ଭାରତର ବିକାଶକୁ ଚୀନ ଗଣମାଧ୍ୟମର ପ୍ରଶଂସା: ଲଙ୍କାରେ ହରିଶବ୍ଦ!

ଚୀନ୍‌‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ରେ ପ୍ରଥମଥର ଭାରତ ସମ୍ପର୍କରେ ଏକ ଅତିପ୍ରଶଂସାମୂଳକ ଲେଖା ପ୍ରକାଶ ପାଇଛି। ‘ପିପୁଲ୍ସ ଡେଲି’ ପରେ ଏହା ସେ ଦେଶର ଦ୍ୱିତୀୟ ପ୍ରଭାବଶାଳୀ ଓ ଲୋକପ୍ରିୟ ସରକାରୀ ଖବରକାଗଜ। ଏମିତି ଦେଖିଲେ ତ କମ୍ୟୁନିଷ୍ଟ ଚୀନ୍‌‌ରେ ଗଣମାଧ୍ୟମର ସ୍ୱାଧୀନତା ଓ ଲୋକଙ୍କର ମୁକ୍ତ ମତ ପ୍ରକାଶର ଅଧିକାର ନାହିଁ। ତେଣୁ ସବୁ ଗଣମାଧ୍ୟମ ସରକାରୀ ନିର୍ଦ୍ଦେଶ ଓ ନୀତିରେ ପରିଚାଳିତ। ତଥାପି ତା’ ଭିତରେ କେତେକ ପ୍ରମୁଖ ଖବରକାଗଜ ସରକାରଙ୍କ ମୁଖପତ୍ର […]

ଚୀନ୍‌‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ରେ ପ୍ରଥମଥର ଭାରତ ସମ୍ପର୍କରେ ଏକ ଅତିପ୍ରଶଂସାମୂଳକ ଲେଖା ପ୍ରକାଶ ପାଇଛି। ‘ପିପୁଲ୍ସ ଡେଲି’ ପରେ ଏହା ସେ ଦେଶର ଦ୍ୱିତୀୟ ପ୍ରଭାବଶାଳୀ ଓ ଲୋକପ୍ରିୟ ସରକାରୀ ଖବରକାଗଜ। ଏମିତି ଦେଖିଲେ ତ କମ୍ୟୁନିଷ୍ଟ ଚୀନ୍‌‌ରେ ଗଣମାଧ୍ୟମର ସ୍ୱାଧୀନତା ଓ ଲୋକଙ୍କର ମୁକ୍ତ ମତ ପ୍ରକାଶର ଅଧିକାର ନାହିଁ। ତେଣୁ ସବୁ ଗଣମାଧ୍ୟମ ସରକାରୀ ନିର୍ଦ୍ଦେଶ ଓ ନୀତିରେ ପରିଚାଳିତ। ତଥାପି ତା’ ଭିତରେ କେତେକ ପ୍ରମୁଖ ଖବରକାଗଜ ସରକାରଙ୍କ ମୁଖପତ୍ର ଭାବେ କାମ କରନ୍ତି। ଏଭଳି ସ୍ଥିତିରେ ଭାରତର ଜଣାଶୁଣା ବିରୋଧୀ ଓ ଅନ୍ୟତମ ଶତ୍ରୁ ରାଷ୍ଟ୍ର ଭାବେ ବିବେଚିତ ଚୀନ୍‌‌ର ଏହି ସରକାରୀ କାଗଜରେ ଭାରତର ପ୍ରଶଂସା ପଛର କାରଣ କ’ଣ ହୋଇପାରେ, ତାହା ନିର୍ଣ୍ଣୟ କରିବା ସହଜ ନୁହେଁ।

ଗ୍ଲୋବାଲ୍‌‌ ଟାଇମ୍ସର ସମ୍ପାଦକୀୟ ପୃଷ୍ଠାର ବିପରୀତ ପୃଷ୍ଠାରେ ଝାବାଂ ଜିଆଡଙ୍ଗ ନାମକ ଜଣେ ବ୍ୟକ୍ତି ଏହି ଲେଖାଟି ଲେଖିଛନ୍ତି। ଏ ମହାଶୟ ସାଧାରଣ ମଣିଷ କିମ୍ବା ଜଣେ ସାମ୍ବାଦିକ ନୁହନ୍ତି। ସେ ଚୀନ୍‌‌ର ପୁଂଡାନ ବିଶ୍ୱବିଦ୍ୟାଳୟର ଦକ୍ଷିଣ-ଏସିଆ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ। ସେ ତାଙ୍କ ଲେଖାରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ବିକାଶ, ସାମାଜିକ ଶାସନ ଓ ବୈଦେଶିକ ନୀତିରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତ ନିଜ ସ୍ୱାର୍ଥ ସାଧନ ପାଇଁ ଆଉ ଆଗ ଭଳି ସାଂସ୍କୃତିକ ପରମ୍ପରାକୁ କେବଳ ଗୋଟିଏ ମାର୍ଗ ଭାବେ ବ୍ୟବହାର କରୁନାହିଁ। ଭାରତ ବିଭିନ୍ନ ଉପାୟରେ ନିଜର ବିକାଶମାତ୍ରାକୁ ତ୍ୱରାନ୍ୱିତ କରି ନିଜକୁ ଏକ ମହାନ ଶକ୍ତି ଭାବେ ପ୍ରତିପାଦିତ କରିପାରିଛି।

ଭାରତ ଇତିମଧ୍ୟରେ ଅର୍ଥନୈତିକ ବିକାଶ, ସାମାଜିକ ଶାସନ ବ୍ୟବସ୍ଥା, ଏକ ମହାନ ଶକ୍ତିରେ ପରିଣତ ହେବା ପାଇଁ ଉପଯୁକ୍ତ ରଣନୀତି ଆପଣାଇବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ଏବଂ ନିଜର ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି। ବିଶେଷକରି ବିଗତ ଚାରିବର୍ଷ ମଧ୍ୟରେ ଭାରତ ସବୁକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରି ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବେ ଆତ୍ମପ୍ରକାଶ କରିଛି ବୋଲି ଜିଆଡଙ୍ଗ ଲେଖିଛନ୍ତି। ସେ ସ୍ପଷ୍ଟଭାବେ ଲେଖିଛନ୍ତି ଯେ ଭାରତର ଅର୍ଥନୀତି ଠିକ୍‌‌ ବାଟରେ ଗତି କରି ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। ଚୀନ୍‌‌ ସହିତ ଭାରତର ଯେଉଁ ବାଣିଜ୍ୟ ନିଅଣ୍ଟ ବଢ଼଼ୁଥିଲା ତାହାକୁ ହ୍ରାସ କରିବା ପାଇଁ ନୂଆଦିଲ୍ଲୀ କର୍ତ୍ତୃପକ୍ଷ ବିବ୍ରତ ନ ହୋଇ ଧୀର ନିଶ୍ଚିତ ଢଙ୍ଗରେ ପଦକ୍ଷେପ ନେଇଛନ୍ତି। ଚୀନ୍‌‌କୁ ରପ୍ତାନି ବଢ଼଼ାଇବା ସହ ସେ ଦେଶରୁ ଆମଦାନୀ ହ୍ରାସ କରିବାରୁ ଏହି ବାଣିଜ୍ୟ ନିଅଣ୍ଟ ବ୍ୟବଧାନ କମିଛି। ବାଣିଜ୍ୟ ସମତା ରକ୍ଷା କ୍ଷେତ୍ରରେ ଏହା ଏକ ସଫଳ ପଦକ୍ଷେପ।

ଜିଆଡଙ୍ଗଙ୍କର ଭାରତ ବିଷୟରେ କିଛି ସ୍ପଷ୍ଟ ଧାରଣା ଓ ଅନୁଭୂତି ରହିଛି। ସେ ବାଣିଜ୍ୟ ସଦସ୍ୟ ମଣ୍ଡଳୀର ସଭ୍ୟ ଭାବେ ଭାରତ ଆସି ଏଠାକାର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭାରତ ଏସବୁ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବା ସହ ଅତ୍ୟନ୍ତ ଦକ୍ଷତାର ସହ ବିକାଶର କାହାଣୀ ତିଆରି କରିଛି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶନୀତିର ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ଭାରତ ବିବିଧଗୋଷ୍ଠୀଭିତ୍ତିକ ସମ୍ପର୍କକୁ ଗୁରୁତ୍ୱ ଦେଇ ବିକଶିତ, ବିକାଶଶୀଳ ଓ ସ୍ୱଳ୍ପ ବିକଶିତ ରାଷ୍ଟ୍ରଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରିଛି। ଆମେରିକା, ଜାପାନ, ରୁଷିଆ ସମେତ ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଦେଶ ସହିତ ଭାରତର ସମ୍ପର୍କ ଓ ନିବିଡ଼ତା ବଢ଼଼ିଛି। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ରୁଷିଆ-ଆମେରିକା ସହିତ ସମ୍ପର୍କର ସମୀକରଣକୁ ବଜାୟ ରଖିବାକୁ ଚେଷ୍ଟା କରି ଭାରତ ଯେଉଁ ରାଜନୈତିକ ଓ କୂଟନୈତିକ ବାମନ ଭାବେ ଦୀର୍ଘକାଳ ରହିଯାଇଥିଲା, ଏବେ ସେ ସ୍ଥିତି ନାହିଁ। ଭାରତ ସରକାରଙ୍କ କୌଶଳାତ୍ମକ ବୈଦେଶିକ ରଣନୀତି ଏଥିରେ ଏକ ବିରାଟ ପରିବର୍ତ୍ତନ ଆଣି ଦେଶକୁ ବିଶ୍ୱର ଏକ ପ୍ରମୁଖ ଶକ୍ତିରେ ପରିଣତ କରିଛି। ଏବେ ଭାରତ ଆର୍ଥିକ, ରାଜନୈତିକ, ସାଂସ୍କୃତିକ ଦୃଷ୍ଟିରୁ ଅବଶିଷ୍ଟ ବିଶ୍ୱର ଏକ ଦିଗଦର୍ଶକ ଓ ପରାମର୍ଶଦାତା ପାଲଟିଛି।

ଭାରତ ସର୍ବଦା ନିଜକୁ ଏକ ବିଶ୍ୱଶକ୍ତି ଭାବେ ବିଚାର କରେ। ତେବେ ବିଗତ ୧୦ ବର୍ଷ ମଧ୍ୟରେ ଭାରତ ତାହାର ମଲ୍ଟି ବାଲାନ୍ସିଂ (ବିବିଧ ଭାରସାମ୍ୟ) ନୀତିକୁ ପରିହାର କରି ମଲ୍ଟି ଆଲାଏନମେଣ୍ଟ ବା ବହୁଗୋଷ୍ଠୀକ କରିପାରିଛି। ଏହା ଏକ ଚତୁର ଓ ବାସ୍ତବବାଦୀ ପଦକ୍ଷେପ, ଯାହା ଫଳରେ ବିଶ୍ୱରେ ଭାରତର ପତିଆରା ବଢ଼଼ିଛି ବୋଲି ସେ ଲେଖିଛନ୍ତି। ଶେଷରେ ସେ କହିଛନ୍ତି ଯେ ଏହି ଚାରିପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି କରି ବିଶ୍ୱ ଦରବାରରେ ଅଧିକ ମଜବୁତ ଓ ନିଜକୁ ଜାହିର କରିବା ସ୍ଥିତିରେ ପହଞ୍ଚିଛି। ସାମରିକ, ଆର୍ଥିକ ଓ ରାଜନୈତିକ ବଳ ଦ୍ୱାରା ଭାରତ ମଧ୍ୟ ଏକ ନୂଆ ଭୂ-ରାଜନୈତିକ ରାଷ୍ଟ୍ରରେ ପରିଣତ ହୋଇଛି, ଯାହାର ଶକ୍ତି, ସାମର୍ଥ୍ୟ ଓ ପ୍ରଭାବକୁ ଅନ୍ୟ ଦେଶ ସ୍ୱୀକାର କରିବାକୁ ବାଧ୍ୟ ହେଉଛନ୍ତି।

ଭାରତର ଛାଇ ପଡ଼ିଲେ ଚୀନ୍‌‌ର ଲାହି ଡିଏଁ। ଏହାର କାରଣ ହେଲା ଭାରତର ବିକାଶକୁ ବେଜିଂ ସରକାର ସହ୍ୟ କରିପାରନ୍ତି ନାହିଁ। କିନ୍ତୁ ଚୀନ୍‌‌ର ସକଳ ବିରୋଧ ଓ ପ୍ରତିକୂଳ ମନୋଭାବ ସତ୍ତ୍ବେ ଭାରତ ନିଜକୁ ବିଶ୍ୱ ଦରବାରରେ ଏକ ଶକ୍ତି ଭାବେ ପ୍ରତିପାଦିତ କରିବା ନିଶ୍ଚିତ ସେଠାକାର କମ୍ୟୁନିଷ୍ଟ ସରକାରଙ୍କ ପାଇଁ ଏକ ବିରାଟ ପରାଭବ। ଯାହା ସତ୍ୟ ତାହା ସେ ଦେଶର ବୁଦ୍ଧିଜୀବୀ ଓ ବିଶେଷଜ୍ଞଙ୍କୁ ଜଳ ଜଳ ଦେଖାଯାଉଛି। ତେବେ ଜିଆଡଙ୍ଗଙ୍କ ଏହି ଆଲୋଚନା ବା ଲେଖା ବୌଦ୍ଧିକ ବିଚାର ପାଇଁ ଅଧିକ ଉପଯୋଗୀ ହେଉଥିଲେ ମଧ୍ୟ ଏଥିରେ ଭାରତର ପ୍ରଶଂସା ସ୍ପଷ୍ଟ ଭାବେ ରହିଛି। ଚୀନ୍‌‌ ସରକାରଙ୍କ ଅନୁମତି ଓ ଅନୁମୋଦନ ବିନା ଏହା ଗଣମାଧ୍ୟମରେ ସ୍ଥାନ ପାଇବା ସହଜ କଥା ନୁହେଁ। ଏହା ଲଙ୍କାରେ ହରି ଶବ୍ଦ ପରି ଲାଗିବା ସ୍ବାଭାବିକ।

ମନେ ହେଉଛି ଚୀନ, ଭାରତର ଗତିବିଧି ଓ ବିକାଶ ଧାରାକୁ ଅତି ନିବିଡ଼ ଭାବେ ନିରୀକ୍ଷଣ କରୁଛି ଏବଂ ସେଥିରୁ କିଛି ଶିଖିବାକୁ ଚାହୁଁଛି। ଚୀନ୍‌‌ ଅନ୍ୟର ସଫଳତାରୁ ବେଶ ଭଲ ଶିଖେ। ଏହାର ବିକାଶ ପ୍ରଭାବ ଓ ପ୍ରତିଷ୍ଠା ସତ୍ତ୍ବେ ଭାରତ ଭଳି ଏକ ଟାଣୁଆ ଏସୀୟ ଓ ଉଦୀୟମାନ ବିଶ୍ୱ ଶକ୍ତିଠାରୁ କିଛି ଶିଖିବାକୁ ଚାହିଁବାରେ ଚୀନ୍‌‌ କାର୍ପଣ୍ୟ ହେବ ନାହିଁ। ତେଣୁ ନିଜ ଦେଶ ପାଇଁ ଭାରତୀୟ ବିକାଶ ମଡେଲକୁ ଏକ ଉଦାହରଣ ରୂପେ ଉପସ୍ଥାପନ କରିବାକୁ ଚାହୁଁଥିବା ଚୀନ୍‌‌ ସରକାର ହୁଏତ ଏଭଳି ଲେଖାକୁ ଛାପିବାକୁ ଅନୁମତି ଦେଇ ପାରିଥା’ନ୍ତି। ମନ୍ଥର ହୋଇ ପଡ଼ିଥିବା ଚୀନ୍‌‌ ଅର୍ଥନୀତିକୁ ସୁଧାରିବା ପାଇଁ ଏହା ଏକ ଶିକ୍ଷଣୀୟ କସରତ ହୋଇପାରେ।

About The Author: The Sakala