ଓଡ଼ିଶାରେ ପ୍ରଥମ ବନ୍ୟା ଚିନ୍ତାଜନକ ନୁହେଁ

ଅଗଷ୍ଟ ପ୍ରଥମ ସପ୍ତାହରେ ମହାନଦୀ ପ୍ରଣାଳୀ ଓ ବୈତରଣୀରେ ଏବର୍ଷର ପ୍ରଥମ ବନ୍ୟା ଆସିଛି। କିନ୍ତୁ ଓଡ଼ିଶାର ଆଉ ସବୁ ନଦୀ ପ୍ରଣାଳୀ ପ୍ରାୟ ଶୁଖିଲା ପଡ଼ିଛି। ମହାନଦୀ ଓ ବୈତରଣୀରେ ଯେଉଁ ବନ୍ୟା ଆସିଛି, ତାହା ଛୋଟକାଟର। ସରକାର ବନ୍ୟା ମୁକାବିଲା ପାଇଁ ଯେଉଁ ଆଗୁଆ ପଦକ୍ଷେପ ନେଇଛନ୍ତି, ତାହା ଆସୁଥିବା ବଢ଼଼ି ତୁଳନାରେ ଅଧିକ ମନେ ହୁଏ। ସରକାରଙ୍କ ‘ନୋ ରିସ୍କ’ ନୀତିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ ହୁଏ। ସାଧାରଣତଃ ଏତେବେଳକୁ […]

ଅଗଷ୍ଟ ପ୍ରଥମ ସପ୍ତାହରେ ମହାନଦୀ ପ୍ରଣାଳୀ ଓ ବୈତରଣୀରେ ଏବର୍ଷର ପ୍ରଥମ ବନ୍ୟା ଆସିଛି। କିନ୍ତୁ ଓଡ଼ିଶାର ଆଉ ସବୁ ନଦୀ ପ୍ରଣାଳୀ ପ୍ରାୟ ଶୁଖିଲା ପଡ଼ିଛି। ମହାନଦୀ ଓ ବୈତରଣୀରେ ଯେଉଁ ବନ୍ୟା ଆସିଛି, ତାହା ଛୋଟକାଟର। ସରକାର ବନ୍ୟା ମୁକାବିଲା ପାଇଁ ଯେଉଁ ଆଗୁଆ ପଦକ୍ଷେପ ନେଇଛନ୍ତି, ତାହା ଆସୁଥିବା ବଢ଼଼ି ତୁଳନାରେ ଅଧିକ ମନେ ହୁଏ। ସରକାରଙ୍କ ‘ନୋ ରିସ୍କ’ ନୀତିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ ହୁଏ। ସାଧାରଣତଃ ଏତେବେଳକୁ ତିନି ଚାରିଟା ବଡ଼ ବଢ଼଼ି ରାଜ୍ୟର ପ୍ରମୁଖ ନଦୀମାନଙ୍କରେ ଆସିବା କଥା। ତେବେ ଅନିୟମିତ ମୌସୁମୀ ବର୍ଷା ଓ ଉପରମୁଣ୍ଡରେ ଛତିଶଗଡ଼ ଓ ଝାଡ଼ଖଣ୍ଡର ମାତ୍ରାଧିକ ଜଳଭଣ୍ଡାର ନିର୍ମାଣ ଯୋଗୁଁ ଓଡ଼ିଶାରେ ଏଥର ବନ୍ୟାର ସ୍ୱାଭାବିକତା ନାହିଁ।

ମହାନଦୀରେ ଆସିଥିବା ବନ୍ୟାରେ ହୀରାକୁଦ ଜଳଭଣ୍ଡାରର ଅବଦାନ ଏଥର ଅଧିକ ନାହିଁ। ହୀରାକୁଦ ତଳକୁ ମହାନଦୀର ପ୍ରମୁଖ ଉପନଦୀ ଯଥା ତେଲ, ଲାଂଥା, ଶୁକତେଲ, ସାପୁଆ, ବଡ଼ଜୋର, କଣ୍ଟିଆ ଆଦିର ପାଣି ଏବେ ମହାନଦୀକୁ ପୂର୍ଣ୍ଣ କରୁଛି। ହୀରାକୁଦ ଡ୍ୟାମରୁ ଅଳ୍ପ ପାଣି ଆସୁଛି। ଗୁରୁବାର ସଂଧ୍ୟା ସୁଦ୍ଧା ନରାଜଠାରେ ମହାନଦୀରେ ୯ ଲକ୍ଷ ଘନଫୁଟ ବନ୍ୟାଜଳ ତ୍ରିକୋଣ ଭୂମିକୁ ପ୍ରବେଶ କରୁଥିଲା। ଏହାର ପ୍ରଭାବରେ ମହାନଦୀର ନିମ୍ନ ଅବବାହିକାରେ ବିଶେଷକରି କାଠଯୋଡ଼ି, ବିରୁପା, କୁଆଖାଇ, ଦୟା ଓ ଭାର୍ଗବୀ ଆଦିରେ ଛୋଟ ଧରଣର ବଢ଼଼ିର ସମ୍ଭାବନା ରହିଛି।

ଅବଶ୍ୟ ହୀରାକୁଦ ବନ୍ଧ ଯୋଗୁଁ ମହାନଦୀର ବନ୍ୟା ଧାରଣ କ୍ଷମତା ବଢ଼଼ିଛି। ସ୍ୱାଭାବିକ ଭାବେ ଏହା ୧୦ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି (ନରାଜରେ) ନିରାପଦରେ ତ୍ରିକୋଣ ଭୂମି ଅଞ୍ଚଳକୁ ଛାଡ଼ିପାରେ ଏବଂ ଏହାଦ୍ୱାରା ବଡ଼ବନ୍ୟାର ସମ୍ଭାବନା ନଥାଏ। ଆମର ବନ୍ଧବାଡ଼ ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ସବୁ ୧୦ ଲକ୍ଷ କ୍ୟୁସେକ୍‌‌ ପର୍ଯ୍ୟନ୍ତ ବନ୍ୟାଜଳକୁ ସମ୍ଭାଳିବାକୁ ସକ୍ଷମ। ଏହାଫଳରେ ନଦୀରେ ଛୋଟକାଟର ବଢ଼଼ି ଆସେ। ଏବେ ନିକଟରେ ଲଘୁଚାପ ବର୍ଷା ନଥିବାରୁ ଓଡ଼ିଶାର ଆଗକୁ କୌଣସି ନଦୀରେ ବଡ଼ ବନ୍ୟାର ସମ୍ଭାବନା ନାହିଁ।

ପ୍ରତିବର୍ଷ ରାଜ୍ୟର ନଦୀ ସମୂହରେ ଛୋଟରୁ ମଧ୍ୟମ ଧରଣର ବନ୍ୟାର ଆବଶ୍ୟକତା ଥାଏ। ଏହାଦ୍ୱାରା ଜଳଭଣ୍ଡାରଗୁଡ଼ିକ ପୂରଣ ହେବା ସହିତ କମାଣ୍ଡ ଏରିଆ ବା ସେଚାଞ୍ଚଳରେ ଚାଷବାସ ପାଇଁ କେନାଲରେ ପାଣି ଛାଡ଼ିବା ସହଜ ହୁଏ। ଦ୍ୱିତୀୟତଃ ଧୋୟାଞ୍ଚଳରେ ଅନାବନା ଘାସର ପ୍ରଭାବରୁ ଧାନ ଫସଲକୁ ସୁରକ୍ଷିତ କରିବା ପାଇଁ ସ୍ୱଳ୍ପକାଳୀନ ଛୋଟ ଓ ମଧ୍ୟମ ବନ୍ୟା ଦରକାର ହୋଇଥାଏ। ଏହାଦ୍ୱାରା ଘାସ ପଚିବା ସହିତ ପଟୁମାଟି ପଡ଼େ।
ଆମ ନଦୀଗୁଡ଼ିକର ସ୍ଥିତି, ବିଶେଷକରି, ମହାନଦୀ ଓ ତାହାର ଶାଖା ଆଦିର ଶୂନ୍ୟଗର୍ଭ ଦେଖିଲେ ସତରେ ଦୟା ଲାଗେ। ଛତିଶଗଡ଼ରେ ମାତ୍ରାଧିକ ପରିମାଣର ବନ୍ଧ ଓ ଡ୍ୟାମ ନିର୍ମାଣ ଫଳରେ ମହାନଦୀ ଆଜି ଶୁଷ୍କ। ବର୍ଷାଜଳରେ ସେଠୁ ଯେତିକି ପାଣି ଆସୁଛି, ତାହା ରୁଲ୍‌‌ କର୍ଭ ଅନୁସାରେ ତାରିଖ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ପାଣି ସଂରକ୍ଷଣକୁ ମେଣ୍ଟାଇ ପାରୁନାହିଁ। ବ୍ରାହ୍ମଣୀ, ଯିଏକି ବନ୍ୟା ବିଭୀଷିକା ରଚିବାରେ କୁଖ୍ୟାତ, ତାହା ମଧ୍ୟ ଏବେ ଅପୂର୍ଣ୍ଣଗର୍ଭା। ସୁବର୍ଣ୍ଣରେଖାର ସ୍ଥିତି ଚାନ୍ଦିଲି ଡ୍ୟାମର ଜଳ ନିଷ୍କାସନ ଉପରେ ନିର୍ଭର କରେ। ବୈତରଣୀରେ ବେଙ୍ଗ ମୁତିଲେ ପାଣି ଆସେ ଓ ସେ ବଢ଼଼ି ଅଢ଼େଇ ଦିନରେ ଛାଡ଼ିଯାଏ। ମୋଟାମୋଟି ଭାବେ ରାଜ୍ୟରେ ଏବେ ବନ୍ୟା ଭୟ ନାହିଁ ଏବଂ ଏହାକୁ ନେଇ ତଳିଆ ନଦୀ ଅବବାହିକାର ଲୋକେ ଆତଙ୍କିତ ହେବାର କାରଣ ନାହିଁ। ବନ୍ୟା ଭୟ ଗୁଜବ ଆଣେ ଏବଂ ଏହା ସହିତ ଅସାଧୁ ବେପାରି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼଼ାଇ କୃତ୍ରିମ ଅଭାବ ସୃଷ୍ଟି କରିଥା’ନ୍ତି। ସରକାର ଏଥିପ୍ରତି ସତର୍କ ରହିବା ଉଚିତ।

ଆମ ଦେଶୀ ହିସାବରେ ଗହ୍ମା ପୂନେଇ ଯାଇନାହିଁ। ଗହ୍ମାକୁ ରାଜ୍ୟର ସବୁ ପ୍ରମୁଖ ନଦୀରେ ବଡ଼ ବଢ଼଼ି ଆସେ। ତାହାର କାରଣ ହେଲା ଅଗଷ୍ଟର ଲଘୁଚାପ ବର୍ଷା ବିତ୍ପାତ ଘଟାଏ ଓ ଉପରମୁଣ୍ଡରେ ପ୍ରବଳ ବର୍ଷେ। ଏଥର ଯୋଡ଼ା ଶ୍ରାବଣ ପଡ଼ିଛି। ତେଣୁ ବିଳମ୍ବିତ ବହୁଜଳ ବୃଷ୍ଟି ଓ ବନ୍ୟା ବିତ୍ପାତକୁ ଏଡ଼ାଇ ଦିଆଯାଇ ନପାରେ। ଏଥର ଖରିଫ ଚାଷ ବର୍ଷାଭାବରୁ ପଛେଇ ଯାଇଥିଲେ ମଧ୍ୟ ଉଜୁଡ଼ି ଯାଇନାହିଁ। ଅଗଷ୍ଟର ଭଲ ବର୍ଷା ଖରିଫ ଫସଲ ପାଇଁ ବିଶେଷ ଉପକାରୀ। ଆହୁରି ମଧ୍ୟ ଭଲ ବର୍ଷା ଓ ମଧ୍ୟମ ଧରଣର ବନ୍ୟା ଅଗଷ୍ଟରେ ହେଲେ ଆମ ଜଳଭଣ୍ଡାର ଓ ଜଳାଶୟମାନ ପୂର୍ଣ୍ଣ ରହିବ ଏବଂ ସେହି ସଂରକ୍ଷିତ ପାଣିକୁ ଆମେ ରବିଋତୁରେ ଚାଷ କାମରେ ବ୍ୟବହାର କରିପାରିବା।

ଏବେ ଉପକୂଳ ଓଡ଼ିଶାରେ ଆପାତତଃ ବଡ଼ ବଢ଼଼ିର ସମ୍ଭାବନା କମ୍‌‌ ଦେଖାଯାଉଛି। ତେବେ ନିୟମିତ ବର୍ଷା ଆବଶ୍ୟକ ପରିମାଣରେ ନ ହେଲେ ଆମ ଖରିଫ ଚାଷ ପ୍ରଭାବିତ ହୋଇପାରେ। ପାଣିପାଗ ମଣିଷର ଆୟତ୍ତର ବାହାରେ। ପ୍ରଶାସନ ତା’ କାମ କରୁଛି। ‘ଶୂନ୍ୟ ମୃତ୍ୟୁ ଓ ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିରେ ସମ୍ଭାବ୍ୟ ବଡ଼ ବନ୍ୟା ପାଇଁ ଆଗୁଆ ପ୍ରସ୍ତୁତି ସ୍ୱାଗତଯୋଗ୍ୟ।

About The Author: The Sakala