ସେ ଶିଶୁ ହୁଅନ୍ତୁ ବା ବୟସ୍କ, ଛାତ୍ରଛାତ୍ରୀ ବା କର୍ମଜୀବୀ। ପରୀକ୍ଷା ସବୁବେଳେ ମାନସିକ ଚାପ ସୃଷ୍ଟି କରେ। ଅଜଣା ଭୟ ମନ ଓ ହୃଦୟକୁ ଥରେଇ ଦିଏ। ମନରେ ଉଙ୍କି ମାରୁଥିବା ନାନା ପ୍ରଶ୍ନ ବେଳେବେଳେ ବିଚଳିତ କରିଦିଏ। ଯେତେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବିଦ୍ୟାଳୟ ମହାବିଦ୍ୟାଳୟ ପରୀକ୍ଷାଠାରୁ କର୍ମନିଯୁକ୍ତି ପାଇଁ ଲିଖିତ ଓ ସାକ୍ଷାତକାର ପରୀକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାରାକ୍ରାନ୍ତ କରିଦିଏ। ଏ ଭଳି ଅଜଣା ଭୟ ବେଳେବେଳେ ଚପଳମତି ବାଳକବାଳିକା ବା ଯୁବକଯୁବତୀମାନଙ୍କ ଅମୂଲ୍ୟ ଜୀବନକୁ ସମାପ୍ତ କରିଦିଏ ଆତ୍ମହତ୍ୟା ରୂପକ କଠିନ ଓ କଠୋର ନିଷ୍ପତ୍ତି ମାଧ୍ୟମରେ। ଆମେ ପ୍ରତ୍ୟେକ ଦିନ ଖବରକାଗଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ସମ୍ୱନ୍ଧରେ। ଏପରିକି ଦେଶର ସବୁଠାରୁ ମେଧାବୀ ଓ ବୁଦ୍ଧିମାନ ଛାତ୍ରଛାତ୍ରୀ କୁହାଯାଉଥିବା ଆଇଆଇଟି, ଆଇଆଇଏମ୍ ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ପାଠ୍ୟକ୍ରମ ଓ ପରୀକ୍ଷା ଜନିତ ଚାପ ସେମାନଙ୍କୁ ବିତୃଷ୍ଣ ଓ ବୀତସ୍ପୃହ କରିପକାଏ। ଶେଷରେ ସବୁ ସ୍ୱପ୍ନକୁ ସମାପ୍ତ କରି ନିଜ ଅମୂଲ୍ୟ ଜୀବନକୁ ଆତ୍ମହତ୍ୟା ମାଧ୍ୟମରେ ଶେଷ କରିଦିଅନ୍ତି ସେମାନେ।
ଶିକ୍ଷାବିତ୍ମାନେ ପିଲାଙ୍କୁ ପରୀକ୍ଷା ସମ୍ପର୍କିତ ଚାପରୁ ମୁକ୍ତ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି। ସ୍ୱାଧୀନତା ପରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ଆୟୋଗ(୧୯୪୮), ମାଧ୍ୟମିକ ଶିକ୍ଷା ଆୟୋଗ (୧୯୫୨), ଡ. ଦୌଲତ ସିଂ କୋଠାରୀଙ୍କ ସଭାପତିତ୍ୱରେ ଭାରତୀୟ ଶିକ୍ଷା ଆୟୋଗ (୧୯୬୪-୬୬), ଦେଶର ପ୍ରଥମ ଓ ଦ୍ୱିତୀୟ ଜାତୀୟ ଶିକ୍ଷା ନୀତି ୧୯୬୮ ଓ ୧୯୮୬ ଠାରୁ ସଦ୍ୟ ପ୍ରଚଳିତ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ ଯାଏଁ ଅନେକ ଶିକ୍ଷା କମିଟି, ଆୟୋଗ ଓ ଶିକ୍ଷା ନୀତି ବିଭିନ୍ନ ଗଠନମୂଳକ ପଦକ୍ଷେପ ମାଧ୍ୟମରେ ପିଲାଙ୍କ ପରୀକ୍ଷା ଚାପ କମେଇବାକୁ ଚେଷ୍ଟା କରିଛନ୍ତି। ଆଜିକାଲି ପରୀକ୍ଷା ବ୍ୟବସ୍ଥା ନମନୀୟ ହୋଇଛି। ପ୍ରଶ୍ନପତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସଂଖ୍ୟା କମିଛି। ବସ୍ତୁନିଷ୍ଠ ବା ଅତି କ୍ଷୁଦ୍ରମୂଳକ, ବିଶେଷକରି ବହୁ ବିକଳ୍ପ ଚୟନ ପ୍ରଶ୍ନ(ଏମ୍ସିକ୍ୟୁ) ସଂଖ୍ୟା ବଢ଼଼ିଛି। ମୂଲ୍ୟାୟନ ଓ ମୂଲ୍ୟାଙ୍କନ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ପ୍ରବଳ ବୃଦ୍ଧି ହୋଇଛି। ନମ୍ୱର ରଖିବା ଆଜିକାଲି ତୁଳନାତ୍ମକ ଭାବେ ସହଜ ଓ ସରଳ ହୋଇଛି। ପିଲାମାନେ ଗଣିତ ଓ ବିଜ୍ଞାନ ଭଳି ଭାଷା ପତ୍ରରେ ମଧ୍ୟ ଶହେରୁ ଶହେ ଅଙ୍କ ପାଉଛନ୍ତି। ଶିକ୍ଷକ,ଶିକ୍ଷୟିତ୍ରୀମାନେ ସମସ୍ତଙ୍କୁ ଉତ୍ତୀର୍ଣ୍ଣ କରିବାର ମନ ପ୍ରସ୍ତୁତ କରି ମୂଲ୍ୟାୟନ କେନ୍ଦ୍ରକୁ ଯାଉଛନ୍ତି।
ଆଗଭଳି ଶତକଡ଼ା ଫେଲ୍ ହାର ଆଉ ନାହିଁ। ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ଯାଏଁ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବାର୍ଷିକ ପରୀକ୍ଷା ବ୍ୟବସ୍ଥା ଆଉ ନାହିଁ। ସେମିଷ୍ଟର ବା ଫର୍ମେଟିଭ୍ ଓ ସମେଟିଭ୍ ମୂଲ୍ୟାୟନ ମାଧ୍ୟମରେ ପ୍ରତି ଛଅମାସରେ ଗୋଟିଏ ଗୋଟିଏ ପରୀକ୍ଷା ହେଉଛି। ବର୍ଷସାରା ସମ୍ପୂର୍ଣ୍ଣ ବହି ପଢ଼଼ି ଏକାଥରେ ପରୀକ୍ଷା ଦେବା ବ୍ୟବସ୍ଥା ଉଚ୍ଛେଦ ହୋଇଗଲାଣି। ପୁଣି ପିଲାଙ୍କ ଉପଲବ୍ଧି ବା ସଫଳତା ମୂଲ୍ୟାୟନ ଅନ୍ତ-ଶିକ୍ଷାନୁଷ୍ଠାନ ମୂଲ୍ୟାୟନ (ଇଣ୍ଟରନାଲ୍ ଆସେସ୍ମେଣ୍ଟ) ଓ ବାହ୍ୟ ମୂଲ୍ୟାୟନ (ଏକ୍ସଟରନାଲ ଆସେସମେଣ୍ଟ) ଜରିଆରେ ହେଉଛି। ଅର୍ଥାତ୍ ଶିକ୍ଷାନୁଷ୍ଠାନରେ ପଢ଼଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ହାତରେ ମଧ୍ୟ ମାର୍କ ଦେବାର ଅଧିକାର ରହୁଛି। ଉଚ୍ଚଶିକ୍ଷା ସ୍ତରରେ ପ୍ରାକ୍ଟିକାଲ୍ ଆଧାରିତ ବିଷୟଗୁଡ଼ିକରେ ଶହେରୁ ଚାଳିଶ ନମ୍ୱର ନିଜ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ହାତରେ ରହୁଛି। ଅର୍ଥାତ୍ ନିଜ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ସହାୟତା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି। ଏସବୁ ଆଲୋଚନାକୁ ସଂକ୍ଷେପରେ କହିଲେ ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥାକୁ ଆଶାତୀତ ଭାବରେ ନମନୀୟ କରାଯାଇଛି। ଏହାସତ୍ତ୍ବେ ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ରହିବା, ଜୀବନକୁ ତୁଚ୍ଛ କରିଦେବା ଓ ପରୀକ୍ଷା ସରିବା ପରେ ହୋଲି ଖେଳିବା, ଉଦଣ୍ଡ ନୃତ୍ୟ କରିବା ଆଦି ଚିନ୍ତାର ବିଷୟ।
ଆମ ଛାତ୍ରଜୀବନରେ ପରୀକ୍ଷା ଦିନ ସମସ୍ତ ନିତ୍ୟକର୍ମ ସାରି ପିତାମାତା ଓ ଦେବାଦେବୀଙ୍କ ଆଶୀର୍ବାଦ ନେଇ ପବିତ୍ର ମନରେ ପରୀକ୍ଷାକୁ ଯିବା ଏବଂ ପରୀକ୍ଷା ସରିବା ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ଆଶୀର୍ବାଦ ନେଇ ବିଶ୍ରାମ ନେବା ବା ମାମୁଁ ଘର ବୁଲିବାକୁ ଯିବା ଆମମାନଙ୍କ ଏକ ବିଚାରଧାରା ଥିଲା। ଆଜି କିନ୍ତୁ ବଡ଼ ବିଚିତ୍ର ଆଚରଣ ଦେଖିବାକୁ ମିଳୁଛି। ପିଲାମାନେ ପରୀକ୍ଷା ଶେଷ ହେବା ପରେ ଯେଭଳି ଅନୁଶାସନହୀନ ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ଚିନ୍ତାଜନକ। ଏହା ହୁଏତ ସେମାନଙ୍କ ଚାପଗ୍ରସ୍ତ ମନକୁ ହାଲକା କରିବାର ମାଧ୍ୟମ ହୋଇପାରେ। ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏତେ ନମନୀୟତା ସତ୍ତ୍ବେ ଛାତ୍ରୀଛାତ୍ରୀମାନେ ଚାପଗ୍ରସ୍ତ ରହୁଛନ୍ତି କାହିଁକି? କାରଣ ଅନେକ। କିନ୍ତୁ ଏଠାରେ କେତୋଟି ମୁଖ୍ୟ କାରଣ ଆଲୋଚନା କରାଯାଇପାରେ।
ପ୍ରଥମତଃ, ଆଜିକାଲିର ଛାତ୍ରଛାତ୍ରୀଙ୍କ ନିରନ୍ତର ପ୍ରସ୍ତୁତିର ଅଭାବ ରହୁଛି। ଦ୍ୱିତୀୟରେ, ପିଲାମାନେ ନିୟମିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀ ପ୍ରକୋଷ୍ଠରେ ଉପସ୍ଥିତ ନ ରହି ସାଙ୍ଗସାଥୀ ମେଳରେ ସମୟ ଅତିବାହିତ କରିବାକୁ ଉପଯୁକ୍ତ ମଣୁଛନ୍ତି। ତୃତୀୟରେ, ବାପାମାଆମାନେ ପିଲାଙ୍କ ପାଠପଢ଼଼ା ଉପରେ ଯେତିକି ଧ୍ୟାନ ଦେବା କଥା, ବିଶେଷଭାବରେ ଉଚ୍ଚ ଶିକ୍ଷା ସ୍ତରରେ, ତାହା ହେଉନାହିଁ। ପିଲାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ ମଧ୍ୟ ପିତାମାତା ଓ ଅଭିଭାବକ ନଜର ରଖୁନାହାନ୍ତି। ଚତୁର୍ଥରେ, ଅଭିଭାବକମାନେ କଲେଜ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହ ଆଦୌ ସମ୍ୱନ୍ଧ ରଖୁନାହାନ୍ତି। ତେଣୁ ନିଜ ପୁଅ ଝିଅଙ୍କ ଭଲମନ୍ଦ ଜାଣିପାରୁ ନାହାନ୍ତି। ପଞ୍ଚମରେ, ଆଇଆଇଟି ଭଳି ପାଠ୍ୟକ୍ରମ ତୁଳନାତ୍ମକ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଇଁ କଠୋର ରହୁଛି। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ମାଧ୍ୟମରେ ସର୍ବୋଚ୍ଚ ସ୍ଥାନରେ ରହିବାର ମାନସିକତା ପିଲାଙ୍କୁ ଚାପଗ୍ରସ୍ତ କରୁଛି। ଷଷ୍ଠରେ, ପିଲାମାନେ ବାପାମାଆ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରାମର୍ଶ, ଉପଦେଶ ବିଶେଷକରି ଚାପମୁକ୍ତ ରହିବାର କଳାକୌଶଳ ଯଥାର୍ଥ ଭାବରେ ହାସଲ କରିପାରୁ ନାହାନ୍ତି। ବରଂ ଦାମୀ ସ୍ମାଟ୍ର୍ ଫୋନ୍ ଓ ଦାମୀ ଗାଡ଼ି ଦେଇ ପିତାମାତା ଓ ଅଭିଭାବକ ପିଲାଙ୍କୁ ବିଶୃଙ୍ଖଳିତ କରୁଛନ୍ତି।
ସପ୍ତମରେ, ଆଗଭଳି ଶିକ୍ଷକ,ଶିକ୍ଷୟିତ୍ରୀ (ଉଚ୍ଚଶିକ୍ଷା ସ୍ତରରେ)ମାନେ ପିଲାଙ୍କ ପ୍ରତି ଯେତିକି ଉତ୍ତରଦାୟୀ ରହିବା କଥା ରହୁ ନାହାନ୍ତି କି ଛାତ୍ରଛାତ୍ରୀମାନେ କୋଚିଂ ବ୍ୟବସ୍ଥା ବା ଅନ୍ୟାନ୍ୟ କାରଣ ହେତୁ ଅଧ୍ୟାପକ,ଅଧ୍ୟାପିକାମାନଙ୍କ ପ୍ରତି ସମ୍ମାନବୋଧ ରଖୁନାହାନ୍ତି। ଅଷ୍ଟମରେ, ପିଲାଙ୍କୁ ଅତ୍ୟଧିକ ସ୍ୱାଧୀନତା ପ୍ରଦାନ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଶାସନିକ ଓ ଅନୁଶାସନଗତ ସମସ୍ୟା ସୃଷ୍ଟି କରୁଛି। ନବମରେ, ଛାତ୍ରଛାତ୍ରୀମାନେ (ଆଇଆଇଟି ଭଳି ପାଠ୍ୟକ୍ରର ଛାତ୍ରଛାତ୍ରୀ ନୁହନ୍ତି) ଆଜିକାଲି ପରିଶ୍ରମ ପରିବର୍ତ୍ତେ ସରଳ ଓ ସର୍ଟକର୍ଟ ଉପାୟରେ ଖୋଜିବାରେ ବ୍ୟସ୍ତ ରହୁଛନ୍ତି। ଶେଷରେ, ପରୀକ୍ଷାଜନିତ ଚାପରୁ ମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଜନାବଦ୍ଧ ଭାବରେ ରଣନୀତି ବା କୌଶଳ ପ୍ରସ୍ତୁତିରେ ବିଫଳ ହେଉଛନ୍ତି। ବିଶେଷକରି, ନିରନ୍ତର ଓ ବ୍ୟାପକ ମୂଲ୍ୟାୟନ ବ୍ୟବସ୍ଥା ସହ ଜୀବନ କଳାକୌଶଳର ବିକାଶ ହୋଇପାରିଲେ ପରୀକ୍ଷା ସରିଲେ ହୋଲି ଖେଳିବା ପରିବର୍ତ୍ତେ ଜୀବନ ସାରା ହୋଲି ଖେଳିବାର ଆତ୍ମବିଶ୍ୱାସ ଓ ମନୋବଳ ବୃଦ୍ଧି ହୋଇପାରନ୍ତା, ଯାହା ସମସ୍ତଙ୍କ ପାଇଁ ଶୁଭଙ୍କର ହୋଇପାରନ୍ତା। ଡ ମନୋରଞ୍ଜନ ପ୍ରଧାନ ଜୟପୁର, ମୋ: ୯୪୩୭୯୧୪୮୧୮