ଗଣତାନ୍ତ୍ରିକ ପ୍ରଶାସନ ଓ ଦାୟିତ୍ବବୋଧ

ଏକବିଂଶ ଶତାବ୍ଦୀର ଶାସନ ବ୍ୟବସ୍ଥାରେ ଗଣତାନ୍ତ୍ରିକ ସରକାର ଏକ ସୁଚିନ୍ତିତି ବିଧି ବ୍ୟବସ୍ଥା ମଧ୍ୟଦେଇ ଶାସନ ପରିଚାଳନା କରିଥା’ନ୍ତି। ବିଶେଷତଃ ଶାସନ କାର୍ଯ୍ୟ ପରିଚାଳନା କରିବା ପାଇଁ ଓ ଜନସାଧାରଣଙ୍କ ଅତି ନିକଟରେ ଉପଯୁକ୍ତ ଶାସନ ବ୍ୟବସ୍ଥା ପହଞ୍ଚାଇବା ପାଇଁ କେତେଗୁଡ଼ିଏ ସୋପାନ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଅତଏବ ଶାସନ ବ୍ୟବସ୍ଥାକୁ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ପ୍ରଥମେ ବ୍ୟବସ୍ଥାପକ ବା ନୀତି ନିୟମ ବା ବିଧାନ ପ୍ରସ୍ତୁତି, ଦ୍ୱିତୀୟରେ ଉକ୍ତ ବିଧାନ ବା ନିୟମକୁ […]

ଏକବିଂଶ ଶତାବ୍ଦୀର ଶାସନ ବ୍ୟବସ୍ଥାରେ ଗଣତାନ୍ତ୍ରିକ ସରକାର ଏକ ସୁଚିନ୍ତିତି ବିଧି ବ୍ୟବସ୍ଥା ମଧ୍ୟଦେଇ ଶାସନ ପରିଚାଳନା କରିଥା’ନ୍ତି। ବିଶେଷତଃ ଶାସନ କାର୍ଯ୍ୟ ପରିଚାଳନା କରିବା ପାଇଁ ଓ ଜନସାଧାରଣଙ୍କ ଅତି ନିକଟରେ ଉପଯୁକ୍ତ ଶାସନ ବ୍ୟବସ୍ଥା ପହଞ୍ଚାଇବା ପାଇଁ କେତେଗୁଡ଼ିଏ ସୋପାନ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଅତଏବ ଶାସନ ବ୍ୟବସ୍ଥାକୁ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ପ୍ରଥମେ ବ୍ୟବସ୍ଥାପକ ବା ନୀତି ନିୟମ ବା ବିଧାନ ପ୍ରସ୍ତୁତି, ଦ୍ୱିତୀୟରେ ଉକ୍ତ ବିଧାନ ବା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟପାଳିକା, ତୃତୀୟରେ ବିଚାର ବ୍ୟବସ୍ଥା ବା ନ୍ୟାୟପାଳିକା ଓ ଚତୁର୍ଥରେ ଗଣମାଧ୍ୟମ। ତେବେ ଉକ୍ତ ଚାରୋଟି କ୍ଷେତ୍ର ମଧ୍ୟରୁ କାର୍ଯ୍ୟପାଳିକା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯେଉଁଥିରେ ବିଭିନ୍ନ ବର୍ଗର କର୍ମଚାରୀ ନିୟୋଜିତ ହୋଇଥା’ନ୍ତି। ସାମୂହିକ ଭାବେ କାର୍ଯ୍ୟପାଳିକାରେ କର୍ମଚାରୀମାନେ ‘କ’ ‘ଖ’ ‘ଗ’ ‘ଘ’ ବର୍ଗରେ ବିଭକ୍ତ ହୋଇଥା’ନ୍ତି। ‘ଗ’ ଓ ‘ଘ’ ବର୍ଗର କର୍ମଚାରୀମାନେ ପ୍ରକୃତରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥା’ନ୍ତି। ‘ଖ’ ବର୍ଗର କର୍ମଚାରୀମାନେ କାର୍ଯ୍ୟର ତ୍ରୁଟି ସଂଶୋଧନ କରି ‘କ’ ବର୍ଗର କର୍ମଚାରୀମାନଙ୍କ ନିକଟରେ ଉପସ୍ଥାପନ କରିଥା’ନ୍ତି। ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁଯାୟୀ ‘କ’ ବର୍ଗର କର୍ମଚାରୀମାନେ ନୀତିଗତ ନିଷ୍ପତ୍ତିରେ ସମସ୍ତ ତ୍ରୁଟି ପାଇଁ ସରକାରଙ୍କ ନିକଟରେ ଉତ୍ତରଦାୟୀ ହୋଇଥା’ନ୍ତି। ବିଭାଗର ମନ୍ତ୍ରୀ ଯିଏ ବ୍ୟବସ୍ଥାପକ ଅଙ୍ଗର ସର୍ବୋଚ୍ଚ କର୍ତ୍ତା ସେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହୋଇଥା’ନ୍ତି।

ମାତ୍ର ବିଡ଼ମ୍ୱନା ହେଉଛି ନୀତିଗତ ଆଦର୍ଶ ଓ ନିଷ୍ଠାକୁ ଭୁଲିଯାଇ ମଣିଷ କେବଳ ସ୍ୱାର୍ଥକୁ ଅଧିକାର ଦେଇ ଅନ୍ୟ ଉପରେ ଦୋଷ ଲଦି ଦେଉଛି। ଅନ୍ୟକୁ ଦୋଷ ଦେଇ ନିଜେ ସ୍ୱଚ୍ଛ ବୋଲି ପ୍ରମାଣିତ କରିବା ପାଇଁ ଅନେକ ବଳ ପ୍ରୟୋଗ କରି ନିଜକୁ ପ୍ରତିଷ୍ଠା କରୁଥିବା, ନତୁବା ନିଜ ଦୋଷକୁ ଆବରଣ କରିବା ପାଇଁ ନିରୀହ ‘ଗ’ ବର୍ଗ ବା ‘ଘ’ ବର୍ଗର କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରୁଥିବା ଦେଖାଯାଉଛି।

ଯେତେବେଳେ କୌଣସି କାର୍ଯ୍ୟ ପାଇଁ ଗୋଟିଏ ବିଭାଗ ବା କ୍ଷେତ୍ରର ଉତ୍କର୍ଷ ହୋଇଥାଏ, ସେତେବେଳେ ଉକ୍ତ ବିଭାଗର ଉଚ୍ଚ ପଦସ୍ଥ କାର୍ଯ୍ୟପାଳିକା ବା ବ୍ୟବସ୍ଥାପକର ନିୟନ୍ତ୍ରକ ପ୍ରଶଂସା ପାଇଁ ଆଗ୍ରହୀ ହୋଇଥା’ନ୍ତି। ମାତ୍ର ଯେତେବେଳେ ଶାସନରେ କୌଣସି ତ୍ରୁଟି ହୋଇଥାଏ ଓ ସେଥିପାଇଁ ଦଣ୍ଡ ବିଧାନ ହୁଏ, ତେବେ ସେଥିରେ ନିମ୍ନ ବର୍ଗର କର୍ମଚାରୀମାନେ ଦାୟୀ ହୋଇଥା’ନ୍ତି। କିନ୍ତୁ ଯେତେବେଳେ ସମ୍ପୃକ୍ତ ତଳ କର୍ମଚାରୀମାନଙ୍କୁ କୌଣସି ତଦନ୍ତକାରୀ ସଂସ୍ଥା ବା ନ୍ୟାୟାଳୟ ଉକ୍ତ ଘଟଣା ସମ୍ପର୍କରେ କିଛି ଜାଣିବା ପାଇଁ ପ୍ରୟାସ କରିଥା’ନ୍ତି, ସେତେବେଳେ ଚାପରେ ବା ଅଜ୍ଞତାରେ ଉକ୍ତ ବର୍ଗର କର୍ମଚାରୀ ଘଟଣା ସମ୍ପର୍କରେ ବିଷଦ କିଛି କହି ନଥା’ନ୍ତି, କାରଣ ଉକ୍ତ ଘଟଣା ବିଶେଷତଃ ଯେଉଁ ବର୍ଗର କର୍ମଚାରୀମାନଙ୍କ ଦ୍ୱାରା ହୋଇଥାଏ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନଥାଏ।

ଶାସନର ପ୍ରତେକ ଅଙ୍ଗରେ ଭୁଲ କରିଥାଏ ଜଣେ ଓ ଦୋଷ ପାଇଥା’ନ୍ତି ଅନ୍ୟଜଣେ। କ୍ୱଚିତ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ ଯେ ଭୁଲ ବା ଦାୟିତ୍ତ୍ୱହୀନ କାର୍ଯ୍ୟ କରିଥିବା ବ୍ୟକ୍ତି ବା ଗୋଷ୍ଠୀ ଦଣ୍ଡ ବିଧାନ ପାଇଥା’ନ୍ତି ବା ସ୍ୱଇଚ୍ଛାରେ ଦୋଷ ସ୍ୱୀକାର କରିଥା’ନ୍ତି। ନିର୍ମାଣାଧୀନ ପୋଲ ଭୁଶୁଡ଼ିଲେ କଣ୍ଟ୍ରାକ୍ଟର ବା କାରିଗର ଦାୟୀ, ରୋଗୀ ଚିକିତ୍ସା ଅବହେଳାରୁ ମୃତ୍ୟୁ ବା ଅନ୍ୟକିଛି ହେଲେ ଡାକ୍ତର ଓ ନର୍ସ ଦାୟୀ, ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରୁ କିଛି ଚୋରି ହେଲେ କନେଷ୍ଟବଳ ଦାୟୀ, ସରକାରୀ କାର୍ଯ୍ୟରେ ବଡ଼ଧରଣର ଅର୍ଥ ଆତ୍ମସାତ ହେଲେ ତଳ ବର୍ଗର କର୍ମଚାରୀ ଦାୟୀ, ଇତ୍ୟାଦି। ମାତ୍ର ଉକ୍ତ ଅକୁହା ସ୍ଥିତିର ପ୍ରକୃତ ରହସ୍ୟକୁ ଲୋକଲୋଚନକୁ ଆଣିବାକୁ ଯାଇ ଭାରତୀୟ ସମ୍ୱିଧାନ ‘ବାକ୍ ସ୍ୱାଧୀନତାରେ ମୌଳିକ ଅଧିକାରକୁ ଏକୀଭୂତ କରିବା ପାଇଁ ଏକ କାର୍ଯ୍ୟ ପ୍ରଣୟନ କରିଅଛି ଯାହା ସୂଚନା ଅଧିକାର ନାମରେ ଆଦୃତ। ଏଥିରେ ବ୍ୟକ୍ତି ଲିଖିତ ଭାବେ ବ୍ୟବସ୍ଥିତ ପରିଚାଳନାରେ ଆବେଦନ କଲେ ଯେଉଁ ସତ୍ୟ ଲୁକ୍କାୟିତ ହୋଇଥାଏ, ତାହାର ସୂଚନା ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥାଏ। ଯେହେତୁ ଜାଣିବାର ଅଧିକାର ଭାରତୀୟ ସମ୍ୱିଧାନର ଧାରା ୧୯ ଅନୁଯାୟୀ ବକ୍ତବ୍ୟ ଓ ଅଭିବ୍ୟକ୍ତିର ଅଧିକାରରେ ଅନ୍ତର୍ଭୁକ୍ତ, ଏହା ଏକ ମୌଳିକ ଅଧିକାର ପଦବାଚ୍ୟ।

ସାଧାରଣ ଭୁଲ ବା ତ୍ରୁଟି ପାଇଁ ବିଭାଗର ମୁଖ୍ୟ ବା ଶାସନର ମୁଖ୍ୟ ବା ସରକାରଙ୍କର ମୁଖ୍ୟ ନିଜ ପଦ ପଦବୀରୁ ବେଳେ ବେଳେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି। ୧୯୫୬ ମସିହାରେ ରେଳ ଦୁର୍ଘଟଣାରେ ତଦାନୀନ୍ତନ ରେଳ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଇସ୍ତଫା, ଅର୍ଥନୀତିର ଅନିୟମିତତା ପାଇଁ ୧୯୫୮ରେ ଟିଟି କ୍ରୀଷ୍ଣାମାଚାରୀଙ୍କର ଇସ୍ତଫା, ୧୯୬୨ରେ ରକ୍ଷାମନ୍ତ୍ରୀ ଭିକେ କ୍ରୀଷ୍ଣାମେନନଙ୍କର ଇସ୍ତଫା ଇତ୍ୟାଦି ଅଦ୍ୟାବଧି ଦୃଷ୍ଟାନ୍ତ ହୋଇ ରହିଛି। ନିଜର ଦୁର୍ବଳତାକୁ ନ ଘୋଡ଼ାଇ ସେମାନେ ତଳ ସ୍ତର ଉପରେ ଦୋଷ ଲଦି ଦେଇ ନଥିଲେ। ପ୍ରଶାସନରେ ଉତ୍ତର ଦାୟିତ୍ବ ଓ ନୈତିକ ମୂଲ୍ୟବୋଧକୁ ବଜାୟ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଦାୟିତ୍ୱକୁ ସୂଚାରୁ ରୂପେ ନିର୍ବାହ ନକରି କେବଳ ବାଧ୍ୟ ବାଧକତାରେ ଆଇନ ଅଦାଲତରେ ହେଉ କିମ୍ବା ନାଗରିକ ସୂଚନା ଅଧିକାର ପ୍ରକ୍ରିୟାରେ ଯଥା ସମ୍ଭବ ସର୍ବନିମ୍ନ ସୂଚନା ଓ ତଥ୍ୟ ଯୋଗାଉଛନ୍ତି। ଏହା କିନ୍ତୁ ଗଣତାନ୍ତ୍ରିକ ପ୍ରଶାସନର ପ୍ରକୃଷ୍ଟ ପରିଚୟ ନୁହେଁ।

ଅତଏବ ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ନିଜର ଦାୟିତ୍ୱ ଓ ନିଷ୍ଠା ତଥା ଆଦର୍ଶ ଓ ସ୍ୱାଭିମାନକୁ ଜୀବନର ଆଧାର ବିବେଚନା କରି ଜୀବନ ନିର୍ବାହ କରିବା ଉଚିତ। ନିଜକୁ ପରିମାର୍ଜିତ କରି ନିଜେ କରିଥିବା ଦୋଷକୁ ନିଜେ ସ୍ୱୀକାର କରି ତାହାର ପୁନରାବୃତ୍ତି ନହେବା ପାଇଁ ଯତ୍ନବାନ ହେବା ଉଚିତ। ବିଶେଷ କରି ଏହା ଗଣତନ୍ତ୍ର ଶାସନର କାର୍ଯ୍ୟପାଳିକାର କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା ରୂପେ ବିବେଚନା କରିବା ଆବଶ୍ୟକ, କାରଣ ସେମାନେ ଟିକସ ଦେଉଥିବା ସାଧାରଣ ଜନତା ତଥା ଦଶର ସାର୍ବଭୌମ ନାଗରିକ।

ଡ.ସତ୍ୟ ନାରାୟଣ ମିଶ୍ର
ଭୁବନେଶ୍ୱର, ମୋ: ୯୯୩୭୩୪୫୯୦୦

About The Author: The Sakala