ଅପଥଗାମୀ ବିକାଶ

ବିକାଶ ଅପରିହାର୍ଯ୍ୟ, କିନ୍ତୁ ପରିବେଶ ସୁରକ୍ଷା ସର୍ବୋପରି – ଏ ଆପ୍ତ ସତ୍ୟ ପ୍ରତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରିବେଶ ସମ୍ବେଦନଶୀଳ ଯେଉଁ କେତେକ ପ୍ରକଳ୍ପକୁ କେନ୍ଦ୍ର ସରକାର ୨୦୧୭ ମସିହାରେ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ପିଛିଲା ଭାବେ ପରିବେଶ ମଞ୍ଜୁରି ଦେଇଥିଲେ ତାହାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୁଇଜଣିଆ ଖଣ୍ଡପୀଠ ରଦ୍ଦ କରିଦେଇଛନ୍ତି। ପ୍ରିୟାପ୍ରୀତି ତୋଷଣ ପାଇଁ ନୀତି-ନିୟମ, ଆଇନ-କାନୁନ୍କୁ କିଭଳି ମାଡ଼ିମକଚି ଦିଆଯାଏ ତାହାର ପୁଣି ଏକ […]

ବିକାଶ ଅପରିହାର୍ଯ୍ୟ, କିନ୍ତୁ ପରିବେଶ ସୁରକ୍ଷା ସର୍ବୋପରି – ଏ ଆପ୍ତ ସତ୍ୟ ପ୍ରତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରିବେଶ ସମ୍ବେଦନଶୀଳ ଯେଉଁ କେତେକ ପ୍ରକଳ୍ପକୁ କେନ୍ଦ୍ର ସରକାର ୨୦୧୭ ମସିହାରେ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ପିଛିଲା ଭାବେ ପରିବେଶ ମଞ୍ଜୁରି ଦେଇଥିଲେ ତାହାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୁଇଜଣିଆ ଖଣ୍ଡପୀଠ ରଦ୍ଦ କରିଦେଇଛନ୍ତି। ପ୍ରିୟାପ୍ରୀତି ତୋଷଣ ପାଇଁ ନୀତି-ନିୟମ, ଆଇନ-କାନୁନ୍କୁ କିଭଳି ମାଡ଼ିମକଚି ଦିଆଯାଏ ତାହାର ପୁଣି ଏକ ଉଦାହରଣ ମିଳିଛି।

ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ନଥାଇ ଯେଉଁ ପ୍ରକଳ୍ପ ଆରମ୍ଭ ହୁଏ ତାହାକୁ ବନ୍ଦ କରିବା ପାଇଁ ସରକାରଙ୍କ କ୍ଷମତା ଓ ଅଧିକାର ରହିଛି। କିନ୍ତୁ ୨୦୧୭ ମସିହା ପୂର୍ବରୁ ଅଣମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକୁ ଆଇନତଃ ଅବୈଧ ଦର୍ଶାଇ ବନ୍ଦ କରିବା ବଦଳରେ ଗଳାବାଟରେ ମଞ୍ଜୁର କରାଇ ନେବା ଲାଗି କେନ୍ଦ୍ର ସରକାର ୨୦୧୭ ମସିହାରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲେ। ସେଥିରେ କୁହାଯାଇଥିଲା ଯେ ଯେଉଁ ପ୍ରକଳ୍ପଗୁଡ଼ିକ ଆରମ୍ଭ ହୋଇସାରିଛି କିମ୍ବା ସମ୍ପ୍ରସାରିତ ହୋଇଛି କିମ୍ବା ଉତ୍ପାଦନର ବିବିଧତା ପରିବର୍ତ୍ତନ ହୋଇସାରିଛି ସେମାନେ ସେଗୁଡ଼ିକୁ ମଞ୍ଜୁର କରାଇ ନେବା ଲାଗି ଛଅମାସ ଭିତରେ ‘ଏକକାଳୀନ ମଞ୍ଜୁରୀ’ ବ୍ୟବସ୍ଥାରେ ଆବେଦନ କରିପାରିବେ। କୋଟି କୋଟି ଟଙ୍କାର କାମ ଆରମ୍ଭ ହୋଇସାରିଥିôବାରୁ ପ୍ରଭୂତ ଆର୍ଥିକ କ୍ଷତିକୁ ଆଳ କରି ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ସରକାରଙ୍କ ଏହି ବିଜ୍ଞପ୍ତି ଉପରେ ଆପତ୍ତି ଉଠାଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ଖଣ୍ଡପୀଠ ବିଜ୍ଞପ୍ତିକୁ ଅବୈଧ ଦର୍ଶାଇବା ସହିତ ଏ ସମ୍ପର୍କିତ ଥିବା ମାର୍ଗଦର୍ଶିକା କିମ୍ବା ନିର୍ଦ୍ଧାରିତ ପଦ୍ଧତି ଅନୁସୃତ ହୋଇନଥିବା କହିଛନ୍ତି। ଏଥିସହିତ ଭବିଷ୍ୟତରେ ଏପରି ମଞ୍ଜୁରୀ ପୂର୍ବରୁ ପରିବେଶ ପ୍ରଭାବ ଆକଳନ(ଇଆଇଏ) ବିଜ୍ଞପ୍ତି ୨୦୦୬ର କଡ଼ା ଅନୁପାଳନ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

୨୦୦୬ରେ ପ୍ରଣୀତ ଇଆଇଏ ଅନୁଯାୟୀ କୌଣସି ପ୍ରକଳ୍ପ ଆରମ୍ଭ ପୂର୍ବରୁ ମଞ୍ଜୁରୀ ପ୍ରମାଣପତ୍ର ହାସଲ କରିବା ବାଧ୍ୟତାମୂଳକ। ଏହି ନିୟମ ଆଧାରରେ ପରିବେଶ ଓ ପ୍ରାକୃତିକ ସମ୍ପଦ ଉପରେ ଉକ୍ତ ପ୍ରକଳ୍ପର ପ୍ରଭାବ, ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଆଶଙ୍କା, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଆଦି ସାମାଜିକ ଭିତ୍ତିଭୂମି ପ୍ରଭାବିତ ହେଉଛି କି ନାହିଁ ତାହା ଏକ ଉଚ୍ଚ କ୍ଷମତାପ୍ରାପ୍ତ ବିଶେଷଜ୍ଞ ଦଳ ତଦାରଖ କରିବେ। ବହୁସ୍ତରୀୟ ସମୀକ୍ଷା, ଜନଶୁଣାଣି ଆଦି ଆଧାରରେ ହୋଇଥିବା ସୁପାରିସ ଅନୁଯାୟୀ ପରିବେଶ ମନ୍ତ୍ରଣାଳୟ ଉକ୍ତ ପ୍ରକଳ୍ପକୁ ମଞ୍ଜୁର କିମ୍ବା ନାମଞ୍ଜୁର କରିପାରିବେ। କିନ୍ତୁ ୨୦୧୭ ସରକାରୀ ବିଜ୍ଞପ୍ତି ଏହି ନିୟମର ବିରୁଦ୍ଧାଚରଣ କରୁଥିବା ସ୍ପଷ୍ଟ ହେଉଛି। ଉପରୋକ୍ତ ବିବାଦୀୟ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଥିଲା ଯେ ସମ୍ପୃକ୍ତ ପ୍ରକଳ୍ପ କର୍ତ୍ତାଙ୍କଠାରୁ ପରିବେଶ ଓ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ ବାବଦକୁ ଜୋରିମାନା ବାବଦରେ ଅର୍ଥ ଆଦାୟ କରାଯାଇପାରିବ। ଏହାଛଡ଼ା ପରିବେଶ ସୁରକ୍ଷା ଆଇନ ୧୯୮୬ ଆଧାରରେ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ବୋର୍ଡ ମଧ୍ୟ ସେମାନଙ୍କ ଉପରେ ଅଙ୍କୁଶ ଜାରି କରିପାରିବେ। କିନ୍ତୁ ଅର୍ଥ ଯେ ପ୍ରକୃତିଠାରୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣୀୟ ନୁହେଁ, ତାହା କେନ୍ଦ୍ର ସରକାର ଜାଣିଶୁଣି ପାଶୋରି ପକାଇଥିବା ଅନୁଭୂତ ହେଉଛି।

ଯେଉଁ ପ୍ରକଳ୍ପ ପରିବେଶ ମଞ୍ଜୁରୀ ନଥାଇ ଆରମ୍ଭ ହୋଇପାରୁଛି ସେହି ପ୍ରକଳ୍ପ ଯେ ରାଜ୍ୟ ପ୍ରଦୂଷଣ ବୋର୍ଡର ନାଲିଆଖିକୁ ଡରିବ ତାହା ବିଶ୍ୱାସଯୋଗ୍ୟ ହେଉନାହିଁ। ତେଣୁ ବିଜ୍ଞପ୍ତି ପଛର ଉଦ୍ଦେଶ୍ୟ ଆଉ ଅବୁଝା ହୋଇ ରହିନାହିଁ। ଏହି କଥାକୁ ସର୍ବୋଚ୍ଚ ନ୍ୟାୟାଳୟ ଉଚିତ ଭାବେ ତର୍ଜମା କରି ସମୟୋପଯୋଗୀ ରାୟ ଶୁଣାଇଛନ୍ତି। ଏଥିସହିତ ଖଣ୍ଡପୀଠ ଯେଉଁ କେତେକ ଟୀପ୍ପଣି କରିଛନ୍ତି ତାହା ସର୍ବାଦୌ ପ୍ରାସଙ୍ଗିକ। ଖଣ୍ଡପୀଠ କହିଛନ୍ତି ଯେ ପରିବେଶ ପ୍ରତି ହାନିକାରକ ପ୍ରକଳ୍ପଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସରକାର ଅପଥଗାମୀ ହୋଇଛନ୍ତି। ଏହା ସମ୍ବିଧାନର ଧାରା ୨୧ ଓ ୧୪ର ଉଲ୍ଲଙ୍ଘନ କରୁଥିବାରୁ ଖଣ୍ଡପୀଠ କଦାପି ୨୦୧୭ ବିଜ୍ଞପ୍ତିକୁ ବୈଧ କରିପାରିବେ ନାହିଁ। ଏହି ରାୟ ଦେବା ବେଳେ ଖଣ୍ଡପୀଠ ଦିଲ୍ଲୀ ବାୟୁ ପ୍ରଦୂଷଣର ଉଦାହରଣ ଦେବା ସହିତ ଏପରି ବିଜ୍ଞପ୍ତିର ଯେଭଳି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସଚେତନ ହେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାମ୍ପ୍ରତିକ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ପୃଷ୍ଠଭୂମିରେ ପରିବେଶ ଓ ଜୈବ ବିବିଧତାର ସୁରକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉଲ୍ଲେଖ ଅନାବଶ୍ୟକ। ଅଧିକନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ମନୁଷ୍ୟକୃତ କାର୍ଯ୍ୟକଳାପ ଦ୍ୱାରା ପରିବେଶ ଅଧିକ କ୍ଷତିଗ୍ରସ୍ତ। ପରିବେଶ ପ୍ରତିକୂଳ ବିକାଶ ମାନବ ସଭ୍ୟତା ପ୍ରତି ଆଦୌ ଗ୍ରହଣୀୟ ନୁହେଁ ବୋଲି ପରିବେଶବିତ୍ମାନେ ଚେତାବନୀ ଦେଇ ଆସୁଛନ୍ତି, କିନ୍ତୁ ପରିବେଶ ଆଇନ କରିଥିବା ସରକାର ହିଁ ପରିବେଶ ବିନାଶର କାରକମାନଙ୍କୁ ସବୁଜସଂକେତ ଦେଇ ଚାଲିଛନ୍ତି। ଏପରିକି ପରିବେଶ ଉପରେ ନିର୍ଦ୍ଦିଷ୍ଟ ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ସୁପାରିସ କରିବା ପାଇଁ ସରକାର ବିଭିନ୍ନ ସମୟରେ ଗଠନ କରିଥିବା ଆୟୋଗ ଓ କମିଟିର ମତାମତକୁ ମଧ୍ୟ ସରକାର ଗ୍ରହଣ କରିବାକୁ ନାରାଜ। ଏଭଳି ଅପଥଗାମୀ ବିକାଶର ପରାଭବ କେରଳର ୱାଇନାଡ୍, ଉତ୍ତରାଖଣ୍ଡ, ଆସାମ୍ ଆଦି ସ୍ଥାନରେ ପ୍ରତିଫଳିତ ହୋଇଛି। ଲକ୍ଷଲକ୍ଷ ଜୀବନ ଯାଇଛି। କୋଟି କୋଟି ଟଙ୍କାର ପରିବେଶ ଭିତ୍ତିଭୂମି ଧ୍ୱଂସ ପାଇଛି। ତଥାପି ବିକାଶ ନାମରେ ବିନାଶକୁ ଆଦରି ନେବାରେ ସରକାର କୁଣ୍ଠାବୋଧ କରୁନାହାନ୍ତି। ଏହାକୁ ପୁଣି ଥରେ ଖଣ୍ଡପୀଠ ସୂଚାଇ ଦେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ପରିବେଶର ବଳି ଦେଇ ବିକାଶ କ’ଣ ଜରୁରୀ? ଏ ପ୍ରଶ୍ନର ଉତ୍ତରରେ ସରକାରଙ୍କ ଅନ୍ତରାତ୍ମାର ଉତ୍ତର ନିଶ୍ଚୟ ‘ନା’ ହୋଇପାରେ। କିନ୍ତୁ କେବଳ ଆର୍ଥିକ ଅଭିବୃଦ୍ଧି ଓ ଭୌତିକ ଉନ୍ନତିରେ ମୋହାଚ୍ଛନ୍ନ ସରକାର ନିରୁତ୍ତର ରହିବା ହିଁ ଶ୍ରେୟ ମଣିବେ। ବିଶ୍ୱାୟନରେ ବିକାଶ ଜରୁରୀ। କିନ୍ତୁ ତାହା ପରିବେଶକୁ ଧ୍ୱଂସ କରି ନହେଉ।

About The Author: The Sakala