ଚଳିତ ମେ’ ମାସରେ ଓଡ଼ିଶାକୁ ସାମୁଦ୍ରିକ ବାତ୍ୟା ଭୟ ଥିବା ସମ୍ପର୍କରେ ପାଣିପାଗ ବିଭାଗ ସୂଚନା ଦେବା ପରେ ଏହାର ସମ୍ଭାବ୍ୟ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହେବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ସମ୍ଭାବ୍ୟ ବାତ୍ୟା ଘେନି ସମୀକ୍ଷା କରିବା ସହିତ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗର ବିଡ଼ମ୍ବନା ହେଲା ୨୦୧୯ରୁ କ୍ରମାଗତ ଭାବେ ଓଡ଼ିଶା ତିନିଟି ବାତ୍ୟାର ସମ୍ମୁଖୀନ ହୋଇଥିବାବେଳେ ଏଥର ଚତୁର୍ଥ ଥର ଏ ଘଟଣା ଘଟିବାକୁ ଯାଉଛି। ସଂଯୋଗବଶତଃ ସେ ସବୁଗୁଡ଼ିକ ମେ’ ମାସରେ ଏବଂ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହର ଠିକ୍ ଆଗରୁ ହିଁ ଘଟୁଛି। ପାଣିପାଗ ବିଶେଷଜ୍ଞମାନେ ଏହି ନୂଆ ଘଟଣା ନେଇ କୌଣସି କାରଣ ଏ ଯାଏଁ ଖୋଜି ପାଉନାହାନ୍ତି। ଜଳବାୟୁ ପରିବର୍ତ୍ତନର ଏହା ଏକ ପ୍ରଭାବ ହୋଇପାରେ ବୋଲି କେବଳ ଅନୁମାନ କରାଯାଉଛି।
୨୦୧୯ରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ପୁରୀ ଉପରେ ଭୂମିପାତ ହେବା ପରେ ଖଣ୍ଡପ୍ରଳୟ ରଚିଥିଲା। ଠିକ୍ ବର୍ଷକ ପରେ ଆସିଲା ‘ଅମ୍ଫନ’ ଏବଂ ଏହା ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ନାହିଁ ନଥିବା କ୍ଷତି ଘଟାଇଥିଲା। ଏହା ପରେ ୨୦୨୧ରେ ଆସିଲା ‘ୟସ୍’ ବାତ୍ୟା, ଯାହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗରେ ଧ୍ୱଂସଲୀଳା ସୃଷ୍ଟି କରିଥିଲା। ଗତବର୍ଷ ଅର୍ଥାତ ୨୦୨୨ରେ ‘ଅସନି’ ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିଥିଲା; କିନ୍ତୁ ଉପକୂଳ ଅତିକ୍ରମ କରିବା ପୂର୍ବରୁ ହଠାତ୍ ଦୁର୍ବଳ ହୋଇ ଅପସରିଗଲା ଏବଂ ଆମେ ଅଳ୍ପକେ ବର୍ତ୍ତିଗଲେ। ଏଥର ଯେଉଁ ବାତ୍ୟା ଆଶଙ୍କା ଦେଖାଦେଇଛି, ତାହାର ରୂପରେଖ ଆସନ୍ତା ୧୦ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗର ବିଭିନ୍ନ ମଡେଲ ଓ ବିଶେଷଜ୍ଞଙ୍କ ରିପୋର୍ଟରୁ ଜଣାପଡୁଛି।
କ୍ରମାଗତଭାବେ ଖରାଦିନେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବା ନିଶ୍ଚିତ କିଛି ଜଳବାୟୁ ଅସ୍ୱାଭାବିକତାକୁ ସୂଚାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ପୂର୍ବରୁ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୁଏ। ଏହି ଲଘୁଚାପ ଘନୀଭୂତ ହୋଇ ବେଳେବେଳେ ବାତ୍ୟାର ରୂପ ନିଏ, ଯେମିତି ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ପୂର୍ବରୁ ଅକ୍ଟୋବର-ନଭେମ୍ବରରେ ବାତ୍ୟା ହୁଏ। ତେବେ ଖରାଦିନେ ବାତ୍ୟା ଅନୁଭୂତ ହେବା ନିଶ୍ଚିତ ଏକ ଚିନ୍ତାଜନକ ବିଷୟ। ତଥ୍ୟ ଅନୁସାରେ ୧୯୬୧ ରୁ ୨୦୨୨ ମଧ୍ୟରେ କେବଳ ମେ’ ମାସରେ ବଙ୍ଗୋପସାଗରରେ ୫୨ଟି ବାତ୍ୟା ସୃଷ୍ଟି ହୋଇଛି।
ବାତ୍ୟାର ମୁକାବିଲା କରିବା ସହିତ ଧନଜୀବନର ସୁରକ୍ଷା କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଏଥିପାଇଁ ନୀତି ଓ ବ୍ୟବସ୍ଥାମାନ ପ୍ରସ୍ତୁତ କରିଛନ୍ତି। ଏହାର ମୁକାବିଲା କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର ଅବଲମ୍ବନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନୀତି ହେଲା ‘ଶୂନ୍ୟ ମୃତ୍ୟୁ’। ତେଣୁ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ରହୁଛି। କ୍ରମାଗତ ଭାବେ ବାତ୍ୟା ହେଉଥିବାରୁ ଆମର ପ୍ରତିରୋଧୀ ବ୍ୟବସ୍ଥା ସକ୍ରିୟ ଏବଂ ତତ୍ପର ରହିଛି। ବାତ୍ୟା ଆଶ୍ରୟସ୍ଥଳ ସବୁ ପ୍ରାୟ ସଚଳ ଅବସ୍ଥାରେ ଅଛି ଏବଂ ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯିବ। ଆଉ ଏକ ବଡ଼ କଥା ହେଲା ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ରମଶଃ କୋଠାଘର ସଂଖ୍ୟା ବଢ଼଼ୁଛି। ବ୍ୟକ୍ତିଗତ ଉଦ୍ୟମ ସହିତ ଗରିବ ଲୋକଙ୍କୁ ଦିଆଯାଉଥିବା ସରକାରୀ ଆବାସ ଫଳରେ କଚ୍ଚା ଘର ସଂଖ୍ୟା କମିଛି ଏବଂ ବାତ୍ୟାଜନିତ ଘର ଭାଙ୍ଗିବା ଘଟଣା ଆଉ ବିଶେଷ ସମସ୍ୟା ହୋଇ ରହିନାହିଁ। ତେବେ ବାତ୍ୟା ଆମର ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିବା ସହିତ ଖରାଟିଆ ଫସଲର ବ୍ୟାପକ କ୍ଷତି ଘଟାଏ। ସାମୁଦ୍ରିକ ପ୍ଲାବନ ମଧ୍ୟ ତଟୀୟ ଅଞ୍ଚଳରେ ଅଧିକ କ୍ଷତିକରେ। ତେଣୁ ଆମ ପ୍ରସ୍ତୁତି ଓ ପ୍ରତିରୋଧ ବ୍ୟବସ୍ଥା ଦ୍ୱାରା ସିନା ଜୀବନହାନିକୁ ରୋକିହେବ ବା ଯଥେଷ୍ଟ କମାଯାଇପାରିବ, କିନ୍ତୁ କ୍ଷୟକ୍ଷତିକୁ ରୋକାଯାଇ ପାରିବ ନାହିଁ।
ବାତ୍ୟା ଯେଉଁ କ୍ଷତି ଘଟାଏ, ତାହାକୁ ଭରଣା କରିବା ସହିତ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଫଳରେ ବିକାଶମୂଳକ କାର୍ଯ୍ୟ ବ୍ୟାହତ ହୁଏ ଏବଂ ପ୍ରଶାସନ ଉପରେ ଅତିରିକ୍ତ ଚାପ ପଡ଼େ। ତେବେ ପ୍ରକୃତିର ଗତିକୁ ତ ବଦଳାଇ ହେବ ନାହିଁ; ଆମକୁ ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥା ତିଆରି କରି ବଞ୍ଚିବାକୁ ପଡ଼ିବ। ବିଗତ ବାତ୍ୟାଗୁଡ଼ିକରେ ଓଡ଼ିଶା ସରକାର ବିଜୁଳି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମାଗିଥିଲେ। ଏହା ସତ୍ତ୍ବେ ଏ ଯାଏ ସେ ବାବଦ ଅର୍ଥ ଓଡ଼ିଶାକୁ ମିଳିନାହିଁ। ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଏଥିପ୍ରତି କର୍ଣ୍ଣପାତ କରୁନି। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜାତୀୟ ସ୍ତରରେ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଅଧିକ ବାତ୍ୟା ଓ ବନ୍ୟାପ୍ରବଣ ରାଜ୍ୟଗୁଡ଼ିକର ସ୍ଥାୟୀ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଅର୍ଥ ଯୋଗାଣର ବ୍ୟବସ୍ଥା ରହିଛି। ଏହା ସତ୍ତ୍ବେ ବିପର୍ଯ୍ୟୟ ପରେ କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟଙ୍କ ପାଇଁ ଯେଉଁ ଅର୍ଥରାଶି ଘୋଷଣା କରନ୍ତି, ତାହା ବହୁ ବିଳମ୍ବରେ ମିଳେ। ଅନେକ ସମୟରେ ରାଜ୍ୟକୁ ଅଗ୍ରୀମ ଆକାରରେ ଦିଆଯାଇଥିବା ଅର୍ଥ ବାବଦରେ ତାହାକୁ ମଡାଣ ବା ମଜୁରା କରାଯାଏ। ଏହା ଫଳରେ ରିଲିଫ୍, ଥଇଥାନ ଓ ପୁନର୍ବାସ ଆଦି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଅର୍ଥାଭାବର ସମ୍ମୁଖୀନ ହୋଇଥା’ନ୍ତି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ଥିବା ବାସ୍ତବତାକୁ ହୃଦୟଙ୍ଗମ କରି ସବୁ ପ୍ରତିବନ୍ଧକ ଦୂର କରିବା ଆବଶ୍ୟକ।
ଶେଷ କଥା ହେଲା ବାତ୍ୟା ଆମ ପାଇଁ ନୂଆ କଥା ନୁହେଁ। ଏହା ଆମ ଜୀବନର ଏକ ଅଂଶବିଶେଷ ହୋଇସାରିଛି। ଯଦି ଏଥର ପୁଣି ବାତ୍ୟା ଆସେ, ଆମେ ପୂର୍ବଭଳି ଛାନିଆ ନ ହୋଇ ସାହସର ସହିତ ଏହାର ମୁକାବିଲା କରିବା। ବିପତ୍ତି କାଳରେ ସର୍ବଦା ସରକାରଙ୍କୁ ଅପେକ୍ଷା ନ କରି ନିଜେ ନିଜକୁ ଓ ଅପରକୁ ସାହାଯ୍ୟ ସହଯୋଗ କରିବା। ତେବେ ଯାଇ ଆମେ ବିଜୟୀ ହୋଇପାରିବା।