ପୃଥିବୀର ସୁରକ୍ଷା

ଅନନ୍ତ ଅନ୍ତରୀକ୍ଷରେ ଆମର ପୃଥିବୀ ଏକମାତ୍ର ଗ୍ରହ, ଯେଉଁଠି ଜୀବନ ସମ୍ଭବ ହୋଇଛି। ଜୀବସତ୍ତା ସୃଷ୍ଟି ଓ ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକ ଉପାଦାନମାନ ଆମ ପୃଥିବୀ ପୃଷ୍ଠରେ ଅନୁକୂଳ ଓ ସହନଶୀଳ ସ୍ଥିତିରେ ରହିଛି। ପ୍ରଥମତଃ, ଜୀବନଧାରଣ ପାଇଁ ମୁଖ୍ୟ ଆବଶ୍ୟକତା ଜଳ ପୃଥିବୀର ତାପମାତ୍ରାରେ ନିଜର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରୁଛି। ଦ୍ୱିତୀୟତଃ, ପୃଥିବୀର ବାୟୁମଣ୍ଡଳରେ ବିଭିନ୍ନ ଜୀବନ ରକ୍ଷାକାରୀ ବାଷ୍ପ ଉପଯୁକ୍ତ ଅନୁପାତରେ ଉପଲବ୍ଧ […]

ଅନନ୍ତ ଅନ୍ତରୀକ୍ଷରେ ଆମର ପୃଥିବୀ ଏକମାତ୍ର ଗ୍ରହ, ଯେଉଁଠି ଜୀବନ ସମ୍ଭବ ହୋଇଛି। ଜୀବସତ୍ତା ସୃଷ୍ଟି ଓ ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକ ଉପାଦାନମାନ ଆମ ପୃଥିବୀ ପୃଷ୍ଠରେ ଅନୁକୂଳ ଓ ସହନଶୀଳ ସ୍ଥିତିରେ ରହିଛି। ପ୍ରଥମତଃ, ଜୀବନଧାରଣ ପାଇଁ ମୁଖ୍ୟ ଆବଶ୍ୟକତା ଜଳ ପୃଥିବୀର ତାପମାତ୍ରାରେ ନିଜର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରୁଛି। ଦ୍ୱିତୀୟତଃ, ପୃଥିବୀର ବାୟୁମଣ୍ଡଳରେ ବିଭିନ୍ନ ଜୀବନ ରକ୍ଷାକାରୀ ବାଷ୍ପ ଉପଯୁକ୍ତ ଅନୁପାତରେ ଉପଲବ୍ଧ ଅଛନ୍ତି ଓ ଆମ ବାୟୁମଣ୍ଡଳରେ ଥିବା ବିଭିନ୍ନ ସବୁଜ ଗୃହ ବାଷ୍ପ (ଗ୍ରୀନ ହାଉସ ଗ୍ୟାସ) ସୂର୍ଯ୍ୟର ତାପରଶ୍ମିକୁ ଶୋଷଣ କରିବା ଦ୍ୱାରା ପୃଥିବୀରେ ଜୀବନରକ୍ଷା ପାଇଁ ଆବଶ୍ୟକୀୟ ତାପମାତ୍ରା ସୃଷ୍ଟି ହୋଇଥାଏ। ଆମ ବାୟୁମଣ୍ଡଳରେ ଏହି ସବୁଜ ଗୃହ ବାଷ୍ପ ବିନା ପୃଥିବୀର ହାରାହାରି ତାପମାତ୍ରା ଏବେକାର ୧୪ ଡିଗ୍ରୀ ପରିବର୍ତ୍ତେ ୧୮ ଡିଗ୍ରୀ ସେଣ୍ଟିଗ୍ରେଡରେ ପହଞ୍ଚି ଯାଆନ୍ତା। ଫଳରେ ଜୀବନ ଧାରଣ ସମ୍ଭବ ହୋଇ ନ ଥାନ୍ତା। ତୃତୀୟତଃ, ଆମ ପୃଥିବୀର ଊର୍ଦ୍ଧ୍ବ ବାୟୁମଣ୍ଡଳରେ ଏକ ଓଜୋନ ସ୍ତର ରହିଛି, ଯାହା ଏକ କବଚ ଭଳି ସୂର୍ଯ୍ୟରୁ ଆସୁଥିବା ମାରାଥକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ପୃଥିବୀପୃଷ୍ଠରେ ଜୀବଜଗତକୁ ରକ୍ଷା କରେ। ପ୍ରକୃତିରେ ଉପଲବ୍ଧ ଏହିସବୁ କାରଣରୁ ପୃଥିବୀର ଜଳ, ସ୍ଥଳ ଓ ବାୟୁରେ ଏକ ବିଶାଳ ବିବିଧତା ବିଶିଷ୍ଟ ଜୀବଜଗତର ଅଭ୍ୟୁଦୟ ଘଟିଛି।

ମାତ୍ର ଘୋର ପରିତାପର ବିଷୟ ଯେ, ଆମ ପୃଥିବୀର ପୂର୍ବର ସେ ମାଧୁର୍ଯ୍ୟ ଓ ମାଦକତା ଏବେ କ୍ରମଶଃ ଲୋପ ପାଇ ଚାଲିଛି। ପ୍ରକୃତି ଉପରେ ମନୁଷ୍ୟର ଅବାଞ୍ଛିତ ହସ୍ତକ୍ଷେପ କାରଣରୁ ବିଶ୍ୱତାପନ ବୃଦ୍ଧି ପାଉଛି ଏବଂ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ବିଶେଷକରି, କୋଇଲା, ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନ ଦହନରୁ ଉତ୍ପନ୍ନ କିଛି ହାନିକାରକ ବାଷ୍ପ ସୂର୍ଯ୍ୟର ବିକିରିତ ତାପରଶ୍ମିକୁ ଅତ୍ୟଧିକ ଶୋଷଣ ଦ୍ୱାରା ପୃଥିବୀର ତାପମାତ୍ରା କ୍ରମେ ବଢ଼଼ିବାରେ ଲାଗିଛି। ଏହା କୌଣସି ଅଞ୍ଚଳର ଏକ ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ବୈଶ୍ୱିକ ସମସ୍ୟା। ଏହା ସାରା ବିଶ୍ୱର ବୃଷ୍ଟିପାତ, କୃଷି ଉତ୍ପାଦନ, କ୍ରାନ୍ତିମଣ୍ଡଳୀୟ ଝଡ଼ ତଥା ବନ୍ୟା, ମରୁଡ଼ି ଭଳି ଚରମ ପାଣିପାଗ ଜନିତ ପରିଣାମର ଘଟଣା ବୃଦ୍ଧି କରୁଛି। ଏଥିସହିତ ସାରା ବିଶ୍ୱର ପାଣିପାଗ ଓ ଜଳବାୟୁକୁ ପ୍ରଭାବିତ କରୁଥିବା ଏଲ-ନିନୋ ଶୃଙ୍ଖଳାକୁ ମଧ୍ୟ ବିଶେଷ ପ୍ରଭାବିତ କରୁଛି। ଆହୁରି ମଧ୍ୟ, ସମୁଦ୍ରର ଜଳରାଶି ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରିବା ହେତୁ ଅମ୍ଳୀୟ ଭଣ୍ଡାର ପାଲଟି ଯାଉଛି। ଏହାଦ୍ୱାରା ମାଛମାନଙ୍କ ଜନ୍ମସ୍ଥଳୀ ସମୁଦ୍ରର ପ୍ରବାଳ ପ୍ରାଚୀର ବିଶେଷ କ୍ଷତିଗ୍ରସ୍ତ ହେବାଦ୍ୱାରା ବିଶ୍ୱସାରା ମତ୍ସ୍ୟ ଉତ୍ପାଦନ ଘୋର ବାଧାପ୍ରାପ୍ତ ହୋଇଛି।

ଖରାଦିନର ତାପମାତ୍ରା ଏବେ ୫୦ଡିଗ୍ରୀ ସେଲ୍ସିୟସ ସୀମା ଛୁଇଁବାକୁ ବସିଲାଣି। ମୌସୁମୀ ଆଜି ଅନିୟମିତ ଓ ଛନ୍ଦହରା। ବିଶ୍ୱ ତାପନର ଯଦି ଏହି ପ୍ରକ୍ରିୟା ଅବ୍ୟାହତ ରହେ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ୱର ତାପମାତ୍ରା ପ୍ରାକ-ଶିଳ୍ପ ବିପ୍ଳବ ସ୍ଥିତି ତୁଳନାରେ ଅଧିକ ୨.୭ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହା ମନୁଷ୍ୟର ମନମୁଖି କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରକୃତିର କ୍ରୁର ପ୍ରତିକ୍ରିୟା ନୁହେଁ ତ ଆଉ କ’ଣ!

ଜଳବାୟୁ ପରିବର୍ତ୍ତନ ବିଶ୍ୱସାରା ଲୋକମାନଙ୍କର ଜୀବନ ଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଛି। ଏହାଦ୍ୱାରା ବିଶ୍ୱର ବିକାଶଶୀଳ ଓ ଦ୍ୱୀପ ଦେଶସବୁରେ ବାସ କରୁଥିବା ମୂଳ ଅଧିବାସୀ ଓ ସମୁଦାୟମାନେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ସେମାନେ ଏକ ଚିରାଚରିତ ଜୀବନଶୈଳୀ ସହିତ କେଉଁ ଆବାହମାନ କାଳରୁ ଅଭ୍ୟସ୍ତ ଏବଂ ପ୍ରକୃତିର ଏହି ଆହ୍ୱାନର ମୁକାବିଲା କରିବା ନିମନ୍ତେ, ସେମାନଙ୍କ ନିକଟରେ ଯଥେଷ୍ଟ ସମ୍ୱଳ କିମ୍ୱା ପ୍ରଯୁକ୍ତିଗତ ଜ୍ଞାନକୌଶଳ ଉପଲବ୍ଧ ନାହିଁ।

୨୦୨୧ ମସିହାରେ ଗ୍ଲାସଗୋଠାରେ ଅନୁଷ୍ଠିତ ହୋଇଥିବା କୋପ୨୬ ଜଳବାୟୁ ସମ୍ମିଳନୀରେ ଏଥିନେଇ ଘୋର ଉଦବେଗ ପ୍ରକାଶ ପାଇଥିଲା। ସଂଶ୍ଲିଷ୍ଟ ପକ୍ଷମାନେ ଅନୁନ୍ନତ ଓ ଅନଗ୍ରସର ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସଙ୍ଗେ ମୁକାବିଲା କରିବା ତଥା ଏକ ଜୀବାଶ୍ମ ଇନ୍ଧନ ଭିତ୍ତିକ ଅର୍ଥନୀତିରୁ ସବୁଜ ଇନ୍ଧନ ଭିତ୍ତିକ ଅର୍ଥନୀତିକୁ ସୁଗମ ଉତ୍ତରଣ ପାଇଁ ଅତିରିକ୍ତ ଅର୍ଥ ସଂଗ୍ରହ ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି। ଏଥିନିମନ୍ତେ ସେମାନେ ନିଜର ରାଷ୍ଟ୍ରୀୟ ସ୍ଥିରୀକୃତ ଅଂଶଦାନ ରାଶିକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ମଧ୍ୟ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଶୂନ୍ୟ କାର୍ବନ ଉତ୍ସର୍ଜନର ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି।

ଆମକୁ ମନେ ରଖିବାକୁ ହେବ ଯେ, ପୃଥିବୀର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ହେଲେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ କୌଣସି ରାଜନୈତିକ କିମ୍ୱା ଭୌଗୋଳିକ ସୀମାବଦ୍ଧ ଭିତ୍ତିରେ କାର୍ଯ୍ୟ କଲେ ଚଳିବନି (ଯେହେତୁ ଆମ ପୃଥିବୀ ମଣିଷର ବାସସ୍ଥଳୀ ସମେତ ଏକ ଅବିଭକ୍ତ ଜୀବମଣ୍ଡଳ), ବରଂ ସାମଗ୍ରିକ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ। ବିଶ୍ୱ ପାଇଁ ଚିନ୍ତନ, ସ୍ଥାନୀୟ ଭାବେ ଉଦ୍ୟମ, ଏହା ଆମର ମନ୍ତ୍ର ହେବା ଉଚିତ। ସୁତରାଂ ଆମେ ଆମ ପୃଥିବୀର ସୁରକ୍ଷା ପାଇଁ ଏବେ ଯାହା କାର୍ଯ୍ୟ କରିବା, ତାହା ଆଗାମୀ ପିଢ଼ି ପାଇଁ ଆମ ଗ୍ରହରେ ସୁସଂହତ ଜୀବନର ମୂଳଦୁଆକୁ ଯେ ସୁଦୃଢ଼ କରିବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ। ନିକୁ ବିହାରୀ ସାହୁ, ଭୋପାଳ, ମୋ: ୮୯୧୭୬୩୭୯୭୪

About The Author: The Sakala