କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ଲୋକକଲ୍ୟାଣକାରୀ ଯୋଜନାଗୁଡ଼ିକୁ ‘ଦୂର ପର୍ବତର ସୁନ୍ଦରତା’ ସହିତ ତୁଳନା କରୁଥିବା ସମାଲୋଚକ ଓ ସମୀକ୍ଷକମାନେ ଯେ ସମ୍ପୂର୍ଣ୍ଣ ନିରାଧାର ନୁହନ୍ତି ତାହା ପୁଣି ଥରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ରୂପାୟନରୁ ପ୍ରମାଣିତ ହେବାରେ ଲାଗିଛି। ଏହି ଯୋଜନାରେ ସେବା ପାଇବା ଦୂରେ ଥାଉ ହିତାଧିକାରୀଙ୍କ ଯାତନା ବଢ଼଼ି ଚାଲିଛି। ବିଶେଷକରି ଓଡ଼ିଶାରେ ବହୁଳ ଆଦୃତ, ପ୍ରଚଳିତ ଓ ସାଫଲ୍ୟମଣ୍ଡିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)କୁ ବଦଳାଇ ରାଜ୍ୟର ନୂଆ ବିଜେପି ସରକାର ପ୍ରଚଳନ କରିଥିବା ଆୟୁଷ୍ମାନ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଦୁର୍ବଳତାର କାହାଣୀ ଜାତୀୟସ୍ତରରେ ଚର୍ଚ୍ଚିତ ହେବାରେ ଲାଗିଛି। ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ନେତା ଓ ମନ୍ତ୍ରୀମାନେ ଯେତେଥର ଓଡ଼ିଶା ଗସ୍ତ କରୁଥିଲେ ଉପରୋକ୍ତ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ପ୍ରଶଂସାରେ ଶତମୁଖ ହେବାକୁ ଭୁଲି ନଥିଲେ। ଏହି କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା କାର୍ଯ୍ୟକାରୀ କରି ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅଧିକାଂଶ କେନ୍ଦ୍ରୀୟ ନେତା ଏହାକୁ ଅନ୍ୟତମ ନିର୍ବାଚନ ପ୍ରସଙ୍ଗ କରିଥିଲେ। ଓଡ଼ିଶା ସମେତ କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ଏକାଧିକ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ସେବା ଯୋଜନା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାଠାରୁ ତୁଳନାତ୍ମକ ଭାବେ ଉତ୍ତମ ଥିବାରୁ ଏହି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାର କୌଣସି ଆବଶ୍ୟକତା ନଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ବିଏସ୍କେୱାଇକୁ ହଟାଇ ଆୟୁଷ୍ମାନ ଭାତର ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି; ଅଥଚ ପ୍ରଥମରୁ ଝୁଣ୍ଟିଛନ୍ତି। ଏପରିକି ‘ଆୟୁଷ୍ମାନ’ ଏବେ ଆଶୀର୍ବାଦ ହେବା ବଦଳରେ ଅଭିଶାପ ପାଲଟିଥିବା ଜନମୁଖରୁ ଶୁଣିବାକୁ ମିଳୁଛି।
କୌଣସି ଏକ ପ୍ରଚଳିତ ଯୋଜନାରୁ ଅନ୍ୟଟିକୁ ଉତ୍କୃଷ୍ଟ ସାବ୍ୟସ୍ତ କରିବାକୁ ହେଲେ ତାହା ପୂର୍ବ ଯୋଜନାଠାରୁ ସୁଲଭ, ସରଳ ଓ ସର୍ବାଗ୍ରାହ୍ୟ ବୋଲି ପ୍ରମାଣ କରିବାକୁ ହେବ। କିନ୍ତୁ ବିଏସ୍କେୱାଇ ବଦଳରେ ଲାଗୁ ହୋଇଥିବା ଆୟୁଷ୍ମାନ ଯୋଜନା ଠିକ୍ ଏହାର ବିପରୀତ ବୋଲି ଆପାତତଃ ଏ ପର୍ଯ୍ୟନ୍ତ ମିଳୁଥିବା ବିଭିନ୍ନ ମହଲର ଅଭିଯୋଗରୁ ସ୍ପଷ୍ଟ ହେଉଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ଏକ ଜଟିଳ ଚିକିତ୍ସା ପାଇଁ ବିଏସ୍କେୱାଇ କାର୍ଡଧାରୀଙ୍କ ଆକାଉଣ୍ଟରୁ ଯେତିକି ଟଙ୍କା କଟୁଥିଲା, ଆୟୁଷ୍ମାନ କାର୍ଡରେ ତାହାର ପ୍ରାୟ ଅଧା କଟୁଛି। ଅପରପକ୍ଷରେ ଏବେ ଚିକିତ୍ସା ବ୍ୟୟବହୁଳ ହେବାରେ ଲାଗିଛି। ତେଣୁ ଏତେ ଶସ୍ତାରେ ଜଟିଳ ସେବା ଯୋଗାଇବା ଅସମ୍ଭବ ହୋଇପଡ଼ୁଛି। ସେହିପରି ବିଏସ୍କେୱାଇ କାର୍ଡ ବ୍ୟବସ୍ଥାରେ ରୋଗ ନିଦାନ, ଚିକିତ୍ସା ଓ ଆନୁଷଙ୍ଗିକ ଖର୍ଚ୍ଚର ସରଳ ବିବରଣୀ ହିତାଧିକାରୀ ଜାଣିପାରୁଥିବା ବେଳେ ଆୟୁଷ୍ମାନ ଯୋଜନାରେ ଏ ସମ୍ପର୍କିତ ବିବରଣୀ ଅସ୍ପଷ୍ଟ ବା ଆଦୌ ନାହିଁ। ଫଳରେ କେଉଁ ଚିକିତ୍ସା ବାବଦକୁ କେତେ ଖର୍ଚ୍ଚ ହେଲା ତାହା ହିତାଧିକାରୀ ଜାଣିବାର ଅବକାଶ ରହୁନାହିଁ। ସେହିପରି ବୈଷୟିକ ଜ୍ଞାନକୌଶଳ ଦିଗରୁ ମଧ୍ୟ ବିଏସ୍କେୱାଇ ତୁଳନାରେ ଆୟୁଷ୍ନାନ ଯୋଜନା ଦୁର୍ବଳ ଥିବା ଦେଖାଯାଉଛି। ରୋଗୀର ଫିଙ୍ଗରପ୍ରିଣ୍ଟ, ଚିକିତ୍ସା କରିଥିବା ଡାକ୍ତରମାନଙ୍କ ଫଟୋ ଆଦି ଅନାବଶ୍ୟକ ଓ ଅସମ୍ଭବ ତଥ୍ୟବହୁଳ ସର୍ତ୍ତ ଯୋଗୁଁଁ ପଞ୍ଜିକରଣ, ଚିକିତ୍ସା ସେବାରେ ସଂଯୋଗୀକରଣ, ନିଶ୍ଚିତକରଣ ଆଦି ଆନୁଷଙ୍ଗିକ ବୈଷୟିକ ପ୍ରକ୍ରିୟା ଓ ସଫ୍ଟୱେର ଆୟୁଷ୍ମାନ ଭାରତ ଯୋଜନାରେ ଏତେ ଜଟିଳ ଓ ସମୟସାପେକ୍ଷ ହୋଇଛି ଯେ ଉଭୟ କାର୍ଡଧାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ନୟାନ୍ତ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। ଏପରିକି ଗୋଟିଏ ତଥ୍ୟ ଦାଖଲ(ଏଣ୍ଟ୍ରି) ପାଇଁ ୧୦ରୁ ଊର୍ଦ୍ଧ୍ବ ଓଟିପି ଦେବାକୁ ପଡ଼ୁଛି। ବ୍ୟବସ୍ଥା ଓ ପରିଚାଳନାଗତ ଅସ୍ପଷ୍ଟତା ଏବଂ ବୈଷୟିକ ଜଟିଳତା ଯୋଗୁଁଁ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଓ ଉଦ୍ବେଗ ପ୍ରକାଶ କରିଛି ନିଖିଳ ଓଡ଼ିଶା ଘରୋଇ ସ୍ୱାସ୍ଥ୍ୟ ସେବା ସଂସ୍ଥା। ଏପରିକି ଏହି ଯୋଜନା ଲାଗୁ କରିବା ପାଇଁ ଘରୋଇ ଡାକ୍ତରଖାନାମାନେ ଅଧିକ ପ୍ରତିଶତ ସେବାଖର୍ଚ୍ଚ ଦାବି କରିଛନ୍ତି। ଯଦି ଏ ବାବଦ ଅତିରିକ୍ତ ସରକାରୀ ସହଯୋଗ ନ ମିଳେ ତେବେ ଘରୋଇ ଚିକିତ୍ସା ସେବା ରାଜ୍ୟରେ ଗୁରୁତର ପ୍ରଭାବିତ ହେବ, ଏପରିକି ଅନେକ ବନ୍ଦ ହୋଇଯିବ ବୋଲି ସେମାନେ ଚେତାଇ ଦେଇଛନ୍ତି।
ଏହି କେନ୍ଦ୍ରୀୟ ଯୋଜନାରେ ଆଉ ଏକ ଜଟିଳତା ହେଲା ଏହାର ପରିଚାଳନାର କେନ୍ଦ୍ରୀକରଣ। ସ୍ୱାସ୍ଥ୍ୟ ସେବା ରାଜ୍ୟ ତାଲିକାଭୁକ୍ତ ହୋଇଥିଲେ ହେଁ ଏ ବାବଦ ବିବାଦର ସମାଧାନ କିମ୍ବା ଅଭିଯୋଗର ଶୁଣାଣି ରାଜ୍ୟସ୍ତରୀୟ ଅଧିକାରୀ କରିବାର ଅଧିକାର ନାହିଁ। ବିଶାଳ ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ସ୍ୱାସ୍ଥ୍ୟ ସେବା ଭଳି ସମ୍ବେଦନଶୀଳ କ୍ଷେତ୍ରର ପରିଚାଳନା ଓ ରୂପାୟନ ଦାୟିତ୍ୱ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯଦି ନିଜ ପାଖରେ ଧରି ବସିବ ତେବେ ସମସ୍ୟା ଉପୁଜିବା ନିଶ୍ଚିତ। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଚାରସର୍ବସ୍ୱ ରାଜନୀତିର ଭୟ ନିଜ ମନରୁ ଦୂର କରି ଏହାର ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ନିହାତି ଆବଶ୍ୟକ। ଡାକ୍ତରଖାନା ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଜଣେ ରୋଗୀ ଆସିଲେ ତାଙ୍କୁ ଦାଖିଲ କରିବା ପୂର୍ବରୁ କେବଳ ଅନୁମୋଦନ ଆଣିବାକୁ ବେଳେବେଳେ ୪୮ ଘଣ୍ଟା ଲାଗିଯାଉଛି। ଏଭଳି କ୍ଷେତ୍ରରେ ଯଦି ଜଣେ ଗୁରୁତର ରୋଗୀ ଆସନ୍ତି ଏବଂ ତାଙ୍କୁ ଆଶୁ ଚିକିତ୍ସା ଆବଶ୍ୟକ ପଡ଼େ ତେବେ ସେ କ୍ଷେତ୍ରରେ ଡାକ୍ତରଖାନା କର୍ତ୍ତୃପକ୍ଷ ନାଚାର ହେବା ସହିତ ରୋଗୀଙ୍କ ପରିବାରର ଆକ୍ରୋଶକୁ ସାମ୍ନା କରିବାକୁ ପଡ଼ୁଛି। ଏଣୁ ଏହା ଉଭୟ ରୋଗୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି, ଯାହା ପୂର୍ବ ପ୍ରଚଳିତ ବା ବିଏସ୍କେୱାଇରେ ହେଉ ନଥିଲା।
ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଓ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ବାବଦ ଖର୍ଚ୍ଚ ଭରଣାରେ ବୀମା କମ୍ପାନୀ ଓ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏବଂ ଜଟିଳ ଓ ଗୁରୁତର ଚିକିତ୍ସା ବାବଦ ଖର୍ଚ୍ଚ ଏହି ଯୋଜନାରେ ଖୁବ୍ କମ୍ ଥିବାରୁ ଦେଶର ୬୦୦ରୁ ଊର୍ଦ୍ଧ୍ବ ଘରୋଇ ଡାକ୍ତରଖାନା ଏହି ଯୋଜନାରୁ ଓହରି ଆସିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସର୍ବାଗ୍ରେ ରହିଛି ଗୁଜୁରାଟର ୨୩୩ଟି ଘରୋଇ ଡାକ୍ତରଖାନା। କେରଳର ୧୪୬ଟି ଓ ମହାରାଷ୍ଟ୍ରର ୮୩ଟି ଡାକ୍ତରଖାନା ମଧ୍ୟ ଏଥିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଡବଲ୍ ଇଞ୍ଜିନ ସରକାର ଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଘରୋଇ ଡାକ୍ତରଖାନାମାନେ ଏହି ଯୋଜନାରେ ସାମିଲ୍ ହୋଇ ନଥିବା ଜଣାପଡ଼ିଛି।
ମହଙ୍ଗା ମାଡ଼ ଓ ବେକାରୀ ଜରିଆରେ ‘ଅଚ୍ଛେଦିନ’ର ଅନୁଭବୀ ଭାରତୀୟମାନେ ଏବେ ଆୟୁଷ୍ମାନ-ଜଳକା ହେବା ସାର ହୋଇଛି। ତେଣୁ କେନ୍ଦ୍ର ସରକାର ଲୋକଙ୍କ ଚିକିତ୍ସା ସେବା ଭଳି ମୌଳିକ ଅଧିକାରକୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖି ରାଜ୍ୟମାନଙ୍କୁ ସ୍ୱାଧୀନ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବାକୁ ସୁଯୋଗ ଦିଅନ୍ତୁ। ଜନସାଧାରଣଙ୍କ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସର୍ବୋପରି। ଅନ୍ତତଃ ଏଭଳି ଏକ ସମ୍ବେଦନଶୀଳ କ୍ଷେତ୍ର ରାଜନୀତିରୁ ଊର୍ଦ୍ଧ୍ବରେ ରଖିବାକୁ ବିନମ୍ର ନିବେଦନ। n