ଲିଙ୍ଗବୈଷମ୍ୟ କେବଳ ମହିଳାଙ୍କ ସମସ୍ୟା କି?

ନିକଟରେ କୌଣସି ଏକ ଯାତ୍ରା ସାରି ମୁଁ ବିମାନବନ୍ଦରରୁ ବାହାରକୁ ଆସିବାବେଳେ ଏକ ବିଶାଳ ଫଳକ ମୋ ଆଖିରେ ପଡ଼ିଲା। ସେଥିରେ ଲେଖାଥିଲା – ‘ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ପାଇଁ ଲିଙ୍ଗଭିତ୍ତିକ ସମସ୍ୟା ସମ୍ପର୍କିତ ପ୍ରଶାସନିକ କର୍ମଶାଳା।’ ଏହା ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି ନିରାଶା ଭାବ ସୃଷ୍ଟି ହେଲା। ବିରକ୍ତ ମଧ୍ୟ ଲାଗିଲା। ଲୋକମାନେ ‘ଲିଙ୍ଗବୈଷମ୍ୟ’ ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଦୃଷ୍ଟିକୁ କେବଳ ମହିଳା କାର୍ଯ୍ୟକର୍ତ୍ତା, ମହିଳା ଶିକ୍ଷାବିତ୍‌‌, ମହିଳା ଲେଖକ, ମହିଳା […]

ନିକଟରେ କୌଣସି ଏକ ଯାତ୍ରା ସାରି ମୁଁ ବିମାନବନ୍ଦରରୁ ବାହାରକୁ ଆସିବାବେଳେ ଏକ ବିଶାଳ ଫଳକ ମୋ ଆଖିରେ ପଡ଼ିଲା। ସେଥିରେ ଲେଖାଥିଲା – ‘ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ପାଇଁ ଲିଙ୍ଗଭିତ୍ତିକ ସମସ୍ୟା ସମ୍ପର୍କିତ ପ୍ରଶାସନିକ କର୍ମଶାଳା।’ ଏହା ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି ନିରାଶା ଭାବ ସୃଷ୍ଟି ହେଲା। ବିରକ୍ତ ମଧ୍ୟ ଲାଗିଲା। ଲୋକମାନେ ‘ଲିଙ୍ଗବୈଷମ୍ୟ’ ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଦୃଷ୍ଟିକୁ କେବଳ ମହିଳା କାର୍ଯ୍ୟକର୍ତ୍ତା, ମହିଳା ଶିକ୍ଷାବିତ୍‌‌, ମହିଳା ଲେଖକ, ମହିଳା ବିଶେଷଜ୍ଞ ଓ ମହିଳା ଅଂଶଗ୍ରହଣକାରୀଙ୍କ ଚିତ୍ର ହିଁ ଆସେ।

ଏବେ ମୁଁ ମଧ୍ୟ ଚିନ୍ତା କଲି ଲୋକମାନେ ଏଭଳି ଭାବିବାରେ ଅସ୍ୱାଭାବିକତା କେଉଁଠି? ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକାଂଶ ସ୍ଥାନରେ ଲିଙ୍ଗଗତ ସମସ୍ୟା ଓ ବିଷୟ ସମ୍ପର୍କରେ ବିଶେଷ ଜ୍ଞାନ ହାସଲ କରିଥିବା ବିଶେଷଜ୍ଞମାନେ ମହିଳା ହିଁ ହୋଇଥିବାର ମୁଁ ଦେଖିଛି। ଗଣମାଧ୍ୟମରେ ନ୍ୟୁଜ୍‌‌ ରୁମରେ ଅଧିକାଂଶ ଭାବରେ ମହିଳାମାନଙ୍କ ସମ୍ପର୍କିତ କାହାଣୀକୁ ‘ଲିଙ୍ଗଗତ ସମସ୍ୟା ଘଟଣା’ ଭାବେ ପରିବେଷଣ କରାଯାଏ ଏବଂ ସେହି ଘଟଣା ବା କାହାଣୀ ଲେଖିବାର ବା ପରିବେଷଣ କରିବାର ଦାୟିତ୍ୱ ଅଧିକାଂଶ କ୍ଷେତ୍ରରେ କେବଳ ମହିଳା ସାମ୍ୱାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ। ମହିଳା ସାମ୍ୱାଦିକମାନଙ୍କୁ ହିଁ ଲିଙ୍ଗଗତ ସମସ୍ୟା କାହାଣୀ ବା ଘଟଣା ଉପରେ ରିପୋର୍ଟିଂ ଦାୟିତ୍ୱ ନ୍ୟସ୍ତ କରିବା ଗଣମାଧ୍ୟମର ଏକ ଅଲିଖିତ ଧାରା ହୋଇଆସିଛି। କାରଣ ଯେତେବେଳେ ବି ପୁରୁଷ ସାମ୍ୱାଦିକମାନଙ୍କୁ ଲିଙ୍ଗ ସମ୍ୱନ୍ଧୀୟ କାହାଣୀ ଦିଆଯାଏ, ସେମାନେ ତାହାକୁ ବେପରୁଆ ଭାବେ ନେଇଥା’ନ୍ତି। ଏପରିକି ଲିଙ୍ଗ ସମ୍ୱନ୍ଧୀୟ କୌଣସି ପ୍ରସଙ୍ଗରେ ପ୍ୟାନେଲ୍‌‌ ବା ଗୋଷ୍ଠୀଗତ ଆଲୋଚନାରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳାମାନେ ଥିବା ଲକ୍ଷ୍ୟ କରାଯାଏ।

ସବୁଠୁ ବଡ଼ କଥା ହେଉଛି, ଅଧିକାଂଶ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଲିଙ୍ଗଗତ ବିଷୟ ପାଠ୍ୟକ୍ରମର ବିଭାଗଗୁଡ଼ିକ ମହିଳା ପ୍ରାଧ୍ୟାପକମାନଙ୍କ ଦ୍ୱାରା ପରିଚାଳିତ ଏବଂ ସେହି ବିଭାଗରେ ଓ ବିଷୟରେ ସାଧାରଣତଃ ଛାତ୍ରୀମାନେ ହିଁ ନାମ ଲେଖାଇଥା’ନ୍ତି। ଲିଙ୍ଗଗତ ସମାନତା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ତାଲିମ୍‌‌ ଆଦି କାର୍ଯ୍ୟକ୍ରମଗୁଡ଼ିକରେ ଉପସ୍ଥିତ ବା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିବା ଲକ୍ଷ୍ୟ କରାଯାଏ। ସ୍ୱାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଅଧିକାରୀଙ୍କ ପାଇଁ ଲିଙ୍ଗ ସମ୍ୱେଦନଶୀଳତା ସମ୍ପର୍କିତ ଏକ କର୍ମଶାଳାରେ ୯୦% ଅଂଶଗ୍ରହଣକାରୀ ମହିଳା ଥିବା ମୋର ମନେ ଅଛି। ବାକି୧୦% ପୁରୁଷ ଅଂଶଗ୍ରହଣକାରୀ ସେଠାରେ କେମିତି ଏକ ଅସ୍ୱସ୍ତିକର ପରିସ୍ଥତିରେ ପଡ଼ିଥିବା ମୁଁ ଅନୁଭବ କରିଛି। କାରଣ ଏଭଳି ଏକ ବିଷୟରେ ସେମାନେ ଅଂଶଗ୍ରହଣ କରିବାରେ ମହିଳାମାନଙ୍କ ଗହଣରେ ଅପ୍ରସ୍ତୁତ ହୋଇପଡ଼ୁଥିଲେ।

ଏଠାରେ ପ୍ରଶ୍ନ ଉଠେ ଲିଙ୍ଗ, ଲିଙ୍ଗଗତ ଅସମାନତା ଏବଂ ଲିଙ୍ଗ ସମ୍ୱେଦନଶୀଳତା ବିଷୟରେ ଜାଣିବା ଏବଂ ବୁଝିବା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ? କିନ୍ତୁ ସତ କଥା ହେଲା ଆଜି ମଧ୍ୟ ଅଧିକାଂଶ ଲୋକ ଲିଙ୍ଗଗତ ସମସ୍ୟାକୁ କେବଳ ମହିଳାଙ୍କ ସମସ୍ୟା ଭାବରେ ଦେଖନ୍ତି, ଯଦିଓ ‘ଲିଙ୍ଗ’ର ଜଟିଳ ପରିଭାଷା ଭିତରେ ପୁରୁଷ, ମହିଳା ଏବଂ ଅନ୍ୟାନ୍ୟ ଲିଙ୍ଗ ପରିଚୟ ଅନ୍ତର୍ଭୁକ୍ତ। ଯେତେବେଳେ ଆମେ ଲିଙ୍ଗଗତ ସମାନତା ଏବଂ ଲିଙ୍ଗ ସମ୍ୱେଦନଶୀଳତା ବିଷୟରେ ଆଲୋଚନା କରୁ ଏହା ସମସ୍ତ ଲିଙ୍ଗର ଲୋକଙ୍କ ସମାନ ଅଧିକାର, ଦାୟିତ୍ୱ ଏବଂ ସୁଯୋଗ ବିଷୟରେ ଆଲୋକପାତ କରେ। ଲିଙ୍ଗଗତ ଅସମାନତା ଓ ସମସ୍ୟାରେ ମହିଳା, ପୁରୁଷ, ଶିଶୁ ସମସ୍ତେ ପ୍ରଭାବିତ ହୁଅନ୍ତି।

ତଥାପି ଯେତେବେଳେ ଆମେ ‘ଲିଙ୍ଗ’ ବିଷୟରେ ଚିନ୍ତା କରୁ, ସେତେବେଳେ ଆମେ କେବଳ ମହିଳାମାନଙ୍କ ବିଷୟରେ ଚିନ୍ତା କରିଥାଉ। ଲିଙ୍ଗଗତ ସମାନତା ହାସଲ କରିବାର ବୃହତ ଲକ୍ଷ୍ୟରେ, ପ୍ରାୟତଃ ମହିଳାମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଆସିଛି। ମହିଳାମାନଙ୍କର ଅନ୍ତର୍ଭୁକ୍ତୀକରଣ, ମହିଳାମାନଙ୍କୁ ସଶକ୍ତୀକରଣ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଅନ୍ୟାନ୍ୟ ସୁଯୋଗରେ ମହିଳାଙ୍କ ପ୍ରବେଶକୁ ସୁନିଶ୍ଚିତ କରିବା ବିଷୟରେ ଲିଙ୍ଗଗତ ସମାନତା ଅଧିକାଂଶ ସମୟରେ ଗୁରୁତ୍ୱାରୋପ କରେ। ‘ଲିଙ୍ଗ ବିଭେଦ’ ହେଉଛି ଏକ ସାମାଜିକ ବ୍ୟବସ୍ଥା। ଏଥିରେ ପୁରୁଷ, ମହିଳା ଏବଂ ଅନ୍ୟାନ୍ୟ ଲିଙ୍ଗ ସହିତ ଜଡ଼ିତ ଆଦର୍ଶ, ଆଚରଣ ଏବଂ ଅଭ୍ୟାସ ଅନ୍ତର୍ଭୁକ୍ତ।

ଏହା ଅସ୍ୱୀକାର କରିବାର ନାହିଁ ଯେ ମହିଳାମାନେ ଐତିହାସିକ ଭାବରେ ଅବହେଳିତ ଓ ଲିଙ୍ଗଗତ ଅସମାନତାର ଶିକାର ହୋଇଆସିଛନ୍ତି। କିନ୍ତୁ ଆମେ ଭୁଲିଯିବା ଅନୁଚିତ ଯେ ଏହି ଅସମାନତା ଆମ ପୂର୍ବପୁରୁଷଙ୍କଠାରୁ ଗଡ଼଼ି ଆସିଛି ଏବଂ ପୁରୁଷ-ମହିଳାଙ୍କ ମଧ୍ୟରେ ଅସମାନ ଶକ୍ତି ଯୋଗୁଁ ସୃଷ୍ଟି ହୋଇଛି। ତେଣୁ ମହିଳାମାନଙ୍କ ଉନ୍ନତି ପାଇଁ ବିପୁଳ ପୁଞ୍ଜି ବିନିଯୋଗ ସତ୍ତ୍ବେ ପୁରୁଷ ସମାଜରେ ମାନସିକତା ପରିବର୍ତ୍ତନ ହୋଇପାରୁନାହିଁ।

ଏହାବ୍ୟତୀତ, ପୁରୁଷମାନେ ପ୍ରାୟତଃ ଲିଙ୍ଗଗତ ନୀତି ଦ୍ୱାରା ପ୍ରଭାବିତ ହୁଅନ୍ତିି, ଯାହା ଲିଙ୍ଗଗତ ବିଭେଦକୁ ଅଧିକ ତ୍ୱରାନ୍ୱିତ କରିଥାଏ। ତେଣୁ ‘ଲିଙ୍ଗ’ଗତ ପ୍ରସଙ୍ଗ କେବେ ବି କେବଳ ମହିଳାମାନଙ୍କ କ୍ଷେତ୍ରରେ ସୀମିତ ରହିପାରିବ ନାହିଁ। ପୁରୁଷଙ୍କ ବିନା ଲିଙ୍ଗଗତ ସମାନତା ଏବଂ ଅସମାନତାର ପ୍ରଶ୍ନ ଗୁରୁତ୍ୱହୀନ। ଲିଙ୍ଗଗତ ପ୍ରସଙ୍ଗରେ ସମ୍ୱେଦନଶୀଳତା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଆବଶ୍ୟକ। ଲିଙ୍ଗଗତ ଅସମାନତାକୁ ଦୂର କରିବା ସହିତ ସମାନତା ପ୍ରତିଷ୍ଠା ଦିଗରେ ନିରନ୍ତର କାର୍ଯ୍ୟ କରିବା ପାଇଁ ପୁରୁଷ ଓ ବାଳକମାନଙ୍କୁ ସଂଶ୍ଳିଷ୍ଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଲିଙ୍ଗଗତ ସମସ୍ୟା ଏବଂ ଏ ଦିଗରେ ଥିବା ପ୍ରତିବନ୍ଧକକୁ ଦୂର କରିବାରେ ପ୍ରଥମ ପଦକ୍ଷେପ ହେଉଛି ମାନସିକତାର ପରିବର୍ତ୍ତନ। ମାନସିକତା ପରିବର୍ତ୍ତନ ସହିତ ଆଚରଣଗତ ପରିବର୍ତ୍ତନକୁ ଉତ୍ସାହିତ କରିବା ଦ୍ୱାରା ହିଁ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ। ଯେପର୍ଯ୍ୟନ୍ତ ପୁରୁଷମାନେ ଏହିପରି ଲିଙ୍ଗଗତ ମାନସିକତାରେ ପରିବର୍ତ୍ତନ ନ ଆଣିଛନ୍ତି ଏବଂ ମହିଳାଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପ୍ରତି ଧ୍ୟାନ ନ ଦେଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ସମାଜରେ ଲିଙ୍ଗଗତ ବିଭେଦତା ଓ ଅସମାନତା ଜାରି ରହିବ। ସାଧାରଣତଃ ପ୍ରଚଳିତ ସାମାଜିକ ବ୍ୟବସ୍ଥା ପୁରୁଷମାନଙ୍କୁ ଏହି ମାନସିକତା ତ୍ୟାଗ ନ କରିବାକୁ ବାଧ୍ୟ କରିଥାଏ। କିନ୍ତୁ ଏ ଦିଗରେ ଥିବା ସାମାଜିକ ପ୍ରତିବନ୍ଧକକୁ ଚିହ୍ନଟ କରିବାରେ ତଥା ସମାଧାନ କରିବାରେ ପୁରୁଷମାନେ ଅଭିପ୍ରେରିତ ହେବା ଦରକାର।

ତେଣୁ ଲିଙ୍ଗଗତ ନିୟମ ଏବଂ ତତ୍‌‌ସମ୍ପର୍କିତ ଭେଦଭାବ ଉପରେ ସଚେତନତା ସୃଷ୍ଟି ଦ୍ୱାରା ପୁରୁଷମାନଙ୍କୁ ନିଜ ଆଚରଣ ବଦଳାଇବାରେ ଆତ୍ମବିଶ୍ୱାସୀ ହେବାରେ ସହାୟକ ହେବ, ଯାହା ଦ୍ୱାରା ଲିଙ୍ଗଗତ ସମାନତା ହାସଲ କରିହେବ। ବାଳକ ଓ ପୁରୁଷମାନଙ୍କୁ ଘରୋଇ କାର୍ଯ୍ୟରେ ନିୟୋଜିତ କରିବା ଏବଂ ମହିଳାଙ୍କୁ ପରିବାରର ଦାୟିତ୍ୱ ସମ୍ପନ୍ନ କରାଗଲେ ଏହି ସମାନତା ଅନେକାଂଶରେ ହାସଲ ହୋଇପାରିବ। ଏହାଦ୍ୱାରା ମଧ୍ୟ ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ଆଚରଣକୁ ଅନେକାଂଶରେ ନିୟନ୍ତ୍ରଣ କରିହେବ। ଫଳସ୍ୱରୂପ ପରିବାରରେ ମାନସିକ ଶାନ୍ତି ପ୍ରତିଷ୍ଠା ସହିତ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିହେବ।

ପୁରୁଷମାନେ ସମ୍ମୁଖୀନ ହେଉଥିବା କେତେକ ଆଦର୍ଶ ଏବଂ ଅଭ୍ୟାସ ମହିଳାଙ୍କ ଉପରେ ଏବଂ ଅନ୍ୟ ପୁରୁଷଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ। ଲିଙ୍ଗଗତ ସମାନତା ସପକ୍ଷରେ ଯୁକ୍ତି କରୁଥିବା ପୁରୁଷମାନେ ନିଶ୍ଚିତ ଭାବରେ ଏହିପରି କ୍ଷତିକାରକ ସାମାଜିକ ନିୟମକୁ ତ୍ୟାଗ କରିବାରେ ଏବଂ ସମସ୍ତ ଲିଙ୍ଗର ଲୋକଙ୍କୁ ସାହାଯ୍ୟ କରିପାରିବେ। ଏହା କେବଳ ପରିବାର ଏବଂ ସମ୍ପ୍ରଦାୟରେ ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁଠାରେ ପୁରୁଷମାନେ ପାରମ୍ପରିକ ଲିଙ୍ଗଗତ ନିୟମରେ କବଳିତ ଏବଂ କର୍ମକ୍ଷେତ୍ରରେ ମଧ୍ୟ ସକ୍ରିୟ ଭାବରେ ଏଭଳି ସମସ୍ୟାର ସମାଧାନ କରିପାରିବେ। କର୍ମକ୍ଷେତ୍ରରେ ଥିବା ମହିଳାମାନଙ୍କ ପାଇଁ ବିଶେଷକରି ଯେଉଁମାନେ ସେମାନଙ୍କ କ୍ୟାରିଅର ଆରମ୍ଭ କରୁଛନ୍ତି ସେମାନଙ୍କ ପାଇଁ ପୁରୁଷମାନଙ୍କର ଏଭଳି ପ୍ରୟାସ ଅନେକ ଦିଗରେ ସହାୟକ ହୋଇପାରିବ।

ତେଣୁ ଯେତେବେଳେ ଆମେ ଲିଙ୍ଗଗତ ସମାନତା ବିଷୟରେ କହୁଛୁ, ସମସ୍ତ ସ୍ତରରେ ପୁରୁଷ ଏବଂ ଅନ୍ୟ ଲିଙ୍ଗମାନଙ୍କ ସହିତ ସକ୍ରିୟ ଭାବରେ ଜଡ଼ିତ ହେବା, ଲିଙ୍ଗମାନଙ୍କ ମଧ୍ୟରେ ପାର୍ଥକ୍ୟ ହ୍ରାସ କରିବା ପାଇଁ ସେମାନଙ୍କ ସପକ୍ଷରେ ଯୁକ୍ତି କରିବା ତଥା ସହଯୋଗୀ ହେବାକୁ ସମର୍ଥନ କରିବା ଜରୁରୀ।

ଲିଙ୍ଗଗତ ସମାନତା କେବଳ ମହିଳାଙ୍କ ସମସ୍ୟା ନୁହେଁ – ଏହା ସମସ୍ତଙ୍କ ସମସ୍ୟା। ଲିଙ୍ଗଗତ ଅସମାନତା ଦ୍ୱାରା କେବଳ ଯେ ମହିଳା ଓ ବାଳିକାମାନେ କ୍ଷତିଗ୍ରସ୍ତ ହୁଅନ୍ତି ଏହି ଧାରଣାକୁ ଆମକୁ ତ୍ୟାଗ କରିବାକୁ ପଡ଼ିବ। ଲିଙ୍ଗଗତ ଅସମାନତା ଲିଙ୍ଗ ନିର୍ବିଶେଷରେ ଉଭୟ ପୁରୁଷ ଓ ମହିଳାଙ୍କ ସମେତ ସମସ୍ତଙ୍କୁ ପ୍ରଭାବିତ କରିଥାଏ। ତେଣୁ ଆମ ମନୋଭାବ ଏବଂ ଆଭିମୁଖ୍ୟରେ ପ୍ରମୁଖ ପରିବର୍ତ୍ତନ ଆବଶ୍ୟକ।
(ସୌଜନ୍ୟ: ଓଡ଼ିଶାବାଇଟ୍‌ଡଟ୍ କମ୍‌)

ଏଲିସା ପଟ୍ଟନାୟକ
ଭୁବନେଶ୍ବର, ମୋ: ୯୯୩୭୯୪୮୫୬୮

About The Author: The Sakala