କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ର ବୃହତ ଭାଷା ଶୃଙ୍ଖଳ ‘ଲାର୍ଜ ଲାଙ୍ଗୁଏଜ ମଡେଲ’ ଉତ୍ପାଦ ‘ଚାଟ-ଜିପିଟି’ ୨୦୨୨ ନଭେମ୍ୱରରେ ଲୋକାର୍ପିତ ହେବା ପରଠୁ ଏହି ପ୍ରଯୁକ୍ତି କୌଶଳ ପ୍ରସ୍ତୁତିରେ ବିପୁଳ ସଂଖ୍ୟକ ଇଂରାଜୀ ରଚନା ବ୍ୟବହୃତ ହୋଇଥିବା ଏବଂ ଏଥିନିମନ୍ତେ ପ୍ରାୟୋଜକ ଅନୁମତି ହାସଲ କରିନଥିବା ସମସ୍ୟାକୁ ନେଇ ୨୦୨୩ ବର୍ଷବ୍ୟାପୀ ଆଲୋଚନା ଜାରି ରହିଥିଲା। ସୃଜନ ସ୍ୱତ୍ୱ ଉଲଂଘନ ଅଭିଯୋଗରେ କେତେକ ଲେଖକ ଓ ଏକ ଫଟୋ ଏଜେନ୍ସି ମଧ୍ୟ ଅଦାଲତ ଦ୍ୱାରସ୍ଥ ହୋଇଥିଲେ। ତେବେ ୨୭ ଡିସେମ୍ୱର ୨୦୨୩ରେ ପ୍ରମୁଖ ମାର୍କିନ ସମ୍ୱାଦପତ୍ର ‘ଦି ନ୍ୟୁୟର୍କ ଟାଇମ୍ସ’ ମାନହଟ୍ଟାନ ପ୍ରାଦେଶିକ ଜିଲ୍ଲା ଅଦାଲତ ‘ଫେଡେରାଲ ଡିଷ୍ଟ୍ରିକ୍ଟ କୋର୍ଟ ଅଫ ମାନହଟ୍ଟାନ’ରେ ମାନହାନି ମୋକଦ୍ଦମା ଦାୟର କରିବା ପରେ ଏହି ମାମଲା ଅଧିକ ରୋଚକ ହୋଇଥିଲା।
ଲାର୍ଜ ଲାଙ୍ଗୁଏଜ ମଡେଲ(ଏଲ୍ଏଲ୍ଏମ୍)ଗୁଡ଼ିକ ପ୍ରତ୍ୟେକ ଏକ କମ୍ପ୍ୟୁଟର ପ୍ରୋଗ୍ରାମ। ଏହା ମାନବ ବ୍ୟବହୃତ ରଚନା(ଟେକ୍ସଟ) ବୁଝିବା ଓ ଲେଖିବାରେ ସମର୍ଥ। ଅର୍ଥାତ, ଏଲଏଲଏମକୁ କୌଣସି ପ୍ରଶ୍ନ ପଚାରିଲେ ଏହା ଉପଲବ୍ଧ ତଥ୍ୟ ଆଧାରରେ ଉତ୍ତର ଦେଇପାରେ। ଏହି ଦକ୍ଷତା ହାସଲ ନିମନ୍ତେ ଏଲଏଲଏମ ବିପୁଳ ସଂଖ୍ୟକ ପୂର୍ବ ପ୍ରସ୍ତୁତ ରଚନା ଅଧ୍ୟୟନରେ ତାଲିମପ୍ରାପ୍ତ ହୋଇଥାଏ। ‘ଦି ନ୍ୟୁୟର୍କ ଟାଇମ୍ସ’ପକ୍ଷରୁ ଦାବି କରାଯାଉଛି ଯେ ‘ଚାଟ-ଜିପିଟି’ ତାଲିମରେ ସମ୍ୱାଦପତ୍ର ପ୍ରସ୍ତୁତି ଓ ଅନଲାଇନରେ ଉପଲବ୍ଧ ଲକ୍ଷ ଲକ୍ଷ ସମ୍ୱାଦ ରଚନା ବ୍ୟବହୃତ ହୋଇଛି। ‘ଚାଟ-ଜିପିଟି’ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ସମ୍ୱାଦପତ୍ରରେ ପ୍ରକାଶିତ ରଚନାର ପ୍ରାୟ ଅବିକଳ ନକଲ ଉତ୍ତର ଦେଉଛି। ଏହି ପରିବେଶ ସୃଜନ ସ୍ୱତ୍ୱ(କପିରାଇଟ)ର ବିରୁଦ୍ଧାଚରଣ କରୁଛି। ସମ୍ୱାଦପତ୍ର ନିମନ୍ତେ ସୃଜନ, ସମୟ ଓ ଅର୍ଥ ବ୍ୟୟରେ ପ୍ରସ୍ତୁତ ରଚନାବଳୀ ପରୋକ୍ଷ ଉପଯୋଗରେ ଏଲଏଲଏମଗୁଡ଼ିକ ନିଜସ୍ୱ ବ୍ୟବସାୟ ଆରମ୍ଭ କରିଛନ୍ତି।
‘ଦି ନ୍ୟୁୟର୍କ ଟାଇମ୍ସ’ ପକ୍ଷରୁ କୁହାଯାଇଛି ଯେ ସାଧାରଣ ପାଠକ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ବିବରଣୀ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏଲଏଲଏମ ଚାଟବଟଗୁଡ଼ିକ ନିକଟରେ ପହଞ୍ଚୁଛନ୍ତି। ଚାଟବଟ ‘ଦି ନ୍ୟୁୟର୍କ ଟାଇମ୍ସ’ଭଳି ସମ୍ୱାଦପତ୍ରରୁ ଆହରଣ କରିଥିବା ରଚନା ସନ୍ନିବେଶରେ ଉତ୍ତର ପ୍ରସ୍ତୁତ କରୁଛି। ଉପଭୋକ୍ତାମାନେ ‘ଚାଟ-ଜିପିଟି’ର ଉତ୍ତରରେ ସନ୍ତୁଷ୍ଟ ହୋଇ ଅଧିକ ଜାଣିବା ଲାଗି ସମ୍ୱାଦପତ୍ର ୱେବ୍ସାଇଟକୁ ଆଉ ଯାଉନାହାନ୍ତି। ଫଳରେ ପରିଦର୍ଶକ ଅଭାବରୁ ୱେବସାଇଟର ବିଜ୍ଞାପନ ଓ ଗ୍ରାହକଚାନ୍ଦା ରାଜସ୍ୱ ହାନି ଘଟିବା ଆଶଙ୍କା ଦେଖାଦେଇଛି। ଏକପକ୍ଷରେ ନିଜ ସୃଜନ ସ୍ୱତ୍ୱ ଅନ୍ୟତ୍ର ହରାଇବା ସହ ଅପରପକ୍ଷରେ ବ୍ୟାବସାୟିକ ବିରୋଧାଭାସର ସୂଚନା ମିଳିଛି।
ଅଦାଲତ ଦରଖାସ୍ତରେ ‘ଦି ଦ୍ୟୁୟର୍କ ଟାଇମ୍ସ’ ପକ୍ଷରୁ ‘ଓପନ-ଏଆଇ’ ଓ ‘ମାଇକ୍ରୋସଫଟ’ ବିରୋଧରେ ସୃଜନ ସ୍ୱତ୍ୱ ଉଲଂଘନ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ କ୍ଷତିପୂରଣ ଦାବି କରାଯାଇ ନାହିଁ। କିନ୍ତୁ ଏତଦ୍ୱାରା ସମ୍ୱାଦପତ୍ରର ବ୍ୟାପକ କ୍ଷତି ଘଟିଥିବା ଏବଂ ଏଥିନିମନ୍ତେ ଏଲଏଲଏମ ପ୍ରଯୋଜକଙ୍କୁ ଦାୟୀ କରାଯାଇଛି। ‘ଦି ନ୍ୟୁୟର୍କ ଟାଇମ୍ସ’ ରଚନା ବ୍ୟବହାର କରିଥିବା ଏଲଏଲଏମଗୁଡ଼ିକୁ ତୁରନ୍ତ ନଷ୍ଟ କରିଦେବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଅଦାଲତଠାରେ ପ୍ରାର୍ଥନା କରାଯାଇଛି। ଏଲଏଲଏମ ତାଲିମରେ ସମ୍ୱାଦପତ୍ରରେ ପ୍ରକାଶିତ ରଚନା ବ୍ୟବହାର ବିରୋଧରେ ‘ଦି ନ୍ୟୁୟର୍କ ଟାଇମ୍ସ’ ଓପନ-ଏଆଇ ଓ ମାଇକ୍ରୋସଫ୍ଟ ସହ ଏପ୍ରିଲ ୨୦୨୩ରୁ ବିଧିବଦ୍ଧ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ନିଷ୍ପତ୍ତି ହୋଇ ନ ପାରିବାରୁ ମାମଲା ଅଦାଲତରେ ପହଞ୍ଚିଛି।
ଏଆଇ ଏଲଏଲଏମ ଓ ସୃଜନ ସ୍ୱତ୍ୱ ମାମଲା ପ୍ରାଥମିକସ୍ତରରେ ଥିବା ହେତୁ ଆଇନଗତ ଲଢ଼େଇ କେଉଁ ଦିଗରେ ଗତି କରିବ ତାହା ସମୟ କହିବ। ତେବେ ମାର୍କିନ ଆଇନ ବିଶାରଦମାନେ ଟିପ୍ପଣୀ ଦେଉଛନ୍ତି ଯେ ସୃଜନ ସ୍ୱତ୍ ସମ୍ପର୍କିତ ମାମଲା ଦୀର୍ଘଦିନ ଧରି ଚାଲିପାରେ। ବିଚାର, ଅପିଲରେ ସମୟ ଅତିବାହିତ ହୋଇ ସୁପ୍ରିମକୋର୍ଟରେ ପହଞ୍ଚିପାରେ। ଏଭଳି ଘଟଣାକ୍ରମରେ ଦଶ ବର୍ଷ ବିତି ଯିବା ଅସମ୍ଭବ ନୁହେଁ। ସାଧାରଣରେ ସୃଜନ ସ୍ୱତ୍ୱ ମାମଲାଗୁଡ଼ିକ ପାରସ୍ପରିକ ବୁଝାମଣାରେ ତୁଟେ। ‘ଓପନ-ଏଆଇ’ପକ୍ଷରୁ ‘ଦି ଆସୋସିଏଟେଡ୍ ପ୍ରେସ’ ନିଉଜ ଏଜେନ୍ସି ଓ ‘ପଲଟିକୋ’, ‘ବିଜିନେସ ଇନସାଇଡର’ର ପ୍ରକାଶକ ଆଲେକ୍ସ ସ୍ପ୍ରିଙ୍ଗରଙ୍କ ସଙ୍ଗେ ସୃଜନ ସ୍ୱତ୍ୱ ନେଇ ବୁଝାମଣା ସରିଛି। ପ୍ରଶ୍ନ ଉଠେ ‘ଦି ନ୍ୟୁୟର୍କ ଟାଇମ୍ସ’ପକ୍ଷରୁ ‘ଓପନ-ଏଆଇ’ ଓ ‘ମାଇକ୍ରୋସଫ୍ଟ’ ବିରୋଧରେ ସୃଜନ ସ୍ୱତ୍ୱ ମୋକଦ୍ଦମା ଯଦି ଦଶ ବର୍ଷ ଯାଏଁ ସମ୍ପ୍ରସାରିତ ହୁଏ, ତେବେ ୨୦୨୩ ବାର୍ଷିକ ହିସାବରେ ପ୍ରତି ଛଅ ମାସରେ ଦ୍ୱିଗୁଣିତ ହେଉଥିବା ଏଆଇ ପ୍ରଯୁକ୍ତି କୌଶଳ ହୁଏତ ଏପରି ଏକ ସ୍ତରରେ ପହଞ୍ଚି ସାରିଥିବ, ଯେଉଁଠି ମକଦ୍ଦମାଟି ଅପ୍ରାସଙ୍ଗିକ ହୋଇପଡ଼ିବ।
ସୃଜନ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଅଗ୍ରଗତି ବିଶ୍ୱ ଜନଜୀବନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ମୌଳିକସ୍ତରରେ ଆଲୋଚନା କଲେ ସୃଜନ ସ୍ୱତ୍ୱ ବ୍ରିଟେନରେ ମୁଦ୍ରଣ ଶିଳ୍ପ ପ୍ରସାରିତ ହେବା ଅବସରରେ ବ୍ୟାବସାୟିକ ସୁରକ୍ଷା ନିମନ୍ତେ ୧୭୧୦ରେ ପ୍ରଣୀତ ହୋଇଥିଲା। ମୁଦ୍ରଣ କଳାକୌଶଳ ବିକଶିତ ହେବା ପୂର୍ବରୁ ଠାର, ଭାଷା ଓ ଲିପି ମାଧ୍ୟମରେ ମାନବ ସଭ୍ୟତା ବିନା ସୃଜନ ସ୍ୱତ୍ୱ ସଂରକ୍ଷଣରେ ହଜାର ହଜାର ବର୍ଷ ଅତିବାହିତ କରିଛି। ମାତ୍ର ଚାରି ଶହ ବର୍ଷର ଏକ ଆଇନକୁ କେନ୍ଦ୍ର କରି କ’ଣ ଆମେ ବିଜ୍ଞାନର ସଦ୍ୟତମ ଆବିଷ୍କାର ସୃଜନ କୃତ୍ରିମ ବୁଦ୍ଧିମତ୍ତା ଜନିତ ସୁଯୋଗସୁବିଧାକୁ ଅଣଦେଖା କରିପାରିବା?
ସାଧାରଣରେ ମନୁଷ୍ୟ ଅନ୍ୟମାନଙ୍କୁ ଅନୁକରଣ କରି ଭାଷା ଶିଖେ। ଏଲଏଲଏମ ଯଦି ଅନଲାଇନରେ ଉପଲବ୍ଧ ସାହିତ୍ୟ ଅଧ୍ୟୟନ କରି ମାନବିକ ରଚନା ବୁଝିବା ଓ ଲେଖିବା ଦକ୍ଷତା ହାସଲ କରିପାରୁଛି, ସେଥିରେ ପ୍ରତିବନ୍ଧକ ଆଣିବା ଯୁକ୍ତିଯୁକ୍ତ କି? କୌଣସି ବ୍ୟାବସାୟିକ ବୁଝାମଣାରେ ନୀତି ନିର୍ଦ୍ଧାରଣ କିମ୍ୱା ରାଜନୈତିକ ସୀମା-ସରହଦ ପ୍ରାକୃତିକ ନୁହେଁ। ପରିସ୍ଥିତି ସହ ପରିବର୍ତ୍ତନଶୀଳ। ‘ଚାଟ-ଜିପିଟି’ ଭଳି ଏକ ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ ବିନା ମୂଲ୍ୟରେ ଲୋକାର୍ପଣ ସାମୂହିକ ସ୍ୱାର୍ଥର ପ୍ରତିନିଧିତ୍ୱ ଦାବି କରିପାରିବ କି? ‘ଚାଟ-ଜିପିଟି’ ଏକ ପ୍ରଯୁକ୍ତି କୌଶଳ। ଉପଭୋକ୍ତାଙ୍କ ନିର୍ଦ୍ଦେଶମତେ ଏହା ରଚନା ପ୍ରସ୍ତୁତ କରେ ଏବଂ ପ୍ରସ୍ତୁତ ରଚନା ବ୍ୟବହାର ଉପଭୋକ୍ତାଙ୍କ ଇଚ୍ଛାଧୀନ। ‘ଚାଟ-ଜିପିଟି’ର ବ୍ୟକ୍ତିଗତ ଅନୁଭୂତି, ଅଭିମତ କିମ୍ୱା ଅଭିପ୍ରାୟ ନଥାଏ। ଏତଦ୍ୱାରା ପ୍ରସ୍ତୁତ ରଚନା ବ୍ୟବହାରକାରୀଙ୍କ ଦାୟିତ୍ୱଧୀନ। ଅର୍ଥାତ, ନ୍ୟାୟିକ ଓ ନୈତିକ ଭୂମିକା ବ୍ୟବହାରକାରୀ ନିର୍ବାହ କରିବେ। ଏହା ଏକ ପ୍ରଯୁକ୍ତିକୌଶଳ ହୋଇଥିବା ହେତୁ ଏହାର ନ୍ୟାୟିକ ବ୍ୟକ୍ତିତ୍ୱ ନଥାଏ ବୋଲି ‘ଚାଟ-ଜିପିଟି’ ସ୍ପଷ୍ଟୀକରଣ ଦିଏ।
ଅପରପକ୍ଷରେ ଅଦାଲତରେ ମୋକଦ୍ଦମା ଦାୟର ଅବସରରେ ‘ଦି ନ୍ୟୁୟର୍କ ଟାଇମ୍ସ’ ପକ୍ଷରୁ ଦାବି କରାଯାଇଛି ଯେ ‘ଚାଟ-ଜିପିଟି’ ସ୍ଥଳବିଶେଷରେ ସମ୍ୱାଦପତ୍ରରେ ପ୍ରକାଶିତ ରଚନାଗୁଡ଼ିକୁ ପ୍ରାୟତଃ ଅବିକଳ ଉପଭୋକ୍ତାଙ୍କୁ ଯୋଗାଉଛି। ପ୍ରଚଳିତ ଆଇନ ଅନୁଯାୟୀ ଏହା ନକଲ ପର୍ଯ୍ୟାଭୁକ୍ତ। ଏହା ପ୍ରମାଣିତ କରିବା ନିମନ୍ତେ ମକଦ୍ଦମା ଦରଖାସ୍ତ ସହ ଶହେ ସରିକି ଉଦାହରଣ ମଧ୍ୟ ସନ୍ନିବଶିତ କରିଛି। ବିଶେଷଜ୍ଞମାନେ କହୁଛନ୍ତି ଏଲଏଲଏମଗୁଡ଼ିକୁ ତାଲିମ ଦିଆଯାଉଥିବା ଉପାଦାନ ନକଲ କରୁଥିବା କିମ୍ୱା ଅତି ସାଧାରଣ ପରିବର୍ତ୍ତନ କରି ଉପସ୍ଥାପିତ କରୁଥିବା ଜଣାଯାଏ। ପ୍ରଶ୍ନ ଉଠେ ଉପଭୋକ୍ତାମାନେ ଏଲଏଲଏମ ମାଧ୍ୟମରେ ପ୍ରସ୍ତୁତ ରଚନାବଳୀ ମୌଳିକ ନା ନକଲ କିପରି ଜାଣିବେ? ଅର୍ଥାତ, ଉନ୍ନତ ପ୍ରଯୁକ୍ତିକୌଶଳ ବ୍ୟବହାର କରି ଅପରାଧିକ ମାମଲାରେ ଛନ୍ଦି ହୋଇଯିବେନି ତ! ‘ଓପନ-ଏଆଇ’ ଓ ‘ମାଇକ୍ରୋସଫଟ’ ବିରୁଦ୍ଧରେ ‘ଦି ନ୍ୟୁୟର୍କ ଟାଇମ୍ସ’ର ସୃଜନ ସ୍ୱତ୍ୱ ମାମଲା ପ୍ରକାଶନ ଜଗତରେ ସୁଦୂରପ୍ରସାରୀ ପ୍ରଭାବ ପକାଇବା ଆଶା କରାଯାଇପାରେ।
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪