ଜନସଂଖ୍ୟାରେ କାର୍ଯ୍ୟଚାପର ପ୍ରଭାବ

ଭାରତର ଜନସଂଖ୍ୟାର ଆକାର କିପରି ହେବା ଉଚିତ ସମ୍ପ୍ରତି ଏହା ଏକ ବିତର୍କକୁ ଆହ୍ୱାନ କରେ। ଦିନେ ଚୀନ ଥିଲା ପୃଥିବୀର ସର୍ବବୃହତ୍‌‌ ଜନବହୁଳ ରାଷ୍ଟ୍ର। କିନ୍ତୁ କଠୋର ପରିବାର ନିୟୋଜନ ନୀତି ଆପଣେଇବାରୁ ସେ ଦେଶର ଜନସଂଖ୍ୟା ହ୍ରାସପାଇ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ଏବଂ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କୁହାଯାଉଛି। ଚୀନ ଜନସଂଖ୍ୟା ହ୍ରାସରେ ସଫଳତା ପାଇବା ପରେ ସେଠାରେ ଅନ୍ୟ ଏକ ବିପଦ ମୁଣ୍ଡ ଟେକିଛି। ତାହା ହେଉଛି […]

ଭାରତର ଜନସଂଖ୍ୟାର ଆକାର କିପରି ହେବା ଉଚିତ ସମ୍ପ୍ରତି ଏହା ଏକ ବିତର୍କକୁ ଆହ୍ୱାନ କରେ। ଦିନେ ଚୀନ ଥିଲା ପୃଥିବୀର ସର୍ବବୃହତ୍‌‌ ଜନବହୁଳ ରାଷ୍ଟ୍ର। କିନ୍ତୁ କଠୋର ପରିବାର ନିୟୋଜନ ନୀତି ଆପଣେଇବାରୁ ସେ ଦେଶର ଜନସଂଖ୍ୟା ହ୍ରାସପାଇ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ଏବଂ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କୁହାଯାଉଛି। ଚୀନ ଜନସଂଖ୍ୟା ହ୍ରାସରେ ସଫଳତା ପାଇବା ପରେ ସେଠାରେ ଅନ୍ୟ ଏକ ବିପଦ ମୁଣ୍ଡ ଟେକିଛି। ତାହା ହେଉଛି ଯୁବଗୋଷ୍ଠୀ ସଂଖ୍ୟା ହ୍ରାସ ଏବଂ ବୟସ୍କଙ୍କ ସଂଖ୍ୟା ବୃଦ୍ଧି। ଭାରତରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି। ଅବଶ୍ୟ ବୟସ୍କମାନେ ଅନୁଭୂତି ସମ୍ପନ୍ନ ଓ ପ୍ରଜ୍ଞାଶୀଳ ବ୍ୟକ୍ତିବିଶେଷ। ସେମାନେ ମାନସିକ ସ୍ତରରେ ଉନ୍ନତ ହୋଇଥିବାରୁ ସମାଜକୁ ସକରାତ୍ମକ ପରାମର୍ଶ ଦେବାରେ ପାରଙ୍ଗମ। ମାତ୍ର ସେମାନେ ଶାରୀରିକ ଭାବେ କର୍ମକ୍ଷମ ନୁହନ୍ତି। ଯୁବ ଓ ବୃଦ୍ଧ ସଂଖ୍ୟା ଆନୁପାତିକ ଭାବେ ଠିକ୍‌‌ ରହିଲେ ବୟସ୍କଙ୍କ ବଳିଷ୍ଠ ପରାମର୍ଶ ଏବଂ ଯୁବକଙ୍କ ଶ୍ରମ ଶକ୍ତିର ମିଶ୍ରଣରେ ଦେଶର ପ୍ରଗତି ସମ୍ଭବ।

ଏହି ପୃଷ୍ଠଭୂମିରେ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବା ଉଚିତ କି ନା ସେ ସମ୍ବନ୍ଧରେ ଏକ ସାମାଜିକ ଓ ରାଜନୈତିକ ଆଲୋଡ଼ନ ସୃଷ୍ଟି ହୋଇଛି। ଅର୍ଥନୀତି ଦୃଷ୍ଟିରୁ ବିଚାର କଲେ ନିୟନ୍ତ୍ରିତ ଜନସଂଖ୍ୟା ପାରିବାରିକ ସମୃଦ୍ଧିକୁ ଆମନ୍ତ୍ରଣ କରୁଥିବା ବେଳେ ଅଧିକ ସଦସ୍ୟ ବିଶିଷ୍ଟ ପରିବାର ସୀମିତ ଆୟ ମଧ୍ୟରେ ସନ୍ତାପିତ ହେବା ସାର ହୁଏ। ଏହାସତ୍ତ୍ବେ ଅନେକ ମତ ପୋଷଣ କରନ୍ତି ଯେ ସନ୍ତାନ ପ୍ରଜନନ ହାର ବୃଦ୍ଧି ପାଇବା ଉଚିତ। ରାଷ୍ଟୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏକ ପ୍ରସଙ୍ଗ କ୍ରମେ କହିଥିଲେ ଯେ ଆମର ଜନସଂଖ୍ୟା ବଢ଼଼ିବା ଦରକାର। ପ୍ରତ୍ୟେକ ଦମ୍ପତି ଅତିକମରେ ତିନୋଟି ସନ୍ତାନ ଜନ୍ମଦେବାର ସଂକଳ୍ପ ନେବା ଉଚିତ। ଆଜିକାଲି ଭାରତରେ ସଂଖ୍ୟାଧିକ ଦମ୍ପତି ଏକ କିମ୍ବା ଅତିବେଶିରେ ଦୁଇ ସନ୍ତାନରେ ସୀମିତ ରହିବାକୁ ପସନ୍ଦ କରୁଛନ୍ତି। ଭାରତରେ ଜନ୍ମ ନିୟନ୍ତ୍ରଣ ବାଧ୍ୟତାମୂଳକ ନୁହେଁ। ତେଣୁ ନବୁଝିଲା ଲୋକ ବହୁ ସନ୍ତାନର ଜନକଜନନୀ ସାଜୁଛନ୍ତି। ବିପରୀତ ପକ୍ଷେ ଏପରି ଘଟଣା ଘଟୁଛି ଯେ କିଛି ଦମ୍ପତି ଆଦୈା ସନ୍ତାନ ଚାହୁଁନାହାନ୍ତି। ଏକଥା ସତ ଯେ ପରିବାର ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ। ପରିବାର ସଶକ୍ତ ହେଲେ ଦେଶବିକାଶର ସ୍ୱପ୍ନ ସାକାର ହେବ। ବୃଦ୍ଧସର୍ବସ୍ୱ ଓ ଯୁବବିହୀନ ପରିବାର ଅର୍ଥନୀତିର ପ୍ରତିବନ୍ଧକ। ଏବେ ଚୀନ ବୁଝିଲାଣି ଯେ ଜନସଂଖ୍ୟା ବୃଦ୍ଧି ଦେଶ ପ୍ରଗତିର ଅବିଚ୍ଛେଦ୍ୟ ଅଙ୍ଗ।

ଆମ ଦେଶରେ ସନ୍ତାନ ଜନ୍ମ ଦେଲେ ଶରୀରର ଶୋଭା ନଷ୍ଟ ଭୟରେ କିଛି ଯୁବତୀ ସନ୍ତାନ ସମ୍ଭବା ହେବାକୁ ଚାହୁଁ ନାହାନ୍ତି। ଦମ୍ପତିମାନେ ଚାକିରି କରି ରୋଜଗାରକ୍ଷମ ହୋଇଥିଲେ ସନ୍ତାନ ଜନ୍ମ ଦେଇ ସେମାନଙ୍କ ଲାଳନ ପାଳନର ଗୁରୁଭାର ବହନ କରିବାକୁ ଅନିଚ୍ଛୁକ। କମ୍ପାନୀ ଚାକିରି ଓ ତହିଁରେ ନିହିତ କାର୍ଯ୍ୟବ୍ୟସ୍ତତା ସହିତ ପଦୋନ୍ନତି ଲାଳସା ସେମାନଙ୍କୁ ସନ୍ତାନ ଜନ୍ମପ୍ରତି ବୀତସ୍ପୃହ କରୁଛି। ଦମ୍ପତି ସନ୍ତାନହୀନ ହେଲେ ପରିବାର ଏବଂ ସର୍ବୋପରି ଦେଶର ଭବିଷ୍ୟତ କ’ଣ ହେବ? କର୍ମଚାରୀଙ୍କର ସନ୍ତାନ ଜନ୍ମ ପ୍ରତି ଉଦାସୀନତା ପାଇଁ କମ୍ପାନୀମାଲିକଙ୍କୁ ପରୋକ୍ଷ ଦାୟୀ କରାଯାଇପାରେ। ପ୍ରତିଷ୍ଠିତ ଏଲ.ଏନ୍‌‌.ଟି କମ୍ପାନୀର ଅଧ୍ୟକ୍ଷ ଏସ.ଏନ୍‌‌.ସୁବ୍ରମଣ୍ୟମ୍‌‌ ଗତ ଜାନୁୟାରୀ ମାସରେ ଏକ ମତ ଦେଇଥିଲେ ଯେ କମ୍ପାନୀର ପ୍ରତ୍ୟେକ କର୍ମଚାରୀ ସପ୍ତାହକୁ ୯୦ଘଣ୍ଟା କାର୍ଯ୍ୟ କରିବା ଦରକାର। ଶନିବାର ଓ ରବିବାର ବ୍ୟତୀତ ଅବଶିଷ୍ଟ ପାଞ୍ଚ ଦିନରେ ୯୦ଘଣ୍ଟା ଅର୍ଥାତ ଦିନକୁ ଅଠରଘଣ୍ଟା ପରିଶ୍ରମ ଏକାନ୍ତ ଅସମ୍ଭବ। ଏହାପୂର୍ବରୁ ଇନ୍‌‌ଫୋସିସ୍‌‌ର ପ୍ରତିଷ୍ଠାତା ସଦସ୍ୟ ଏନ୍‌‌.ଆର୍‌‌. ନାରାୟଣ ମୂର୍ତ୍ତି ଆହ୍ୱାନ ଦେଇଥିଲେ ଯେ ପ୍ରତ୍ୟେକ କର୍ମଚାରୀ ଅନ୍ୟୂନ ସପ୍ତାହକୁ ୭୦ଘଣ୍ଟା କାର୍ଯ୍ୟ କରିବା ଆବଶ୍ୟକ। ଦିନକୁ ୧୪ଘଣ୍ଟା ଶ୍ରମଦାନ ମଧ୍ୟ ଅସମ୍ଭବ। ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟା ଶାରୀରିକ ବ୍ୟାୟାମର ଅଭାବ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟ ଗ୍ରହଣ ଯୁବପିଢ଼ିଙ୍କୁ ମେଦବହୁଳତା ଓ ଅନ୍ୟାନ୍ୟ ରୋଗଗ୍ରାସ କରୁଛି। ମାନସିକ ଅବସାଦଗ୍ରସ୍ତ ହୋଇ ଅତ୍ମହତ୍ୟାକୁ ଆପଣେଇବା ପାଇଁ ଯୁବବର୍ଗ ପଛଘୁଞ୍ଚା ଦେଉନାହାନ୍ତି।

ଏକ ସର୍ବେକ୍ଷଣ ଅନୁଯାୟୀ ୨୫ବର୍ଷରୁ କମ ଯୁବ ପ୍ରତିଭାଙ୍କ କ୍ଷେତ୍ରରେ ମାନସିକ ଅବସାଦଗ୍ରସ୍ତଙ୍କ ସଂଖ୍ୟା ୯୦ ପ୍ରତିଶତ। ୪୫ବର୍ଷରୁ ଅଧିକ କର୍ମଚାରୀଙ୍କ କ୍ଷେତ୍ରରେ ଅସହ୍ୟ କାର୍ଯ୍ୟଚାପ ଜନିତ ମାନସିକ ଅବସାଦର ପରିମାଣ ୬୭ ପ୍ରତିଶତ ବୋଲି ଜଣାପଡ଼ିଛି। ଗତ ଜାନୁୟାରୀରେ ପ୍ରକାଶିତ ‘ଇମୋସନାଲ ୱେଲବିଙ୍ଗ’ ରିପୋର୍ଟ କହେ ଯେ ଯୁବତୀଙ୍କ କ୍ଷେତ୍ରରେ ହରମୋନ ଅସଙ୍ଗତି ଜନିତ ସମସ୍ୟା ଦେଖାଦେଉଛି। ଯୁବକଙ୍କ ପରି ଯୁବତୀ ମଧ୍ୟ କାର୍ଯ୍ୟ ନିର୍ଘଣ୍ଟର ଦାରୁଣ କଷାଘାତରେ ଜର୍ଜରିତ। ଫଳରେ ସେମାନଙ୍କଠାରେ ସନ୍ତାନ ଜନ୍ମ ପ୍ରତି ବିମୁଖତା ଦେଖାଦେଉଛି। କେତେକ କ୍ଷେତ୍ରରେ ଦେଶ ପାଇଁ ଜନସଂଖ୍ୟା ଆବଶ୍ୟକ ବୋଲି ଅନେକ ଜ୍ଞାନୀ ଗୁଣୀ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଅନ୍ୟପଟେ ଯୁବକଯୁବତୀମାନେ ସନ୍ତାନ ଜନ୍ମ ପ୍ରତି ଉଦାସୀନତା ଅବଲମ୍ବନ କରୁଛନ୍ତି ସାଧାରଣତଃ ଜ୍ଞାନୀଗୁଣୀଜନଙ୍କର ପିଲାମାନେ ମେଧାବୀ ଓ ଗୁଣବାନ ହେବାର ସମ୍ଭାବନା ଅଧିକ ବୋଲି ବିଜ୍ଞାନ ଦର୍ଶାଇଥିବା ବେଳେ ସେହି ଶ୍ରେଣୀର ଦମ୍ପତି ସନ୍ତାନହୀନତାକୁ ଆଦରି ନେଉଛନ୍ତି। କର୍ପୋରେଟ୍‌‌ ସଂସ୍ଥା, ବ୍ୟାଙ୍କ ଓ ବୀମା ସଂସ୍ଥା ଭଳି କ୍ଷେତ୍ରରେ କାର୍ଯ୍ୟଭାରର ଚାପ ଏତେ ଅଧିକ ଯେ ଯୁବବର୍ଗ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। କାର୍ଯ୍ୟଚାପର ଦୁଃସହଣୀୟତା ସେମାନଙ୍କୁ ନିଃଶେଷ କରିଦେବାକୁ ପଛାଉ ନାହିଁ। ଆମର ଜାଣିରଖିବା ଉଚିତ ଯେ କାର୍ଯ୍ୟ ସମୟ ଅଧିକ ହେଲେ ଏହା କେବେ ଗୁଣାତ୍ମକ ହୋଇନଥାଏ। ଉଦାହରଣ ସ୍ୱରୂପ ଆମେରିକାରେ ସପ୍ତାହକୁ ୫୦ଘଣ୍ଟା କାମ କରିବାର ପ୍ରାବଧାନ ଥାଇ ସେ ଦେଶର ପ୍ରଗତି ଚରମ ସୋପାନରେ ପହଞ୍ଚିପାରିଛି। ଜାପାନରେ ଜନସଂଖ୍ୟା ଉଦ୍‌‌ବେଗଜନକ ଭାବେ ହ୍ରାସ ପାଇଥିଲେ ମଧ୍ୟ ସେଠାରେ କାମର ଅବଧିକୁ ବୃଦ୍ଧି କରାଯାଇନାହିଁ। ଜାପାନ ସରକାରଙ୍କ ମତରେ ଅଳ୍ପ କର୍ମଚାରୀରେ ଉତ୍ତମ ସେବା ପ୍ରଦାନ କରାଯାଇ ପାରିବ। (ଲେସ୍‌‌ ଦି ୱାର୍କରସ୍‌‌ ବେଟର ଦି ପର୍‌‌ଫର୍‌‌ମାନ୍‌‌ସ୍‌‌)।

ଭାରତ କଥା ଚିନ୍ତା କଲେ ସନ୍ତାନ ଜନ୍ମ କରିବା ଆମ ସଂସ୍କୃତିରେ ସୌଭାଗ୍ୟ ବୋଲି ବିବେଚନା କରାଯାଏ। ଶିଶୁମାନେ ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ। ଶିଶୁଟିଏ ଭୂମିଷ୍ଠ ହେଲେ ପରିବାର ବିଶେଷ କରି ଜେଜେ ଜେଜେମା’ବାପା ଖୁସିରେ ଆତ୍ମହରା ହୋଇପଡ଼ନ୍ତି। ସେମାନଙ୍କର ବାର୍ଦ୍ଧକ୍ୟର ସାଥୀ ହେବା ପାଇଁ ଶିଶୁମାନେ ଈଶ୍ୱରଦତ୍ତ ସମ୍ବଳ। ଏକପଟେ ସନ୍ତାନ ପ୍ରାପ୍ତି ସୁଖର ଆଲୋକ ବର୍ତ୍ତିକା ସାଜୁଥିବା ବେଳେ ଅନ୍ୟପଟେ କାମର ଚାପ ଯୋଗୁଁଁ ହେଉ କିମ୍ବା ଯୌବନକୁ ଅବକ୍ଷୟମୁକ୍ତ ରଖିବା ପାଇଁ ହେଉ ଯୁବତୀମାନେ ସନ୍ତାନ ସମ୍ଭବା ହେବାକୁ ଇଛା କରୁନାହାନ୍ତି। ଅନ୍ୟ ଏକ ଘଟଣାଚକ୍ର ଏଠାରେ ଉପସ୍ଥାପନ କରାଯାଇପାରେ ଯେ ଦକ୍ଷିଣଭାରତରେ ଉତ୍ତରଭାରତ ଅପେକ୍ଷା ଜନସଂଖ୍ୟା ବୃଦ୍ଧିହାର କମ୍‌‌। ରାଜନୈତିକ ଦୃଷ୍ଟିକୋଣରୁ ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳି ପୁନର୍ଗଠନ କରାଗଲେ ଉତ୍ତର ଭାରତରେ ଅନୁପାତିକ ଭିତ୍ତିରେ ନିର୍ବାଚନ ମଣ୍ଡଳି ସଂଖ୍ୟା ବୃଦ୍ଧି ପାଇବ, ଯାହା ଜାତୀୟ ଦଳଗୁଡ଼ିକ ପାଇଁ ଲାଭଜନକ ହେବ। ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଘୋର ଉଦ୍‌‌ବେଗ ପ୍ରକାଶ କରିଛନ୍ତି। ଜନସଂଖ୍ୟାର ବୃଦ୍ଧି ବା ହ୍ରାସ ଏକ ଜାତୀୟ ବିତର୍କ ଭାବେ ଉଭା ହୋଇଛି।

ଏ ବିଷୟରେ ପ୍ରତ୍ୟେକ ପ୍ରଜନନକ୍ଷମ ଦମ୍ପତି ଗଭୀର ଚିନ୍ତା କରିବାର ସମୟ ଉପଗତ। ଜନସଂଖ୍ୟା ବୃଦ୍ଧି ହେଲେ ଅର୍ଥନୈତିକ ବିପତ୍ତିକୁ ସାମନା କରିବାକୁ ହେବ। ଅପରପକ୍ଷେ ଜନସଂଖ୍ୟା ବୃଦ୍ଧି ନ ହେଲେ ଆଗାମୀ କିଛି ବର୍ଷରେ ଜାପାନ ଓ ଚୀନ ପରି ଭାରତ ମଧ୍ୟ ଏକ ବୃଦ୍ଧବୃଦ୍ଧା ବହୁଳ ଦେଶରେ ପରିଣତ ହେବ। ତେଣୁ ଆମ ଯୁବବର୍ଗ ସୁଚିନ୍ତିତ ଭାବେ ଗଭୀର ଅନୁଶୀଳନ ପୂର୍ବକ ପଦକ୍ଷେପ ଗ୍ରହଣ କରିବା ଉଚିତ। ବିତର୍କ ଓ ବିବେକ ଉଭୟଙ୍କ ମଧ୍ୟରୁ ସେମାନଙ୍କୁ ଗୋଟିଏ ବାଛିବାକୁ ହେବ।

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ(ଜଗତସିଂହପୁର)
ମୋ: ୯୯୩୭୪୫୦୫୪୦

About The Author: The Sakala