ରାଜ୍ୟରେ ଉତ୍କଟ ହେଉଛି ଜଙ୍ଗଲ ନିଆଁ; ପ୍ରତିରୋଧ ସମ୍ଭବ !

ସମଗ୍ର ଓଡ଼ିଶାରେ ବନାଗ୍ନି ଅଣାୟତ୍ତ ହୋଇପଡ଼ିଛି। ଆମର ଗର୍ବ ଓ ଗୌରବର ସଂରକ୍ଷିତ ଜଙ୍ଗଲ ଶିମିଳିପାଳଠାରୁ ଆରମ୍ଭ କରି କୁଲିଡିହା ଓ ଅନ୍ୟାନ୍ୟ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ବନଖଣ୍ଡରେ ନିଆଁ ଜଳୁଛି। ରାଜଧାନୀ ଉପଖଣ୍ଡ ଶିଖରଚଣ୍ଡୀ ପାହାଡ଼ରେ ଅଗ୍ନି ବିତ୍ପାତ ଯୋଗୁଁ ଆଖପାଖ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। ସପ୍ତାହକ ତଳେ ଓଡ଼ିଶା ବନାଗ୍ନିରେ ଜାତୀୟସ୍ତରରେ ତଳେ ଥିଲା ଏବଂ ଆନ୍ଧ୍ରପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଥିଲା। ହଠାତ୍‌‌ କ’ଣ ହେଲା କେଜାଣି ଏବେ ଓଡ଼ିଶା ବନାଗ୍ନିରେ […]

ସମଗ୍ର ଓଡ଼ିଶାରେ ବନାଗ୍ନି ଅଣାୟତ୍ତ ହୋଇପଡ଼ିଛି। ଆମର ଗର୍ବ ଓ ଗୌରବର ସଂରକ୍ଷିତ ଜଙ୍ଗଲ ଶିମିଳିପାଳଠାରୁ ଆରମ୍ଭ କରି କୁଲିଡିହା ଓ ଅନ୍ୟାନ୍ୟ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ବନଖଣ୍ଡରେ ନିଆଁ ଜଳୁଛି। ରାଜଧାନୀ ଉପଖଣ୍ଡ ଶିଖରଚଣ୍ଡୀ ପାହାଡ଼ରେ ଅଗ୍ନି ବିତ୍ପାତ ଯୋଗୁଁ ଆଖପାଖ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। ସପ୍ତାହକ ତଳେ ଓଡ଼ିଶା ବନାଗ୍ନିରେ ଜାତୀୟସ୍ତରରେ ତଳେ ଥିଲା ଏବଂ ଆନ୍ଧ୍ରପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଥିଲା। ହଠାତ୍‌‌ କ’ଣ ହେଲା କେଜାଣି ଏବେ ଓଡ଼ିଶା ବନାଗ୍ନିରେ ଜାତୀୟସ୍ତରରେ ଏକ ସପ୍ତାହ ଧରି ପ୍ରଧମ ସ୍ଥାନରେ ରହିଛି। ଏବେ ଓଡ଼ିଶାର ୧୪୩ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଉପଗ୍ରହ ଚିତ୍ରରୁ ସୂଚନା ମିଳିଛି। ପ୍ରଶ୍ନ ଉଠୁଛି ଯେ ୧୧୨ଟି ସ୍ଥାନରେ ଲାଗିଥିବା ଜଙ୍ଗଲ ନିଆଁକୁ ଆନ୍ଧ୍ର ନିୟନ୍ତ୍ରଣ କରି ଜାତୀୟ ତାଲିକାରେ ସପ୍ତମ ସ୍ଥାନକୁ ଖସିଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ବିଫଳ ହୋଇ ପ୍ରଥମ ହେବାର ଅଲୋଡ଼ା ରେକର୍ଡ କରିବା ନିଶ୍ଚିତ ଉଦ୍‌‌ବେଗଜନକ। ଆମ ଜଙ୍ଗଲ ବିଭାଗର ପାରିବାର ପଣିଆ ଓ ନିଷ୍ଠା ପ୍ରତି ଏ ପରିସ୍ଥିତିରେ ଅଙ୍ଗୁଳି ଉଠିବା ସ୍ୱାଭାବିକ। ଓଡ଼ିଶାରେ ଚଳିତ ବର୍ଷ ଏ ଯାଏଁ ୬୩୦ ବନାଗ୍ନିର ଖବର ମିଳିଛି।

ଜଙ୍ଗଲରେ ନିଆଁ ଲାଗେ ଏବଂ ତାହାକୁ ଆୟତ୍ତ କରିବାକୁ ପଡ଼େ। ଏଥିରେ ପ୍ରାକୃତିକ କାରଣ ଅପେକ୍ଷା ମନୁଷ୍ୟକୃତ ଅଗ୍ନିକାଣ୍ଡ ଘଟଣା ଅଧିକ ଥାଏ। ତେବେ ଅଗ୍ନି ନିର୍ବାପନ ଓ ଜଙ୍ଗଲ ସୁରକ୍ଷା ଏକ ବିଭାଗୀୟ କାର୍ଯ୍ୟ। ଏଥିରେ ତ୍ରୁଟି ବା ଉଦାସୀନତା ରହିଲେ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ବିଶେଷ ଭାବେ ପ୍ରଭାବିତ ହୋଇଥା’ନ୍ତି। ଏହା ସତ ଯେ ଏ ବର୍ଷ ବିଗତ ୬ ମାସ ଧରି ବର୍ଷା ହୋଇନଥିବାରୁ ଜଙ୍ଗଲ ନିଆଁର ପ୍ରକୋପ ବୃଦ୍ଧି ପାଇଛି। ତେବେ ଏହାର ଅର୍ଥ ନୁହେଁ ଯେ ନିଆଁକୁ ଆୟତ୍ତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଇ ପ୍ରକୃତିକୁ ଦୋଷ ଦେଇ ଆମେ ବସିଯିବା। ମନୁଷ୍ୟକୃତ ନିଆଁକୁ ଆୟତ୍ତ କରିବାକୁ ହେଲେ ପୁଲିସ୍‌‌ ଓ ପ୍ରଶାସନକୁ ସତର୍କ ରହିବାକୁ ପଡ଼ିବ ଏବଂ ଜଙ୍ଗଲ ବିଭାଗକୁ ଲୋକଙ୍କ ସହଯୋଗରେ ଏ କ୍ଷେତ୍ରରେ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରିବାକୁ ପଡ଼ିବ। ସମାଜବିରୋଧୀ, ଜଙ୍ଗଲ ମାଫିଆ, କାଠଚୋର ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ସଚେତନତା ବାର୍ତ୍ତା କୌଣସି ପ୍ରଭାବ ପଡ଼େ ନାହିଁ। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲୋଡ଼ା।

ଜଙ୍ଗଲ ନିଆଁକୁ ରୋକିବାକୁ ଜାତୀୟସ୍ତରରେ ନୂଆ ଜ୍ଞାନକୌଶଳର ଉପଯୋଗ ଆରମ୍ଭ ହେଲାଣି। ଏବେ ଗୋଆରେ ଦେଖାଦେଇଥିବା ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଡ୍ରୋନ ଓ ହେଲିକେପ୍ଟର ବ୍ୟବହାର କରାଯାଇଥିଲା। ଆକାଶମାର୍ଗରୁ ପାଣି ଏବଂ ନିଆଁ ଲିଭା ଗ୍ୟାସ ପ୍ରୟୋଗ କରାଯିବା ଫଳରେ ବନାଗ୍ନି ଥମିଛି। ଓଡ଼ିଶାର ଯେଉଁ ଅଗମ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ବନାଗ୍ନି ଦେଖାଦେଇଛି, ସେଠାରେ ଆକାଶମାର୍ଗରୁ ଏହାକୁ ଆୟତ୍ତ କରିବାର କୌଶଳ ଅବଲମ୍ବନ କରାଯିବା ଉଚିତ। ଆହୁରି ମଧ୍ୟ ବନାଗ୍ନି ନିୟନ୍ତ୍ରଣରେ ଗୋଟିଏ ରାଜ୍ୟର ଶ୍ରେଷ୍ଠ ସଫଳ ନୀତି ଓ କାର୍ଯ୍ୟାନୁଷ୍ଠାନକୁ ଅନ୍ୟ ରାଜ୍ୟରେ ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି।

ବନ ବିଭାଗର ସଚେତନତା ଅଭିଯାନ ଓ କାର୍ଯ୍ୟରୁ ମନେ ହେଉଛି ଏହା ପାଖରେ ଅର୍ଥର ଅଭାବ ନାହିଁ। ଲାଗିଥିବା ନିଆଁକୁ ପ୍ରଥମେ ଆୟତ୍ତ ନ କରି ଗାଁ ଗାଁରେ ଦାସକାଠିଆ ଓ ପାଲା ଆଦି ମାଧ୍ୟମରେ ବନାଗ୍ନି ବିରୋଧୀ ସଚେତନତା ସୃଷ୍ଟି କଲେ ବିଶେଷକିଛି ଲାଭ ମିଳିବ ନାହିଁ। ବିଗତ କେତେ ବର୍ଷ ଧରି ଓଡ଼ିଶାର ଜଙ୍ଗଲ ସମ୍ପଦ ବଢ଼଼ିବାରେ ଲାଗିଥିଲା। ବଣ ଜଙ୍ଗଲର ସ୍ୱାସ୍ଥ୍ୟ ଭଲ ରହିଲେ ଏହା ବନ୍ୟପ୍ରାଣୀ, ଜୀବମଣ୍ଡଳ ଓ ପରିବେଶ ଉପରେ ଉତ୍ତମ ପ୍ରଭାବ ପକାଏ। ଓଡ଼ିଶାରେ ଆଗଭଳି ଆଉ ପୋଡୁଚାଷ ନାହିଁ। ତେଣୁ ଜଙ୍ଗଲ ସମ୍ପଦ ଏହି ମନୁଷ୍ୟକୃତ ଅଗ୍ନିକାଣ୍ଡରୁ ଅନେକାଂଶରେ ସୁରକ୍ଷିତ ହୋଇଛି। ଆମର ସନ୍ଦେହ ହେଉଛି ଯେ ହେକ୍ଟର ବା କ୍ଷେତ୍ରୱାରୀ ସମନ୍ୱୟ ଓ ଲୋକବଳର ଅଭାବରୁ ଜଙ୍ଗଲ ନିଆଁ ବ୍ୟାପୁଛି ଏବଂ ଦୁର୍ବଳ ବନ ପରିଚାଳନା ସ୍ଥିତିର ଫାଇଦା ନେଇ କାଠଚୋର ଓ କାଠମାଫିଆ ଏହି ସଂଘଟିତ ଅଗ୍ନିକାଣ୍ଡ ଭିଆଉଛନ୍ତି। ସ୍ଥାନୀୟ ଆଦିବାସୀ ଓ ଜନତାଙ୍କୁ ଜଙ୍ଗଲ ସୁରକ୍ଷା ତଥା ବନାଗ୍ନି ନିୟନ୍ତ୍ରଣରେ ଅଗ୍ରାଧିକାର ଦିଆଯାଉ। ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସୁସଂହତ କରାଯାଉ। ତେବେ ଯାଇ ଏ କାମରେ ସଫଳତା ମିଳିବ। ଗୋଆ ଯଦି ପାରିଲା, ଆମେ କାହିଁକି ପାରିବା ନାହିଁ?

About The Author: The Sakala