ଭାରତ ବଶମ୍ବଦ କାହିଁକି?

ଯଦି ସେଭଳି କିଛି ଚମତ୍କାରିତା ଡୋନାଲ୍ଡ ଟ୍ରମ୍ପଙ୍କ ମସ୍ତିଷ୍କକୁ ପୁନର୍ବିଚାର କରିବାକୁ ବାଧ୍ୟ ନ କରେ ତେବେ ଆସନ୍ତାକାଲିଠାରୁ ଆମେରିକାର ବର୍ଦ୍ଧିତ ଶୁଳ୍କ ହାର ଭାରତର ରପ୍ତାନୀ ବାଣିଜ୍ୟରେ ଲାଗୁ ହେବା ଏକପ୍ରକାର ନିଶ୍ଚିତ। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଭାରତର ଇସ୍ପାତ ଓ କୃଷିଜାତ ସାମଗ୍ରୀ। ଟ୍ରମ୍ପଙ୍କ ଏହି ଏକପାଖିଆ ମନମୁଖୀ ନିଷ୍ପତ୍ତି ବିରୋଧରେ ଏବେ ୟୁରୋପୀୟ ସଂଘ, ଏପରିକି ଆମେରିକୀୟ ରାଷ୍ଟ୍ର କାନାଡ଼ା ଓ ମେକ୍ସିକୋ, ମେଳି ବାନ୍ଧିବା ଆରମ୍ଭ କଲେଣି। ଚୀନ୍‌‌ ଓ […]

ଯଦି ସେଭଳି କିଛି ଚମତ୍କାରିତା ଡୋନାଲ୍ଡ ଟ୍ରମ୍ପଙ୍କ ମସ୍ତିଷ୍କକୁ ପୁନର୍ବିଚାର କରିବାକୁ ବାଧ୍ୟ ନ କରେ ତେବେ ଆସନ୍ତାକାଲିଠାରୁ ଆମେରିକାର ବର୍ଦ୍ଧିତ ଶୁଳ୍କ ହାର ଭାରତର ରପ୍ତାନୀ ବାଣିଜ୍ୟରେ ଲାଗୁ ହେବା ଏକପ୍ରକାର ନିଶ୍ଚିତ। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଭାରତର ଇସ୍ପାତ ଓ କୃଷିଜାତ ସାମଗ୍ରୀ। ଟ୍ରମ୍ପଙ୍କ ଏହି ଏକପାଖିଆ ମନମୁଖୀ ନିଷ୍ପତ୍ତି ବିରୋଧରେ ଏବେ ୟୁରୋପୀୟ ସଂଘ, ଏପରିକି ଆମେରିକୀୟ ରାଷ୍ଟ୍ର କାନାଡ଼ା ଓ ମେକ୍ସିକୋ, ମେଳି ବାନ୍ଧିବା ଆରମ୍ଭ କଲେଣି। ଚୀନ୍‌‌ ଓ ରୁଷ ମଧ୍ୟ ଟ୍ରମ୍ପ ବିରୋଧୀ ବାଣିଜ୍ୟିକ ମେଳିକୁ ସମର୍ଥନ କରିବାର ସବୁଜ ସଙ୍କେତ ଦେଇସାରିଲାଣି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଭାରତ ଆମେରିକା ସହିତ ସାଲିସ୍‌‌ କରିବା ଭଳି ଆମେରିକୀୟ ଉତ୍ପାଦ ଉପରୁ ଶୁଳ୍କ ହ୍ରାସ କରିବ ବୋଲି ଅନୌପଚାରିକ ଘୋଷଣା କରିସାରିଥିବା ବେଳେ ଆଉ ପାଦେ ଆଗେଇ ଯାଇ ଆମେରିକୀୟ କମ୍ପାନୀ ଗୁଗୁଲ୍‌‌କୁ ସୁହାଇବା ଭଳି ବିତ୍ତ ବିଲ୍‌‌-୨୦୨୫ରେ ପ୍ରସ୍ତାବଟିଏ ପାରିତ କରିଛି। ୨୦୧୬ରୁ ଭାରତ ସରକାର ଲାଗୁ କରିଥିବା ‘ଇକ୍ୱାଲାଇଜେସନ୍‌‌ ଲେଭି’ ବା ‘ଗୁଗୁଲ୍‌‌ ଟ୍ୟାକ୍ସ’ ଭାବରେ ପରିଚିତ ଏହି ଶୁଳ୍କକୁ ଏବେ ପ୍ରତ୍ୟାହାର କରିବା ପାଇଁ ନୀତିଗତ ନିଷ୍ପତ୍ତି ପରେ ଆମେରିକା ପାଖରେ ଭାରତର ଏହା ବାଧ୍ୟବାଧକତା ନା ମାତ୍ରାଧିକ ଟ୍ରମ୍ପ ଅନୁରକ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ସାମ୍ପ୍ରତିକ ଆର୍ଥିକ, ବାଣିଜ୍ୟିକ, କୂଟନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ କାହିଁକି ଏଭଳି ବିବଶ ହୋଇଯାଇଛି ଯେ ଟ୍ରମ୍ପଙ୍କୁ ସୁହାଇବା ଭଳି ନୀତି ନିର୍ଦ୍ଧାରଣ କରିବ, ତାହା ଅବୁଝା ହେଉଛି।

ଅନ୍‌‌ଲାଇନ୍‌‌ ବା ଡିଜିଟାଲ୍‌‌ ବା ଇଣ୍ଟରନେଟ୍‌‌ ବିଜ୍ଞାପନ କ୍ଷେତ୍ରରେ ଭାରତରେ କାର୍ଯ୍ୟରତ ଘରୋଇ ଓ ବିଦେଶୀ କମ୍ପାନୀମାନଙ୍କ ମଧ୍ୟରେ ତାରିଫ୍‌‌ଗତ ସମତୁଲତା ରକ୍ଷା ପାଇଁ ପ୍ରାୟ ଏକ ଦଶନ୍ଧି ଧରି ଲାଗୁ କରାଯାଇଥିବା ୬% ଇକ୍ୱାଲାଇଜେସନ୍‌‌ ଲେଭି ଏବଂ ୨୦୨୦ରୁ ଲାଗୁ ହୋଇଥିବା ଅତିରିକ୍ତ ୨% ଲେଭିକୁ ଆମେରିକୀୟ କମ୍ପାନୀ ଗୁଗୁଲ୍‌‌, ମେଟା, ଆମାଜନ୍‌‌ ଉଚ୍ଛେଦ କରିବା ପାଇଁ ଲଗାତାର ଚାପ ସୃଷ୍ଟି କରିଆସୁଥିଲେ। ଭାରତ ସରକାର ୨୦୨୪ରେ ଅତିରିକ୍ତ ୨% ଲେଭିକୁ ପ୍ରତ୍ୟାହାର କରିଥିବା ବେଳେ ବର୍ତ୍ତମାନ ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନୁଅାଁଇ ସମ୍ପୂର୍ଣ୍ଣ ୬% ଲେଭି ପ୍ରତ୍ୟାହାର କରିବାକୁ ଯାଉଛନ୍ତି। ୟୁରୋପୀୟ ରାଷ୍ଟ୍ର ସଂଘର କେତେକ ସଦସ୍ୟ ରାଷ୍ଟ୍ର ସମେତ ଅଷ୍ଟ୍ରେଲିଆ ମଧ୍ୟ ଏଭଳି ଲେଭି ଲାଗୁ କରିଛନ୍ତି। ସେହି ଦେଶସମୂହ ଏହାକୁ ବଳବତ୍ତର ରଖିôଥିବା ବେଳେ ଭାରତର ନିଷ୍ପତ୍ତି ସନ୍ଦେହରୁ ଊର୍ଦ୍ଧ୍ବକୁ ଯାଇପାରୁନାହିଁ। ତୃତୀୟ ଅର୍ଥନୈତିକ ମହାଶକ୍ତି ଦୌଡ଼ରେ ଥିବା ବିଶାଳ ଉପମହାଦେଶ ଭାରତର ଏହା କୌଣସି ବିବଶତା ନା ଟ୍ରମ୍ପଙ୍କ ନିକଟରେ ନେତୃତ୍ୱସ୍ତରୀୟ ବଶମ୍ବଦତା ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିବା ଦରକାର।

୧୯୯୦ ମସିହା ପରଠାରୁ ଅନ୍‌‌ଲାଇନ୍‌‌ ଡିଜିଟାଲ୍‌‌ ଗଣମାଧ୍ୟମ ମଞ୍ଚମାନେ ଆମ ଦେଶର ଅର୍ଥନୀତିକୁ ଯେ ସମୃଦ୍ଧ କରିଛି, ଏହା ଅସ୍ୱୀକାର କରିବାର ନାହିଁ। କିନ୍ତୁ ଏହି ଅନ୍‌‌ଲାଇନ୍‌‌ ସଂସ୍ଥାମାନଙ୍କର କାର୍ଯ୍ୟକଳାପକୁ ସାଧୁ ପଦବାଚ୍ୟ ମଧ୍ୟ ନୁହେଁ। କାରଣ ଭାରତୀୟ ଗଣତନ୍ତ୍ରର ସଫଳତାରେ ବିଘ୍ନ ଘଟାଇବା ପାଇଁ କେତେକ ରାଷ୍ଟ୍ରବିରୋଧୀ ତତ୍ତ୍ୱଙ୍କର କାର୍ଯ୍ୟକଳାପ ଏହି ଅନ୍‌‌ଲାଇନ୍‌‌ ନେଟ୍‌‌ୱର୍କରେ ସହଜ ଓ ସତ୍ୱରେ ଦେଶର କୋଣଅନୁକୋଣରେ ସଞ୍ଚାରିତ ହୋଇପାରୁଛି। ବିଶ୍ୱର ଦୁଇ ବୃହତ୍ତମ ଅନ୍‌‌ଲାଇନ ଇଣ୍ଟରନେଟ୍‌‌ ସଂସ୍ଥା ଗୁଗୁଲ୍‌‌ ଓ ଫେସ୍‌‌ବୁକ୍‌‌ ଆମେରିକା, ୟୁରୋପ ଓ ଏସିଆର କେତେକ ଦେଶରେ ଏହିଭଳି ରାଷ୍ଟ୍ରୀୟ ବିରୋଧୀ କାର୍ଯ୍ୟକ୍ରମକୁ ପ୍ରଶ୍ରୟ ଦେଉଥିବାରୁ ସମ୍ପୃକ୍ତ ରାଷ୍ଟ୍ର ଦ୍ୱାରା ଅତୀତରେ ନିନ୍ଦିତ ଓ ଦଣ୍ଡିତ ମଧ୍ୟ ହୋଇଛନ୍ତି। ସୂଚନା ସମ୍ପ୍ରସାରଣ ଆଳରେ ଭାରତୀୟ ଆଞ୍ଚଳିକ ଗଣମାଧ୍ୟମଗୁଡ଼ିକର ଖବରକୁ ଗୁଗୁଲ୍‌‌ ଅପ୍‌‌ଲୋଡ୍‌‌ କରି ବିପୁଳ ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ସେଥିରୁ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାଙ୍କୁ ପ୍ରାପ୍ୟରୁ ବଞ୍ଚିତ କରୁଥିଲା ଏବଂ ଅଦାଲତ ତାଗିଦା ପରେ ସୁଧୁରି ଥିଲା। ଏହି ପୃଷ୍ଠଭୂମିରେ ଗୁଗୁଲ୍‌‌ ଉପରେ ଇକ୍ୱାଲାଇଜେସନ୍‌‌ ଲେଭି ମନ୍ଦ ନଥିଲା। ତେଣୁ ହଠାତ୍‌‌ ଏହାର ଉଚ୍ଛେଦ ନିଷ୍ପତ୍ତି ବିଭିନ୍ନ ମହଲରେ ଗ୍ରହଣୀୟ ହୋଇପାରୁନାହିଁ।

ଆମେରିକୀୟ କମ୍ପାନୀ ଓ ଆମେରିକୀୟ ଉତ୍ପାଦକୁ ସୁହାଇବା ଭଳି ନୀତି ଯଦି ଭାରତ ପ୍ରଣୟନ କରିଚାଲିବ ତେବେ ସେଥିରେ ଭାରତର ଲାଭ ନୁହେଁ, ବରଂ କ୍ଷତି ଯେ ଅଧିକ ହେବ ଏ କଥା କେନ୍ଦ୍ର ସରକାରଙ୍କ ବିଜ୍ଞ ନୀତି ନିର୍ଦ୍ଧାରକଙ୍କୁ ବୁଝାଇ କହିବା ଆବଶ୍ୟକ ନାହିଁ। ଟ୍ରମ୍ପଙ୍କ ଟିକସ ଯୁଦ୍ଧ ବିଶ୍ୱ ବାଣିଜ୍ୟକୁ ଦ୍ୱିଧ୍ରୁବୀୟ ଦିଗରେ ନେଇ ଚାଲିଛି। ଏଥିରେ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ନିଜ ନିଜ ସପକ୍ଷକୁ ଆଣିବା ପାଇଁ ଆମେରିକା ଓ ଚୀନ୍‌‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼଼ିବାକୁ ଯାଉଛି। ଏହି ଯୁଦ୍ଧରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌‌କୁ ଟକ୍ଟର ଦେବା ପାଇଁ ଭାରତ ଯଦି ଆମେରିକାର ବଶମ୍ବଦ ହେବାକୁ ଚେଷ୍ଟା କରୁଥାଏ ତେବେ ତାହା ସଫଳ ହେବ ନାହିଁ। ଆମେରିକା କାହାର ନୁହେଁ ବୋଲି ଯେଉର୍ ଆପ୍ତବାକ୍ୟଟି ପ୍ରମାଣିତ ହୋଇଚାଲିଛି ସେଥିରେ ସେହି ଧନାଢ଼୍ୟ, ସ୍ୱାର୍ଥପର ଓ ଯୁଦ୍ଧଖୋର ରାଷ୍ଟ୍ରଠାରୁ ମାନବିକତା, ସମ୍ବେଦନଶୀଳତା, ବନ୍ଧୁତା, କୃତଜ୍ଞତାର ପ୍ରତ୍ୟାଶା ବୃଥା। ଟ୍ରମ୍ପ -୧.୦ରେ ଭାରତଠାରୁ ଯେଭଳି ଭାବରେ ‘ଜେନେରାଲାଇଜ୍‌‌ଡ ସିଷ୍ଟମ୍‌‌ ଅଫ୍‌‌ ପ୍ରିଫେରେନ୍ସ(ଜିଏସ୍‌‌ପି)’ ମାନ୍ୟତା ପ୍ରତ୍ୟାହାର କରିନିଆଯାଇଥିଲା ତାହା ମନେ ପକାଇବାକୁ ହେବ(ଜିଏସ୍‌‌ପି ମାନ୍ୟତା ପ୍ରତ୍ୟାହାର ପରେ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରରୁ ୫.୭ ବିଲିୟନ ଡଲାର ଲାଭବାନ ହୋଇଥିଲା)। ଚୀନ୍‌‌ ସାମଗ୍ରୀ ଉପରେ ଟ୍ରମ୍ପ ଅଧିକ ଟିକସ ଲାଗୁ କଲେ ସେଥିରୁ ଭାରତ ଲାଭବାନ ହେବ ଏବଂ ଗୁଗୁଲ୍‌‌ ଟ୍ୟାକ୍ସ ପ୍ରତ୍ୟାହାର ସେହି ବାଟକୁ ସୁଗମ କରିବ ବୋଲି ଯଦି କେନ୍ଦ୍ର ସରକାର ଚିନ୍ତା କରୁଥା’ନ୍ତି ତେବେ ସେ ସମ୍ଭାବନା ମଧ୍ୟ ପ୍ରାୟତଃ ଦିଶୁନାହିଁ। କାରଣ ଚୀନ୍‌‌ କେବଳ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଆମେରିକାର ପ୍ରତିଦ୍ୱନ୍ଦ୍ୱୀ। ଚୀନ୍‌‌ର ଧାତବ ଓ ପଣ୍ୟ ଦ୍ରବ୍ୟ ଉପରେ ଆମେରିକା ନିର୍ଭର କରୁଥିବାରୁ ସେହିସବୁ ସମାଗ୍ରୀ ଉପରେ ଅଧିକ ଟିକସ ଲାଗୁ ହୋଇ ନ ପାରେ। ତେଣୁ ଆମେରିକାକୁ ଭାରତ ରପ୍ତାନୀ କରୁଥିବା ଆଲୁମିନିୟମ, ଇସ୍ପାତ୍‌‌, ଗହଣା, ରତ୍ନପଥର, ବୟନ, ଆଇଟି ଏବଂ ଔଷଧୀୟ ସାମଗ୍ରୀ ଆମେରିକା ବଜାରରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସାମ୍‌‌ନା କରିବ ଏବଂ ଆମେରିକା ସହିତ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ଆହୁରି ବୃଦ୍ଧି ପାଇବ।

ଏବେ ବେଳ ଆସିଛି ୟୁରୋପୀୟ ସଂଘ ଅନୁକରଣରେ ଏସୀୟ ରାଷ୍ଟ୍ରମାନେ ଏକଜୁଟ୍‌‌ ହେବାର। ଯଦି ଭାରତ-ଚୀନ୍‌‌ ହାତ ମିଳାଇବାକୁ ସହମତ ହୁଅନ୍ତି ତେବେ ଆମେରିକା ଓ ୟୁରୋପ ଏସିଆ ଆଗରେ ବଶମ୍ବଦ ହେବା ନିଶ୍ଚିତ। ତା’ପୂର୍ବରୁ ଭାରତ ନିଜର ଦକ୍ଷତା ବିକାଶ କରିବା ଆବଶ୍ୟକ। ‘ମେକ୍‌‌ ଇନ୍‌‌ ଇଣ୍ଡିଆ’, ‘ଭୋକାଲ୍‌‌ ଫର ଲୋକାଲ୍‌‌’ ଆଦି ନାରାକୁ ଜାତୀୟ ଭୋଟ ରାଜନୀତି ମଧ୍ୟରେ ସୀମିତ ନ ରଖି ବିଶ୍ୱାୟନ କରିପାରିଲେ ଭାରତ ବିଶ୍ୱଶକ୍ତି ଆଗରେ ବଶମ୍ବଦ ହେବା ବଦଳରେ ନିଜସ୍ୱ ଏକ ବ୍ରାଣ୍ଡ ସୃଷ୍ଟି କରିପାରିବ। କିନ୍ତୁ ବ୍ୟକ୍ତିତ୍ୱର ବ୍ରାଣ୍ଡ ପ୍ରତିଷ୍ଠା ପାଇଁ ତତ୍ପର ଓ ଆତୁର ଭାରତୀୟ ନେତୃବର୍ଗଙ୍କ କୋଳାହଳକୁ ଭେଦ କରି ରାଷ୍ଟ୍ରୀୟ ବ୍ରାଣ୍ଡ ସୃଷ୍ଟିର ସ୍ୱର ଓ ଶବ୍ଦ ନୀତି ନିର୍ଦ୍ଧାରଣ ସ୍ତରରେ ପହଞ୍ଚିବ କେମିତି ତାହା ସବୁଠାରୁ ବଡ଼ ପ୍ରଶ୍ନ।

About The Author: The Sakala