ନିର୍ବାଚନ ଆସିଲେ ରାଜନୀତିକ ଦଳର ନେତା ଆପଣା ସୁବିଧା ଓ ଭବିଷ୍ୟତକୁ ନଜରରେ ରଖି ପାହି ଡିଅନ୍ତି ଏବଂ ଦଳ ବଦଳାଇଥାନ୍ତି। ଏହା ଭାରତୀୟ ରାଜନୀତିର ଏକ ଅତି ପରିଚିତ ପୁରୁଣା କାରବାର, ଯାହାର କୌଣସି ପ୍ରତିକାର ପ୍ରାୟ ନାହିଁ। ଏହା ମୁଖ୍ୟତଃ ନିର୍ବାଚନ ଋତୁରେ ହେଉଥିବାରୁ ଏହାକୁ ଋତୁକାଳୀନ ଖେଳ କହିଲେ ଭୁଲ୍ ହେବ ନାହଁ। ଦ୍ୱିତୀୟ ଦଳବଦଳ ପ୍ରକ୍ରିୟାର ସୁଯୋଗ ଆସେ ଯେତେବେଳେ କୌଣସି ଏକ ସରକାରକୁ ଭାଙ୍ଗିବାକୁ ପଡ଼େ କିମ୍ବା ସଂଖ୍ୟାଗରିଷ୍ଠତା ଅଭାବରେ ନୂଆ ସରକାର ଗଠନର ଆବଶ୍ୟକତା ପଡ଼େ। ଏଥିରେ କିଛି ବିଧାୟକ ନିଜ ଆସନରୁ ଇସ୍ତଫା ଦେଇ ନୂଆ ବ୍ୟବସ୍ଥାରେ ସାମିଲ ହୁଅନ୍ତି ଏବଂ ପରେ ଉପନିର୍ବାଚନ କିମ୍ବା ବିଧାନ ପରିଷଦକୁ ଆସି ମନ୍ତ୍ରୀପଦ ପାଆନ୍ତି। ହରିୟାଣା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଏହି ପ୍ରକରଣ ବା ଦଳଛାଡ଼ି ନୂଆ ଦଳ ଗଢ଼ିବା ଏବଂ ଗୋଟେ ସରକାରକୁ ଭାଙ୍ଗି ଆଉ ଏକ ବିକଳ୍ପ ସରକାର ଗଠନ କରିବା ବହୁବାର ଘଟିଛି। ଦଳବଦଳ ବିରୋଧୀ ଆଇନ ଅନୁସାରେ ଦୁଇ-ତୃତୀୟାଂଶରୁ ଅଧିକ ବିଧାୟକ ଦଳ କୌଣସି ଦଳଛାଡ଼ି ନୂଆ ଦଳ ଗଢ଼ିଲେ ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଏକଥା ଆମେ ଅଳ୍ପଦିନ ତଳେ ମହାରାଷ୍ଟ୍ରରେ ଦେଖିବାକୁ ପାଇଥିଲେ। ଗଣତନ୍ତ୍ରକୁ ଶୁଦ୍ଧ ଓ ନିର୍ମଳ କରିବାକୁ ଯେତେ ଆଇନ ପ୍ରଣୟନ ହେଉଛି, ନେତାମାନେ ସେଥିରେ ଥିବା ଗଳାବାଟର ସୁଯୋଗ ନେଇ ସେତେ ଦକ୍ଷତାର ସହିତ ନିଜର ରାଜନୀତିକ କାର୍ଡ ଖେଳୁଛନ୍ତି। ଏହା ଫଳରେ ଭାରତୀୟ ରାଜନୀତିରେ ଏକ ବିଚିତ୍ର ପ୍ରକାରର ଆୟାରାମ- ଗୟାରାମ ସଂସ୍କୃତିର ପ୍ରଚଳନ ହୋଇଛି।
ଆମ ଦେଶରେ ବହୁଦଳୀୟ ରାଜନୀତିକ ବ୍ୟବସ୍ଥା ରହିଛି। ଏହାଛଡ଼ା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାର ଅଧିକାର ପ୍ରାର୍ଥୀଙ୍କର ଅଛି। ବିଡ଼ମ୍ବନାର କଥା ଯେ ଯେହେତୁ ରାଜନୀତି ଏକ ବ୍ୟବସାୟ ବା ବୃତ୍ତିରେ ପରିଣତ ହୋଇଛି, ଏଥିରେ ପୁଞ୍ଜି ଖଟାଇଥିବା ବ୍ୟକ୍ତିବିଶେଷ, ବିଶେଷକରି ନେତାମାନେ ସର୍ବଦା ବିଜୟ ସମ୍ଭାବନା ଥିବା ଦଳ ସହିତ ଯୋଡ଼ି ହୋଇ ରହିବାକୁ ଚେଷ୍ଟା କରନ୍ତି। କଳାଟଙ୍କାର ଖେଳ ଓ ‘ଘୋଡ଼ା ବେପାର’ ଚାଲେ। ନିର୍ବାଚନରେ ଦଳୀୟ ଟିକଟ ପାଇଁ ମୂଲଚାଲ ହୁଏ ଏବଂ ଟିକଟ ଶେଷରେ ବିକ୍ରି ହୁଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୈବାତ ଦୁର୍ନୀତି ବା ଅନ୍ୟ କୌଣସି କାରଣରୁ ନେତାମାନେ ଯଦି ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହୁଅନ୍ତି, ସେ କ୍ଷେତ୍ରରେ ସେମାନେ ନିଜ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଅତିକମ୍ରେ ବିଜୟ ସମ୍ଭାବନା ଥିବା ଦଳର ଟିକଟ ଟିଏ ପାଇବା ନିଶ୍ଚିତ କରିବାକୁ ସବୁ ପ୍ରକାର ବିକଳ୍ପ ପ୍ରୟୋଗ କରିଥାନ୍ତି।
ରାଜନୀତିକ ଦଳମାନଙ୍କର ମଧ୍ୟ ଅନେକ ବାଧ୍ୟବାଧକତା ରହିଛି। ଭୋଟରଙ୍କ ସରକାରୀ ବିରୋଧୀ ମନୋଭାବ ପ୍ରସଙ୍ଗ ବା କ୍ଷମତାସୀନ ଦଳ ବିରୋଧରେ ଲୋକମତ ସୃଷ୍ଟି, ପ୍ରାର୍ଥୀଙ୍କ ଭାବମୂର୍ତ୍ତି, ଦକ୍ଷତା, ବୟସ ଓ ସାଂଗଠନିକ ଶକ୍ତି ଆଦିକୁ ବିଚାରକୁ ନେଇ ଦଳମାନେ ନୂଆ ପ୍ରାର୍ଥୀ ଦିଅନ୍ତି ଏବଂ କିଛି ମନ୍ତ୍ରୀ, ବିଧାୟକ, ପୂର୍ବତନ ମନ୍ତ୍ରୀ ମଧ୍ୟ ଏହି ପ୍ରକ୍ରିୟାରେ ଦଳୀୟ ଟିକଟରୁ ବଞ୍ଚିତ ହୁଅନ୍ତି। ଏହା ସବୁ ଶାସକ ଦଳର ଏକ ଷ୍ଟାଣ୍ଡାର୍ଡ ରଣନୀତି। ଏଠି ସମ୍ଭାବ୍ୟ ବିଜୟ (ଉଇନେବିଲଟି)କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ସେଭଳି ସ୍ଥିତିରେ ଶାସକଦଳର ଅନେକ ବିଧାୟକ ମନ୍ତ୍ରୀ ଟିକଟ ନ ପାଇ ବିଦ୍ରୋହ କରିଥାନ୍ତି ବା ଅନ୍ୟଦଳରେ ମିଶିଥାନ୍ତି।
ଏବେ କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଛି। କ୍ଷମତାକୁ ବଜାୟ ରଖିବା ସହିତ ଆଣ୍ଟି ଇନକମ୍ବାନ୍ସିକୁ ବିଫଳ କରିବାକୁ ଦଳ ପକ୍ଷରୁ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ବିଧାୟକଙ୍କୁ ନିର୍ବାଚନ ଟିକଟ ଦେଇନାହିଁ। ସେମାନଙ୍କ ମଧ୍ୟରେ କିଛି ଟାଣୁଆ ନେତା ମଧ୍ୟ ଅଛନ୍ତି। ବିଧାନସଭାର ମୋଟ ୨୨୪ ଆସନ ମଧ୍ୟରୁ ୨୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେପି କର୍ଣ୍ଣାଟକରେ ଏବେ ଏକ ବିଦ୍ରୋହର ସମ୍ମୁଖୀନ ହୋଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳିତ ନେତା ଲକ୍ଷ୍ମଣ ସାବଦିଙ୍କ ସମେତ କେତେଜଣ କଂଗ୍ରେସରେ ଯୋଗ ଦେଇଛନ୍ତି ଓ ସେମାନେ କଂଗ୍ରେସ ଟିକଟ ପାଇବା ନିଶ୍ଚିତ ହୋଇଛି। ଆଉ କେତେକ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ପ୍ରାୟ ୩୦ ଆସନରେ ବିଜେପି ଦଳୀୟ ବିଦ୍ରୋହର ସମ୍ମୁଖୀନ ହୋଇଛି ଏବଂ ଦଳ ସେଥିରୁ ୧୨ /୧୪ ଆସନରେ ହାରିଯାଇପାରେ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ତେଣୁ ଦଳର ହାଇକମାଣ୍ଡ ବାଧ୍ୟ ହୋଇ ବିଦ୍ରୋହୀଙ୍କ ସହିତ କଥାବାର୍ତ୍ତା କରି ସମାଧାନ ସୂତ୍ର ବାହାର କରୁଛନ୍ତି। ଟିକଟ ପାଇନଥିବା କେତେକ ନେତାଙ୍କ ପୁଅଝିଅଙ୍କୁ ଟିକଟ ଦେଇ ସେମାନଙ୍କୁ ସନ୍ତୁଷ୍ଟ କରାଯାଉଛି।
ସେପଟେ କର୍ଣ୍ଣାଟକରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ଥିବା କୁହାଯାଉଥିବାବେଳେ ବିଜେପିରୁ ଆସି ଦଳରେ ମିଶୁଥିବା ନେତାଙ୍କୁ ନେଇ ଦଳରେ ମଧ୍ୟ କନ୍ଦଳ ଆରମ୍ଭ ହୋଇଯାଇଛି। ଆମଦାନୀ ହେଉଥିବା ଏହି ନେତାଙ୍କୁ ଟିକଟ ନ ଦେବାକୁ ଦଳର ଆଶାୟୀ ନେତାମାନେ ଅଡ଼ି ବସିବା ସହ ବିଦ୍ରୋହର ଧମକ ଦେଇଛନ୍ତି। କିଛି ସୁବିଧାବାଦୀ ଟିକଟ ଆଶାୟୀ ନେତା ସବୁବେଳେ ସବୁଦଳ ପାଇଁ ବୋଝ ହୋଇଥାନ୍ତି। ସେମାନେ ଗୋଟିଏ ଦଳରୁ ଟିକଟ ପାଇବାରେ ବିଫଳ ହେଲେ ଅନ୍ୟଦଳରୁ ଟିକଟ ପାଇବାକୁ ସବୁ ବୁଦ୍ଧି ବିଦ୍ୟା ପ୍ରୟୋଗ କରିଥାନ୍ତି। ଧନ ବଳରେ ସେଥିରୁ ଅନେକ ଟିକଟ ପାଇଥାନ୍ତି ସତ, ନିଜର ଭାବମୂର୍ତ୍ତି ଓ ଯୋଗ୍ୟତା ଦୃଷ୍ଟିରୁ ଜିତିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। କେବଳ ପରିବର୍ତ୍ତନ ବା ଅନୁକୂଳ ହାୱା ଆଶାରେ ସେମାନେ ଗୋଟେ ଦଳଳ ସାହାଯ୍ୟ ନେଇ ଜିତିବାକୁ ଭରସା କରିଥାନ୍ତି। ଏହା ଫଳରେ ଭୋଟର ଦ୍ୱନ୍ଦ୍ୱରେ ପଡ଼ନ୍ତି। ଗୋଟିଏ ଦଳ ଦ୍ୱାରା ପ୍ରତ୍ୟାଖ୍ୟାତ ନେତା ଅନ୍ୟ ଦଳର ପ୍ରାର୍ଥୀ ହୋଇଗଲେ, ଏହାର ପ୍ରଭାବ ରାଜନୀତିକ ସମୀକରଣକୁ ଗୋଳମାଳିଆ କରିଦିଏ। ଏହା ଆମ ରାଜନୀତିର ଏକ ବଡ଼ ଦୁର୍ବଳତା। ଏଥିପାଇଁ କଡ଼ା ଆଇନ ନଥିବାରୁ ଏହା ରାଜନୀତିକୁ ଅଧିକ ପଙ୍କିଳ କରୁଛି। ଏହା ମଧ୍ୟ ରାଜନୀତିରେ ଅର୍ଥବଳ ଓ ବାହୁବଳର ଦୁରୁପଯୋଗକୁ ପ୍ରଶ୍ରୟ ଯୋଗାଉଛି। ଏହି ପ୍ରକ୍ରିୟାର ଗତିରୋଧ ଓ ପରିଷ୍କରଣର ଆବଶ୍ୟକତା ରହିଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାବେ ପ୍ରଶଂସା ସାଉଁଟୁଥିବା ଭାରତର ଚିନ୍ତାନାୟକମାନେ ଏ ବିଷୟରେ କିଛି ସଂସ୍କାର ପଦକ୍ଷେପ ନେବାପାଇଁ ଉପଯୁକ୍ତ ସମୟ ଆସିଛି। ନ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ସରକାର ଗଠନର ଅସ୍ଥିରତା, ସର୍ବକାଳୀନ ନିର୍ବାଚନର ସମ୍ଭାବନା, ଧନ ଓ ବାହୁବଳର କୁପ୍ରଭାବ ନିର୍ବାଚନୀ ରାଜନୀତିକୁ କଳୁଷିତ କରିବା ତଥା ସର୍ବୋପରି ସାର୍ବଭୌମ ମତଦାତା ନାଗରିକମାନଙ୍କୁ ଅସମ୍ମାନ ଦେଶ ଭିତରେ ଓ ଦେଶ ବାହାରେ ଆମ ସ୍ୱପ୍ନର ଭାରତକୁ ଚୂରମାର କରିବାକୁ ବେଶୀ ସମୟ ଲାଗିବନି।