ଶସ୍ତା-ମହଙ୍ଗା ଭେଳିକି

ସମଗ୍ର ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ବଳବତ୍ତର ରହିଥିବା ବେଳେ ଆମ ଦେଶରେ ପରିଲକ୍ଷିତ କିଛି ସକାରାତ୍ମକ ଦିଗକୁ ନେଇ କିଛି ଅର୍ଥନୀତି ବିଶାରଦ ସମ୍ଭାବନାର ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ଗତ ସପ୍ତାହରେ କାରବାରକୁ ଲକ୍ଷ୍ୟକଲେ ମନେ ହେଉଛି ପୁଞ୍ଜିବଜାର ସ୍ଥିତି ସୁଧାରିବା ଆରମ୍ଭ କରିଛି। ଫେବୃଆରୀ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତକୁ ହ୍ରାସ ପାଇବା ମଧ୍ୟ ଆସ୍ୱସ୍ତିର ବିଷୟ। ଏହି ଧାରା ଆଗକୁ ବଳବତ୍ତର ରହିଲେ ଜିଡିପି ବା ଅର୍ଥନୈତିକ ଅଭିବୃଦ୍ଧି […]

ସମଗ୍ର ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ବଳବତ୍ତର ରହିଥିବା ବେଳେ ଆମ ଦେଶରେ ପରିଲକ୍ଷିତ କିଛି ସକାରାତ୍ମକ ଦିଗକୁ ନେଇ କିଛି ଅର୍ଥନୀତି ବିଶାରଦ ସମ୍ଭାବନାର ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ଗତ ସପ୍ତାହରେ କାରବାରକୁ ଲକ୍ଷ୍ୟକଲେ ମନେ ହେଉଛି ପୁଞ୍ଜିବଜାର ସ୍ଥିତି ସୁଧାରିବା ଆରମ୍ଭ କରିଛି। ଫେବୃଆରୀ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତକୁ ହ୍ରାସ ପାଇବା ମଧ୍ୟ ଆସ୍ୱସ୍ତିର ବିଷୟ। ଏହି ଧାରା ଆଗକୁ ବଳବତ୍ତର ରହିଲେ ଜିଡିପି ବା ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧିରେ ସହାୟକ ହେବ ବୋଲି ମନେ କରାଯାଇଛି। ଏସବୁ ସତ୍ତ୍ବେ ଅର୍ଥନୀତି ଉପରୁ ବିପଦର କଳାବାଦଲ ଯେ ସମ୍ପୂର୍ଣ୍ଣ ଭାବେ ହଟି ଯାଇଛି, ଏକଥା କୁହାଯାଇ ନପାରେ। ଏପ୍ରିଲ ୨ତାରିଖ ଯେତିକି ନିକଟତର ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ଶୁଳ୍କକୁ ନେଇ ସେତିକି ଆତଙ୍କ ଓ ଅବିଶ୍ୱାସର ବାତାବରଣ ଘନୀଭୂତ ହେଉଛି। ତେଣୁ ଆଜିର ଅନୁକୂଳ ପରିସ୍ଥିତି ଯେ କାଲିକୁ ପ୍ରତିକୂଳ ସ୍ଥିତି ନ ଉପୁଜାଇବ ଏକଥା କେହି ଜୋରଦେଇ କହିପାରିବେନି। ଏକପକ୍ଷରେ ୟୁରୋପୀୟ ରାଷ୍ଟ୍ରସଂଘ ଏକଜୁଟ ହେଉଥିବା ବେଳେ ପରସ୍ପର ବିରୋଧୀ ଏସୀୟରାଷ୍ଟ୍ର ମଧ୍ୟରେ ବୁଝାମଣା ଆରମ୍ଭ ହୋଇଛି। ଚୀନ୍‌‌, କୋରିଆ ଓ ଜାପାନ ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ମିଳିତ ନିଷ୍ପତ୍ତି ନେବାକୁ ସ୍ଥିର କରିଥିବା ଘଟଣାରୁ ସ୍ପଷ୍ଟ ହୋଇଛି ଯେ ଆଗ ସ୍ଥିତିରକ୍ଷା, ପରେ ଶତ୍ରୁତା। ଆମେ କିନ୍ତୁ କୂଟନୈତିକ ସ୍ତରରେ ଏ ପର୍ଯ୍ୟନ୍ତ କୌଣସି ସହଯୋଗୀଙ୍କ ସହ ବିଚାରବିମର୍ଶ ଆରମ୍ଭ କରିନାହୁଁ। ବରଂ ଆମେରିକା ସହ ଏକକ ବୁଝାମଣା ମାଧ୍ୟମରେ ଆମେ ସାଲିସ କରିବାକୁ ପ୍ରସ୍ତୁତ ଥିବା ଭଳି ମନେ ହେଉଛି।

ପୁଞ୍ଜି ବଜାରରେ ପରିଲକ୍ଷିତ କାରବାର ପଛରେ ବୈଦେଶିକ ଆନୁଷ୍ଠାନିକ ପୁଞ୍ଜି ନିବେଶ(ଏଫ୍‌‌ଆଇଆଇ)ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେୟାର କ୍ରୟ କରି ଗତିଶୀଳତାକୁ ଏକ ବିଶ୍ୱସ୍ତରୀୟ ସ୍ଥିତିରେ ପହଞ୍ଚାଇବା ସେମାନଙ୍କ ଲକ୍ଷ୍ୟ। ଯେତେଦୂର ମନେହୁଏ ଝଡ଼ ଆସିବା ପୂର୍ବରୁ ସେୟାର ବିକ୍ରି କରି ଫାଇଦା ହାସଲ କରିବା ଲକ୍ଷ୍ୟରେ ସେମାନେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଟକା ବଜାରର ଲାଭ-କ୍ଷତିର ଗଣିତ ଭିତରେ ଏବେ ୪ ପ୍ରତିଶତ କାରବାର ବୃଦ୍ଧିକୁ ନେଇ ହଠାତ୍‌‌ କିଛି ଆଶା କରିବା ଠିକ୍‌‌ ହେବ ନାହିଁ। ଅନ୍ୟ ଦିଗଟି ହେଲା ମୁଦ୍ରାସ୍ଫୀତି ଏକ ନମନୀୟ ସ୍ତରରେ ପହଞ୍ଚିଛି। ରିଜର୍ଭବ୍ୟାଙ୍କ ମୁଦ୍ରା ପ୍ରଚଳନକୁ କ୍ରମାଗତ ଭାବେ ନିୟନ୍ତ୍ରଣ କରି ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଦିଗରେ ଯେଉଁ ପ୍ରୟାସ କରିଥିଲେ, ତାହାର ସୁଫଳ ମିଳିଛି ଏକଥା ନୁହେଁ। ଅନୁକୂଳ ପାଣିପାଗ ଯୋଗୁଁଁ କୃଷି ଉତ୍ପାଦନ, ବିଶେଷକରି ପନିପରିବା, ଚାହିଦାଠାରୁ ଅଧିକ ବଜାରରେ ଉପଲବ୍ଧ ହେବାରୁ ଶସ୍ତା ହୋଇଛି। ତେଣୁ ଖାଉଟି ମୁଦ୍ରାସ୍ଫୀତି ହାର କିଛିଟା ହ୍ରାସ ପାଇଛି। ଖାଉଟି ଶସ୍ତାରେ ପାଉଥିବା ବେଳେ ଚାଷୀ ଉତ୍ପାଦନ ଖର୍ଚ୍ଚ ନ ପାଇ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି। ସେ ଯାହାହେଉ ରିଜର୍ଭବ୍ୟାଙ୍କ ଖାଉଟି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ସୀମିତ ରଖିବା ସକାଶେ ଯେଉଁ କଟକଣା ରଖିଥିଲେ, ତାହାଠାରୁ କମ୍‌‌ ଅର୍ଥାତ ୩.୬ ପ୍ରତିଶତକୁ ହ୍ରାସ ପାଇଛି। ଏହା କିନ୍ତୁ ଋତୁକାଳୀନ ଫସଲ ଅମଳର ପ୍ରଭାବ। ଏହା ଆଗକୁ କେତେଦୂର ବଳବତ୍ତର ରହିବ, ସେ ନେଇ ସନ୍ଦେହ ଉଠିବା ସ୍ୱାଭାବିକ। ଖାଦ୍ୟ ସାମଗ୍ରୀ କହିଲେ କେବଳ ପନିପରିବାକୁ ବୁଝାଏ ନାହିଁ। ତେଲ, ଗହମ ଓ ଗହମଜାତ ଦ୍ରବ୍ୟ ଓ ଡାଲିର ବର୍ଦ୍ଧିତ ମୂଲ୍ୟ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି। ସେହିଭଳି ବିସ୍କୁଟ, କେକ୍‌‌ ଓ ମଇଦାରୁ ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବଢ଼଼ିଛି ଏବଂ ଆଗକୁ ଆହୁରି ବଢ଼଼ିବାର ସଙ୍କେତ ମିଳୁଛି। ଦୈନନ୍ଦିନ ବ୍ୟବହାର ଉପଯୋଗୀ ଏହି ସାମଗ୍ରୀ ଉପରେ ମୁଦ୍ରାସ୍ଫୀତି ହ୍ରାସର କୌଣସି ପ୍ରଭାବ ପଡ଼ିନାହିଁ।

ଏହି ଅଙ୍କକଷା ପଛରେ ବ୍ୟାଙ୍କ ସୁଧହାର ହ୍ରାସ ନିର୍ଭର କରୁଥିବାରୁ ଉଭୟ ସରକାର ଓ ରିଜର୍ଭବ୍ୟାଙ୍କ ଚାପରେ ଥିଲେ। ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମସ୍ତ ଚାପ ସତ୍ତ୍ବେ ମୁଦ୍ରା ପ୍ରଚଳନକୁ ନିୟନ୍ତ୍ରଣରେ ରଖିଥିଲେ। ତେଣୁ ରେପୋରେଟ୍‌‌ କ୍ରମାଗତ ଭାବେ ଦୀର୍ଘଦିନ ଧରି ହ୍ରାସ ପାଇ ନ ଥିଲା। ସରକାରଙ୍କ ପକ୍ଷରୁ ଘନ ଘନ ଚାପ ସତ୍ତ୍ବେ ଖାଦ୍ୟଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ହ୍ରାସ ନ ପାଇବା ପର୍ଯ୍ୟନ୍ତ ସେ ସୁଧହାର ହ୍ରାସ କରିନଥିଲେ। ପରବର୍ତ୍ତୀ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦୁଇମାସ ତଳେ ରେପୋ ରେଟ୍‌‌ ୬.୫ ପ୍ରତିଶତରୁ ୬.୨୫କୁ ହ୍ରାସ କରିଥିଲେ। ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକର ଏହି ନିଷ୍ପତ୍ତିକୁ ସେତେବେଳେ ସମୟର ଆବଶ୍ୟକତା ବୋଲି କୁହାଗଲା। ଅଥଚ ସେତେବେଳେ ଖାଉଟି ମୁଦ୍ରାସ୍ଫୀତି ହାର ୪.୩ ପ୍ରତିଶତ ଥିଲା। ଆଗାମୀ କମିଟି ବୈଠକରେ ସୁଧହାର ଅଧିକ ହ୍ରାସ କରିବା ସକାଶେ ପଥ ପରିଷ୍କାର କରାଯାଇଥିବା ଭଳି ମନେହୁଏ। ସରକାରୀ ପରିସଂଖ୍ୟାନରେ ଦର୍ଶାଯାଇଛି ଯେ ଖାଦ୍ୟଦ୍ରବ୍ୟରେ ପରିଲକ୍ଷିତ ମୁଦ୍ରାସ୍ଫୀତି ହାର ୩.୭୫ ପ୍ରତିଶତ ୨୦୨୩ ମେ’ ପରଠାରୁ ସର୍ବନିମ୍ନ ସ୍ଥିର। ଗତ ଅକ୍ଟୋବର ମାସରେ ଏହି ହାର ୧୦ ପ୍ରତିଶତ ଅତିକ୍ରମ କରିଯାଇଥିଲା।

ଏବେ ଯେଉଁ ଖାଉଟି ମୁଦ୍ରାସ୍ଫୀତି ହାର ହ୍ରାସ ସମ୍ପର୍କରେ ପରିସଂଖ୍ୟାନରେ ଦର୍ଶାଯାଉଛି, ତାହାର ପ୍ରଭାବ ଅନେକାଂଶରେ ପରିଲକ୍ଷିତ ହେଉନାହିଁ। ଅମଳ ଋତୁ ସତ୍ତ୍ବେ ଆଳୁ ଓ ପିଆଜ ମୂଲ୍ୟ କମିବା ପରିବର୍ତ୍ତେ ବଢ଼଼ିଚାଲିଛି। ଆମ ବଜାରରେ ଆଳୁ (୩ କିଲୋପ୍ରତି) ଧଡ଼ା ୬୦ ଟଙ୍କା ଓ ପିଆଜ ଧଡ଼ା ୯୦ ଟଙ୍କା। ପରିସଂଖ୍ୟାନ କହେଁ ଯେ ପିଆଜର ବାର୍ଷିକ ଦରବୃଦ୍ଧି ହାର ୩୦.୪ ପ୍ରତିଶତ ହୋଇଥିବା ବେଳେ ଆଳୁରେ ଏହା ୨୬.୪ ପ୍ରତିଶତ। ଏହି ପରିବା ଉପରେ ସବୁଠାରୁ ଅଧିକ ଚାପ ବା ଚାହିଦା ଥିଲେ ମଧ୍ୟ ତାହାର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ସେହିଭଳି ସମସ୍ତ ପ୍ରକାରର ଡାଲି ମୂଲ୍ୟ କ୍ରମାଗତ ଭାବେ ବଢ଼଼ିଚାଲିଛି। ରିଫାଇନ୍‌‌ ଓ ସୋରିଷ ତେଲ ମୂଲ୍ୟ ୨୦ ରୁ ୨୨ ପ୍ରତିଶତ ବଢ଼଼ିଛି। ଗହମ ଓ ଗହମଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳତା ସବୁଠାରୁ ଅଧିକ ହୋଇଥିବାରୁ ତାହାର ମୂଲ୍ୟ ଗତ ଫେବୃଆରୀରେ ୯ ରୁ ୧୦ ପ୍ରତିଶତ ବଢ଼଼ିଛି। ଖରିଫ ଓ ରବି ଋତୁର କୃଷି ଉତ୍ପାଦନ ବୃଦ୍ଧି ନେଇ କୃଷି ବିଶେଷଜ୍ଞ ଆଶାବାଦୀ। ଉତ୍ପାଦନ କେବେ ବୃଦ୍ଧି ପାଇବ, ତାହାର ଆକଳନ ଏଠାରେ ଉଲ୍ଲେଖ କରିବାର କୌଣସି ଯଥାର୍ଥନା ନାହିଁ। କାରଣ ସବୁବର୍ଷ ସରକାର ଲକ୍ଷ୍ୟ ଧାର୍ଯ୍ୟ କରି ଆଶାର ଫସଲ ବୁଣନ୍ତି। କିନ୍ତୁ କାର୍ଯ୍ୟରେ ତାହା ପୂରଣ ହୋଇପାରେନି ଓ ଖାଉଟିଙ୍କ ଦୁଃଖ ଘୁଞ୍ଚେନି।

ଏତେ ସବୁ ତର୍ଜମାର ଉଦ୍ଦେଶ୍ୟ ହେଲା ଆଗକୁ କିଭଳି ସୁଧହାର ହ୍ରାସ ପାଇବ। ଦୀର୍ଘ ସମୟ ଧରି ବର୍ଦ୍ଧିତ ସୁଧହାର ଯୋଗୁଁଁ ନିବେଶ ବାଧାପ୍ରାପ୍ତ ହେଉଥିବା ସରକାର ଦର୍ଶାଇ ଆସିଛନ୍ତି। ଋଣ ପ୍ରଦାନ ଓ ପରିଶୋଧ କ୍ଷେତ୍ରରେ ସରକାର ଦୋହରା ନୀତି ଅବଲମ୍ବନ କରିଆସୁଥିବା ବେଳେ ବଜାର ଅବସ୍ଥାରେ ପରିଲକ୍ଷିତ ଶିଥିଳତା ପ୍ରେକ୍ଷାପଟ୍ଟରେ ନିବେଶ ପ୍ରତି ସେଭଳି ସ୍ୱତନ୍ତ୍ର ଆଗ୍ରହ ପରିଲକ୍ଷିତ ହେଉନି। କେବଳ ଏତିକି କୁହାଯାଇପାରେ କି ବାସଗୃହ, ଗାଡ଼ିମୋଟର ଓ ଅନ୍ୟାନ୍ୟ ସୌଖୀନ ସାମଗ୍ରୀ କ୍ରୟ କ୍ଷେତ୍ରରେ ଏହି ସୁଧହାର ସହାୟକ ହେବ। ଉଚ୍ଚ ମଧ୍ୟବିତ୍ତଙ୍କ ମାଧ୍ୟମରେ ବଜାର ଅର୍ଥନୀତିକୁ ସକ୍ରିୟ କରିବାରେ ଏହା ସହାୟକ ହୋଇପାରେ।

About The Author: The Sakala