ପାଠ୍ୟକ୍ରମକୁ ବିଦ୍ୟାର୍ଥୀଙ୍କ ପାଇଁ ଯୁକ୍ତିସଂଗତ କରିବା ସର୍ବାଦୌ ବାଞ୍ଛନୀୟ ଏବଂ ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ। ଏବେ କିନ୍ତୁ ଏହି ଯୌକ୍ତିକତାକୁ ସମସ୍ତେ ଭଲ ବିଚାରରେ ଦେଖୁନାହାନ୍ତି। କେନ୍ଦ୍ର ସରକାରଙ୍କ ଚାପ ଓ ରାଜନୈତିକ ଆଦର୍ଶବାଦ କାରଣରୁ ପାଠ୍ୟକ୍ରମରୁ କର୍ତ୍ତୃପକ୍ଷ ଯେଉଁ ଢଙ୍ଗରେ ବିଭିନ୍ନ ବିଷୟ ବାଦ ଦେଉଛନ୍ତି, ତାହା ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମହଲରେ ବିତର୍କ ସୃଷ୍ଟି କରିଛି। ଏବେ ଏନ୍ସିଇଆରଟି କର୍ତ୍ତୃପକ୍ଷ ୧୦ମ ଶ୍ରେଣୀ ପାଠ୍ୟପୁସ୍ତକରୁ ଡାରଉଇନ୍ଙ୍କ ବିଖ୍ୟାତ୍ ‘କ୍ରମବିକାଶ ତତ୍ତ୍ୱ’ ବା ‘ଇଭାଲ୍ୟୁସନ ଥିଓରି’କୁ ବାଦ ଦେଇଛନ୍ତି। ଏହି ବିଷୟଟି ଜୀବ ପ୍ରଜାତିର କ୍ରମବିକାଶ ସହିତ ସମ୍ପୃକ୍ତ। ଡାର୍ଉଇନ୍ଙ୍କ ସିଦ୍ଧାନ୍ତ ଅନୁସାରେ ସମୟକ୍ରମେ ଜୀବପ୍ରଜାତିରେ ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନ ପ୍ରକ୍ରିୟାରେ ନୂଆ ପ୍ରଜାତି ବା ପ୍ରଜନ୍ମ ସୃଷ୍ଟି ହୁଅନ୍ତି ଏବଂ ସେମାନେ ସାଧାରଣ ପୂର୍ବଜଙ୍କ ସହିତ ସମ୍ପୃକ୍ତ ହୁଅନ୍ତି। ଏହି ତତ୍ତ୍ୱ ଅନୁସାରେ ଯେଉଁ ପ୍ରଜାତି ବା ପ୍ରାଣୀ ପରିବେଶ ସହିତ ଖାପଖୁଆଇ ଚଳିପାରିବ, ସେ ବଞ୍ଚିବ, ତା’ ନହେଲେ ତା’ର ବିନାଶ ଘଟିବ। ଏହାକୁ ‘ସର୍ଭାଇବାଲ ଅଫ୍ ଦି ଫିଟେଷ୍ଟ’ ବା ‘ଶ୍ରେଷ୍ଠତତ୍ତ୍ୱର ଉଦ୍ବର୍ତ୍ତନ’ ବୋଲି ମଧ୍ୟ କୁହାଯାଏ।
ପ୍ରାଣୀ ବିଜ୍ଞାନ ସହିତ ଜଡ଼ିତ ଏହି ତତ୍ତ୍ୱ ଜେନେରାଲ୍ ଷ୍ଟଡି ବା ସାଧାରଣ ଅଧ୍ୟୟନ ପାଇଁ ସବୁ ବର୍ଗର ବିଦ୍ୟାର୍ଥୀଙ୍କ ପାଇଁ ଆବଶ୍ୟକ। ତେବେ ଏନ୍ସିଆର୍ଟି କର୍ତ୍ତୃପକ୍ଷ ଏହି ଅଧ୍ୟାୟଟିକୁ ଦଶମ ଶ୍ରେଣୀ ବିଜ୍ଞାନ ପାଠ ବହିରୁ ବାଦ ଦେବା ଫଳରେ ବିଦ୍ୟାର୍ଥୀଙ୍କର ସମନ୍ୱିତ ବିଚାର ବା ଇଣ୍ଟ୍ରିଗାଲ କନ୍ସେପ୍ଟର ଅବଧାରଣା ସୀମିତ ହୋଇଯିବ। ଆହୁରି ମଧ୍ୟ ଏହା ବିଦ୍ୟାର୍ଥୀଙ୍କ ବିଜ୍ଞାନଭିତ୍ତିକ ଚେତନା ଓ ଅନୁସନ୍ଧିଚ୍ଛାକୁ ପ୍ରଭାବିତ କରିବ। ସର୍ବୋପରି ଏହି ନିଷ୍ପତ୍ତି ଫଳରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଶିକ୍ଷଣ ଜନିତ ବ୍ୟବଧାନ ସୃଷ୍ଟିହେବ ଏବଂ ଅନେକ ପିଲା, ଯେଉଁମାନେ ପରବର୍ତ୍ତୀକାଳରେ ବିଜ୍ଞାନ ପଢ଼଼ିବାର ସୁଯୋଗ ନ ପାଇବେ, ସେମାନଙ୍କର ଏ ବିଷୟରେ କୌଣସି ଧାରଣା ରହିବ ନାହିଁ।
ଏନ୍ସିଇଆର୍ଟିର ଏହି ପଦକ୍ଷେପକୁ ଦେଶର ଅଗଣିତ ବୈଜ୍ଞାନିକ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ବିଜ୍ଞାନପ୍ରେମୀ ତୀବ୍ର ସମାଲୋଚନା କରିବା ପରେ କର୍ତ୍ତୃପକ୍ଷ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ କୋଭିଡ୍ ପରବର୍ତ୍ତୀ କାଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠବୋଝ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ ଏହି ବିଷୟବସ୍ତୁକୁ ବାଦ ଦିଆଯାଇ ନାହିଁ; ବରଂ ଏହାକୁ ୧୦ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଯୁକ୍ତି ହାସ୍ୟାସ୍ପଦ ମନେ ହୁଏ। ଡାର୍ଉଇନ୍ ତତ୍ତ୍ୱକୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯିବା ଅର୍ଥ ଏହା +୨ ବିଜ୍ଞାନ ପାଠ୍ୟ ଖସଡ଼ାର ଅନ୍ତର୍ଭୁକ୍ତ ହୋଇଛି। ତେଣୁ ଯେଉଁ ବିଦ୍ୟାର୍ଥୀମାନେ +୨ ବିଜ୍ଞାନ ପଢ଼଼ିବେ, ସେମାନେ ହିଁ ଏହା ପଢ଼଼ିବାର ସୁଯୋଗ ପାଇବେ। ଆଗରୁ ସବୁ ବିଦ୍ୟାର୍ଥୀ ଏହାକୁ ସ୍କୁଲ୍ ସ୍ତରରେ ପଢ଼଼ିବାର ସୁଯୋଗ ପାଉଥିଲେ ଏବଂ ଏଥିରେ ବିଜ୍ଞାନ, କଳା ଓ ବାଣିଜ୍ୟ ଆଦି ବିଚାର ନଥିଲା। ହାଇସ୍କୁଲ୍ସ୍ତରରେ କିଛି ପାଠ ବିଷୟ ନିର୍ବିଶେଷରେ ସବୁ ବିଦ୍ୟାର୍ଥୀଙ୍କ ପାଇଁ ମୌଳିକ ଜ୍ଞାନ ପ୍ରଦାନ ନିମନ୍ତେ ଆବଶ୍ୟକ ହୋଇଥାଏ। ସେହି ସୁବିଧାକୁ ପ୍ରତ୍ୟାହାର କରିନେଇ ତାହାକୁ କେବଳ ଭବିଷ୍ୟତର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖିବା ସରକାର ଓ ଏନ୍ସିଇଆର୍ଟିର କି ପ୍ରକାର ବିଚାର ତାହା ବୁଝି ହେଉନାହିଁ।
କହିବା ବାହୁଲ୍ୟ ଯେ ବିବର୍ତ୍ତନବାଦୀ ଜୀବବିଜ୍ଞାନ ଏବଂ ଜୀବନତତ୍ତ୍ୱ କେନ୍ଦ୍ରୀୟ ବିଷୟବସ୍ତୁ ଭାବେ ରହିଆସିଛି। ଏହା ବିଜ୍ଞାନର ଏକ ଶାଖା ଏବଂ ଭେଷଜ, ଔଷଧ ଉଦ୍ଭାବନ, ମହାମାରୀ ବିଜ୍ଞାନ, ପରିବେଶ ଓ ପରିତନ୍ତ୍ର, ଜୈବବିବିଧତା, ଜୈବମଣ୍ଡଳ ଏବଂ ମନସ୍ତତ୍ତ୍ୱ ଭଳି ବିବିଧ କ୍ଷେତ୍ର ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିଛି। ବିଜ୍ଞାନଭିତ୍ତିକ ମନୋଭାବର ବିକାଶ ଏବଂ ବିଶ୍ୱଦୃଷ୍ଟି ନିମନ୍ତେ ଏଭଳି ପାଠ୍ୟକ୍ରମର ଅବଦାନ ଅନସ୍ୱୀକାର୍ଯ୍ୟ। ଏଭଳି ସ୍ଥିତିରେ ବିଦ୍ୟାର୍ଥୀଙ୍କୁ ହାଇସ୍କୁଲ୍ ସ୍ତରରେ ଏଭଳି ପାଠରୁ ବଞ୍ଚିତ କରିବା ଏକ ଅବୈଜ୍ଞାନିକ ଓ ଦୂରଦୃଷ୍ଟିହୀନ ବିଚାରର ପରିପ୍ରକାଶ ବୋଲି ଅଭିଯୋଗ ହେଉଛି। ନୂଆ ଶିକ୍ଷାନୀତି-୨୦୨୦ର ଆମେ ଜୟଗାନ କରୁଥିବାବେଳେ ଏଭଳି ବିଭ୍ରାନ୍ତିକର ପଦକ୍ଷେପ ନିଶ୍ଚିତ ଭାବେ ଆମ ବିଜ୍ଞାନ ଚେତନାର ପରିପନ୍ଥୀ ବୋଲି କହିବାରେ ଅସୁବିଧା ନାହିଁ।
ଡାର୍ଉଇନ୍ ଓ କୋପରନିକସ୍ ବିପ୍ଳବ ବିଜ୍ଞାନ ଭିତ୍ତିକ ପ୍ରଗତିର ବୈଶିଷ୍ଟ୍ୟ। ଏହାକୁ ବାଦ୍ ଦେଇ ଆମେ ଆମ ପିଲାଙ୍କୁ ଯଥାର୍ଥ ବିଜ୍ଞାନ ଶିକ୍ଷା ଦେଇ ପାରିବା ନାହିଁ। ଏବେ ଆହୁରି କେତେକ ବିଷୟକୁ ପାଠ୍ୟକ୍ରମରୁ ବାଦ୍ ଦେବାକୁ ଏନ୍ସିଇଆର୍ଟି ନିଷ୍ପତ୍ତି ନେଇଛି। ଏଥିରେ ଇତିହାସଠାରୁ ନଗରବିଜ୍ଞାନ ପର୍ଯ୍ୟନ୍ତ ଅନେକ ବିଷୟ ରହିଛି। ହାଇସ୍କୁଲ ସ୍ତରରେ ପିଲାଏ କ’ଣ ପଢ଼଼ିବେ ଏବଂ କେତେ ପଢ଼଼ିବେ, ତାହା ନିର୍ଣ୍ଣିତ ହେବା ଉଚିତ ଏବଂ ଏଥିରେ ବିଶେଷଜ୍ଞ ମଣ୍ଡଳୀ ବା ଏନ୍ସିଇଆର୍ଟି କର୍ତ୍ତୃପକ୍ଷ ନିଜର ପାଣ୍ଡିତ୍ୟ ଓ ବିଚାରବୁଦ୍ଧିକୁ ସର୍ବଦା ବିଦ୍ୟାର୍ଥୀଙ୍କ ଉପରେ ଲଦି ଦେବା ଅନୁଚିତ। ଆଶା କରିବା ପାଠ୍ୟକ୍ରମକୁ ଯୁକ୍ତିସଂଗତ କରିବା ପ୍ରୟାସରେ ଏନ୍ସିଇଆର୍ଟି ଅଧିକ ଦୂରଦୃଷ୍ଟି ସମ୍ପନ୍ନ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବ। ଡାର୍ଉଇନ୍ଙ୍କ ତତ୍ତ୍ୱ ଭଳି ମୌଳିକ ପାଠକୁ ପୁନର୍ବାର ଦଶମ ପାଠ୍ୟକ୍ରମରେ ଏନ୍ସିଇଆର୍ଟି ସ୍ଥାନ ଦେବ ବୋଲି ଆଶା କରିବା। n