ଓଡ଼ିଶାରେ ‘ଶ୍ରୀଅନ୍ନ’ର ନବଦିଗନ୍ତ

ମାଣ୍ଡିଆ, ସୁଆଁ, ଜୱାର ଓ ବାଜରା ଆଦି ମିଲେଟ୍‌‌ ଜାତୀୟ ଫସଲ ଓଡ଼ିଶାର ପାରମ୍ପରିକ ଚାଷବାସ ସହିତ ବହୁକାଳରୁ ସମ୍ପୃକ୍ତ। କମ୍‌‌ ପାଣିରେ, ଅନୁର୍ବର ମାଟିରେ ଏବଂ ଅଳ୍ପ ପରିଶ୍ରମରେ ଏହି ସବୁ ମୋଟାଶସ୍ୟ ଉତ୍ପାଦିତ ହୋଇଥାଏ। ରୋଗ ପୋକ ଓ ମରୁଡ଼ି ସହିବାର ଶକ୍ତି ଏସବୁ ଫସଲର ଅଧିକ। ପୁଷ୍ଟିତତ୍ତ୍ୱ ଦୃଷ୍ଟିରୁ ଏହା ମଧ୍ୟ ବେଶ୍‌‌ ସ୍ୱାସ୍ଥ୍ୟ ଉପଯୋଗୀ। ତେଣୁ ଏହା ଗରିବଙ୍କ ଅନ୍ନ ନାମରେ ପରିଚିତ। ସରକାର ଏହାକୁ ଶ୍ରୀଅନ୍ନ ନାମରେ ପରିଚିତ କରିବାର […]

ମାଣ୍ଡିଆ, ସୁଆଁ, ଜୱାର ଓ ବାଜରା ଆଦି ମିଲେଟ୍‌‌ ଜାତୀୟ ଫସଲ ଓଡ଼ିଶାର ପାରମ୍ପରିକ ଚାଷବାସ ସହିତ ବହୁକାଳରୁ ସମ୍ପୃକ୍ତ। କମ୍‌‌ ପାଣିରେ, ଅନୁର୍ବର ମାଟିରେ ଏବଂ ଅଳ୍ପ ପରିଶ୍ରମରେ ଏହି ସବୁ ମୋଟାଶସ୍ୟ ଉତ୍ପାଦିତ ହୋଇଥାଏ। ରୋଗ ପୋକ ଓ ମରୁଡ଼ି ସହିବାର ଶକ୍ତି ଏସବୁ ଫସଲର ଅଧିକ। ପୁଷ୍ଟିତତ୍ତ୍ୱ ଦୃଷ୍ଟିରୁ ଏହା ମଧ୍ୟ ବେଶ୍‌‌ ସ୍ୱାସ୍ଥ୍ୟ ଉପଯୋଗୀ। ତେଣୁ ଏହା ଗରିବଙ୍କ ଅନ୍ନ ନାମରେ ପରିଚିତ। ସରକାର ଏହାକୁ ଶ୍ରୀଅନ୍ନ ନାମରେ ପରିଚିତ କରିବାର ବହୁ ପୂର୍ବରୁ ମିଲେଟ୍‌‌ ଆମର ଖାଦ୍ୟାଭ୍ୟାସ ଓ ଚାଷବାସର ଏକ ପ୍ରମୁଖ ଅଙ୍ଗ ହୋଇ ରହିଛି। ଓଡ଼ିଶାର ମାଳାଞ୍ଚଳ ବିଶେଷ କରି ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲାରେ ଏହା ବହୁଳ ଭାବେ ଉତ୍ପାଦିତ ହୋଇଥାଏ।

ଶ୍ରୀଅନ୍ନକୁ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ୨୦୧୭ରେ ରାଜ୍ୟରେ ମିଲେଟ୍‌‌ ମିଶନ ଆରମ୍ଭ କରିଥିଲେ। ଏହାର ଲକ୍ଷ୍ୟ ଥିଲା ପାଞ୍ଚବର୍ଷ ପାଇଁ ଉଭୟ କ୍ଷେତ ଓ ଖାଦ୍ୟ ଥାଳିରେ ଶ୍ରୀଅନ୍ନର ବ୍ୟାପକ ବିସ୍ତାର କରିବା। ଏହି ଅଭିଯାନକୁ ରାଜ୍ୟ ସରକାର ଗତବର୍ଷ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଓଡ଼ିଶାର ୬୨ ଆଦିବାସୀ ସମ୍ପ୍ରଦାୟ ସ୍ଥାନୀୟ ଭାବେ ଉତ୍ପାଦିତ ବିଭିନ୍ନ କିସମର ଶ୍ରୀଅନ୍ନର ବିହନ ସଂରକ୍ଷଣ କରିବାର ପ୍ରାଚୀନ ପରମ୍ପରା ରକ୍ଷା କରି ଆସୁଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ଆମ ଆଦିବାସୀ ସମୁଦାୟ ବିଭିନ୍ନ ପ୍ରକାର ସ୍ଥାନୀୟ ଶ୍ରୀଅନ୍ନର ରକ୍ଷାକର୍ତ୍ତା। କେଉଁ ଅନାଦି କାଳରୁ ସେମାନେ ପରାମ୍ପରାକ୍ରମେ ଏହି କାର୍ଯ୍ୟଟିକୁ ଅବ୍ୟାହତ ରଖିଛନ୍ତି। ବଡ଼କଥା ହେଉଛି, ବିଭିନ୍ନ ଅଞ୍ଚଳର ସ୍ଥାନୀୟ ମିଲେଟ୍ସ ବା ଶ୍ରୀଅନ୍ନର ବିଶେଷତ୍ୱ ଭିନ୍ନ ଭିନ୍ନ। ସେଥିରୁ କିଏ ଅଧିକ ମରୁଡ଼ି ସହିପାରେ ତ କିଏ ରୋଗପୋକ ମୁକାବିଲା କରିବାରେ ଅଧିକ ସମର୍ଥ। ସରଳ ଭାଷାରେ କହିଲେ ଏହି ସବୁ ସ୍ଥାନୀୟ ପ୍ରଜାତିର ଶ୍ରୀଅନ୍ନ ଜୈବିକ ଚାଷ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହେଉଛି। ଏସବୁର ଚାହିଦା ବଢ଼଼ୁଥିବା ବେଳେ ଏହାର ବିହନ ପର୍ଯ୍ୟାପ୍ତ ଭାବେ ଓ ସହଜରେ ଚାଷୀଙ୍କୁ ମିଳୁନାହିଁ। ଆହୁରି ମଧ୍ୟ ବିଜ୍ଞାନ ଭିତ୍ତିକ ନିର୍ଦ୍ଧାରିତ ଫସଲ ଚାଷ ପଦ୍ଧତି ଅଭାବରୁ ରାଜ୍ୟ ସରକାର ମଧ୍ୟ ଏହି ସ୍ଥାନୀୟ ପ୍ରଜାତିର ବିହନ ସଂରକ୍ଷିତ କରି ରଖିଥିବା ଆଦିବାସୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦେଇପାରୁ ନାହାନ୍ତି। ଏହା ଫଳରେ ଜୈବବିବିଧତାର ବିଲୋପ ସହିତ ଆଦିବାସୀ ସମୁଦାୟଙ୍କ କୃଷି ଭିତ୍ତିକ ଐତିହ୍ୟ ମଧ୍ୟ ବିପଦାପନ୍ନ ହେଉଛି।

ସୁଖର କଥା, ପ୍ରଥମ ଥର ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହି ପାରମ୍ପରିକ ସ୍ଥାନୀୟ ଶ୍ରୀଅନ୍ନ ବିହନର ଚିହ୍ନଟ, ମାନ୍ୟତା ପ୍ରଦାନ, ବିକାଶ, ପ୍ରସାର ଓ ସୁରକ୍ଷା ପାଇଁ ଏକ ଧାର୍ଯ୍ୟ କୃଷି ପରିଚାଳନା (ଷ୍ଟାଣ୍ଡାର୍ଡ ଅପରେସନ) ପ୍ରକ୍ରିୟା ଦେଶରେ ପ୍ରଥମ କରି ବିକଶିତ କରିଛି। ଏହା ଓଡ଼ିଶା ମିଲେଟ୍‌‌ ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଛି। ଏହି ବ୍ୟବସ୍ଥା ବିକଶିତ କରିବାରେ ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍‌‌, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶେଷଜ୍ଞ, ସମ୍ପୃକ୍ତ ଆଦିବାସୀ ଚାଷୀ ଏବଂ କେତେକ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତା ଓ ପରାମର୍ଶ ନିଆଯାଇଛି। ଆହୁରି ମଧ୍ୟ ଏହି ଶ୍ରୀଅନ୍ନର ବିକାଶ ପାଇଁ ଏହାର ଉତ୍ପାଦକତା, ସ୍ୱାଦ, ଜଳବାୟୁ ଅନୁକୂଳତା, ରୋଗପୋକ ସହିବା ଶକ୍ତି ଏବଂ ସାଂସ୍କୃତିକ ଗୁରୁତ୍ୱକୁ ବିଜ୍ଞାନ ଭିତ୍ତିକ ମାନକ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି। ଏହି ପ୍ରକ୍ରିୟାରେ ରାଜ୍ୟରେ ୧୬୩ ପ୍ରକାର ସ୍ଥାନୀୟ ଶ୍ରୀଅନ୍ନକୁ ଚିହ୍ନଟ କରାଯାଇଛି, ସେଥି ମଧ୍ୟରୁ ୧୪ଟିର ସାମର୍ଥ୍ୟ ବେଶ୍‌‌ ଭଲ। ସେଥିରୁ ଚାରିଟି ବିହନ ପ୍ରଜାତି ଯଥା କୁନ୍ଦ୍ରାବତୀ, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଓ ଗୁପ୍ତେଶ୍ୱର ଭାରତୀକୁ ଆଦର୍ଶ ବିହନ ଭାବରେ ଚାଷୀଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି।

ଓଡ଼ିଶା ସରକାର କ୍ରମାଗତ ଭାବେ ମିଲେଟ୍‌‌ ମିଶନ ମାଧ୍ୟମରେ ଚଳାଇଥିବା ଉଦ୍ୟମର କ୍ରମଶଃ ସୁଫଳ ମିଳିବାକୁ ଆରମ୍ଭ କରିଛି। ଏହି ପ୍ରଜାତିର ବିହନର ବିକାଶ ପାଇଁ ମିଳିତ ଜାତିସଂଘ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବେ କାମ କରିବାକୁ ରାଜି ହେବା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ଖବର। ଭାରତ ସରକାର ମଧ୍ୟ ବର୍ଷା ନିର୍ଭରଶୀଳ (ଅଣ ଜଳସେଚିତ) ଅଞ୍ଚଳରେ ଏହି ପ୍ରଜାତିର ଶ୍ରୀଅନ୍ନ ଚାଷ ପାଇଁ ବିଭିନ୍ନ ରାଜ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ଏ କ୍ଷେତ୍ରରେ ମଧ୍ୟ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଓଡ଼ିଶା ସହିତ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ଭାବେ ବିଶେଷ ଉତ୍ସାହପ୍ରଦ। ଓଡ଼ିଶାରେ ଧାନଚାଷ ଅପେକ୍ଷାକୃତ ଅଧିକ ହୁଏ। ଧାନଚାଷ ଅଧିକ ପାଣି ଦରକାର କରେ ଓ ଏଥିରେ ଖର୍ଚ୍ଚ ଅଧିକ। ଶ୍ରୀଅନ୍ନ କିନ୍ତୁ ଅଧିକ ପୁଷ୍ଟିକର ଏବଂ କମ୍‌‌ ପାଣି ଓ କମ୍‌‌ ଖର୍ଚ୍ଚରେ ଅଧିକ ଉତ୍ପାଦିତ ହୁଏ। ଆଉ ଗୋଟିଏ ଭଲ କଥା ହେଲା, ୨୦୨୩ ବର୍ଷଟି ଆନ୍ତର୍ଜାତିକ ମିଲେଟ୍‌‌ ବର୍ଷ ଭାବେ ଜାତିସଂଘର ମାନ୍ୟତା ପାଇବା ପରେ ବିଶ୍ୱର ବିଭିନ୍ନ ଦେଶରେ ଖାଦ୍ୟ ସତର୍କ ନାଗରିକ ମିଲେଟ୍‌‌ ଭଳି ପୁଷ୍ଟିକର ସୁପରଫୁଡ୍‌‌କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଭାରତରେ ବିଶ୍ୱର ସବୁଠୁ ଅଧିକ ମିଲେଟ୍ସ ଉତ୍ପାଦିତ ହେଉଥିବାରୁ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, କମ୍ପାନୀ ଓ ଷ୍ଟାର୍ଟଅପ୍‌‌ ମିଲେଟ୍‌‌ ମିଶନର ସୁଯୋଗ ଦେବାକୁ ଆଗେଇ ଆସିଛନ୍ତି।

ନୂଆ ସମୟ ଓ ନୂଆ ପାଣିପାଗ ନୂତନ ଖାଦ୍ୟଶସ୍ୟର ଆବଶ୍ୟକତା ବଢ଼଼ାଇଛି। ଯାହା ଦିନେ ଗରିବ ଦୁଃଖୀରଙ୍କିଙ୍କ ଖାଦ୍ୟ ଥିଲା, ତାହା ଯେ ଆଜିର ସୁପର ଫୁଡ୍‌‌ରେ ପରିଣତ ହେବ, ଏହା କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥିବା ଆମ ଓଡ଼ିଶାରେ ଏହି ଶ୍ରୀଅନ୍ନର ଚାଷ କେବଳ ଆମର ଖାଦ୍ୟ ଓ ପୁଷ୍ଟିସାଧନ ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ଏହା ମଧ୍ୟ ଏକ ଅର୍ଥକରୀ ଫସଲରେ ପରିଣତ ହୋଇ ଆମ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ଶ୍ରୀଅନ୍ନର ଉତ୍ପାଦନ ବୃଦ୍ଧି ସହିତ ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇବାର ଅଭ୍ୟାସ ବଢ଼଼ାଇବା ଆମ ଭାତଖିଆ ଓଡ଼ିଆଙ୍କ ପାଇଁ ପ୍ରଥମ ଆବଶ୍ୟକତା। ଏଥିପାଇଁ ଆମ ରକ୍ଷଣଶୀଳ ମାନସିକତା ଓ ଅଭ୍ୟାସରେ ପ୍ରଥମେ ପରିବର୍ତ୍ତନ ଆସିବା ଉଚିତ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଓଡ଼ିଶାରେ ଶ୍ରୀଅନ୍ନର ବହୁଳ ପ୍ରସାର ଓ ବ୍ୟାପକ ଚାଷ ଦୃଢ଼ ସରକାରୀ ପ୍ରୋତ୍ସାହନରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି। ଓଡ଼ିଶା ସରକାରଙ୍କ କୃଷକ ପ୍ରୋତ୍ସାହନ ନୀତି ଦ୍ୱାରା ଏବଂ ଓଡ଼ିଶାର ବହୁ ପ୍ରଶଂସିତ ମିଶନ ଶକ୍ତିର ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଶ୍ରୀଅନ୍ନ ପ୍ରସ୍ତୁତ ବ୍ୟଞ୍ଜନ ଓ ମିଷ୍ଟାନ୍ନ ଓଡ଼ିଶା ତଥା ସାରା ଦେଶରେ ଓ ଭାରତ ବାହାରେ ଓଡ଼ିଶାର ଶ୍ରୀଅନ୍ନ ପାଇଁ ସୁନାମ ଆଣିପାରିଛି। ଶ୍ରୀଅନ୍ନର ଏହି ଦିବ୍ୟ ବିସ୍ତାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ନେତୃତ୍ୱ ଓ କୃଷି କଲ୍ୟାଣ ଆଭିମୁଖ୍ୟ ଓଡ଼ିଶାକୁ ମିଲେଟ୍ସ ସୁପର ଫୁଡ୍‌‌ର କେନ୍ଦ୍ରସ୍ଥଳ ଭାବେ ଉପସ୍ଥାପିତ କରିଛି।

About The Author: The Sakala