ଦ୍ୱୈତନଗରୀ କଟକ-ଭୁବନେଶ୍ୱରକୁ ମେଟ୍ରୋ ରେଳରେ ଯୋଡ଼ି ଗଣ ପରିବହନ କ୍ଷେତ୍ରରେ ଏକ ନୂଆ ଉପଲବ୍ଧି ହାସଲ କରିବାକୁ ଓଡ଼ିଶା ସରକାର ଯେଉଁ ଉଦ୍ୟମ କରୁଛନ୍ତି, ତାହା ନିଶ୍ଚିତ ସାହସିକ ତଥା ପ୍ରଶଂସାଯୋଗ୍ୟ ପଦକ୍ଷେପ। ସାହସିକ ଏଇଥି ପାଇଁ ଯେ କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଉପଯୁକ୍ତ ପରିବେଶର ଅଭାବ ରହିଛି ବୋଲି ଦର୍ଶାଇ କେନ୍ଦ୍ର ସରକାର ଅନେକ ବର୍ଷ ଧରି ଏହାକୁ ଗୁରୁତ୍ୱ ଦେଇ ନଥିବାବେଳେ ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ବରାଦ କରି ଏହି ଯୋଜନାଟିକୁ ରୂପାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଦ୍ୱିତୀୟତଃ, ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଏଥିପାଇଁ ସ୍ୱାଗତଯୋଗ୍ୟ ଯେ ଏହା ଓଡ଼ିଶାର ଦୁଇ ପ୍ରମୁଖ ଓ ଜନକୀର୍ଣ୍ଣ ସହର କଟକ-ଭୁବନେଶ୍ୱରକୁ କେବଳ ଯୋଡ଼ିବ ନାହିଁ, ପ୍ରତିକୂଳ ଭୂଗୋଳକୁ ନିୟନ୍ତ୍ରିତ କରି ଭବିଷ୍ୟତର ବୃହତ୍ତର ରାଜଧାନୀ ସହରାଞ୍ଚଳ, ଯାହା ଏକାଧିକ ନଗରପୁଞ୍ଜକୁ ନେଇ ଗଠିତ ହେବ, ସେଥିରେ ଗଣପରିବହନ ବ୍ୟବସ୍ଥାକୁ ସୁସଂହତ ତଥା ସହଜ କରିବାକୁ ଏହି ମେଟ୍ରୋ ଲାଇନ୍ ଏକ ନୂଆ ନାଭିକେନ୍ଦ୍ର ପାଲଟିବ ବୋଲି ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ (ଫେଜ-୧) ଭୁବନେଶ୍ୱର ବିମାନବନ୍ଦରରୁ କଟକ ଉପକଣ୍ଠ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍ ନିର୍ମାଣର ପରିକଳ୍ପନା କରାଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଅନୁମୋଦିତ ହୋଇସାରିଛି। ଏଥିପାଇଁ ବଜେଟ୍ରେ ମଧ୍ୟ ବ୍ୟବସ୍ଥା ରଖାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ମେଟ୍ରୋ ଶାଖା ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବାର ପ୍ରସ୍ତାବ ରହିଛି।
ଏହି ଭବିଷ୍ୟତର ନଗରପୁଞ୍ଜରେ ଉତ୍ତରରେ ଚଣ୍ଡିଖୋଲ ଓ ସାଲେପୁରରୁ ଆରମ୍ଭ କରି ପଶ୍ଚିମରେ ଆଠଗଡ଼, ଦକ୍ଷିଣରେ ଖୋରଧା ଏବଂ ପୂର୍ବରେ ପୁରୀ, ପିପିଲି, ନିଆଳି, ରଘୁନାଥପୁର ଆଦି ଛୋଟ ଛୋଟ ସହର ସ୍ଥାନିତ ହୋଇ କଟକ-ଭୁବନେଶ୍ୱର ବୃହତ୍ତର ରାଜଧାନୀ ସହରାଞ୍ଚଳର ଉପଗ୍ରହ ସହର ପାଲଟିବେ। ଏହି ସହରାଞ୍ଚଳ ସବୁ ଯେଉଁ ବେଗରେ ବଢ଼଼ୁଛି, ୨୦୫୦ ସୁଦ୍ଧା ଏହା ଏକ ବିରାଟ ନଗରପୁଞ୍ଜରେ ପରିଣତ ହେବ। ତେଣୁ ସେତେବେଳକୁ ମେଟ୍ରୋ ଟ୍ରେନ୍ର ଆବଶ୍ୟକତା କେତେ ଅଧିକ ଥିବ, ତାହା କେବଳ ଦୂରଦୃଷ୍ଟି ଥିବା ଲୋକ, ଶାସକ ଓ ପ୍ରଶାସକ ବୁଝିପାରିବେ। ଏହି ସୁବିଧା ଏଭଳି ନଗରପୁଞ୍ଜରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ମୌଳିକ ଆବଶ୍ୟକତା ରୂପେ କାର୍ଯ୍ୟ କରିବ, ବିଳାସ ସାଧନ ଭାବରେ ନୁହେଁ।
ମାନବ ସଭ୍ୟତାର ବିକାଶ ଯାତ୍ରାରେ ଏବେ ସାରା ବିଶ୍ୱରେ ସହରୀକରଣ ପ୍ରକ୍ରିୟା ଜୋରସୋରରେ ଆଗେଇଛି। ବୃହତ୍ ନଗରୀର ସୃଷ୍ଟି ହେଉଛି ଏବଂ ସେଠାରେ ରହୁଥିବା ବିଶାଳ ଜନସଂଖ୍ୟାର ମୌଳିକ ଆବଶ୍ୟକତା ପୂରଣ ଶାସନ ଓ ପ୍ରଶାସନମାନଙ୍କ ପାଇଁ ଏକ ବିଶାଳ ଦାୟିତ୍ୱରେ ପରିଣତ ହୋଇଛି। ଏଭଳି ବୃହତକାୟ ନଗରୀରେ ରାସ୍ତାଘାଟ ନିର୍ମାଣ, ଦ୍ରୁତ ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଇନ୍ଧନ ଓ ପାନୀୟ ଜଳ ଯୋଗାଣ ତଥା ବର୍ଜ୍ୟବସ୍ତୁ ପରିଚାଳନା ଦିନକୁ ଦିନ ଅତିଶୟ ସମସ୍ୟା ସୃଷ୍ଟି କରୁଛି। ଏଭଳି କ୍ଷେତ୍ରରେ ମାଟି ତଳେ ମହାନଗରୀୟ ରେଳ ଚଳାଚଳ ବ୍ୟବସ୍ଥା ଏକ ଅପରିହାର୍ଯ୍ୟ ହୋଇପଡ଼ିଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଦୂରଦୃଷ୍ଟି ସମ୍ପନ୍ନ ଦୀର୍ଘକାଳୀନ ମେଟ୍ରୋ ଯୋଜନା ଏକ ଆଦର୍ଶ ପ୍ରଶାସନିକ ଆବଶ୍ୟକତା ହୋଇପଡ଼ିଛି। କଟକ-ଭୁବନେଶ୍ୱର ମେଟ୍ରୋ ରେଳ ବ୍ୟବସ୍ଥା ଏହି ପ୍ରଶାସନିକ ଦୂରଦୃଷ୍ଟିର ପରିଚୟ ଦିଏ। ପୁରୁଖା ଲୋକେ କହିପାରିବେ ଯେ ନୂଆ ରାଜଧାନୀ ଭୁବନେଶ୍ୱରର ଯେତେବେଳେ ମୂଳଦୁଆ ପଡ଼ିଲା ସେତେବେଳେ କୁଆଡ଼େ ଏହି ନୂତନ ରାଜଧାନୀ ସହରାଞ୍ଚଳ ଲାଗି କେବଳ ପଚାଶ ହଜାର ଜନସଂଖ୍ୟା ପାଇଁ ଆବଶ୍ୟକୀୟ ଯୋଜନା କରାଯାଉଥିଲା। ପ୍ରାୟ ସାତ ଦଶକ ପରେ ଆଜିର ଦ୍ୱୈତନଗରୀ କଟକ-ଭୁବନେଶ୍ୱରକୁ ଲକ୍ଷ୍ୟ କଲେ ସେ ସମୟର ଯୋଜନାବଦ୍ଧ ପରିକଳ୍ପନା ଯେ ଅତ୍ୟନ୍ତ ନଗଣ୍ୟ ଥିଲା ସେଥିରେ ଦ୍ୱିମତ ନାହିଁ।
ସମନ୍ୱିତ ଗଣ ପରିବହନ ଓ ଗମନାଗମନର ସୁବନ୍ଦୋବସ୍ତ କ୍ଷେତ୍ରରେ ମେଟ୍ରୋ ଟ୍ରେନ୍ ଏକ ଅତି ସୁବିଧାଜନକ ମାଧ୍ୟମ। ଆଜିକାଲି ମେଟ୍ରୋ ରେଳଲାଇନ୍ ନିର୍ମାଣର ଟେକ୍ନୋଲୋଜି ମଧ୍ୟ ବଦଳିଲାଣି ଏବଂ ସବୁଠି ଆଉ ମାଟିତଳେ ସୁଡ଼ଙ୍ଗ ନିର୍ମାଣ କରିବାର ଆବଶ୍ୟକତା ପଡୁନାହିଁ। ପ୍ରମୁଖ ସଡ଼କର ମେଡିଆନ୍ (ମଧ୍ୟଭାଗ)ରେ ଖମ୍ବ ଉପରେ ଦୀର୍ଘ ସେତୁ ନିର୍ମାଣ କରି ମେଟ୍ରୋ ରେଳ ଚଳାଚଳ କରାଯାଉଛି। ସହରର କେନ୍ଦ୍ର ସ୍ଥଳଗୁଡ଼ିକୁ ଏଭଳି ଉଚ୍ଚତାବିଶିଷ୍ଟ ରେଳପଥ ନିର୍ମାଣ ସହଜ ହେଉ ନଥିବାରୁ ମାଟିତଳେ ସୁଡ଼ଙ୍ଗ ଖୋଳି ଅର ଓ ପହି ଢାଞ୍ଚାରେ ନେଟ୍ୱର୍କ ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ କରାଯାଉଛି। ହାୱଡା ଓ କଲକତା ମଧ୍ୟରେ ହୁଗୁଳି ନଦୀ ତଳେ ମେଟ୍ରୋ ଲାଇନ୍ ଯିବା ପରେ ନଦୀ ଆଉ ଏଥିପାଇଁ ପ୍ରତିବନ୍ଧକ ହୋଇ ରହିନାହିଁ। ଭାରତରେ ଏବେ ୧୫ଟି ସହରରେ ମେଟ୍ରୋ ଟ୍ରେନ୍ ସେବା ସକ୍ରିୟ ରହିଛି। ସେଥିମଧ୍ୟରେ କୋଲକାତା, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଜୟପୁର, ଗୁରୁଗ୍ରାମ, ମୁମ୍ବଇ, ନୋଏଡ଼ା, କୋଚି, ଲକ୍ଷ୍ନୌ, ନାଗପୁର, କାନପୁର ଓ ପୁଣେ ଆସି ଅନ୍ତର୍ଭୁକ୍ତ। କେତେକ ରାଜ୍ୟରେ ଏକାଧିକ ସହରରେ ଏହି ବ୍ୟବସ୍ଥା ରହିଛି। ତେଣୁ ଓଡ଼ିଶାରେ ଏଥିରେ ପ୍ରାରମ୍ଭିକ ଭାବେ କଟକ-ଭୁବନେଶ୍ୱର ଓ ପରବର୍ତ୍ତୀ କାଳରେ ଅନ୍ୟାନ୍ୟ ସହରକୁ ଅନ୍ତର୍ଭୁକ୍ତ କରିବା ଯୋଜନା ରହିଛି।
ଆମ ସହରଗୁଡ଼ିକର ବିସ୍ତାର ଏବଂ ସମସ୍ୟା ଦୃଷ୍ଟିରୁ ଏହାକୁ ଗଣଯାତାୟତ ଅନୁକୂଳ କରିବାକୁ ମେଟ୍ରୋ ଟ୍ରେନ୍ ଏକ ଚରମ ଆବଶ୍ୟକତା ହୋଇପଡ଼ିଲାଣି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ଜନବହୁଳ ସ୍ଥାନମାନଙ୍କରେ ମେଟ୍ରୋ ଷ୍ଟେସନ ହେଲେ ଲୋକେ ସହଜରେ ଏହି ସେବା ଉପଭୋଗ କରିପାରିବେ। ଆଜିକାଲି ସଡ଼କ ପରିବହନ ସମସ୍ୟା ଗୁରୁତର ହେଲାଣି। ଗାଡ଼ିଭିଡ଼ ଓ ଖରାପ ରାସ୍ତା ଯୋଗୁଁ ଯିବା ଆସିବା କରିବା ଜୀବନ-ମରଣ ସମସ୍ୟା ହୋଇଯାଉଛି। ସଂକ୍ଷେପରେ କହିଲେ ମେଟ୍ରୋ ଟ୍ରେନ୍ ନଗର ଓ ମହାନଗରଗୁଡ଼ିକର ଭବିଷ୍ୟତର ଗଣପରିବହନ ମାର୍ଗ।
ନବୀନ ପଟ୍ଟନାୟକଙ୍କ ସରକାର ଉଭୟ ଦୂରଦର୍ଶୀ ଓ ବାସ୍ତବବାଦୀ ବୋଲି ସୁନାମ ଅର୍ଜନ କରିଛନ୍ତି। ସେ ଯାହା କହନ୍ତି ତାହାକୁ କାର୍ଯ୍ୟରେ ପରିଣତ କରନ୍ତି। ସେଥିପାଇଁ ତାଙ୍କ ସରକାର ଉପରେ ଲୋକଙ୍କର ଅତୁଟ ବିଶ୍ୱାସ ରହିଛି। କଟକ-ଭୁବନେଶ୍ୱର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଯେଉଁ ବେଗରେ ସମ୍ପ୍ରସାରିତ ତଥା ଜନାଜୀର୍ଣ୍ଣ ହେଉଛି, ସେଥିରେ ମେଟ୍ରୋ ଟ୍ରେନ୍ ଚଳାଇବାର ପରିକଳ୍ପନା ଅତ୍ୟନ୍ତ ବାସ୍ତବବାଦୀ ଓ ସ୍ୱାଗତଯୋଗ୍ୟ। ଆମର ଆଶା ଓଡ଼ିଶା ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରି ଆଉ ଏକ ଉଦାହରଣ ସୃଷ୍ଟି କରିବେ। ଏଥିରେ ଲୋକଙ୍କ ଖୁସି ଓ ସୁବିଧା କେବଳ ନିହିତ ନାହିଁ; ଏହା ମଧ୍ୟ ସମୃଦ୍ଧି ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ।