‘ଘିବ୍‌‌ଲି’ର ଦୁନିଆ

ସମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା(ଟ୍ରେଣ୍ଡି) ବିଶ୍ୱ, ପରିବେଶ, ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣି ନେଇ ଚାଲିଛି ତାହା ବୋଧହୁଏ କ୍ଷଣେ ଚିନ୍ତା କରିବା ପାଇଁ ଆମ ପାଖରେ ସମୟ ନାହିଁ। ପ୍ରତିଦିନ ପ୍ରତିକ୍ଷଣରେ କତିପୟ ବ୍ୟକ୍ତି/ଅନୁଷ୍ଠାନ/ସଂସ୍ଥା ଦ୍ୱାରା ନୂଆ ନୂଆ ଉଦ୍‌‌ଭାବନ ଅବଶିଷ୍ଟ ବିଶ୍ୱର ମଣିଷ ମନରେ ଯେଉଁ ‘ମାନିଆ’(ଅତିଶୟ ଆଗ୍ରହ) ରୂପକ ଭସ୍ମାସୁରଟିମାନଙ୍କୁ ଜନ୍ମ ଦେଇଚାଲିଛି ତାହାର ପରାଭବ ଜାଣି ମଧ୍ୟ ଆମେ ସମସ୍ତେ ସତେଯେମିତି […]

ସମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା(ଟ୍ରେଣ୍ଡି) ବିଶ୍ୱ, ପରିବେଶ, ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣି ନେଇ ଚାଲିଛି ତାହା ବୋଧହୁଏ କ୍ଷଣେ ଚିନ୍ତା କରିବା ପାଇଁ ଆମ ପାଖରେ ସମୟ ନାହିଁ। ପ୍ରତିଦିନ ପ୍ରତିକ୍ଷଣରେ କତିପୟ ବ୍ୟକ୍ତି/ଅନୁଷ୍ଠାନ/ସଂସ୍ଥା ଦ୍ୱାରା ନୂଆ ନୂଆ ଉଦ୍‌‌ଭାବନ ଅବଶିଷ୍ଟ ବିଶ୍ୱର ମଣିଷ ମନରେ ଯେଉଁ ‘ମାନିଆ’(ଅତିଶୟ ଆଗ୍ରହ) ରୂପକ ଭସ୍ମାସୁରଟିମାନଙ୍କୁ ଜନ୍ମ ଦେଇଚାଲିଛି ତାହାର ପରାଭବ ଜାଣି ମଧ୍ୟ ଆମେ ସମସ୍ତେ ସତେଯେମିତି ମୋହାଗ୍ରସ୍ତ ହୋଇପଡ଼ିଛୁ। ସମ୍ପ୍ରତି ‘ଘିବ୍‌‌ଲି ଇମେଜ୍‌‌(ମତାନ୍ତରରେ ଜିବ୍‌‌ଲି)’ ଭଳି ସେହିଭଳି ଏକ ‘ମାନିଆ’ ଦ୍ୱାରା ଆମ ଭିତରୁ ଅଧିକାଂଶ ଆକ୍ରାନ୍ତ ହୋଇଚାଲିଛୁ, ଯେଉଁଠାରେ ନିଜକୁ ଏକ କାର୍ଟୁନ୍‌‌(କଣ୍ଢେଇ) ଭାବେ ଦେଖିବା ପାଇଁ ଆମର ବ୍ୟଗ୍ରତା ବଢ଼଼ିଚାଲିଛି। ନିଜକୁ ଭିନ୍ନ ଭିନ୍ନ ରୂପରେ ଦେଖିବାର ଅତ୍ୟାଗ୍ରହ ମଣିଷର ଆଦିମ କାଳରୁ ରହିଆସିଛି। ବିବର୍ତ୍ତନରେ ଏହା ଅଧିକ ଶାଣିତ ହୋଇଛି ଏବଂ ବୈଜ୍ଞାନିକ ଜ୍ଞାନକୌଶଳକୁ ଉପଯୋଗ କରୁଛି। ଏଥିରେ ଅସ୍ୱାଭାବିକତା ନାହିଁ। କିନ୍ତୁ ଏଥିରେ ଯେଉଁ ବିପଦ ଆଶଙ୍କାଟି ଲୁଚି ରହିଛି ସେ ପ୍ରସଙ୍ଗରେ ଆମ ଅଜ୍ଞତା ତୁଳନାରେ ଉଦାସୀନତା ହିଁ ଉଦ୍‌‌ବେଗଜନକ।

ଜାପାନ୍‌‌ ଚିତ୍ରକର/ଫଟୋଗ୍ରାଫର ହାୟାଓ ମିୟାଜାକିଙ୍କ ମାନସସନ୍ତାନ କୁହାଯାଉଥିବା ଜାପାନ୍‌‌ର ଖ୍ୟାତନାମା ଆନିମେସନ୍‌‌ ଲାବ୍‌‌ ‘ଘିବ୍‌‌ଲି ଷ୍ଟୁଡିଓ’ର ନାମକୁ ବ୍ୟବହାର କରି ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ବିକାଶ ସଂସ୍ଥା ଓପନ୍‌‌ଏଆଇର ଚାଟ୍‌‌ଜିପିଟି ଯେତେବେଳେ ‘ଘିବଲ୍‌‌ି ଇମେଜ୍‌‌’ ସଫ୍ଟୱେରଟିକୁ ବିକଶିତ କଲା ସେତେବେଳେ ବୋଧହୁଏ ଚିନ୍ତା କରିନଥିଲା ଯେ ତାହା ଏତେ ଶୀଘ୍ର ବିଶ୍ୱର ବିଶାଳ ଅଞ୍ଚଳକୁ ନିଜ ହାତମୁଠାକୁ ନେଇଯିବ। ନିଜ ଚେହେରାକୁ କଣ୍ଢେଇ(ଘିବ୍‌‌ଲି ଇମେଜ୍‌‌) ଭାବରେ ଦେଖି କ୍ଷଣିକ ଆନନ୍ଦ ଲାଭର ମୋହାଗ୍ରସ୍ତମାନେ ପ୍ରତିଦିନ ଏତେ ବିପୁଳ ସଂଖ୍ୟାରେ ଫଟୋ ଅପ୍‌‌ଲୋଡ୍‌‌ କରିଚାଲିଛନ୍ତି ଯେ ତାହା ଚାଟ୍‌‌ଜିପିଟି ପାଇଁ ମଧ୍ୟ ଶକ୍ତି ଓ ସମ୍ବଳ ସଙ୍କଟ ସମସ୍ୟା ସୃଷ୍ଟି କରିସାରିଲାଣି। ଏହି ଅତ୍ୟାଗ୍ରହ ଏଭଳି ସ୍ତରକୁ ଚାଲିଗଲାଣି ଯେ ଲୋକମାନେ ନିଜ ଫଟୋ ସହିତ ପରଲୋକଗତ ଆତ୍ମୀୟ, ଏପରିକି ପୋଷ୍ୟଜନ୍ତୁଙ୍କ ଫଟୋ ଅପ୍‌‌ଲୋଡ୍‌‌ କରିବାରେ ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି। ଏଣୁ ଦୈନିକ ଜଣକ ପିଛା ମାତ୍ର ତିନିଟି ଫଟୋ ଅପ୍‌‌ଲୋଡ୍‌‌ କରିବାର ସୀମା ଚାଟ୍‌‌ଜିପିଟି ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛି।

ଟ୍ରେଣ୍ଡି ମାନିଆର ଏହି ନୂତନ ସଂସ୍କରଣଟି ଏତେ ଉଦ୍‌‌ବେଗଜନକ ହୋଇ ନ ଥା’ନ୍ତା ଯଦି ବିଶେଷଜ୍ଞମାନେ ଏଥିସହିତ ଜଡ଼ିତ ବିପଦ ଆଶଙ୍କା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନ ଥା’ନ୍ତେ। ଆମମାନଙ୍କ ମଧ୍ୟରୁ ଅନୁଭବୀମାନେ ବୋଧହୁଏ ଜାଣିସାରିଥିବେ ଯେ ଆମର ‘ଘିବ୍‌‌ଲି ଇମେଜ୍‌‌’ ପାଇଁ ଉଦ୍ଦିଷ୍ଟ ସାଇଟ୍‌‌ରେ ଆମ ଫଟୋଟିଏ ଅପ୍‌‌ଲୋଡ୍‌‌ କରିଦେବା ମାତ୍ରେ ଏଆଇ ଆପେ ଆପେ ଆମ ଇମେଲ୍‌‌ ଆଇଡିଟିକୁ ଖୋଜି ଆମ ସାମ୍ନାରେ ଉପସ୍ଥାପନ କରୁଛି ଏବଂ ତାହାକୁ ବ୍ୟବହାର କରିବାର ଅନୁମତି ମାଗୁଛି। ଆଜିର ଏଇଆଇ ଯୁଗରେ ଗୋପନୀୟତା ଓ ତଥ୍ୟ ସୁରକ୍ଷା ସବୁଠାରୁ ବଡ଼ ଆହ୍ୱାନ ପାଲଟିଥିବା ବେଳେ ଆମେ ନିଜକୁ ନିଜେ ଏଆଇ ଆଗରେ ଆମର ସମସ୍ତ ଗୋପନୀୟ ତଥ୍ୟ ସହିତ ଆତ୍ମସମର୍ପଣ କରିଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓପନ୍‌‌ ଏଆଇର ଚାଟ୍‌‌ଜିପିଟି ସ୍ପଷ୍ଟ ଘୋଷଣା କରିସାରିଛି ଯେ ସଂସ୍ଥାର କର୍ମଚାରୀ/ଇଞ୍ଜିନିୟରମାନଙ୍କ ତାଲିମ୍‌‌ ପାଇଁ ଅପ୍‌‌ଲୋଡ୍‌‌ ହେଉଥିବା ଫଟୋସବୁକୁ ସେ ବ୍ୟବହାର କରିପାରିବ। ଏଥିସହିତ ସଂସ୍ଥା ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ‘ଯେହେତୁ ଚାଟ୍‌‌ଜିପିଟି ବ୍ୟବହାରକାରୀମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଫଟୋ ଓ ତଥ୍ୟ ଅପ୍‌‌ଲୋଡ୍‌‌ କରୁଛନ୍ତି ତେଣୁ ଏ କ୍ଷେତ୍ରରେ ତଥ୍ୟ ଗୋପନୀୟତା ନିୟମ ମାନିବା ପାଇଁ ସଂସ୍ଥା ବାଧ୍ୟ ନୁହେଁ। ଯଦି ବ୍ୟବହାରକାରୀମାନେ ତଥ୍ୟ ଗୋପନୀୟତା ପାଇଁ ଏତେ ସମ୍ବେଦନଶୀଳ ତେବେ ସେମାନେ କାର୍ଟୁନ୍‌‌ ଇମେଜ୍‌‌ ପାଇଁ କୌଣସି ଅଫ୍‌‌ଲାଇନ୍‌‌ ସଫ୍ଟୱେର ବ୍ୟବହାର କରନ୍ତୁ।’ ତେଣୁ ଭବିଷ୍ୟତରେ ଯଦି କାହାର ଫଟୋ ବା ଚେହେରାର ଦୁୁରୁପଯୋଗ ହୁଏ ତେବେ ଚାଟ୍‌‌ଜିପିଟି ସେଥିପାଇଁ ଦାୟୀ ରହିବ ନାହିଁ ବା ଆମକୁ ଆଇନ ଅଦାଲତରୁ ମଧ୍ୟ ସହାୟତା ଓ ସମର୍ଥନ ମିଳିବ ନାହିଁ।

ହ୍ୱାଇଟ୍‌‌ହାଉସ୍‌‌ ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ୍‌‌ ରାଷ୍ଟ୍ରପତି ଭୋଲ୍‌‌ଡିମିର ଜେଲେନ୍ସି ପରସ୍ପରକୁ କରାଟେ ଓ ବାହୁଯୁଦ୍ଧରେ ଆକ୍ରମଣ କରୁଥିବାର ଏକ ଭିଡିଓ ନିକଟରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଏଆଇର ଶକ୍ତି ବିଷୟରେ କିଛିଟା ଆଭାସ ମିଳିପାରିଥିଲା। ତେଣୁ ଆମେ ନିଜ ନିଜର ସବୁଠାରୁ ସ୍ପଷ୍ଟ ଚେହେରା ଯୁକ୍ତ ଯେଉଁ ଫଟୋଗୁଡ଼ିକୁ ଚାଟ୍‌‌ଜିପିଟିକୁ ଦେବାରେ ଉନ୍ମାଦନା ପ୍ରଦର୍ଶନ କରୁଛୁ ତାହାକୁ ଏଆଇ ଯେ ଭବିଷ୍ୟତରେ ଅନ୍ୟ କାର୍ଯ୍ୟରେ ବ୍ୟବହାର ନ କରିବ, ତାହା ନିଶ୍ଚିତ କରି ହେବ ନାହିଁ। ହୁଏତ କିଛି ଖଳପ୍ରକୃତିର ବ୍ୟକ୍ତି ଆମମାନଙ୍କର ଫଟୋକୁ ନେଇ କୌଣସି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବିପୁଳ ଅର୍ଥ ରୋଜଗାର କରିପାରନ୍ତି କିମ୍ବା କୌଣସି ଆପରାଧିକ କାର୍ଯ୍ୟରେ ସଂଶ୍ଲିଷ୍ଟ କରିପାରନ୍ତି। ପରିସ୍ଥିତି ଏଭଳି ମଧ୍ୟ ହୋଇପାରେ ଯେ ପରବର୍ତ୍ତୀ ସମୟରେ ସେଭଳି ଭିଡିଓ ଚିତ୍ରକୁ ଆମ ପରିବାର, ଘନିଷ୍ଠ ସମ୍ପର୍କୀୟ ଦୂରେ ଥାଉ ଆମେ ନିଜେ ମଧ୍ୟ ନିଜକୁ ବିଶ୍ୱାସ କରିପାରିବା ନାହିଁ। ଆଜି ମନୋରଞ୍ଜନର ଦୁନିଆ ‘ଘିବ୍‌‌ଲି’ ଆସନ୍ତା କାଲି ଅବିଶ୍ୱାସର ଏଭଳି ବାତାବରଣ ସୃଷ୍ଟି କରିଦେବ ଯେ ଆମେ ଆମ ନିଜକୁ ସଚ୍ଚୋଟ ଓ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିବା। ଏହା ପାରିବାରିକ ପବିତ୍ର ସମ୍ପର୍କକୁ ଆବିଳ କରିବା ସହିତ ବିବାହ ବିଚ୍ଛେଦ ଭଳି ଅଗଣିତ ସମସ୍ୟାକୁ ଜନ୍ମ ଦେବା ଅସମ୍ଭବ ନୁହେଁ।। ଫଟୋରୁ ମୁଖ ଓ ଆଖିରେ ଆମ ବାୟୋମାଟ୍ରିକ୍‌‌ ତଥ୍ୟ ଲୁକ୍କାୟିତ ରହୁଥିବାରୁ ତା’ ଜରିଆରେ ଏଆଇ ଆମ ଆର୍ଥିକ କାରବାରର ବିବରଣୀ ମଧ୍ୟ ସାର୍ବଜନୀନ କରିପାରେ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି।

‘ଘିବ୍‌‌ଲି ଇମେଜ୍‌‌’ ପ୍ରତି ଆମ ଉନ୍ମାଦନା, ଦୁର୍ବଳତା, ଆକର୍ଷଣ ଓ ଲୋକପ୍ରିୟତାକୁ ଦେଖି ଚାଟ୍‌‌ଜିପିଟି ସହିତ ଗ୍ରୋକ୍‌‌-୩, ଜେମିନି ଆଦି ସଂସ୍ଥା ପ୍ରତିଯୋଗିତାକୁ ଓହ୍ଲାଇବାକୁ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଥିବା ସୂଚନା ମିଳିଛି। ଏବେ କେବଳ ପରୀକ୍ଷଣ ଓ ଗବେଷଣା ସ୍ତରରେ ଥିବା ଏହି ଟୁଲ୍‌‌ ଯେତେବେଳେ ସ୍ୱୟଂସମ୍ପୂର୍ଣ୍ଣ ହେବ ଏବଂ ଏକାଧିକ ବିକାଶକାରୀ ସଂସ୍ଥା ଆତ୍ମପ୍ରକାଶ କରିବେ ସେତେବେଳେ ତାହାର ପ୍ରଭାବ କୋଭିଡ୍‌‌ ବୈଶ୍ୱିକ ମହାମାରୀ ଭଳି ହେବ ନାହିଁ ତ – ଏହି ପ୍ରଶ୍ନ ଉଙ୍କି ମାରୁଛି। ଯଦି ବିଶ୍ୱରେ ଏକ ଭୟଙ୍କର ମହାମାରୀ ସୃଷ୍ଟି ହେବ ତାହାର ନିରାକରଣ ପାଇଁ ବିଶ୍ୱ କିଭଳି ପ୍ରସ୍ତୁତ ହେବା ଆବଶ୍ୟକ – ଏହି ପ୍ରତିଷେଧକମୂଳକ ମହତ୍‌‌ ଉଦ୍ୟମ ଓ ଗବେଷଣାରୁ ଅସାବଧାନତା ଓ ଯତ୍ନହୀନତାରୁ ୨୦୧୯ରେ ବେଜିଂରେ ଯେଉଁ ଭୂତାଣୁଟି ଜନ୍ମ ନେଇଥିଲା ତାହାର ଭୟାବହତା ଏବେ ମଧ୍ୟ ବିଶ୍ୱବାସୀଙ୍କ ମନରୁ ଲିଭିନାହଁ। ତେଣୁ ଆମେ ନିଜକୁ କ୍ୱାରେଣ୍ଟାଇନ୍‌‌ରେ ରଖିବାକୁ ବାଧ୍ୟ ହେବା ପୂର୍ବରୁ ସଂଯମ ଓ ଆତ୍ମସଚେତନ ହେବା ଜରୁରୀ। ‘ଘିବ୍‌‌ଲି ଦୁନିଆ’ରେ ବଞ୍ଚିବାର ଆମ ମାନିଆ ଆମକୁ ସେହି ସୋପାନକୁ ନେଇ ନ ଯାଉ ଯେଉଁଠାରୁ ଫେରିବା ସମ୍ଭବ ହେବ ନାହିଁ। କୁହାଯାଏ ଆବଶ୍ୟକତା ହିଁ ଉଦ୍‌‌ଭାବନର ଜନନୀ। କିନ୍ତୁ ଏବେ ସେହି ଉଦ୍‌‌ଭାବନର ମାନସ ସନ୍ତାନ ରୂପେ ଆମ ବିବଶତା ସାମ୍ନାକୁ ଆସୁଛି। ନିଜକୁ କଣ୍ଢେଇ ରୂପରେ ଦେଖିବାରୁ ଅତିଚ୍ଛା ଆମକୁ ଏଆଇ ହାତରେ କଣ୍ଢେଇ କରିଦେବା ଭଳି ଏବଂ ତା’ ନିର୍ଦ୍ଦେଶରେ ପରିଚାଳିତ ହେବା ଭଳି ସ୍ଥିତି ସୃଷ୍ଟି ନ ହେଉ।

About The Author: The Sakala