ଆଜିର ଅତ୍ୟାଧୁନିକ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଜ୍ଞାନକୌଶଳ ସମ୍ପନ୍ନ ଦେଶ ଭିତରୁ ଜାପାନର ନାମ ଅଗ୍ରଣୀ ଦେଶ ମଧ୍ୟରେ ରହିବ। ନିଷ୍ଠାପର କର୍ମ ହିଁ ଏହି ଦେଶର ଏକମାତ୍ର ସଂସ୍କୃତି ଓ ଧର୍ମ ବୋଲି ମନେହୁଏ। ଏହି ଦେଶର ନାଗରିକମାନେ ବେଶ୍ କର୍ମତତ୍ପର, ଧୀସମ୍ପନ୍ନ, ନିଷ୍ଠାବାନ, ଓ ନିୟମାନୁବର୍ତ୍ତୀ ଓ ଘୋର ବସ୍ତୁବାଦୀ ଭାବରେ ଜଣାଶୁଣା। ସାଧାରଣତଃ ବସ୍ତୁବାଦୀମାନେ ଐଶ୍ୱରୀୟ ସତ୍ତା, ଭଗବତ୍ ଆଶୀର୍ବାଦ କିମ୍ବା ଚମତ୍କାର ବଦଳରେ ନିଷ୍ଠାପର କର୍ମସଂସ୍କୃତି ଉପରେ ହିଁ ପ୍ରଗାଢ଼ ବିଶ୍ୱାସ ରଖନ୍ତି। କିନ୍ତୁ ଜାପାନ୍ରେ ଏଇ ନିକଟରେ ଏଭଳି ଏକ ଘଟଣା ଘଟିଯାଇଛି, ଯାହା କୌଣସି ବଡ଼ ଚମତ୍କାରଠାରୁ କମ୍ ନୁହେଁ। ଏହି ଘଟଣା ଦେଖିବା ପରେ ଯେକୌଣସି ଘୋର ବସ୍ତୁବାଦୀ ମଧ୍ୟ ଈଶ୍ୱରୀୟ ସତ୍ତାକୁ ଗ୍ରହଣ କରିବା ପାଇଁ ବାଧ୍ୟ ହେବ!
ଗତ ୩ ତାରିଖରେ ୩୭୯ ଜଣ ଯାତ୍ରୀଙ୍କୁ ନେଇ ଟୋକିଓ ଆସୁଥିବା ଜାପାନ୍ ଏୟାର ଲାଇନ୍ସ ୫୧୬ ଏୟାର ବସ୍-୩୫୦, ଟୋକିଓର ହାନିଡା ମୁଖ୍ୟ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନ୍ୱେ ନିକଟରେ ଅପେକ୍ଷାରେ ଥିବା ଆଉ ଏକ ଛୋଟ ବିମାନ ସହ ଧକ୍କା ହୋଇଥିଲା। ଉପକୁଳ ସୁରକ୍ଷା ବାହିନୀର ଏହି ଛୋଟ ବିମାନଟି ଜାପାନର ବିରାଟ ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ନେଇ ଯିବାକୁ ଉଦ୍ୟତ ହେବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଛୋଟ କୋଷ୍ଟଗାର୍ଡ ବିମାନ ଏମ୍ଏ ୭୨୨ ରେ ଥିବା ମୋଟ ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଯାତ୍ରୀବାହୀ ବିମାନରେ ଗୋଟିଏ ପଟ ଡେଣାରେ ନିଆଁ ଲାଗିଯାଇଥିଲା। ଏହା ସର୍ବଜନବିଦିତ ଯେ ଥରେ ବିମାନରେ ନିଆଁ ଲାଗିଲେ ମାତ୍ର କିଛି କ୍ଷଣ ମଧ୍ୟରେ ତାହା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଯିବା ଏକପ୍ରକାର ନିଶ୍ଚିତ ଏବଂ ଜଳନ୍ତା ବିମାନରୁ ଯାତ୍ରୀମାନଙ୍କ ଉଦ୍ଧାର ପ୍ରାୟତଃ ଅସମ୍ଭବ। କିନ୍ତୁ ଏ କ୍ଷେତ୍ରରେ ବଡ଼ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି, ଯାହାକୁ ବିଶେଷଜ୍ଞମାନେ ଏକ ବିରାଟ ଚମତ୍କାର ବୋଲି କହୁଛନ୍ତି।
ଦୁର୍ଘଟଣା ସ୍ଥଳରେ ଥିବା ଦେଖଣାହାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟିବା ଓ ବିମାନରେ ନିଆଁ ଲାଗି ଯାଇଥିବା ସମ୍ପର୍କରେ ବିମାନର ପାଇଲଟ୍ ପ୍ରାଥମିକ ପର୍ଯ୍ୟୟରେ ଜାଣି ପାରିନଥିଲେ। ଜଣେ କ୍ୟାବିନ କର୍ମଚାରୀ ଏ ସମ୍ପର୍କରେ ପାଇଲଟ୍ଙ୍କୁ ଜଣାଇବା ପରେ ସେ ଯଥାସମ୍ଭବ ବିମାନକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ। ସେତେବେଳେ ବିମାନରେ ଯାତ୍ରୀଙ୍କ ବ୍ୟତୀତ ତିନିଜଣ ପାଇଲଟ୍ ଓ ୧୨ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ବିମାନର ସତର୍କ ସୂଚନା ଜାରି କରିବା ବ୍ୟବସ୍ଥା ସେତେବେଳକୁ ଅଚଳ ହୋଇସାରିଥିଲା। ତେଣୁ ଯାତ୍ରୀମାନଙ୍କୁ ପରିସ୍ଥିତି ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ କର୍ମଚାରୀମାନେ କେବଳ ଉଚ୍ଚସ୍ୱରରେ ପାଟିକରି କହି ଚାଲିଥିଲେ। କର୍ମଚାରୀମାନେ ବିମାନ ଯାତ୍ରୀଙ୍କୁ କହିଥିଲେ ଯେ ସମସ୍ତେ ଧୈର୍ଯ୍ୟର ସହିତ ରୁହନ୍ତୁ ଏବଂ କେହି ନିଜ ଜାଗାରେ ଠିଆ ହୁଅନ୍ତୁ ନାହିଁ କି ବିଶୃଙ୍ଖଳିତ ହୋଇ ବାହାରକୁ ବାହାରି ଜବରଦସ୍ତି ଯିବାକୁ ଚେଷ୍ଟା କରନ୍ତୁ ନାହିଁ। ଘୋର ଦୁର୍ଘଟଣା ଘଟିବା ଏବଂ ବିମାନରେ ନିଆଁ ଲାଗିବା ବିଷୟରେ ଜାଣି ମଧ୍ୟ ଯାତ୍ରୀଗଣ ଶାନ୍ତିପୂର୍ଣ୍ଣ ଭାବେ ବିମାନ କର୍ମଚାରୀମାନଙ୍କ ପରାମର୍ଶ ଅନୁପାଳନ କରି ଆପତ୍ କାଳୀନ ନିୟମ ମାନିବାରୁ, ସମସ୍ତ ଯାତ୍ରୀ ମାତ୍ର ୧୮ ମିନିଟ୍ ମଧ୍ୟରେ ସୁରକ୍ଷିତ ଅବସ୍ଥାରେ ବାହାରକୁ ଚାଲି ଆସିଥିଲେ। ଏହାର ମାତ୍ର କିଛି କ୍ଷଣ ମଧ୍ୟରେ ବିମାନଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା। କ୍ୟାବିନ୍ କର୍ମଚାରୀମାନେ ଯାତ୍ରୀମାନଙ୍କୁ କହିବାର ଶୁଣାଯାଉଥିଲା ଯେ ନିଜର ସମସ୍ତ ଜିନିଷପତ୍ର ବିମାନରେ ଛାଡ଼ି ଦିଅନ୍ତୁ, ହାଇହିଲ୍ ଜୋତା ବାହାର କରି ଦିଅନ୍ତୁ କାରଣ ଏହାଦ୍ବାରା ଯାତ୍ରୀ ଉଦ୍ଧାର କାମରେ ବହୁ ବିଳମ୍ବ ଘଟିବ। ତାହାପରେ ଯାହା ଘଟିଲା ତାହା ଥିଲା ବିଶ୍ୱର ମସ୍ତବଡ଼ ଚମତ୍କାର ଏବଂ ବିମାନ ଦୁର୍ଘଟଣା ଉଦ୍ଧାର ଇତିହାସରେ ଲେଖାଗଲା ସର୍ବୋତ୍କୃଷ୍ଟ ସଫଳତାର ଏକ ସ୍ୱର୍ଣ୍ଣିମ ନୂତନ ଅଧ୍ୟାୟ !
ଜାପାନ୍ର ବିମାନ ଉଦ୍ଧାର କାର୍ଯ୍ୟକ୍ରମ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ବିମାନ ବିଶେଷଜ୍ଞ ଗେରି ହୋଙ୍କ ମତରେ ଏହି ସଦ୍ୟତମ ଦୁର୍ଘଟଣାକୁ ଉଦ୍ଧାର ପ୍ରକ୍ରିୟାର ଏକ ଆଦର୍ଶ ମାର୍ଗଦର୍ଶିକା ସଂହିତା ପୁସ୍ତକ ଭାବେ ମଧ୍ୟ ଅନୁଶୀଳନ କରାଯାଇପାରେ। ଏକ ଜ୍ୱଳନ୍ତ ବିମାନ ଭିତରୁ ୩୭୯ ଜଣ ଯାତ୍ରୀଙ୍କୁ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଏକ ଦୈବୀ ଚମତ୍କାର ଛଡ଼ା ଆଉ କିଛି ହୋଇ ନପାରେ।
ନିଷ୍ଠାପର କର୍ମସଂସ୍କୃତିରେ ବିଶ୍ୱାସ ରଖୁଥିବା ଏହି ଜାପାନୀ ବିଶେଷଜ୍ଞ ଗେରୀ ହୋ ଙ୍କ ମତରେ ଏହି ସଫଳତା ପଛର ଯେଉଁକେତେଗୁଡ଼ିଏ କାରଣ ରହିଛି ସେଥିମଧ୍ୟରୁ ସର୍ବାଗ୍ରେ ରହିଛି ଜାପାନୀ ବ୍ୟକ୍ତିମାନଙ୍କର ଶୃଙ୍ଖଳାଜ୍ଞାନ ଓ ଦାୟିତ୍ୱବୋଧ। ସେମାନେ ବିନା ଜିନିଷପତ୍ରରେ, ଏପରିକି ବିନା ଜୋତାରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ଶୃଙ୍ଖଳିତ ଭାବେ ସୁରକ୍ଷିତ ସ୍ଥାନକୁ ଚାଲିଯିବାରୁ କୌଣସି ଜୀବନହାନି ଘଟି ନଥିଲା। ଯାତ୍ରୀମାନେ ବିମାନ କର୍ମଚାରୀଙ୍କ ପରାମର୍ଶକୁ ନିରବରେ ମାନିବାର ଦେଖାଯାଇଥିଲା। କେହି ଜଣେ ମଧ୍ୟ ଅତ୍ୟଧିକ ଉତ୍ତେଜିତ ବା ବ୍ୟାକୁଳ ଚିତ୍କାର କରିବାର ଦେଖା ଯାଇ ନଥିଲା। ଦ୍ୱିତୀୟରେ ଏହି ସଫଳ ଯାତ୍ରୀ ଉଦ୍ଧାରର ଅନ୍ୟତମ ଶ୍ରେୟ ବିମାନର ଶୃଙ୍ଖଳିତ କର୍ମଚାରୀମାନଙ୍କ ଉପସ୍ଥିତ-ବୁଦ୍ଧି, ନିଶଙ୍କ ପ୍ରତ୍ତ୍ୟୁତ୍ପର୍ଣ୍ଣମତିତା ଓ ଧୈର୍ଯ୍ୟଶୀଳତାକୁ ସେ ଦେଇଛନ୍ତି। ଅବଶ୍ୟ ଏଭଳି ସମ୍ଭାବ୍ୟ ସଙ୍କଟ ଯଦି କେବେ ଘଟେ ତେବେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ କିପରି ଉଦ୍ଧାର କରାଯାଇପାରିବ ସେ ପୂର୍ବାଭ୍ୟାସ ବା ଦୁର୍ଘଟଣା ଓ ଉଦ୍ଧାର କାର୍ଯ୍ୟକ୍ରମ ବିଷୟରେ ଜାପାନ ବିମାନ ସଂସ୍ଥାର କର୍ମଚାରୀମାନେ ପୂର୍ବରୁ ଅନେକବାର ପ୍ରଶିକ୍ଷଣ ଲାଭ କରିଥିଲେ। ତାହାର ଫଳ ସ୍ୱରୂପ ଆଜି ଏତେ ନିରୀହ ବିମାନ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇ ପାରିଲା !
ବିଶେଷଜ୍ଞ ଗେରିଙ୍କ ମତରେ ବିମାନ ଦୁର୍ଘଟଣାର ଯାଞ୍ଚ ବା ଅନୁସନ୍ଧାନ ବହୁତ ଉଚ୍ଚକୋଟିର ହେବ ଏଥିରେ ସନ୍ଦେହ ନାହିଁ। ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ବିମାନର ବ୍ଲାକ୍ବକ୍ସ, ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଏୟାର ଟ୍ରାଫିକ କଣ୍ଟ୍ରୋଲ୍ ସିଷ୍ଟମ୍ର ରେକର୍ଡିଂ ଯାଞ୍ଚ କରାଯାଉଛି। ତେଣୁ କେଉଁଠାରେ ତ୍ରୁଟି ରହିଲା ତାହା ଅବଶ୍ୟ ଜଣାପଡ଼ିବ। ତେବେ ଯଦି ଅନ୍ୟ କେଉଁଠାରେ ଦୁର୍ଭାଗ୍ୟରୁ କେବେ ଏଭଳି ଦୁର୍ଘଟଣା ଘଟେ ତେବେ ସେଥିରୁ ଉଦ୍ଧାର ପାଇବା ପାଇଁ କ’ଣ ପରାମର୍ଶ ଦେବେ ବୋଲି ସାମ୍ବାଦିକମାନେ ଗେରିଙ୍କୁ କରିଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଯାତ୍ରୀ ଜୀବନ ସବୁଠାରୁ ମୂଲ୍ୟବାନ, ତାର ଜିନିଷପତ୍ର ନୁହେଁ। ତେଣୁ ଏପରି ଘଟଣା ଘଟିଲେ ସବୁ ଜିନିଷପତ୍ରଯାକ ଛାଡ଼ି ପ୍ରଥମେ ଧୀରସ୍ଥିର ଭାବରେ ଥଣ୍ଡା ମସ୍ତିଷ୍କରେ ବିମାନରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ପାସପୋର୍ଟ, ପାନକାର୍ଡ, ଏଟିଏମ୍ କାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କେବେହେଲେ କ୍ୟାବିନ ବ୍ୟାଗ୍ରେ ନ ରଖି ସବୁବେଳେ ନିଜ ବେକରେ ଓହଳା ବ୍ୟାଗ୍ରେ ହିଁ ରଖିବା ଉଚିତ। କାରଣ ସେଗୁଡ଼ିକ ହିଁ ଏଭଳି ଅଘଟଣ ସମୟରେ ଶୀଘ୍ର ବାହାରକୁ ବାହାରିବା ଅସୁବିଧା କରିବା ନାହିଁ ଏବଂ ଦୁର୍ଘଟଣା ପରେ ବହୁତ ସହାୟକ ହୋଇପାରିବ। ସର୍ବୋପରି ବିମାନ କର୍ମଚାରୀଙ୍କ ଉପଦେଶ, ପରାମର୍ଶ ଓ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ଅନୁପାଳନ କରିବା ନିହାତି ଜରୁରୀ।
ଅଧିକାଂଶ ବିମାନ ଦୁର୍ଘଟଣା ଲ୍ୟାଣ୍ଡିଂ ବା ବିମାନ ଭୂପୃଷ୍ଠକୁ ଓହ୍ଲେଇବା ବେଳେ ହିଁ ହୋଇଥାଏ। ତେଣୁ ଏହି ସମୟରେ ସିଟ୍ ବେଲ୍ଟ ଠିକ୍ ରୂପେ ବାନ୍ଧିବା ସହିତ ସିଟ୍ଗୁଡ଼ିକୁ ପୁସ୍ବ୍ୟାକ୍ ନ କରି ଆଗକୁ ସିଧା ରଖିବା ଆବଶ୍ୟକ କାରଣ ଏହାଫଳରେ ପଛଧାଡ଼ିର ଯାତ୍ରୀ ମାନଙ୍କୁ ଦୁର୍ଘଟଣା ସମୟରେ ବାହାରକୁ ବାହାରିବା ପାଇଁ ପ୍ରତିବନ୍ଧକ ହୁଏ ନାହିଁ। ସେହିଭଳି ଝରକାର ପରଦାଗୁଡ଼ିକ ମଧ୍ୟ ପୂରା ଖୋଲା କରିଦେବା ଉଚିତ କାରଣ ତା’ନହେଲେ ବିମାନର କେଉଁ ପାଖଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତଥା କେଉଁ ପାଖର ଜରୁରୀକାଳୀନ ଦ୍ବାର ଖୋଲାଯିବା କଥା ତାହା ସୁବିଧାରେ ଦେଖାଯାଇ ପାରିବ ନାହିଁ !
ଏସବୁ ସତ୍ତ୍ବେ ବିମାନ ବିଶେଷଜ୍ଞ ଗେରିଙ୍କ ମତରେ ଏଭଳି ଲୋମହର୍ଷଣକାରୀ ଦୁର୍ଘଟଣାରେ ସାଧାରଣତଃ ପ୍ରତି ୮ ଜଣ ଯାତ୍ରୀରୁ ସର୍ବାଧିକ ୩ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ପାଇପାରନ୍ତି। ତେଣୁ ୧୮ ମିନିଟ୍ରେ ମାତ୍ର ୩ଟି ଜରୁରିକାଳୀନ ଦ୍ୱାର ଦେଇ ପ୍ରାୟ ୪୦୦ ଲୋକ ବାହାରକୁ ଆସିପାରିବା ନିଶ୍ଚିତ ଭାବେ ଏକ ବିସ୍ମୟକର ସଫଳତା। ଏହିଥିରୁ ହିଁ ଈଶ୍ୱରୀୟ ସତ୍ତାର ଉପଲବ୍ଧି କରିହେବ। ଯେଉଁଠାରେ ମାନବୀୟ କଳବଳ ଓ କୌଶଳ ବିଫଳ ହୁଏ, ବୁଦ୍ଧିମତ୍ତା ଅଚଳ ହୋଇଯାଏ, ସମସ୍ତ ଚିନ୍ତା ସମାପ୍ତ ହୋଇଯାଏ, ସେହିଠାରେ ଏକ ଅଦୃଶ୍ୟ ଶକ୍ତି ସଙ୍କଟମୋଚକ ଓ ମଙ୍ଗଳକାରୀ ସାବ୍ୟସ୍ତ ହୁଏ, ଯାହା ଜାପାନ୍ର ଏହି ଦୁର୍ଘଟଣାରେ ଦେଖିବାକୁ ମିଳିଛି। ଏଭଳି ଅନେକ ଉଦାହରଣ ପୃଥିବୀର ବିଭିନ୍ନ ସ୍ଥାନରେ କେଉଁଠି ନା କେଉଁଠି ପ୍ରତିମୁହୂର୍ତ୍ତରେ ଘଟିଚାଲିଛି, ଯାହା ବିଷୟରେ ଅବଶିଷ୍ଟ ପୃଥିବୀବାସୀ ଅଜ୍ଞ ଅଟନ୍ତି। କିନ୍ତୁ ଏକ ଈଶ୍ୱରୀୟ ସତ୍ତା, ଯିଏ ସାରା ପୃଥିବୀକୁ ବାନ୍ଧି ରଖିଛି, ସେ ସବୁକିଛି ଜାଣୁଛି ଏବଂ ବିହିତ ପଦକ୍ଷେପମାନ ନେଉଛି। ଭୂକମ୍ପରେ ବୃହତ୍ ଅଟ୍ଟାଳିକାମାନ ଚୂରମାର ହୋଇଯାଉଥିବା ବେଳେ ଧ୍ୱଂସସ୍ତୂପ ତଳେ ଦିନ ଦିନ ଧରି ଅବୋଧ ଶିଶୁଟିଏ ଜୀବିତ ରହିବା, ତିନିଶହ ଫୁଟ୍ ଗଭୀର ଗର୍ତ୍ତରୁ ନବଜାତକ ଜୀବିତ ଉଦ୍ଧାର ହେବା, ବିଯୁକ୍ତ ୫୦ ଡିଗ୍ରୀ ଥଣ୍ଡାର ବରଫ ସ୍ତୂପ ତଳେ ଦିନ ଦିନ ଧରି ଜୀବନଟିଏ ବଞ୍ଚି ରହିବା ଆଦି ଉଦାହରଣକୁ ଆମେ କ’ଣ କହିବା? ବିଜ୍ଞାନର କରାମତି ନା ଈଶ୍ୱରୀୟ ଲୀଳା? ଏହାର ଉତ୍ତର କେବଳ ଓଡ଼ିଆର ଆପ୍ତବାକ୍ୟଟିଏ ହିଁ ଯଥେଷ୍ଟ ହୋଇପାରେ – ରଖେ ହରି ମାରେ କିଏ…? ଅର୍ଥାତ୍ ଯାହାଙ୍କୁ ସ୍ୱୟଂ ଈଶ୍ୱର ରକ୍ଷା କରିବେ ତା’କୁ ବା କିଏ ମାରି ପାରିବ!
(ସକାଳ ମିଡିଆ ସର୍ଭିସ୍)