ଭୁବନେଶ୍ୱର(ପ୍ରଦୀପ, ପ୍ରସନ୍ନଜିତ): ସଭିଏଁ ଚାହାଁନ୍ତି ସୁନ୍ଦର ସ୍ୱାସ୍ଥ୍ୟ ସାଙ୍ଗକୁ ଫିଟ୍ ଲୁକ୍ । ବିଶେଷକରି ଯୁବ ପିଢିଙ୍କ ପାଇଁ ଏହାର ପ୍ରାସଙ୍ଗିକତା ବେଶ ଅଧିକ । ପୂର୍ବେ ନିଜକୁ ଫିଟ୍ ରଖିବାର ଜାଗା ଆଖଡାରେ କୁସ୍ତି କସରତ ବଡ଼ ମାଧ୍ୟମ ସାଜିଥିଲା । ହେଲେ ବ୍ୟସ୍ତ ବହୁଳ ଜୀବନ ଶୈଳୀ ଭିତରେ ଶରୀର ପାଇଁ ଏବେ ସମୟ ମିଳିଲେ ତ! କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ କାମ ସହ ଶରୀରର ଗୁରୁତ୍ୱକୁ ଭୁଲି ଯାଇ ନାହାନ୍ତି । ପ୍ରତିଦିନ ଗୋଟିଏ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଜିମରେ ବିତାଉଛନ୍ତି । ନିଜ ଶରୀର ପାଇଁ କିଛି ସମୟ ଦେଉଛନ୍ତି । ଶରୀରକୁ ଭଲ ପାଉଥିବା ବା ଫିଟ୍ ଲୁକ ଚାହୁଁଥିବା ଲୋକଙ୍କ ପାଇଁ ଜିମ ସେଣ୍ଟର ଗୁଡ଼ିକ ମଧ୍ୟ ନିଜର ଭିତ୍ତିଭୂମି ବଢାଇଛନ୍ତି । ଯାହା ଦ୍ୱାରା ଜିମ୍ ଏବେ କେବଳ ଲୁହା ଟେକାରେ ସୀମିତ ନ ରହି ନିଜର ନୂଆ ପରିଚୟ ସୃଷ୍ଟି କରିଛି । ଓଡ଼ିଶା ସମେତ ରାଜଧାନୀରେ ଆରମ୍ଭ ହୋଇଥିବା ଏହି ଜିମ୍ କଲଚରକୁ ନେଇ ସକାଳର ସ୍ୱତନ୍ତ୍ର ଉପସ୍ଥାପନା…… ।
ଅସନ୍ତୁଳିତ ଜୀବନ ଶୈଳୀକୁ ସଜାଡ଼ୁଛି ଜିମ୍
ସମାଜରେ ବର୍ତ୍ତମାନ ଅସନ୍ତୁଳିତ ଜୀବନ ଶୈଳୀ ଓ ଖାଦ୍ୟ ପାନୀୟରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏଥିପାଇଁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣ, ଲୋକଙ୍କ ପାଇଁ ଟାଇପ-୧ ମଧୁମେୟ ସହିତ ହାର୍ଟ ସମ୍ବନ୍ଧୀୟ ରୋଗ, ସ୍ନାୟୁ ଜନିତ ରୋଗ ସହିତ ଆଣ୍ଠୁ ଗଣ୍ଠି ବିନ୍ଧା ବିନ୍ଧି ଭଳି ରୋଗର କାରଣ ସାଜୁଛି । କର୍ମକ୍ଷେତ୍ରରେ ବ୍ୟସ୍ତ ରହି ନିଜ ଶରୀର ପ୍ରତି ଧ୍ୟାନ ଦେଇପାରୁ ନ ଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ସବୁଠୁ ଅଧିକ ରହୁଛି । ଏଭଳି ରୋଗର ନିକାରଣ ପାଇଁ ଡାକ୍ତରମାନେ ମଧ୍ୟ ଲୋକଙ୍କୁ ପ୍ରତି ଦିନ ଅତି କମ୍ରେ ୧ ଘଣ୍ଟାର ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ଦେଉଛନ୍ତି । ବିଭିନ୍ନ ରୋଗରୁ ବର୍ତ୍ତିବା ପାଇଁ ମଧ୍ୟ ଲୋକେ ଜିମ୍ ମୁହାଁ ହେଉଛନ୍ତି । ମୁଖ୍ୟତଃ ୪୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଓ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ବିଶେଷ ଭାବେ ପରିଲକ୍ଷିତ ହେଉଥିବାରୁ ସେମାନେ ଜିମ୍ ଯାଉଛନ୍ତି ।
ଆଥେଲେଟ୍ ଓ ତାରକାଙ୍କ ମଧ୍ୟରେ ସୀମିତ ନାହିଁ ଜିମ୍
ସୁନ୍ଦର ସ୍ୱାସ୍ଥ୍ୟ କାହାର ବା ପସନ୍ଦ ନ ଥାଏ । ସେ ପୁଅ ହୁଅନ୍ତୁ କି ଝିଅ । ସଭିଏଁ ଚାହାନ୍ତି ‘ସେଣ୍ଟର ଅଫ୍ ଆଟ୍ରାକ୍ସନ’ । ଏହା ଏକ ଆଧୁନିକ ଟ୍ରେଣ୍ଡରେ ପରିଣତ ହୋଇଛି । ଏଥିପାଇଁ ଜିମ୍ କେବଳ କ୍ରୀଡାବିତ୍ ବା ଆଥଲେଟ୍ ଓ ସିନେ ତାରକାଙ୍କ ମଧ୍ୟରେ ସୀମିତ ରହି ନାହିଁ । ବର୍ତ୍ତମାନ ଦଶମ ଶ୍ରେଣୀ ପିଲାଙ୍କଠାରୁ ଆରମ୍ଭ କରି କଲେଜ୍ ଯାଉଥିବା ଯୁବକଯୁବତୀ, କର୍ମଜୀବୀ ଓ ବରିଷ୍ଠ ନାଗରିକମାନେ ଜିମ୍ ଯିବାକୁ ପସନ୍ଦ କରୁଛନ୍ତି । ନିଜକୁ ଫିଟ୍ ରଖି ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଜିମ୍ ମାଧ୍ୟମ ସାଜୁଛି । ତେଣୁ ପୂର୍ବେ କେବଳ ସିନେ ତାରକା ଓ ଆଥଲେଟ୍ମାନେ ଜିମ୍ କରୁଥିବା ବେଳେ ଏବେ ଗାଁ ଗହଳିରେ ମଧ୍ୟ ଜିମ୍ ସେଣ୍ଟର ଖୋଲୁଛି ଓ ଏଠାରେ ସକାଳ ଏବଂ ସନ୍ଧ୍ୟାରେ ଭିଡ଼ ଜମୁଛି ।
ଯୁବତୀଙ୍କୁ ଟାଣୁଛି ‘ଜୁମ୍ବା’ ଓ ‘ପିଲାଟେସ୍’
ପୂର୍ବରୁ ଜିମ୍ କେବଳ ଟ୍ରେଡ୍ମିଲ୍ରେ ଦୌଡ଼ିବା ସହିତ ସାଇକେଲିଂ କରିବା ଏବଂ ଓଜନ ଟେକିବା ଭିତରେ ସୀମିତ ରହୁଥିଲା । କିନ୍ତୁ ବର୍ତ୍ତମାନ ଜିମ୍ର ରୂପାନ୍ତରଣ ହେବାରେ ଲାଗିଛି । ନିୟମିତ ବ୍ୟବଧାନରେ ଜିମ୍ର ଶୈଳୀ ବଦଳିବା ସହିତ କିପରି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟିକାରୀ ପ୍ରକ୍ରିୟା ଆପଣାଇ ଜିମ୍ କରାଯାଇପାରିବ ତାକୁ ଟ୍ରେନରମାନେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ବର୍ତ୍ତମାନ ଜିମ୍ ସେଣ୍ଟରଗୁଡ଼ିକ ‘ଜୁମ୍ବା’ ମାଧ୍ୟମରେ ଏକ୍ସରସାଇଜ୍ କରାଉଛନ୍ତି । ବିଭିନ୍ନ ଗୀତର ତାଳେ ତାଳେ କପରି ଶୀରର ବିଭିନ୍ନ ଅଙ୍ଗଳ ଚଳପ୍ରଚଳ କରାଯାଇପାରିବ ଓ ଅକ୍ସରସାଇଜ ହୋଇପାରିବ ତାହା ଜୁମ୍ବା ମାଧ୍ୟମରେ ଅତି ସହଜରେ କରାଯାଇ ପାରୁଛି । ‘ଫ୍ରି ଏକ୍ସରସାଇଜ୍’ କରି ଓଜନ ହ୍ରାସ କରାଯାଉପାରୁ ଥିବାରୁ ଏହାର ଆଦୃତି ବଢ଼ୁଛି । ଯୋଗ, ପିଲାଟୋସ୍ ଭଳି ନୂଆ ଫର୍ମରେ ବର୍ତ୍ତମାନ ଜିମ୍ କରାଯାଉଛି । ଏହି ଏକ୍ସରସାଇଜ ଦ୍ୱାରା ଉଚ୍ଚରକ୍ତ ଚାପ ଓ ମଧୁମୟ ଭଳି ରୋଗରୁ ମୁକ୍ତି ମିଳିପାରୁ ଥିବା ବେଳେ ମେଦବହୁଳ ଶରୀର ହ୍ରାସ ସହ ପେଟ କମି ପାରୁଛି । ସେହିପରି ବକ୍ସିଂ, ଏରୋବିକ୍, ଷ୍ଟେନ୍ଟେନିଂ, ବୁଟ କ୍ୟାମ୍ପ, ଜୁଡୋ, କାଡିଓଟ୍ରେନିଂ ଓ ଏସ୍ଆରଟିର ମଧ୍ୟ ଚାହିଦା ରହିଛି ।
ଖାଦ୍ୟପେୟ ଉପରେ ଟିପ୍ସ….
ପ୍ରତିଯୋଗିତା ଏବଂ ଓଜନ ନିୟନ୍ତ୍ରଣ ଦୁଇଟି କଥାକୁ ମନରେ ରଖି ଲୋକେ ଜିମ୍ ଆସନ୍ତି । ଜିମ୍ କରୁଥିବା ବା ବଡି ବିଲ୍ଡିଂରେ ରୁଚି ରଖୁଥିବା ପିଲାଙ୍କ ପାଇଁ କ’ଣ ଖାଇବେ କ’ଣ ନ ଖାଇବେ ତାହାର ବେଶ ଗୁରୁତ୍ୱ ରହିଥାଏ । ଯେମିତି କି ଜିମ୍ କରୁଥିବା ପିଲାଙ୍କ ପାଇଁ ଚିନି, ତେଲ ଓ ମଇଦା ଜାତୀୟ ଦ୍ରବ୍ୟ ଖାଇବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥାନ୍ତି । ରୁଟି ଓ ସନ୍ତୁଳା ଖାଇବା ସହ ସିଝା ଜିନିଷ ଅଧିକ ଖାଇବା ଉପରେ ଧ୍ୟାନ ଦିଆଯାଇଥାଏ । ଜିମ୍ ପାଇଁ ସକାଳ ସମୟ ବହୁତ ଭଲ । ସକାଳୁ ଖାଲି ପେଟରେ ଜିମ୍ ନଯାଇ ଫଳ, ବିସ୍କିଟ୍, ଗଜା ମୁଗ କିମ୍ୱା ଗୋଟେ କଦଳୀ ଖାଇ ୱାର୍କଆଉଟ୍ କରିବାକୁ ଯାଇପାରିବେ । ନିୟମିତ ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖାଆନ୍ତୁ । ବ୍ୟାୟାମ କରିବା ପୂର୍ବରୁ କି ୱାର୍କଆଉଟ୍ ସାରି ଅଧିକ ଖାଦ୍ୟ ନଖାଇ ପ୍ରଚୁର ପାଣି ପିଅନ୍ତୁ । ବିଳମ୍ବିତ ରାତିରେ ଖାଇବାକୁ ବାରଣ କରାଯିବା ସହ ରାତିରେ ଅଳ୍ପ ଖାଇବା ଜରୁରୀ ମନେକରାଯାଏ । ଜିମ୍୍ ଗଲେ ମଦ ଓ ଧୂମପାନରୁ ଦୂରେ ରହିବା ପାଇଁ ସକରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ ।
‘ଲିମ୍ବ୍ ମସଲ୍’ ପାଇଁ ବହୁଛି ଝାଳ
ବର୍ତ୍ତମାନର ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଲିମ୍ବ୍ ମସଲ । ବଲିଉଡ୍ ଅଭିନେତା ହ୍ରିତିକ ରୋଶନ, ଟାଇଗର ଶ୍ରଫ୍ଙ୍କ ଭଳି ଲିମ୍ବ ମସଲ୍ ରଖି ନିଜକୁ ଫିଟ୍ ରଖିବା ଲାଗି ଆଗ୍ରହ ବଢ଼ୁଛି । ସୁନ୍ଦର ସ୍ୱାସ୍ଥ୍ୟ ଗଠନ ଲାଗି ଲିମ୍ବ୍ ମସଲକୁ ଗୁରୁତ୍ୱ ଦେଉଛନ୍ତି ଯୁବପିଢ଼ି । ଲିମ୍ବ୍ ମସଲ ଲାଗି ସଠିକ୍ ଖାଦ୍ୟପେୟର ଆବଶ୍ୟକତା ଜରୁରୀ । କ୍ରାର୍ବୋହାଇଡ୍ରେଟ୍(ଶ୍ୱେତସାର) ଥିବା ଖାଦ୍ୟକୁ ବାରଣ କରାଯାଇଛି । ଭାତ, ତେଲ ଛଣା ଖାଦ୍ୟ ଓ ଫାଷ୍ଟଫୁଡ୍ ଖାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଲିମ୍ବ୍ ମସଲ୍ କରିବା ଲାଗି କାର୍ଯ୍ୟ କରୁଥିବା ସମସ୍ତ ଯୁବପିଢ଼ି ଖାଉଥିବା ଖାଦ୍ୟକୁ ସିଝାଇକି ଖାଇଥାନ୍ତି ।
ଜିମ୍ରେ ଫିଜିଓ ଥେରାଫିଷ୍ଟ
ରାଜଧାନୀର ବିଭିନ୍ନ ଜିମ୍ରେ ବର୍ତ୍ତମାନ ଫିଜିଓ ଥେରାଫିଷ୍ଟଙ୍କୁ ନିଯୁକ୍ତ କରାଯାଉଛି । ଜିମ୍କୁ ଆସୁଥିବା ବରିଷ୍ଠନାଗର ହୁଅନ୍ତୁ ଅବା ଯୁବ ପିଢ଼ିଙ୍କ ପାଇଁ କିପରି ମେଡିକାଲ ସାଇନ୍ସ ଆଧାରିତ ପରାମର୍ଶ ଦିଆଯାଇପାରିବ ତାକୁ ଗୁରୁତ୍ୱ ଦେଇ ଜିମ୍ ମାଲିକମାନେ ଏହି ପଦକ୍ଷେପ ନେଉଛନ୍ତି । ଫିଜିଓ ରେରାଫିଷ୍ଟମାନେ ଲୋକଙ୍କ ସମସ୍ୟାକୁ ଜାଣି ସେମାନଙ୍କ ପାଇଁ କେଉଁ ଏକ୍ସରସାଇଜ କରିବା ଆବଶ୍ୟକ ତାହା ସୂଚନା ଦେଉଥିବା ବେଳେ ଜିମ୍ ସମୟରେ ନିଜେ ମଧ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଯାହାଦ୍ୱାରା ଜିମ୍କୁ ଆସୁଥିବା ଲୋକଙ୍କ ମନରେ ନିଜର ସମସ୍ୟା ସମାଧାନ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧିି ପାଉଛି ।
ରାଜଧାନୀରେ ୫୭୨ ଜିମ୍, ୧୦୦୦ କୋଟିର ଶିଳ୍ପ
ଜିମ୍ ପ୍ରତି ବଢୁଥିବା ଚାହିଦାକୁ ଦେଖି ରାଜଧାନୀରେ ଜିମ୍ ସେଣ୍ଟରଗୁଡ଼ିକ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଓଡ଼ିଶାରେ ୨ ହଜାରରୁ ଊଦ୍ଧ୍ୱର୍ ଜିମ୍ ସେଣ୍ଟର ଚାଲୁ ରହିଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୫୭୨ ଟି ଜିମ୍ ସେଣ୍ଟର ରହିଥିବା ଜଣାପଡ଼ିଛି । ଯଦିଓ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଅଣସଂଗଠିତ ଅବସ୍ଥାରେ ରହିଛି, ହେଲେ ପାଖାପାଖି ୩ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟବସାୟୀକ କାରବାରକୁ ନେଇ ଏହି ଶିଳ୍ପ ଚାଲିଛି । ସେହିପରି ରାଜଧାନୀରେ କେବଳ ଏହି ଶିଳ୍ପ ପାଖାପାଖି ୧ ହଜାର କୋଟିର ବ୍ୟବସାୟ କରୁଛି । ରାଜଧାନୀରେ ବର୍ତ୍ତମାନ ଯଦି ମୌଳିକ ସୁବିଧା ସୁଯୋଗ ସହିତ ଗୋଟିଏ ଜିମ୍ ସେଣ୍ଟର କରିବାକୁ ପଡ଼ୁଛି ସର୍ବନିମ୍ନ ୧-୨ କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିବାକୁ ପଡ଼ିଛି । ଯଦି ଏହି ସେଣ୍ଟରରେ ଅତ୍ୟାଧୁନିକ ସେବା ଉପଲବ୍ଧ କରାଯାଉଛି ଓ ସହର ପ୍ରମୁଖ ସ୍ଥାନରେ ଏହା ରହୁଛି ତେବେ ଏହି ସେଣ୍ଟର ପାଇଁ ୮-୧୦ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।
ବାହୁବଳୀ ଶରୀର ଗଠନ ପଛରେ ପ୍ରୋଟିନ୍
ଦିନସାର ଖାଦ୍ୟ ଖାଇବା ପରେ ଅଭାବକୁ ପୂରଣ କରିବା ଲାଗି ପ୍ରୋଟିନର ଆବଶ୍ୟକତା ରହିଥାଏ । ସାଧାରଣତଃ ୩ ପ୍ରକାରର ପ୍ରୋଟିନ୍ ଯଥା କନ୍ଷ୍ଟ୍ରଟ୍ରେଟେଡ୍ ହ୍ୱେ-ପ୍ରୋଟିନ୍, ହାଇଡ୍ରୋଲାଇଜ୍ ହ୍ୱେ-ପ୍ରୋଟିନ୍ ଓ ଆଇସୋଲେଟେଡ୍ ହ୍ୱେ-ପ୍ରୋଟିନ୍ ର ବର୍ତ୍ତମାନ ଅଧିକ ଚାହିଦା ରହିଛି । କନ୍ଷ୍ଟ୍ରଟ୍ରେଟେଡ୍ ହ୍ୱେ-ପ୍ରୋଟିନ୍ ମସଲ୍ କୁ ବଢ଼ାଇବରେ ସହାୟକ ହୋଇଥାଏ । ଆଉ ଆଇସୋଲେଟେଡ୍ ହ୍ୱେ-ପ୍ରୋଟିନ୍ ମୋଟାଲୋକକୁ ପତଳା ହେବାକୁ ସହଯୋଗ କରିଥାଏ । ଦେହରେ କୌଣସି ଫ୍ୟାଟ ନ ଲାଗି କେବଳ ମସଲ୍ ଓ ଶରୀରର ରିକଭରି ହେବା ଲାଗି ଆଇସୋଲେଟେଡ୍ ହ୍ୱେ-ପ୍ରୋଟିନ ସେବନ କରାଯାଇଥାଏ । ବଜାରରେ ଉପଲବ୍ଧ ଥିବା ପ୍ରୋଟିନ ପାଉଡର କିଲୋ ପିଛା ୧୨ଶହରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ।
ଚାହିଦାରେ ସ୍ୱଦେଶୀ ପ୍ରୋଟିନ ପାଉଡର
ଆମେରିକା ଓ କାନାଡା ଭଳି ଦେଶରୁ ଆମଦାନୀ ହେଉଥିବା ପ୍ରୋଟିନ୍ ରେ ଦେହକୁ ସୁସ୍ଥ ଓ ଶବଳ ରଖିବା ଭଳି ଜିନିଷ ମିଶୁଥିବା ନେଇ ଦାବି କରାଯାଉଛି । ବାହାରୁ ଆସୁଥିବା ପ୍ରୋଟିନ୍ ପାଉଡର ପିଛା ୬ରୁ ୮ ହଜାର ଟଙ୍କା ପଡ଼ୁଛି । ଏବେ ଧିରେ ଧିରେ ଲୋକେ ସଚେତନ ହେବା ସହ ଭାରତ ପ୍ରସ୍ତୁତି ପ୍ରୋଟିନ୍ କୁ ବ୍ୟବହାର କରୁଛନ୍ତି । ବିଦେଶୀ ଅପେକ୍ଷା ଖୁବ୍ ଭଲ ଓ ଗୁଣବତ୍ତା ଥିବା ସହ ୨ରୁ ୫ହଜାର ଟଙ୍କାରେ ମିଳିଯାଉଛି । ଦିନକୁ କେତେ ସମୟ ଖାଇବା, ଶୋଇବା ଓ କାମ ଉପରେ ପ୍ରୋଟେନ୍ ନେବା ନିର୍ଭର କରେ । ଯଦି ଖାଇବା, ପିଇବା ଠିକ୍ ରହୁଛି, ଦିନକୁ ୧ରୁ ୨ରୁ ଥର ପ୍ରୋଟିନ ସେବନ କରିବାର ଆବଶ୍ୟକତା ରହୁଛି । ଯଦି ଖାଇବା ଓ ପିଇବା ଠିକ ରହୁଛି ମାତ୍ର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅଭାବ ରହୁଛି ତେବେ ୨ରୁ ୩ଥର ପ୍ରୋଟିନ୍ ଖାଇବାକୁ ପଡ଼ୁଛି । ସେହିପରି ଭାରତରେ ଉପଲବ୍ଧ ହେଉଥିବା ପ୍ରୋଟିନ୍ ପାଉଡର ହେଉ ଅବା ବିଦେଶରୁ ଆମଦାନୀ ହେଉଥିବା ପ୍ରୋଟିନ୍ ପାଉଡରର ଉଭୟଙ୍କ ମଧ୍ୟରେ ଅସଲି ନକଲି ରହୁଛି । ପ୍ରାଟିନ୍ ପ୍ୟାକେଟ୍ରେ ଥିବା କୋର୍ଡକୁ ସ୍କ୍ରାଚ୍ କରିବା ପରେ ସମ୍ପୃକ୍ତ କମ୍ପାନୀକୁ ଏସ୍ ଏମ୍ ଏସ୍ ଯୋଗେ ଏହି କୋଡ୍କୁ ପଠାଯାଉଛି । ପରେ ପ୍ରୋଟିନ୍ ପାଉଡର ଅସଲି କିମ୍ବା ନକଲି ରହିଛି, ଉକ୍ତ କମ୍ପାନୀ ପକ୍ଷରୁ ସୂଚାଇ ଦିଆଯାଉଛି ବୋଲି ବ୍ୟବସାୟୀ ଦୀପକ ଜେନା ସୂଚନା ଦେଇଛନ୍ତି ।
ଘରୋଇ ୱାର୍କଆଇଟ୍: ଚିନ୍-ଅପ୍, ପୁସ୍-ଅପ୍, ସ୍କ୍ୱାଟ, ଲଙ୍ଗେସ୍
ଛାତି: ବେଞ୍ଚ ପ୍ରେସ୍, ଡମ୍ୱୁଲ୍ ଫ୍ଲାଏ, ପୁଲ୍ ଓଭର
ବ୍ୟାକ୍: ଲାଟ ପୁଲ ଡାଉନ୍, ବେଣ୍ଟ ଓଭର ଓ ଡମ୍ୱୁଲ୍ ରୋଇଂ
ସୋଲ୍ଡର: ମିଲିଟାରୀ ପ୍ରେସ୍, ଡମ୍ୱୁଲ୍ ଫ୍ରଣ୍ଟ ରାଇଜ୍
ବାଇସେପ୍: ବାରବେଲ୍ କଲ୍ର୍, ହାମର କଲ୍ର୍, ଅଲ୍ଟ୍ରନେଟ୍ ଡମ୍ୱୁଲ୍ କର୍ଲ୍
ଟ୍ରାଇସେପ୍: ଟ୍ରାଇସେପ୍ ପ୍ରେସ୍ ଡାଉନ୍,ସିଙ୍ଗିଲ୍ ହ୍ୟାଣ୍ଡ୍ ଡମ୍ୱୁଲ୍ ଏକ୍ସଟେନସନ୍, ବିହ୍ୟାଇଣ୍ଡ୍ ଡିପ୍ସ୍
ଅବସ୍: ଲେଗ୍ ରାଇସେସ୍, କ୍ରଞ୍ଚସ୍, ପ୍ଲାଙ୍କ୍
ଜିମ୍ ପାଇଁ ପୋଷାକ ପରିଚ୍ଛଦ
ଜିମ୍ ୱେର୍ ବା ଜିମ୍ କରିବା ସମୟରେ କେଉଁ ପୋଷାକ ପିନ୍ଧିବା ଜରୁରୀ ତାହା ମଧ୍ୟ ଗୁରୁତ୍ୱ ବହନ କରେ । ଜିମ୍ ପୋଷାକ କେବଳ ଷ୍ଟାଇଲିସ୍ ନୁହେଁ, ୱାର୍କଆଉଟ୍ କରିବା ସମୟରେ ନିଜ ଶରୀରକୁ କେତେ କମ୍ପର୍ଟ ବା ଆରାମ ପ୍ରଦାନ କରୁଛି, ଏସବୁ ଧ୍ୟାନ ଦେବା ଜରୁରୀ । ଜିମ୍ ଆଉଟଫିଟ୍, ଟ୍ରାକ୍ ପ୍ୟାଣ୍ଟ ଓ ସ୍ପୋର୍ଟସ ଟି-ସାର୍ଟ, ମହିଳାମାନେ ସ୍ପୋର୍ଟସ ଅନ୍ତବସ୍ତ୍ର ବାଛିବା ଆବଶ୍ୟକ । ଏହାଦ୍ୱାରା ଶରୀରରୁ ବାହାରୁଥିବା ଝାଳ ମରିବା ସହ ରକ୍ତସଞ୍ଚାଳନ ଭଲ ହୁଏ । ଏମିତିକି ଚର୍ମସମସ୍ୟା ହେବାର ଆଶଙ୍କା ନଥାଏ । ପୁରୁଷ ହେଉନ୍ତୁ ଅବା ମହିଳା, ଉଭୟଙ୍କ ପାଇଁ ଫିଟିଂ ଜିମ୍ ୱେର୍ ଲାଭପ୍ରଦ । ପୋଷାକ ପରି ୱାର୍କଆଉଟ୍ ଜୋତା, ଉନ୍ନତମାନର ମଉଜା, ତଉଲିଆ ଆଦି ଜରୁରୀ । ଜିମ୍ ପାଇଁ ଭିନ୍ନ ଭିନ୍ନ ଷ୍ଟାଇଲର ଜୋତା ମିଳୁଛି । ସମସ୍ତେ ସ୍ପୋର୍ଟସ ଜୋତା ବ୍ୟବହାର କରୁଥିଲେ ବି ଫ୍ଲାଟ୍ ସୁଜ୍ ପିନ୍ଧିଲେ ଅଧିକ ଓଜନ ଉପକରଣ ଉଠାଇବାରେ ସମସ୍ୟା ହୁଏନି ।
ସ୍ୱଚ୍ଛତା ଓ ସଚେତନତା
ଜିମ୍ ଯାଉଥିଲେ ପାଖରେ ଦୁଇଯୋଡା ସଫା ଟି-ସାର୍ଟ, ସଟ୍ସ, ତଉଲିଆ, ମଉଜା, ଜୋତା ଆଦି ରଖନ୍ତୁ । ତ୍ୱଚା ଏବଂ ମୁଣ୍ଡରୁ ବାହାରୁଥିବା ଝାଳ ପୋଛିବାକୁ ଭଲ ତଉଲିଆ ବ୍ୟବହାର କରନ୍ତୁ । ଜିମ୍ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏକ ସ୍ୱତନ୍ତ୍ର ଜିମ୍ ବ୍ୟାଗ୍ ରଖନ୍ତୁ । ୱାର୍କଆଉଟ୍ ପରେ ନିୟମିତ ପୋଷାକକୁ ଧୋଇଦିଅନ୍ତୁ । ଏହାଦ୍ୱାରା ଝାଳର ଦୁର୍ଗନ୍ଧ ଦୂର ହୁଏ । ଜିମ୍ ସାଙ୍ଗସାଥିଙ୍କ ତଉଲିଆ କେବେ ବ୍ୟବହାର କରନ୍ତୁନି । ଆପଣଙ୍କ ପୂର୍ବରୁ କେହି ଜିମ୍ ମେସିନ୍ ଉଠାଉଥିଲେ ହାତରେ ସାନିଟାଇଜର ବ୍ୟବହାର କରି ବ୍ୟାୟାମ କରନ୍ତୁ ।
ପ୍ରଥମ ଥର ଜିମ୍ ଯାଉଥିଲେ
ଫିଟନେସକୁ ନେଇ ସମସ୍ତେ ସଚେତନ ଥିବାବେଳେ ଅଧିକାଂଶ ନିଜ ଓଜନ ନିୟନ୍ତ୍ରଣ କରିବାକୁ ଜିମ୍ ଯାଆନ୍ତି । ଜିମ୍ରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ପରେ ଶରୀରରୁ ୧ରୁ ୨ କିଲେ ଓଜନ କମ୍ ହୋଇଥାଏ । ପ୍ରଥମ କରି ଜିମ୍ର ପରିଶ୍ରମ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଅଧିକ ଯନ୍ତ୍ରଣା ଅନୁଭବ ହୁଏ । ତେଣୁ ସର୍ବଦା ନିଜ୍ ଶାରୀରିକ ଦକ୍ଷତା ଅନୁସାରେ ପରିଶ୍ରମ କରନ୍ତୁ । ଆରମ୍ଭରୁ ଓଜନିଆ ଉପକରଣ ନଉଠାଇ ହାଲୁକା ଫୁଲୁକା ୱାର୍ମଅପ୍ ଏବଂ ଷ୍ଟ୍ରେଚିଂ ଭଳି ବ୍ୟାୟାମ କରନ୍ତୁ । ନୂଆ କରି ଜିମ୍ ଯାଉଥିବା ବ୍ୟକ୍ତି ପୋଶ୍ଚର, ଦକ୍ଷତା ଅନୁସାରେ ପ୍ରାୟ ୩ରୁ ୪ ମାସ ଯାଏଁ ଜଣେ ତାଲିମଦାତାଙ୍କ ପରାମର୍ଶରେ ବ୍ୟାୟାମ କରିପାରିବେ । ମାଂସପେଶୀକୁ ଆରାମ ଦେବା ପାଇଁ ସପ୍ତାହକୁ ମାତ୍ର ପାଞ୍ଚ ଦିନ ଜିମ୍ ବ୍ୟାୟାମ କରିବା ଜରୁରୀ ବୋଲି ଜିମ୍ ଟ୍ରେନର ଶିବଶଙ୍କର ଜେଠୀ କହିଛନ୍ତି । ପୁଲିସ୍ ବିଭାଗରେ କାର୍ଯ୍ୟରତ ଥିବା ଶିବଶଙ୍କର ଗୋଲ୍ଡ ଜିମ୍ ତାଲିମ ନେଇ ପ୍ରଶାସନିକ ଅଧିକାରୀଙ୍କୁ ସେ ତାଲିମ ଦେଉଛନ୍ତି ।
ବୟସ ତୁଳନାରେ କରନ୍ତୁ ବ୍ୟାୟାମ
୩୫ବର୍ଷରୁ ଅଧିକ ବୟସ ହୋଇଥିଲେ ନିଜର ଫିଟ୍ନେସ ଟ୍ରେନରଙ୍କ ସାହାଯ୍ୟରେ ୱାର୍କଆଉଟ୍ କରନ୍ତୁ । ବିନା ଟ୍ରେନରଯୁକ୍ତ ଜିମ୍କୁ ଆଦୌ ଯୋଗ ଦିଅନ୍ତୁନି । ଏପରିକି ୟୁଟ୍ୟୁବ୍ କିମ୍ବା ଗଣମାଧ୍ୟମକୁ ୱାର୍କଆଉଟ୍ କରନ୍ତୁ । ଜିମ୍ରେ ବୟସ ଅନୁସାରେ ପରିଶ୍ରମ କରିବା ଭଲ । ନଚେତ୍ ଅଧିକ ପରିଶ୍ରମ କରିବା ଦ୍ୱାରା ମସଲ୍ସ ବ୍ରେକ୍ ହେବାର ଭୟ ଥାଏ । ଶାରିରୀକ ଯନ୍ତ୍ରଣା ବୃଦ୍ଧିପାଏ । ଯେଉଁମାନେ ଜିମ୍ରେ ତାଲିମ ଦେଉଛନ୍ତି ସେମାନେ ସାର୍ଟିଫାଏଡ କୋର୍ସ କରିବା ଦରକାର । ବର୍ତ୍ତମାନ ଭାରତରେ କେ ୧୧ ଓ ଗୋଲ୍ଡ ଜିମ୍ ତାଲିମ ନିହାତି ଆବଶ୍ୟକ ।
ଜିମ୍ରେ କାହିଁକି ହୃଦଘାତ
ଜିମ୍ରେ ହୃଦଘାତ ହେବା ଏକ ସମ୍ବେଦନଶୀଳ ଘଟଣା । ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜିମ୍ରେ ୱାର୍କଆଉଟ୍ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ହୃଦଘାତ ହୋଇଛି । ଏ କ୍ଷେତ୍ରରେ ତାରକା, ଯୁବ ଆଥଲେଟ୍ଙ୍କ ମାମଲା ଅଧିକ । ଅଭିନେତା ସିଦ୍ଧାନ୍ତ ଭୀର ସୂର୍ଯ୍ୟବଂଶୀ ହୁଅନ୍ତୁ ବା ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ, ସାଉଥ ସୁପରଷ୍ଟାର ପୁନିତ୍ ରାଜକୁମାର, ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା, ଟିଭି ଅଭିନେତା ଦୀପେଶ ଭାନ ନିଜ ଫ୍ୟାନ୍ଙ୍କ ପାଇଁ ଫିଟନେସ୍ ମଡେଲ ସାଜୁ ସାଜୁ ହୃଦଘାତର ଶିକାର ହୋଇଛନ୍ତି । ଜିମ୍ ଯିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସହିତ ହାର୍ଟ ସ୍କାନ କରାଇବା ଜରୁରୀ । ଟ୍ରେଡ୍ ମିଲରେ ଦୌଡ଼ିବା ପାଇଁ ହାର୍ଟ ସ୍କାନ କରିବା ଓ ମଧୁମେହ ଚେକ୍ ନିହାତି ଜରୁରୀ । ୩୦ରୁ ୩୫ ବର୍ଷ ମଧ୍ୟରେ ବ୍ୟକ୍ତିଙ୍କୁ ଇସିଜି, ଇକୋ, ଟିଏମଟି, ଇକୋଟେଷ୍ଟ କରାଇବା ଦ୍ୱାରା ହୃଦସମ୍ୱନ୍ଧୀୟ ସମସ୍ୟା ବିଷୟରେ ଜଣାପଡେ ।
ଫିଟ୍ ଇଣ୍ଟିଆ ମୁଭ୍ମେଣ୍ଟର ମୁଖ୍ୟ ପୁରଧା
ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫିଟ୍ ଇଣ୍ଡିଆ ମୁଭମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି । ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିର୍ଦ୍ଧାରିତ ବ୍ୟବସ୍ଥା କରାଯାଇ ନାହିଁ । ଫିଟ୍ ଇଣ୍ଡିଆ ମୁଭମେଣ୍ଟ ପାଇଁ ଜିମ୍ ସେଣ୍ଟର ମାଲିକମାନଙ୍କର ସର୍ବାଧିକ ଭାଗିଦାରୀ ରହିଛି । ମାତ୍ର ସରକାର ଏହି କ୍ଷେତ୍ର ପ୍ରତି କୌଣସି ପ୍ରୋତ୍ସାହନର ବ୍ୟବସ୍ଥା ରଖି ନାହାନ୍ତି । ଏହି ବ୍ୟବସାୟ କରିବାକୁ ହେଲେ କୌଣସି ବ୍ୟାଙ୍କ ନିକଟକୁ ଗଲେ ଅତି କମ୍ରେ ୧୬ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଏହା ବ୍ୟତୀତ ଜିମ୍ ଶିଳ୍ପକୁ ସରାକର ମନୋରଞ୍ଜନ ଶିଳ୍ପ ସହିତ ଯୋଡ଼ି ୧୮ ପ୍ରତିଶତ ଜିଏସ୍ଟି ନେଉଛନ୍ତି । ଏହାବ୍ୟବସ୍ଥାରେ ପରିବର୍ତ୍ତନ ସହ ଏମ୍ଏସ୍ଏମ୍ଇ ମାଧ୍ୟମରେ ଜିମ୍ ଶିଳ୍ପ ପ୍ରତି ସରକାର ପ୍ରୋତ୍ସାହନ ଦେବା ଉଚିତ ।
ଡ. ସତ୍ୟଜିତ ଦାସ(ନିଖିଳ ଓଡ଼ିଶା ଜିମ୍ ମାଲିକ ସଂଘ ସଭାପତି)
କୋଭିଡ୍ ପରେ ବଦଳିଛି ଜିମ୍ର ପରିଭାଷା
କୋଭିଡ୍ ପୂର୍ବରୁ ଅଧିକାଂଶ ୨୫-୩୦ ବର୍ଷ ମଧ୍ୟରେ ପିଲା ଜିମ୍ ଆସୁଥିଲେ । କୋଭିଡ ପରେ ଏଥିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ୧୯ ବର୍ଷଠୁ ଆରମ୍ଭ କରି ୬୦-୭୦ ବର୍ଷ ପର୍ଯ୍ୟନ୍ତ ଲୋକେ ଜିମ୍ ଆସୁଛନ୍ତି । ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ କୋଭିଡ୍ ହିଁ ନୂଆ ଦିଶା ଦେଖାଇଛି । ଲୋକଙ୍କୁ ଅତି କମ୍ ପ୍ରତିଦିନ ଗୋଟିଏ ଘଣ୍ଟା ଶାରିରୀକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଜିମ୍ ସେଣ୍ଟର ଏହି ସୁଯୋଗ ସୃଷ୍ଟି କରିଛି ଓ ଲୋକଙ୍କୁ ସୁସ୍ଥ ରଖିବା ସହିତ ସୁନ୍ଦର ଓ ଶରୀର ଗଠନରେ ସହାୟକ ହେଉଛି । ପୂର୍ବରୁ ପିଲାମାନେ ଖେଳ କୁଦ କରୁଥିଲେ । ହେଲେ ବର୍ତ୍ତମାନ ପିଲା ପିଜା, ପାସ୍ତା ବର୍ଗର ଓ ମୃଦପାନୀ ଗ୍ରହଣ କରି ମୋଟା ହୋଇଯାଉଛନ୍ତି । ଯଦି ଫିଟ୍ ହେବାକୁ ଚାହୁଁଛନ୍ତି, ତେବେ ଜମ୍ରେ ହେଉ କିମ୍ବା ନିଜ ଘରେ ମଧ୍ୟ କିଛି ଶାରୀରିକ ପରିଶ୍ରମ କରିବା ଉଚିତ୍ ।
ସୃତିରଞ୍ଜନ ନାୟକ, ମାଲିକ(ଷ୍ଟ୍ରେନୁୟସ ଫିଟ୍ନେସ୍)
ଜିମ୍ ଜୀବନକୁ ଶୃଙ୍ଖଳିତ କରିଦିଏ
ଯୁବପିଢ଼ିମାନେ କୁପଥକୁ ଚାଲିଯିବା ପାଇଁ ଅନେକ କାରକ ରହିଥାଏ । ତେଣୁ ପିଲମାନଙ୍କ ସ୍ଥିର ଚିତ୍ତରେ ରଖିବା ଅର୍ଥାତ ସେମାନଙ୍କୁ କୁପଥକୁ ଚାଲିବାକୁ ବଞ୍ଚାଇ ରଖିବା ପାଇଁ ଏକ୍ସରସାଇଜ୍ ଗୋଟିଏ ବଡ଼ ମାଧ୍ୟମ । ସୁସ୍ଥ ଶରୀର ପାଇଁ ସଠ୍କ୍ ସମୟରେ ଶୋଇବା ଓ ଠିକ୍ ସମୟରେ ଉଠିବାର ଯଥେଷ୍ଟ ଗୁରୁତ୍ୱ ରହିଥାଏ । ଏହା ସହିତ ସନ୍ତୁଳିତ ଖାଦ୍ୟ ଏବଂ ଆବଶ୍ୟକୀୟ ବିଶ୍ରାମର ମଧ୍ୟ ଆବଶ୍ୟକତା ରହିଛି । ଯେଉଁମାନେ ଜିମ୍ କରୁଥାନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । ଜିମ୍ ହେଉ କିମ୍ବା ବ୍ୟାୟାମରେ ଅନେକ ସୁଗୁଣ ରହିଛି । ଏହା ମନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହିତ ଶୃଙ୍ଖଳିତ ଜୀବନ ବଞ୍ଚିବା ପାଇଁ ସହାୟକ ହୋଇଥାଏ । ଏହା ବ୍ୟତୀତ ଜିମ୍କୁ ବ୍ରତ ଭାବେ ମାନି ଫିଟ୍ନେସ୍ ଠିକ ରଖିପାରିଲେ ବଡି ବିଲ୍ଡିଂ କରି ଏହାକୁ ପ୍ରଫେସନ ହିସାବରେ ମଧ୍ୟ ନିଆଯାଇପାରିବ ।
ସତ୍ୟଜିତ ପ୍ରତିହାରୀ, ବଡି ବିଲ୍ଡର (ମିଷ୍ଟର ଇଣ୍ଡିଆ)