ବାରିପଦା ହାଇସ୍କୁଲରେ (ଯାହା ଏବେ ଶତାୟୁ ଏମ୍ କେ ସି ହାଇସ୍କୁଲ ଭାବେ ବିଦିତ) ଅଧ୍ୟୟନ ସମୟରେ ଜଣେ ଛାତ୍ର ଫଟୋଗ୍ରାଫର ହେବାର ଭବିଷ୍ୟବାଣୀ ସୂଚାଇ ଥିଲେ ତତ୍କାଳୀନ ଜଣେ ବଙ୍ଗୀୟ ବିଜ୍ଞାନ ଶିକ୍ଷକ। ତିରିଶ ଦଶକରେ ଶ୍ରେଣୀ କକ୍ଷର ଝରକା ପାଖରେ ବସି ଏକ ପିନହୋଲ କ୍ୟାମେରାରେ ସ୍କୁଲ୍ର ବହିଃ ଦୃଶ୍ୟରେ ମଜ୍ଜି ରହୁଥିବା ସେହି ଛାତ୍ରଜଣକ ପରବର୍ତ୍ତୀ ସମୟରେ ବାରିପଦାଠୁ ଆରମ୍ଭ କରି ଦେଶ ବିଦେଶରେ ଫଟୋଗ୍ରାଫିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଥିଲେ।
ବାରିପଦା ଦେଉଳ ସାହିରେ ଜନ୍ମିତ ଚନ୍ଦ୍ରମୋହନ ବିନ୍ଧାଣୀ ଓ ସୁଗନ୍ଧା ଦେବୀଙ୍କ ସୁପୁତ୍ର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, ଆଜିର ଦିନରେ ଶହେ ବର୍ଷରେ ପାଦ ଦେଇ ଫଟୋଗ୍ରାଫି ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରି ନିଆରା ବ୍ୟକ୍ତି ସାଜିଛନ୍ତି। ଏକାଧାରରେ ଆଲୋକ ଚିତ୍ର ଶିଳ୍ପୀ, ବାସ୍ତୁବିତ୍, ମୁଦ୍ରଣ ଲିପି ସଂସ୍କାରକ, ସାହିତ୍ୟିକ, କବି, ରଥ ନିର୍ମାଣ ଶିଳ୍ପୀ, କାଷ୍ଠ-ଲୌହ କଳାକାର, ଅଭିନେତା, ନାଟ୍ୟକାର, ସାମ୍ୱାଦିକ, ଫଟୋ ସାମ୍ବାଦିକ ଆଦି ପ୍ରତିଭାର ପ୍ରଜ୍ଞାପୁରୁଷ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଏବେ ବି ବେଶ୍ ସତେଜ ଓ ଚଳଚଞ୍ଚଳ। ତାଙ୍କ ପୂର୍ବପୁରୁଷମାନେ ଭଞ୍ଜ ବଂଶର ତତ୍କାଳୀନ ମହାରାଜା ଯଦୁନାଥ ଭଞ୍ଜଙ୍କ ସହଯୋଗ ଓ ସାନିଧ୍ୟ ଲାଭ କରି ଶ୍ରୀକ୍ଷେତ୍ର ପୁରୀରୁ ଆସି ବାରିପଦାରେ ପୁରୁଷାନୁକ୍ରମେ ବାସ କରି ରଥଯାତ୍ରା ସମୟରେ ରଥ ନିର୍ମାଣ ଶିଳ୍ପୀ ଭାବେ ପରିଚିତ ହୁଅନ୍ତି।
୧୯୨୪ ଅଗଷ୍ଟ ମାସ ୨୪ ତାରିଖରେ ଜନ୍ମିତ ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟ ପଢ଼଼ାରେ ଡୋରି ବାନ୍ଧି ଫଟୋ ଉଠାଇବା ନିଶାରେ ମନ ବଳାଇଲେ। ସେ ସମୟରେ ନା ଥିଲା ଆଜିର ଭଳି ଅତ୍ୟାଧୁନିକ କ୍ୟାମେରା ନା ଫଟୋ ଷ୍ଟୁଡିଓ ନା ଫଟୋଗ୍ରାଫି ଟେକ୍ନୋଲଜି। ସଂଯୋଗକୁ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ପୂର୍ଣ୍ଣଚନ୍ଦ୍ର, କାଳିଆ ସାଆନ୍ତଙ୍କ କୃପା ଲାଭ କରି ସେ ସମୟରେ ବିଦେଶରୁ ଫେରି ଥିବା ଜନମୋହନ ମହାପାତ୍ରଙ୍କ ନିକଟରେ କାର୍ଯ୍ୟ ଆରମ୍ଭ କଲେ। ସାହି ପଡ଼ିଶାଙ୍କ ସହାୟତାରେ କ୍ୟାମେରାଟେ କିଣି ଫଟୋ ଉଠାଇବାର ଲମ୍ୱା ଇନିଙ୍ଗସ ଆରମ୍ଭ କଲେ।
ଏକ ବିଚିତ୍ର ସଂଯୋଗରେ ଜନମୋହନ ମହାପାତ୍ର ଅସୁସ୍ଥତା ହେତୁ ତାଙ୍କ ସ୍ଥାନରେ ପୂର୍ଣ୍ଣଚନ୍ଦ୍ର ମୟୂରଭଞ୍ଜ ରାଜପ୍ରାସାଦକୁ ମହାରାଜା ପ୍ରତାପ ଚନ୍ଦ୍ରଙ୍କ ଦ୍ୱାରା ଆହୂତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫଟୋ ଉଠା କାମ ସମ୍ପାଦନ କଲେ। ଏହିକ୍ରମରେ ସେ ନିୟମିତ ଭାବେ ରାଜବାଟିର ଫଟୋଗ୍ରାଫର୍ ହେବାର ସୌଭାଗ୍ୟ ପ୍ରାପ୍ତି ହେଲେ। ସେ ସମୟରେ ତାଙ୍କ ଘରେ ବିଜୁଳି ନ ଥିବାରୁ ସୂର୍ଯ୍ୟ କିରଣକୁ ଆଧାର କରି ଫଟୋ ଉଠାଉଥିଲେ। ପରବର୍ତ୍ତୀ ସମୟରେ ନିଜସ୍ୱ ବୁଦ୍ଧିରେ ଅନ୍ଧାର କୋଠରିରେ ଫଟୋ ବିକାଶ କରିବାର ଦକ୍ଷତା ହାସଲ କଲେ। ଏହାଦ୍ୱାରା ଫଟୋଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରିଲା। ଏବେ ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ ୬୦ ଦଶକରେ ଫଟୋଗ୍ରାଫିରେ ଥ୍ରୀ ଡି ଇଫେକ୍ଟ ସୃଷ୍ଟି କରିବାରେ ସିଦ୍ଧହସ୍ତ ପୂର୍ଣ୍ଣଚନ୍ଦ୍ର ବେଶ୍ ଚର୍ଚ୍ଚିତ ହୋଇ ରାଜପରିବାରଠୁ ଆରମ୍ଭ କରି ସହର ଆଖପାଖ ଗାଅାଁରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଲେ।
ଧୀରେ ଧୀରେ ଫୋଟୋଗ୍ରାଫର ଭାବେ ତାଙ୍କର ଖ୍ୟାତି ବିସ୍ତାରିତ ହେଲା ଓ ବାରିପଦା ସହରରେ ପ୍ରଥମ କରି ନିଜର ଷ୍ଟୁଡିଓ ‘ ବିନ୍ଧାଣୀ ଆଲୋକଚିତ୍ର’ ପ୍ରତିଷ୍ଠା କରି ଓ ପରେ ନାମ ଦେଲେ ‘ବିନ୍ଧାଣୀ ଫଟୋ ଦିନରାତି’। ଫଟୋଗ୍ରାଫି ବୃତ୍ତିରେ ସଫଳତାର ଶୀର୍ଷ ସ୍ଥାନ ଦେଖÒଲେ ପୂର୍ଣ୍ଣଚନ୍ଦ୍ର, ଯେଉଁଦିନ ତାଙ୍କ ଦ୍ୱାରା କ୍ଲିକ୍ ହୋଇଥିବା ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ଜଣେ ଆଦିବାସୀ ଝିଅ ମୁହଁରେ ପଡ଼ିଥିବା ଓ ମୁଣ୍ଡରେ ଧାନ ବିଡ଼ା ମୁଣ୍ଡେଇ ଗାଅାଁକୁ ଫେରୁଥିବା ସମୟର ଫଟୋଟେ ପଣ୍ଡିଚେରୀଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଫଟୋ ଗ୍ୟାଲେରୀରେ ପ୍ରଥମ ବିବେଚିତ ହୋଇଥିଲା। ସ୍ୱନାମଧନ୍ୟ ଲେଖକ ମନୋଜ ଦାସ ତାଙ୍କ ‘ଦିଗନ୍ତ’ ପତ୍ରିକାର କଭର ପେଜରେ ‘ଛାଇ ଆଲୁଅର ରାସ’ ଶୀର୍ଷକରେ ଏହି ଫଟୋଟିକୁ ସ୍ଥାନିତ କରି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କ ଖ୍ୟାତି ଓ ଦକ୍ଷତାକୁ ସାର୍ବଜନୀନ ସ୍ୱୀକୃତି ଦେଲେ। ପୁଣି ସେ ଚର୍ଚ୍ଚାକୁ ଆସିଲେ ଯେତେବେଳେ ଆଦିବାସୀ ପରମ୍ପରାର ଏକ ପର୍ବରେ ଧନୁଶର ଧରି ମହିଳାଙ୍କ ଉତକ୍ଷେପଣ ସମୟର ଫଟୋ ଚିତ୍ରଟେ କ୍ଲିକ୍ କରି। ୧୯୭୪ ମସିହାରେ ବାରିପଦା ଆସିଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ବିରଳ ଫଟୋ ଚିତ୍ର ଉତ୍ତୋଳନ କରି ପୂର୍ଣ୍ଣଚନ୍ଦ୍ର ଅନେକ ପ୍ରଶଂସା ସାଉଁଟିଥିଲେ, ଯାହା କି ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ରଚିତ ଏକ ପୁସ୍ତକର କଭର୍ ପେଜରେ ଶୋଭିତ ହୋଇଥିଲା। ସେହିପରି ନିଜ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ବାରିପଦାରେ ଅନୁଷ୍ଠିତ ରଥଯାତ୍ରା ସମୟର ନିଆରା ଫଟୋ ଚିତ୍ର ନେବାରେ ସେ ସିଦ୍ଧହସ୍ତ ଥିଲେ। ବିଗତ ଦିନରେ ପୁଲିସ ବିଭାଗର ଏକମାତ୍ର ପୁଲିସ ଫଟୋଗ୍ରାଫର ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର।
ଦେଶ ବିଦେଶରେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କ ଫଟୋଗ୍ରାଫିରେ ଖ୍ୟାତି ବ୍ୟାପି ଥିଲା ଓ ସୌଭାଗ୍ୟକୁ ନେପାଳ ରାଜପରିବାର ତାଙ୍କ ଚିତ୍ରକଳା କାରନାମାରେ ବିମୁଗ୍ଧ ହୋଇ ଗୋଟେ ଦାମୀ କମ୍ପାନୀର କ୍ୟାମେରା ଉପହାର ସ୍ୱରୂପ ଦେଇଥିଲେ, ଯାହା କି ପୂର୍ଣ୍ଣଚନ୍ଦ୍ରଙ୍କ ବୃତ୍ତିଗତ ଜୀବନରେ ବେଶ୍ ସହାୟତା କରିଥିଲା। ସେ ସମୟରେ ଓଡ଼ିଆ ଦୈନିକ ଖବରକାଗଜରେ ନିରପେକ୍ଷ ଓ ତାଜା ଖବର ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରେସ ଫଟୋଗ୍ରାଫର୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ ସୁଲେଖକ ଭାବରେ ତାଙ୍କର ବ୍ୟଙ୍ଗ କବିତା ଓ କ୍ଷୁଦ୍ର ଗଳ୍ପ ସମୂହ ବିଭିନ୍ନ ପତ୍ରପତ୍ରିକା ବିଶେଷ କରି ପ୍ରତିଷ୍ଠିତ ‘ଡଗର’ ପତ୍ରିକାରେ ନିୟମିତ ଭାବେ ପ୍ରକାଶ ପାଇ ପାଠକୀୟ ସ୍ୱୀକୃତି ପାଇଛି। ୧୯୪୭ରେ ତାଙ୍କ ରଚିତ ପ୍ରଥମ ଗୁଇନ୍ଦା ପୁସ୍ତକ ‘ସର୍ଦ୍ଦାର’ ଏବଂ ଏକାଙ୍କିକା ‘ବାଘ’ ଓ ‘ଗୁମ୍ଫା’ ପୁସ୍ତକ ରଚନା ସେ ସମୟରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ବିଗତ ଦିନରେ ବାରିପଦାରୁ ପ୍ରକାଶ ପାଇଥିବା ‘ରାକା’ ନାମକ ସାହିତ୍ୟ ପତ୍ରିକାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଥିଲେ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଲିପିର ସଂସ୍କାର ନିମନ୍ତେ ଯେଉଁ ସୁଚିନ୍ତିତ ମତାମତ ଦେଇଥିଲେ, ତା’ର ସ୍ୱୀକୃତି ସ୍ୱରୂପ ଓଡ଼ିଶା ସାହିତ୍ୟ ଏକାଡେମୀ ନିଜର ମୁଖପତ୍ର ‘କୋଣାର୍କ’ର ସପ୍ତମ ସଂଖ୍ୟାରେ ପ୍ରକାଶ କରି ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତିଭାକୁ ଦ୍ୱିଗୁଣିତ କରିଛନ୍ତି। ଜଣେ ଅଭିନେତା ଭାବେ ପରିଚିତ ଚେହେରା ପୂର୍ଣ୍ଣଚନ୍ଦ୍ରଙ୍କ ଓଡ଼ିଆ ଚଳଚ୍ଚିତ୍ର ଓ ନାଟକରେ ଏବେ ବି ଦର୍ଶକଙ୍କ ମନରେ ଚିର ସବୁଜ ହୋଇ ରହିଛି, ଯାହାର ପ୍ରତିଫଳନ ଦେଖିବାକୁ ମିଳେ ‘ଅଭିମାନ’ , ‘ଫୁଲ ଚନ୍ଦନ’, ‘ଧାରେ ଆଲୁଅ’ ଓ ‘ରଜନୀ ଗନ୍ଧା’ ପରି ଚଳଚ୍ଚିତ୍ରରେ। ନାଟକ ‘ଗାଅାଁ ହାଟ’ରେ ମାର୍କଣ୍ଡ ଭୂମିକାରେ ପୂର୍ଣ୍ଣଚନ୍ଦ୍ରଙ୍କ ନିଖୁଣ ଅଭିନୟ ଅଭୁଲା ସ୍ମୃତି ହୋଇ ରହି ଯାଇଛି। ଏ ସବୁ ବ୍ୟତୀତ ଜଣେ ବାସ୍ତୁବିତ, ରଥ ଶିଳ୍ପୀ ଭାବେ ପରିଣତ ବୟସରେ ମଧ୍ୟ ସେ ଚଳଚଞ୍ଚଳ ଅଛନ୍ତି। ଦୁଃଖ ଓ ପରିଚାପର ବିଷୟ ଯେ ଏଭଳି ଜଣେ ଉତ୍ସର୍ଗୀକୃତ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ଯଥୋଚିତ ସମ୍ମାନ ଓ ସ୍ୱୀକୃତି ମିଳିନାହଁ। ତାଙ୍କ ଉପରେ ଗବେଷଣା ହେବା ଆବଶ୍ୟକ ବୋଲି ମନେ ହୁଏ।
ଇଂ ମାନସ ରଞ୍ଜନ ଷଡ଼ଙ୍ଗୀ
ବାରିପଦା, ମୋ: ୮୪୫୭୦୬୨୯୮୨