ମହାରାଷ୍ଟ୍ରର ବଦ୍ଲାପୁରର ଏକ ନର୍ସରୀ ବିଦ୍ୟାଳୟରେ ଶିଶୁ ଯୌନ ନିର୍ଯାତନା ରୂପରେ ଉଗ୍ର ଆଧୁନିକ ମାନବ ସଭ୍ୟତାର ଆଉ ଏକ ଘୃଣ୍ୟ, ବର୍ବର, ପାଶବିକ ପ୍ରବୃତ୍ତିର ଉଦାହରଣ ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗରେ ମହାରାଷ୍ଟ୍ରର ରାଜନୀତି ଉଷ୍ମ ହେବାରେ ଲାଗିଛି। ବିରୋଧୀ ଦଳମାନେ ଆସନ୍ତା ୨୪ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିବା ବେଳେ ବମ୍ବେ ଉଚ୍ଚ ନ୍ୟାୟାଳୟ ମଧ୍ୟ ନ୍ୟାୟିକ ତତ୍ପରତା ପ୍ରକାଶ କରି ପୁଲିସ୍ର କାର୍ଯ୍ୟଧାରାକୁ ଭର୍ତ୍ସନା କରିଛନ୍ତି। ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ର ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦ ସାରା ଦେଶରେ ଜାରି ରହିଛି। ଏହି ସମୟରେ ବଦ୍ଲାପୁର ଘଟଣା ଭାରତର ଭାବମୂର୍ତ୍ତିକୁ କଳଙ୍କିତ କରିଛି।
ଜାମ୍ମୁକାଶ୍ମୀରର କାଠୁଆରୁ ଆରମ୍ଭ କରି ଓଡ଼ିଶାର ନୟାଗଡ଼ ଓ ମହାରାଷ୍ଟ୍ରର ବଦ୍ଲାପୁର ଘଟଣାମାନର ପୁନରାବୃତ୍ତି ବିଶ୍ୱକୁ ଯୋଗଶକ୍ତି ଓ ଆଧ୍ୟାତ୍ମିକତାର ବାର୍ତ୍ତା ଦେଉଥିବା ଦେବଭୂମି, ବେଦ ଜନ୍ମଭୂମି ଭାରତକୁ ଲଜ୍ଜାରେ ମଥାନତ କରିବାକୁ ବାଧ୍ୟ କରୁଛି। ବିଶ୍ୱର ସବୁଠାରୁ ସଭ୍ୟ ଓ ଶୁଚିସମ୍ପନ୍ନ ମାନବ ସଭ୍ୟତାର ଗୌରବ ବହନ କରୁଥିବା, ଗଙ୍ଗା, ଯମୁନା, ନର୍ମଦା ଆଦି ପୁଣ୍ୟତୋୟା ନଦୀମାନଙ୍କୁ କୋଳରେ ଧରିଥିବା ପୁଣ୍ୟଭୂମି ଭାରତବର୍ଷରେ ମଧ୍ୟ ଏଭଳି ଘଟଣାମାନ ଘଟିପାରେ, ତାହା ବିଶ୍ୱାସଯୋଗ୍ୟ ହୋଇପାରୁନାହିଁ। ପୁଣି ଯେତେବେଳେ ୧୫୦ରୁ ଊର୍ଦ୍ଧ୍ବ ନୀତି ନିର୍ଦ୍ଧାରକ ମହିଳା ବିରୋଧୀ ହିଂସା ମାମଲାରେ ସମ୍ପୃକ୍ତ ଥିବାର ଖବର ପ୍ରକାଶ ପାଉଛି ସେତେବେଳେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ଆହୁରି ଲଜ୍ଜିତ ହେବାକୁ ପଡ଼ୁଛି। କଥାରେ ଅଛି ରାଜା ଗୁଣେ ପ୍ରଜା। ଯେଉଁଠାରେ ଜନପ୍ରତିନିଧିମାନେ ଏଭଳି ବିକୃତ ମାନସିକତାରେ ପରିପୂର୍ଣ୍ଣ ସେଠାରେ ‘ନୀତି’ ‘ଅନୀତି’ରେ ଏବଂ ‘ଶିଷ୍ଟାଚାର’ ‘ଭ୍ରଷ୍ଟାଚାର’ର ରୂପ ନେବା ବିଚିତ୍ର ନୁହେଁ।
ଏହି ଘଟଣାରେ ଦୁଇଟି ପ୍ରସଙ୍ଗ ଆଲୋଚନାର ଅପେକ୍ଷା ରଖୁଛି। ପ୍ରଥମତଃ, ପଶ୍ଚିମବଙ୍ଗର ଡାକ୍ତରୀ ଛାତ୍ରଙ୍କୁ କଲେଜ୍ ଭିତରେ ବଳାତ୍କାର ଓ ହତ୍ୟା ଏବଂ ମହାରାଷ୍ଟ୍ର ବଦ୍ଲାପୁର ଶିକ୍ଷାଳୟ ଭିତରେ ଶିଶୁଙ୍କୁ ଯୌନ ନିର୍ଯାତନା – ଏହି ଦୁଇଟି ଯାକ ଘଟଣା ପରବର୍ତ୍ତୀ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନରେ ପୁଲିସ୍ର ଯଥୋଚିତ ତତ୍ପରତା ପ୍ରକାଶ କରିନାହିଁ। ଦ୍ୱିତୀୟରେ, ଏଭଳି ଘଟଣା ପଛର ବିଷବୃକ୍ଷର ମୂଳୋତ୍ପାଟନ ପ୍ରୟାସ ବଦଳରେ ଏହାର ରାଜନୀତିକରଣ। ଏଠାରେ ଆଉ ଏକ ଘଟଣା ଲକ୍ଷ୍ୟ କରିବାର କଥା ଯେ ଶିକ୍ଷା, ଦୀକ୍ଷା ଓ ସଂସ୍କାର ମନ୍ଦିର ଭାବେ ଅଭିହିତ ପବିତ୍ର ଅନୁଷ୍ଠାନଗୁଡ଼ିକ ହିଁ ଏବେ ଅସୁରକ୍ଷିତ ଏବଂ ବର୍ବର ମାନସିକତାକୁ ଜନ୍ମ ଦେଉଥିବା ବିଷବୃକ୍ଷର କଳାଛାୟାରେ କବଳିତ।
କାଠୁଆ ଘଟଣାରୁ ଆରମ୍ଭ କରି ବଦ୍ଲାପୁର ପର୍ଯ୍ୟନ୍ତ ଘଟଣାରେ ପୀଡ଼ିତ ନିଷ୍ପାପ ପ୍ରାଣକୁ ପରବର୍ତ୍ତୀ ଅନୁସନ୍ଧାନ, ପୁଲିସ୍ କାର୍ଯ୍ୟାନୁଷ୍ଠାନ, ରାଜନୈତିକ ଆନ୍ଦୋଳନ କେତେ ନ୍ୟାୟ ଦେବ ତାହା ଭିନ୍ନ ପ୍ରଶ୍ନ। କିନ୍ତୁ ଏହା ଅନସ୍ୱୀକାର୍ଯ୍ୟ ଯେ ଏଭଳି ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାରେ ରାଜନୈତିକ ଦଳମାନେ ସମୟର ସଦୁପଯୋଗ କରିବାରେ ଆଦୌ ଅବହେଳା କରୁନାହାନ୍ତି। ଏହା ମଧ୍ୟ ସତ ଯେ ରାଜନୈତିକ ଦଳମାନଙ୍କର ସ୍ୱାର୍ଥ ସମ୍ବଳିତ ତଥାକଥିତ ଆତ୍ମପ୍ରଚାରର କୋଳାହଳ ମଧ୍ୟ ଏଭଳି ଅନେକ ଘଟଣା ଲୋକଲୋଚନରୁ ଲୁଚି ଯାଉଛି, ଯାହାର ହିସାବ କେବଳ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରେ ସ୍ଥାନିତ ହେଉଛି। ଏନ୍ସିଆରବିର ତଥ୍ୟାନୁଯାୟୀ ୨୦୧୬ରୁ ୨୦୨୨ ମଧ୍ୟରେ ଏଭଳି ଘଟଣାରେ ୯୬% ବୃଦ୍ଧି ଘଟିଛି। କେବଳ ୨୦୨୨ରେ ୩୯୦୦୦ ଟି ଶିଶୁ ଯୌନ ନିର୍ଯାତନା ମାମଲା ସାରା ଦେଶରେ ଦାୟର ହୋଇଛି। ମାମଲା ଦାୟର ହୋଇ ନଥିବା ଘଟଣା ଆହୁରି ଅଧିକ ହୋଇପାରେ।
ବିଡ଼ମ୍ବନା ହେଉଛି ସବୁ ଘଟଣା ଆଇନର ଦୃଷ୍ଟିକୁ ଆସୁ ନାହିଁ। ଆସିଲେ ମଧ୍ୟ ଦୋଷୀ ସମୟୋଚିତ ଦଣ୍ଡ ପାଉନାହିଁ। ପୁଣି କେଉଁଠି ଏଭଳି ଘଟଣା ମାମଲାର ରୂପ ନେବା ପୂର୍ବରୁ ପୁଲିସ ଓ ଅସାମାଜିକ ତତ୍ତ୍ୱମାନଙ୍କର ନାଲି ଆଖିର ଡରରେ ଚିରଦିନ ପାଇଁ ହଜି ଯାଉଛି। ଆହୁରି ମଧ୍ୟ ବଦ୍ଲାପୁର ଭଳି ଘଟଣାମାନେ ଘଟିବା ପରେ ଏହାକୁ ରାଜନୈତିକ ପ୍ରସଙ୍ଗ କରିବାକୁ ଯେଉଁମାନେ ଗଳଦ୍ର୍ଘମ ଉଦ୍ୟମ କରୁଛନ୍ତି ସେମାନଙ୍କ ମଧ୍ୟରୁ କ୍ୱଚିତ୍ ଏଭଳି ଘଟଣାର ବିଷବୃକ୍ଷକୁ ମୂଳୋତ୍ପାଟନ ପାଇଁ ଆନ୍ତରିକ ଉଦ୍ୟମ କରୁଛନ୍ତି। ଏପରିକି ଆମ ଭିତରରୁ ଅନେକେ ନିଜ ଘରେ ଓ ପରିବାରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏଭଳି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥାଇ ପାରନ୍ତି, ଯାହାର ସାକ୍ଷୀ କେବଳ ଆମେ ନିଜେ। ତେଣୁ ସବୁ ଘଟଣା ଆଇନ୍ ଦୃଷ୍ଟିକୁ ନ ଆସିବା ସ୍ୱାଭାବିକ।
ଆମ ଚାରିପାଖରେ, ଆମ ଲକ୍ଷ୍ୟ-ଅଲକ୍ଷ୍ୟରେ ଘଟୁଥିବା ଏଭଳି ସାମୟିକ ଓ ଆଞ୍ଚଳିକ ଘଟଣାମାନ ଯେ ସାମାଜିକ ବ୍ୟାଧିର ରୂପ ନେଇସାରିଲାଣି, ତାହା ବୋଧହୁଏ ଆମର ହୃଦ୍ବୋଧ ହୋଇନାହିଁ। ଶାସନ, ପ୍ରଶାସନ, ସମାଜ, ପରିବାର ସ୍ତରରୁ ଏଥିପ୍ରତି ବେଳ ହୁଁ ଦୃଷ୍ଟି ଦିଆ ନ ଗଲେ ଏହି ବ୍ୟାଧି ବୃହତ୍ତର ପରିସରରେ ଓ ଦୀର୍ଘକାଳୀନ ଭିତ୍ତିରେ ସଂକ୍ରମଣର ରୂପ ନେବ – ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ମନସ୍ତତ୍ତ୍ୱ ଓ ସମାଜ ବିଜ୍ଞାନର ବହୁ ଗବେଷଣାମୂଳକ ସିଦ୍ଧାନ୍ତ ହେଲା – ଯେଉଁ କୋମଳମତି ଶିଶୁର ଅପରିପକ୍ୱ ମସ୍ତିଷ୍କ ଏଭଳି ଦୁର୍ଘଟଣାର ଶିକାର ବା ସମ୍ମୁଖୀନ ହୋଇଥାଏ ସେ ଭବିଷ୍ୟତରେ ଜଣେ ଅପରାଧୀ ବା ଅସାମାଜିକ ତତ୍ତ୍ୱ ହେବାର ଆଶଙ୍କା ଅଧିକ। ଅପରାଧୀ ନ ହେଲେ ମଧ୍ୟ ତା’ ମନ ଭିତରେ ସବୁବେଳେ ଏକ ଅସୁରକ୍ଷିତ ଓ ଭୟାତୁର ଭାବନାର ଛାପ ସୃଷ୍ଟି ହେବ, ଯାହା ତା’ର ପୂର୍ଣ୍ଣାଙ୍ଗ ମାନସିକ ଓ ଶାରୀରିକ ବିକାଶରେ ବାଧା ସୃଷ୍ଟି କରିବ। ତେଣୁ ସେମାନଙ୍କଠାରୁ ପରିବାର, ସମାଜ ଓ ଦେଶ ଯାହା ଆଶା କରୁଥିଲା ତାହା ପୂରଣ ହୋଇପାରିବ ନାହିଁ। ଏହା ହିଁ ଦେଶ ପାଇଁ ସବୁଠାରୁ ବଡ଼ କ୍ଷତି। ଜଣେ ଅସୁରକ୍ଷିତ ଭାବନା ସମ୍ପନ୍ନ ଶିଶୁ/କିଶୋର/ଯୁବକ କେବେ ମଧ୍ୟ ସୁନାଗରିକ ହୋଇପାରିବ ନାହିଁ କି ସମାଜର ସୁରକ୍ଷା ଓ ଦେଶର ବିକାଶରେ ଅବଦାନ ଦେଇପାରିବ ନାହିଁ।
ଆଜିର ଶିଶୁ ହିଁ ଭବିଷ୍ୟତର ନାଗରିକ ବୋଲି ଆମେ ଉଦ୍ଘୋଷଣା କରୁଛୁ। ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ଅନେକ ଆଇନ ପ୍ରଣୟନ କରିଛୁ। ଏଭଳି ମାମଲାର ବିଚାର ପାଇଁ ମଧ୍ୟ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିଛୁ। କିନ୍ତୁ ଆଇନର ଗଳାବାଟ ଦେଇ ଅପରାଧୀମାନେ ଖସି ଯାଉଥିବାରୁ ଏଭଳି ଅମାନବୀୟ ଘଟଣାର ଅଲୋଡ଼ା ପୁନରାବୃତ୍ତି ଘଟିଚାଲିଛି। ତେଣୁ ଆଜି ସାମାଜିକ ବ୍ୟାଧି ରୂପେ ଉଭା ହୋଇଥିବା ଶିଶୁ ନିର୍ଯାତନା ସଂକ୍ରମଣର ରୂପ ନେବା ପୂର୍ବରୁ ହିଁ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଆଇନ୍କୁ ଆହୁରି କଠୋର କରି ଦଣ୍ଡବିଧାନ ଦୃଷ୍ଟାନ୍ତମୂଳକ ହେଲେ ଏଭଳି ଅପରାଧୀ ମାନସିକତାକୁ ବୋଧହୁଏ ପ୍ରତିହତ କରାଯାଇପାରିବ। ସର୍ବୋପରି ଏହି ସମସ୍ୟାର ସମାଧାନ କେବଳ ଗୋଟିଏ ସଂସ୍ଥା, ଅନୁଷ୍ଠାନ କିମ୍ବା ସରକାରଙ୍କ ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ସମସ୍ତଙ୍କ ସମ୍ମିଳିତ ଓ ସମାବେଶୀ ଉଦ୍ୟମ ହେବା ଆବଶ୍ୟକ।