମୟରେ କିଛି ପଦାର୍ଥ ଚନ୍ଦ୍ରଯାନ ଆଡକୁ ଆସେ, ତେବେ ଚନ୍ଦ୍ରଯାନର ସନ୍ତୁଳନ ଖରାପ ହେବାକୁ ଦିଆଯିବ ନାହିଁ । ସେହି ସମୟର ଫଟୋଗ୍ରାଫି ଜାରି ରହିବ। ଯଦି ଲ୍ୟାଣ୍ଡିଂ ସ୍ଥାନରେ ଅଧିକ କୌଣସି ପ୍ରତିବନ୍ଧକ ଥାଏ, ତେବେ ଚନ୍ଦ୍ରାୟନ-୩ ର ଦିଗ ପରିବର୍ତ୍ତନ ହେବ। ଇସ୍ରୋ କହିଛି ଆମର ବୌଜ୍ଞାନିକମାନେ ଦୀର୍ଘ ସମୟ ଧରି ଏହାର ଅଭ୍ୟାସ କରିଛନ୍ତି, ଯେଉଁଠାରେ କିଛି ଅସୁବିଧା ହେବ ତୁରନ୍ତ ତାହର ନିରାକରଣ ହେବ।
ଏଥି ସହିତ ଚନ୍ଦ୍ରଯାନ-୩ରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।
୨୦୦୮ରେ ଚନ୍ଦ୍ରଯାନ-୧, ୨୦୨୩ରେ ଚନ୍ଦ୍ରଯାନ-୩
୨୦୦୮ରେ ଯେବେ ଚନ୍ଦ୍ରଯାନ-୧ ତଥ୍ୟ ପଠାଇଥିଲା । ସେତେବେଳେ ଏହାକୁ ଆଧାର କରି ପ୍ରଥମେ ନାସା ଚନ୍ଦ୍ରପୃଷ୍ଠରେ ବରଫର ଉପସ୍ଥିତି ବାବଦରେ ଘୋଷଣା କରିଥିଲା । କିନ୍ତୁ ଏଥର ଚନ୍ଦ୍ରଯାନ ୩ ସହ ଏଭଳି ହେବ ନାହିଁ । କାରଣ ଏଥର ଚନ୍ଦ୍ରଯାନ୩ରେ କୌଣସି ବିଦେଶୀ ଉପକରଣ ବା ଟେକ୍ନୋଲୋଜି ବ୍ୟବାହାର କରାଯାଇନାହିଁ । ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଆଜିଯାଏଁ ଏହି ସ୍ଥାନରେ କୌଣସି ଦେଶର ପହଞ୍ଚିପାରିନାହିଁ । ଏହି କ୍ଷେତ୍ରରେ ବିଶାଳ ଗହ୍ୱର ସବୁ ରହିଛି । ଯେଉଁଠାରେ ସୂର୍ଯ୍ୟକିରଣ କେବେବି ପଡେନାହିଁ । ତେଣୁ ଏଠାରୁ କିଛି ନୂଆ ତଥ୍ୟା ମିଳିବାର ସମ୍ଭାବନା ଅନେକ ରହିଛି । ତେଣୁ ଏଭଳି ଏକ ବିରଳ ଅବତରଣ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।
ଅନ୍ୟପଟେ ୨୦୧୯ରେ ଇସ୍ରୋ ଚନ୍ଦ୍ରଯାନ-୨ ପଠାଇଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଏହା ବିଫଳ ହୋଇଥିଲା। ଚନ୍ଦ୍ରଯାନ-୨ ବିଫଳ ହେବାର କାରଣ ଥିଲା ବିକ୍ରମ ଲ୍ୟାଣ୍ଡର ଏହାର ଗତିକୁ ନିୟନ୍ତ୍ରଣ କରିପାରିନଥିଲା ଏବଂ ଓଲଟି ପଡ଼ିଥିଲା । ଏହା ଆଲଗୋରିଦମର ବିଫଳତା ଥିଲା, ଯାହାକୁ ବର୍ତ୍ତମାନ ସଂଶୋଧନ କରାଯାଇଛି । ଚନ୍ଦ୍ରଯାନ-୩ରେ ବିକ୍ରମ ଲ୍ୟାଣ୍ଡରର ଗୋଡ଼କୁ ଆହୁରି ମଝବୁତ କରାଯାଇଛି । ପୁଣି ଏପରି ବ୍ୟବସ୍ଥା କରାଯାଇଛି ଯେ, କିଛିବି ପ୍ରତିବନ୍ଧକ ଆସିଲେ ବି ତାହା ସୁରକ୍ଷିତ ଅବତରଣ କରିବ ।