ବହୁ ଆଶା ଓ ସମ୍ଭାବନାର ପ୍ରତିଶ୍ରୁତି ବହନ କରି ରାଜଧାନୀ ସହର ଦିଲ୍ଲୀକୁ କେନ୍ଦ୍ରଶାସିତ ଅଞ୍ଚଳରୁ ରାଜ୍ୟପାହ୍ୟାକୁ ଉନ୍ନୀତ କରାଯାଇଥିଲା। ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ ଯେଉଁ ଆଖିଝଲସା ଚିତ୍ରପଟ ଏବେ ମଧ୍ୟ ଜନମାନସରେ ରହିଛି, ତାହାକୁ କେହି ଅତିକ୍ରମ କରିପାରିନାହାନ୍ତି। ଆନ୍ନା ହଜାରେଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଅନ୍ୟତମ ଅଗ୍ରଣୀ ସାରଥି ରୂପେ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୀତିରେ ଅଭ୍ୟୁଦୟ ଘଟିଲା। ସେହି ଗୋଟିଏ ବିଚାର ଓ ରାଜନୀତିର ପୃଷ୍ଠଭାଗରେ ଥିଲେ ନରେନ୍ଦ୍ର ମୋଦୀ ଓ କେଜ୍ରିୱାଲ। ୨୦୧୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ ପ୍ରଦାର୍ପଣ କରି ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଓ କେଜ୍ରିୱାଲ ବର୍ଷକପୂବରୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇ ସଂଖ୍ୟାଗରିଷ୍ଠତା ହାସଲ ନ କଲେ ମଧ୍ୟ ସୀମିତ ସମୟ ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। କ୍ରମାଗତ ଦୁଇଟି ନିର୍ବାଚନରେ ସେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ମୋଦୀଙ୍କ ନାକ ତଳେ କ୍ଷମତା ଜାହିର କଲେ। କ୍ଷମତାର ମହତାକାଂକ୍ଷା ଓ ଜାତୀୟ ନେତୃତ୍ୱ ପ୍ରତି ଆହ୍ୱାନ ସୃଷ୍ଟି କରି କେଜ୍ରିୱାଲ ନିଜ ଗୋଡ଼ରେ କେବଳ କୁରାଢ଼ି ମାରିନାହାନ୍ତି, ଦିଲ୍ଲୀର ବିକାଶ ପ୍ରକ୍ରିୟାରେ ବାଧକ ହୋଇଛନ୍ତି। ଅସଲ କ୍ଷମତାର ଚାବିକାଠି ଦିଲ୍ଲୀ ଉପରାଜ୍ୟପାଳ (ଏଲଜି)ଙ୍କ ହାତରେ ରହିଥିବା ବେଳେ ନିର୍ବାଚିତ ରାଜ୍ୟ ସରକାର ତାଙ୍କ ବିନା ଅନୁମତିରେ କୌଣସି ନିଷ୍ପତ୍ତି ନେବାକୁ ଅସମର୍ଥ ହୋଇପଡ଼ିଛି। ଏସବୁ ସତ୍ତ୍ବେ କ୍ଷମତା ହାସଲ ସକାଶେ ଚଳିତ ନିର୍ବାଚନରେ ଆପ୍ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ଯେକୌଣସି ପ୍ରକାରେ କେଜ୍ରିୱାଲଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଜେପି ସମସ୍ତ କଳ ବଳ ଓ କୌଶଳ ପ୍ରୟୋଗ କରୁଛି।
ଦୀର୍ଘ ୨୭ ବର୍ଷ ଧରି ଦିଲ୍ଲୀ ବିଧାନସଭା କ୍ଷମତା ରାଜନୀତିକୁ ବିଜେପି ଫେରି ନ ପାରିବାର କ୍ଷୋଭ ଓ ଅନୁଶୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନିଜେ ମୋଦୀ ହିଁ ପ୍ରଚାରର ନେତୃତ୍ୱ ନେଇଛନ୍ତି। କ୍ରମାଗତ ଭାବେ ତୃତୀୟଥର ସକାଶେ ଦିଲ୍ଲୀର ୭ଟି ଲୋକସଭା ଆସନରୁ ବିଜେପି ବିଜୟୀ ହେଉଥିଲେ ହେଁ ବିଧାନସଭା ନିର୍ବାଚନରେ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି? ଏହା ସ୍ପଷ୍ଟ ଯେ କେଜ୍ରିୱାଲଙ୍କ ବଳିଷ୍ଠ ନେତୃତ୍ୱ ଓ ବ୍ୟକ୍ତିତ୍ୱର ସମକକ୍ଷ ନେତା ଉଭୟ ବିଜେପି ଓ କଂଗ୍ରେସରେ ନାହାନ୍ତି। ତେଣୁ ବିଜେପି ପକ୍ଷରୁ ନେତୃତ୍ୱର ମଙ୍ଗ ଧରିଛନ୍ତି ମୋଦୀ ନିଜେ। ଦଳ ଜିତିଗଲେ ସେ ତ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, ତେବେ ଆଉ ଯିଏ ହେବ ତାଙ୍କ ଅପେକ୍ଷା କେଜ୍ରିୱାଲ ଭଲ। ଏଭଳି ଏକ ମାନସିକତା ମଧ୍ୟରେ ଦିଲ୍ଲୀବାସୀ ଆଉ ତିନିସପ୍ତାହ ପରେ ମତଦାନ କରିବେ। ମଦ ଦୁର୍ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ବାସଗୃହ ପ୍ରସଙ୍ଗ କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ସେ ସାଧାରଣରେ ଆଜି ଯାଏଁ ନିଜକୁ ଯାହା ପ୍ରଦର୍ଶନ କରିଆସିଛନ୍ତି, ସତରେ ସେ କ’ଣ ତାହା? ଏଭଳି ଏକାଧିକ ପ୍ରଶ୍ନ ଦିଲ୍ଲୀ ଭୋଟରଙ୍କ ମନରେ ଉଙ୍କି ମାରୁଛି। ଶକ୍ତି, ସାମର୍ଥ୍ୟ ଓ ସମ୍ବଳ ଦୃଷ୍ଟିରୁ ବିଜେପି ଯଥେଷ୍ଟ ଆଗରେ ଥିବା ବେଳେ କ୍ଷମତା ବିରୋଧରେ ମୁଣ୍ଡ ଟେକୁଥିବା ଅସନ୍ତୋଷକୁ ପୁଞ୍ଜି କରି ନୂଆ ରଣକୌଶଳରେ ଦଳର ସମ୍ମିଳିତ ନେତୃତ୍ୱ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ରାଜଧାନୀର ରାଜରାସ୍ତା, ସ୍ୱରେଜ, ହସ୍ପିଟାଲ, ପାର୍କ ଓ ଖେଳପଡ଼ିଆରେ ପରିଲକ୍ଷିତ ଅବନତି, ଭୟଙ୍କର ଭାବେ ପ୍ରଦୂଷିତ ଯମୁନା ଜଳ ସର୍ବୋପରି ବିଷାକ୍ତ ଜଳବାୟୁ ଶ୍ୱାସରୁଦ୍ଧ ଦିଲ୍ଲୀବାସୀଙ୍କୁ ଯେ ଅତିଷ୍ଠ କରିଛି, ତାହା ଯେକେହି ସ୍ୱୀକାର କରିବ। ଏସବୁ ସତ୍ତ୍ବେ ଜଳ ଓ ବିଦ୍ୟୁତ ଶୁଳ୍କରେ ରିହାତି, ସରକାରୀ ବିଦ୍ୟାଳୟର ଉନ୍ନତି ଓ ମହଲ୍ଲା କ୍ଲିନିକ୍ରେ ଉପକୃତ ହେଉଥିବା ନିମ୍ନ ମଧ୍ୟବିତ୍ତ ଓ ଗରିବ ମତଦାତାଙ୍କୁ ପ୍ରଭାବିତ କରିବା ନିଶ୍ଚୟ କଷ୍ଟକର ହେବ ବିଜେପିକୁ। ଏହି ଦିଲ୍ଲୀ ମଡେଲ ଦେଶର ଅନ୍ୟରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି। ଆପ୍ ପଞ୍ଜାବରେ ଏହାକୁ ପ୍ରଦର୍ଶନ କରି କ୍ଷମତାସୀନ ହୋଇଥିବା ବେଳେ ଗୁଜରାଟ ଓ ହରିଆଣାରେ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ଅଣ୍ଟାଭିଡ଼ିଛି।
ଏଠାରେ ପ୍ରଶ୍ନ ଉଠୁଛିଯେ ସତରେ କେଜ୍ରିୱାଲ ମୋଦୀଙ୍କ ପାଇଁ ବିପଦ କି? ତେବେ କାହିଁକି ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇନଥିବା ଦିଲ୍ଲୀ ବିଧାନସଭାରେ ନିର୍ବାଚନକୁ ମୋଦୀ ଏତେ ଗୁରୁତ୍ୱ ଦେଉଛନ୍ତି? ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ତିନିଜଣ ମନ୍ତ୍ରୀଙ୍କୁ ଦୀର୍ଘଦିନ ଧରି ଜେଲ୍ରେ ଅଟକ ରଖି ସାଧାରଣରେ ନିନ୍ଦିତ କରିବା ଏବଂ ଆଇନରେ ଆବଶ୍ୟକ ସଂଶୋଧନ ଆଣି ସରକାରଙ୍କ କ୍ଷମତା ସଂକୋଚନ ଭଳି କଠୋର ଆଭିମୁଖ୍ୟ ଗ୍ରହଣ ସତ୍ତ୍ବେ ଚଳିତ ନିର୍ବାଚନ ରାଜନୀତିର ଗଣିତ ଏବେ ବି ଅସ୍ପଷ୍ଟ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ପ୍ରତି ଏବେ ମଧ୍ୟ ୬୦ ପ୍ରତିଶତ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଛି। ସେହି ତୁଳନାରେ କେଜ୍ରିୱାଲଙ୍କ ପ୍ରତି ସମର୍ଥନ ଦୁଇଅଙ୍କରେ ସୀମିତ। ତେବେ ଦିଲ୍ଲୀ କ୍ଷମତା କେନ୍ଦ୍ର ପାଇଁ ବିଧାନସଭାର ନିରଙ୍କୁଶ କ୍ଷମତା ଯେ ଅନ୍ୟ କୌଣସି ଦଳ ହାତରେ ରହୁ, ଏହା ନିଶ୍ଚୟ ଅସହ୍ୟ ହେବ। ବରଂ ଏହା କ୍ଷମତା କେନ୍ଦ୍ରର ଅପାରଗତାକୁ ପ୍ରଦର୍ଶନ କରୁଛି ବୋଲି କୁହାଯାଇପାରେ। ପ୍ରଚଳିତ ବ୍ୟବସ୍ଥାରେ କ୍ଷମତା ରାଜନୀତିର ଗତି ଓ ପ୍ରକୃତି ଯାହା, ଁ ସେଥିରେ ଥରେ କେଜ୍ରିୱାଲଙ୍କୁ ପରାଜିତ କଲେ ତାଙ୍କର କ୍ଷମତାକୁ ଫେରିବାର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଯିବ। ଯେତେଦୂର ମନେ ହୁଏ ମୋଦୀଙ୍କ ନେତୃତ୍ୱରେ ବିଜେପି ଏକ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ଦଳରୁ ବିଜେପିକୁ ଆସିଥିବା ସମସ୍ତ ନେତାଙ୍କୁ ଓ କିଛି ପ୍ରଭାବୀ ସାଂସଦଙ୍କୁ ପ୍ରାର୍ଥୀ ତାଲିକାରେ ଦଳ ସ୍ଥାନ ଦେଇଛି। କିନ୍ତୁ ଏକଥା ସତ ଯେ ଦଳରେ କେଜ୍ରିୱାଲଙ୍କ ସମକକ୍ଷ ନେତାର ଅଭାବ ରହିଛି।
ଏଠାରେ ଲକ୍ଷ୍ୟ କରିବାର କଥା ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ବିରୋଧୀ ‘ଇଣ୍ଡି’ ମେଣ୍ଟରେ ଥିବା ବିଭେଦ ଓ ଫାଟକୁ ପଦାରେ ପକାଇଦେଇଛି। ଆପ୍ ବିରୋଧରେ କଂଗ୍ରେସ ନେତା ସଂଗଠିତ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ କେଜ୍ରିୱାଲଙ୍କୁ ଖୋଲାଖୋଲି ସମର୍ଥନ ଦେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ମେଣ୍ଟ ରାଜନୀତିରେ ଏହି ଦୁର୍ଭାଗ୍ୟଜନକ ପ୍ରତିଫଳନ ଜାତୀୟ ସ୍ତରରେ ସୃଷ୍ଟି ହୋଇଥିବା ଆସ୍ଥା ଓ ବିଶ୍ୱାସ ପ୍ରତି ନିଶ୍ଚୟ କୁଠାରଘାତ। ଯେତେଦୂର ମନେହୁଏ, କଂଗ୍ରେସ ପ୍ରତି ସହଯୋଗୀ ଆଞ୍ଚଳିକ ଦଳର ଆସ୍ଥା ଓ ବିଶ୍ୱାସ ତୁଟିବା ଆରମ୍ଭ କରିଛି। ‘ଇଣ୍ଡି’ ମେଣ୍ଟ କେବଳ ଲୋକସଭା ନିର୍ବାଚନକୁ ଆଖିରେ ରଖି ଗଠନ କରାଯାଇଥିବା ଉଲ୍ଲେଖ କରି କିଛି ସହଯୋଗୀଙ୍କ ତାଳିପକା ଉଦ୍ୟମରୁ ସେଭଳି କିଛି ସୁଫଳ ମିଳିବାର ଆଶା କମ୍। ବରଂ ବିଜେପି ବିରୋଧୀଙ୍କୁ ମୁକାବିଲା କରିବା ବିଜେପିକୁ ଆଗାମୀ ଦିନରେ ଅଧିକ ସହଜ ହେବ। ଏକଥା ସତ ଯେ ନିର୍ବାଚନରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବ। ଦଳର ଭୋଟହାର ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ତେବେ କଂଗ୍ରେସ କେଉଁ ଦଳର ଭୋଟ କାଟିବ, ତାହାନେଇ ବିଶେଷଜ୍ଞ ମହଲ ନିରୁତ୍ତର। ଏଠାରେ ଏତିକି କୁହାଯାଇପାରେ କି ଆପ୍ ଓ ବିଜେପି ମଧ୍ୟରୁ ଯେଉଁ ଦଳର ଭୋଟ୍ କଂଗ୍ରେସ କାଟିବ ସେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ଶାସନ କ୍ଷମତାରେ କେଜ୍ରିୱାଲ୍ ରହିବେ କି ଯିବେ ତାହା ଭିନ୍ନ କଥା, କିନ୍ତୁ ବିରୋଧୀ ମେଣ୍ଟରେ ବିଭାଜନ ଯେ ଦଳ ପାଇଁ ନିଶ୍ଚୟ ଏକ ସ୍ୱତନ୍ତ୍ର ଅନୁଭବ ହେବ ଏହା ସ୍ୱୀକାର୍ଯ୍ୟ।