ଲୋକଶକ୍ତି ହିଁ ଦେଶର ଶକ୍ତି। ଜନସାଧାରଣଙ୍କ ଭିତରେ ଜାଗରଣ ସୃଷ୍ଟି ହେଲେ ତା’କୁ ରୋକିବା କାହାରି ପକ୍ଷରେ ସମ୍ଭବ ନୁହେଁ। ସେହି ଲୋକଶକ୍ତି ବା ଜନଶକ୍ତିର ବିଜୟକୁ ଫିଲିଫାଇନ୍ସରେ ପାଳନ କରାଯାଏ ‘ଲୋକଶକ୍ତି ଦିବସ’ ଭାବେ। ୧୯୮୬ ମସିହା ଫେବୃଆରୀ ୨୫ ତାରିଖରେ ସେଠାକାର ଜନସାଧାରଣ ଦେଶର ଏକଛତ୍ରବାଦୀ, ଅତ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ ସାମରିକ ଶାସକ ଫରଡିନାଣ୍ଡ ମାର୍କୋସଙ୍କୁ ଗାଦିରୁ ହଟାଇ ଲୋକତନ୍ତ୍ରର ପ୍ରତିଷ୍ଠା କରିଥିଲେ। ତେଣୁ ସେହି ସ୍ମୃତିକୁ ମନେ ପକାଇବା ପାଇଁ ଫିଲିପାଇନ୍ସରେ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ‘ଲୋକଶକ୍ତି ଦିବସ’।
୧୯୭୨ ମସିହାରେ ଫିଲିପାଇନ୍ସର ରାଜଧାନୀ ମାନିଲାରେ ସଂଗଠିତ ଏକ ବୋମା ବିସ୍ଫୋରଣ ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ରାଷ୍ଟ୍ରପତି ମାର୍କୋସ ଦେଶରେ ସାମରିକ ଆଇନ୍ ଲାଗୁ କରିଥିଲେ ଏବଂ ବିରୋଧୀ ବେନିଙ୍ଗନୋ ଆକୁଆନାଙ୍କୁ ଗିରଫ କରିଥିଲେ। ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲେ ମଧ୍ୟ ସାମରିକ ଶାସକ ମିଥ୍ୟାରୋପରେ ଆକୁଆନାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଦଣ୍ଡାଦେଶକୁ କୋହଳ କରାଯାଇ ୭ବର୍ଷର ଜେଲଦଣ୍ଡରେ ପରିବର୍ତ୍ତନ ହୋଇଯାଇଥିଲା। ଜେଲରେ ହୃଦ୍ଘାତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ପଠାଯାଇଥିଲା। କିନ୍ତୁ ସେଠାରୁ ଆକୁଆନା ଆଉ ଫେରିନଥିଲେ। ଆମେରିକାରେ ରହି ଆକୁଆନା ଓ ତାଙ୍କ ପତ୍ନୀ କୋରାଜୋନ୍ ମାର୍କୋସ ସରକାର ବିରୋଧରେ ଅଭିଯାନ ଚଳାଇଲେ। ଏହି ସମୟ ମଧ୍ୟରେ ମାର୍କୋସ ସରକାରଙ୍କ ଏକଛତ୍ରବାଦ ସାମରିକ ଶାସନ ଦେଶରେ ବୃଦ୍ଧି ପାଇସାରିଥିଲା। ୧୯୮୩ ମସିହା ଅଗଷ୍ଟ ୨୧ ତାରିଖରେ ମାନିଲା ଫେରିଥିଲେ ଆକୁଆନା। ତେବେ ବିମାନ ବନ୍ଦରରେ ତାଙ୍କୁ ଜଣେ ଅଜଣା ବନ୍ଧୁକଧାରୀ ହତ୍ୟା କରିଥିଲେ।
ଏହି ଘଟଣା ପରେ ଆକୁଆନାଙ୍କ ବିଧବା ପତ୍ନୀ କାରାଜୋନ୍ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଲୋକଶକ୍ତିର ପ୍ରବଳ ବିରୋଧ ସତ୍ତ୍ବେ ନିର୍ବାଚନରେ ମାର୍କୋସ ସରକାର ବିଜୟ ଲାଭ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ନିର୍ବାଚନରେ ଭ୍ରଷ୍ଟାଚାର, ବୁଥ୍ରିଗିଂ କରିଥିବା ଅଭିଯୋଗ ଓ ଆମେରିକାର ଚାପରେ ବାଧ୍ୟ ହୋଇ ୧୯୮୬ ମସିହା ଫେବୃଆରୀ ୨୫ ତାରିଖରେ ମାର୍କୋସ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ କୋରାଜନ ଦେଶର ରାଷ୍ଟ୍ରପତି ହୋଇଥିଲେ। ଏଥିରେ ଦେଶରେ ଜନଶକ୍ତିର ବିଜୟ ହୋଇଥିଲା। ଏହି ସ୍ମୃତିକୁ ମନେରଖିବା ପାଇଁ ସେ ଦେଶରେ ପାଳିତ ହୋଇଥାଏ ଲୋକଶକ୍ତି ଦିବସ। ଏହା ୪ଦିନ ଧରି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।
କେବଳ ଫିଲିପାଇନ୍ସ ନୁହେଁ ବିଶ୍ୱର ଯେଉଁ ଯେଉଁ ରାଷ୍ଟ୍ର ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱାଧୀନତା ପାଇଛନ୍ତି ସେଠି ବାସ୍ତବରେ ଗଣତନ୍ତ୍ରର ବିଜୟ ସହ ଲୋକତନ୍ତ୍ରର ବିଜୟ ଘଟିଛି। ଲୋକତନ୍ତ୍ର କହିଲେ ଲୋକଶକ୍ତିରୁ ଉଦ୍ଭବ ସର୍ବବୃହତ୍ ଜାଗରଣ। ଆଜି ପୃଥିବୀର ସବୁଠି ବିକାଶଶୀଳ ରାଷ୍ଟ୍ର ହେଉ ବା ଅନୁନ୍ନତ ରାଷ୍ଟ୍ର, ସରକାରଙ୍କ ବିଧିବ୍ୟବସ୍ଥା ହେଉ ବା କୌଣସି ଆଇନର ଯଥାର୍ଥତା ମାମଲା, ଯେଉଁଠି ବି ଲୋକଶକ୍ତି ଜାଗ୍ରତ ହୋଇଛି ସେଠି ପରିବର୍ତ୍ତନର ଧ୍ୱଜା ଉଡ଼ିଛି ନିଶ୍ଚୟ। ପୃଥିବୀର ବିଶାଳ ଗଣତନ୍ତ୍ରର ମର୍ଯ୍ୟାଦା ପାଇଥିବା ଆମ ପ୍ରିୟ ଜନ୍ମଭୂମି ଭାରତ ବର୍ଷରେ ସବୁବେଳେ ଲୋକଶକ୍ତିର ହିଁ ବିଜୟ ହୋଇ ଆସିଛି। ଆମ ଦେଶକୁ ବର୍ଷ ବର୍ଷ ଧରି ପରାଧୀନତାର ଦଉଡ଼ିରେ ବାନ୍ଧି ରଖିଥିବା ଶକ୍ତିଶାଳୀ ଗୋରା ଶାସନକୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସାର ଅସ୍ତ୍ରରେ ବିତାଡ଼ିତ କରି ସ୍ୱାଧୀନତା ପାଇଥିଲୁ ଆମେ। ମହାତ୍ମା ଗାନ୍ଧୀଙ୍କ ସହ ଅଗଣିତ କୋଟି କୋଟି ଭାରତୀୟଙ୍କ ଲୋକଶକ୍ତିର ହିଁ ବିଜୟର ଫଳସ୍ୱରୂପ ଆମ ପ୍ରିୟ ଜନ୍ମଭୂମି ସ୍ୱାଧୀନତା ପାଇଥିଲା। ଆମେ ପ୍ରତିଟି ଭାରତୀୟ ଆମ ବୃହତ୍ ଗଣତାନ୍ତ୍ରିକ ବ୍ୟବସ୍ଥା ସହ ସମ୍ମିଳିତ ଲୋକଶକ୍ତିକୁ ନେଇ ପୃଥିବୀରେ ଗର୍ବିତ ଅନୁଭବ କରୁ। ଲୋକଶକ୍ତିର କେଉଁଠି ବି ପରାଜୟ ଘଟିନାହିଁ, ଯଦିଓ କେତେକ କ୍ଷେତ୍ରରେ ବିଳମ୍ବିତ ହୋଇଛି। ଯୁଗେ ଯୁଗେ ଲୋକଶକ୍ତିର ହିଁ ବିଜୟ ଘଟି ଆସିଛି ଓ ଘଟିବ ମଧ୍ୟ।
କୌଣସି ଦେଶର ଚିନ୍ତାଶୀଳ ପ୍ରଗତି କ୍ଷେତ୍ରରେ ଲୋକଶକ୍ତିର ସଚେତନାତ୍ମକ ଜାଗରଣ ଏହାର କ୍ରାନ୍ତିକାରୀ ମୋଡ଼ ବୁଲାଇବା ପାଇଁ ସକ୍ଷମ ନିଶ୍ଚୟ। ଏ କ୍ଷେତ୍ରରେ ସବୁଠାରୁ ବଡ଼ ହେଉଛି ନିଜ ବ୍ୟକ୍ତିଗତ ବା ବ୍ୟକ୍ତିକୈନ୍ଦ୍ରିକ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ଓ ସମାଜର ସ୍ୱାର୍ଥକୁ ସବୁଠାରୁ ବଡ଼ ମନେକରିବା। ନିଃସ୍ୱାର୍ଥପର ଧୈର୍ଯ୍ୟଶୀଳ ଚିନ୍ତନ ହେଉ ବା ସଂଗ୍ରାମ, ସବୁଠାରେ ଲୋକଶକ୍ତିର ବିଜୟ ସୁନିଶ୍ଚିତ। ଅଧୈର୍ଯ୍ୟ ହୋଇ କୌଣସି କ୍ଷେତ୍ରରେ ହିଂସାର ରାସ୍ତାକୁ ଆମେମାନେ ଗ୍ରହଣ କରିବା ଯଥାର୍ଥ ନୁହେଁ, ବରଂ ଏହା ଏକ ବିପଜ୍ଜନକ ପଦକ୍ଷେପ। ଆଜି ନିଜ ରାଷ୍ଟ୍ର ଓ ସମାଜ ପାଇଁ ସମର୍ପିତ ଦାୟିତ୍ୱବୋଧତାକୁ ଗୁରୁତ୍ୱ ମନେକରି ନିଃସ୍ୱାର୍ଥପର ଭାବେ ଦାୟିତ୍ୱ ପ୍ରତି ସଚେତନ ରହିବାର ପୁଣ୍ୟ ସ୍ମରଣୀୟ ଦିବସ। ଏହି ଅବସରରେ ଆମ ସମସ୍ତଙ୍କ ଭିତରେ ଆତ୍ମଶକ୍ତିକୁ ଜାଗରିତ କରି ନିଜ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିପାରିଲେ ଏହି ଦିବସର ଯଥାର୍ଥତା ଓ ତାତ୍ପର୍ଯ୍ୟତା ଅମ୍ଳାନ ରହିବ।
ଯୁଧିଷ୍ଠିର ମହାରଣା
କଟକ, ମୋ: ୯୪୩୭୧୬୩୫୨୮