ଡାକ୍ତର ବୃତ୍ତିକୁ ପୃଥିବୀର ସର୍ବଶ୍ରେଷ୍ଠ ବୃତ୍ତି ବୋଲି ଲୋକେ ଗ୍ରହଣ କରନ୍ତି। ସେଥିପାଇଁ ଭଲପଢ଼଼ୁଥିବା ଅଧିକାଂଶ ଛାତ୍ରଙ୍କର ସ୍ୱପ୍ନ ଥାଏ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭଲ ମେଡିକାଲ କଲେଜରେ ପଢ଼଼ିବା। ‘ମାନବ ସେବା ପରମ ଧର୍ମ’ ଆପ୍ତ ବାକ୍ୟକୁ ପାଥେୟ କରି ଦିନ ନାହିଁ, ରାତି ନାହିଁ, ଆଳସ୍ୟ ନାହିଁ, ଖାଇବା ପିଇବା ଭୁଲି ରୋଗୀ ସେବାରେ ଲାଗି ପଡ଼ିଥା’ନ୍ତି। କି ଧନୀ, କି ଗରୀବ, ଏପରିକି ଅପରାଧୀମାନେ ମଧ୍ୟ ଡାକ୍ତରଙ୍କ ଆଖିରେ ସମାନ। ସେବାରେ ପାତର ଅନ୍ତର ନଥାଏ। ତେଣୁ ଭଗବାନଙ୍କ ଦ୍ୱିତୀୟ ଅବତାର ଆଖ୍ୟା ପାଇଥା’ନ୍ତି ଡାକ୍ତରମାନେ।
ଆମେ ଜାଣୁ ଯେଉଁମାନେ ଭଲ ପଢ଼଼ନ୍ତି ସେମାନଙ୍କ ହସ୍ତାକ୍ଷର ସୁନ୍ଦର ଓ ନିର୍ଭୁଲ ଥାଏ। ତେଣୁ ପିଲାଦିନେ ବିଶେଷ ଭାବରେ ତ୍ରୁଟିଶୂନ୍ୟ ସୁନ୍ଦର ଅକ୍ଷର ପିଲାର ଧୀମତ୍ତା ନିର୍ଣ୍ଣୟ କରିଥାଏ। ଭଗବାନଙ୍କୁ ପ୍ରଣାମ କରି ଡାକ୍ତରମାନେ ଧୀରସ୍ଥିର ଭାବରେ ନିର୍ଭୁଲ ଔଷଧ ଲେଖିବା ତଥା ଭଲ ଅକ୍ଷରରେ ଲେଖିବା କଥା, ଯେପରି ସମସ୍ତେ ଏହାକୁ ଠିକ୍ରେ ପଢ଼଼ିପାରିବେ। କିନ୍ତୁ ଦୁଃଖର କଥା କେତେକ ସ୍ୱନାମଧନ୍ୟ ଡାକ୍ତର ଅଧିକ ରୋଗୀ ଦେଖି ଅଧିକ ଅର୍ଥ ଉପାର୍ଜନ ଆଶାରେ ତରବର ହୋଇ ଯେଉଁ ଔଷଧ ଚିଠା ଲେଖନ୍ତି, ତାକୁ ପଢ଼଼ିବା ଓ ଜାଣିବା ଏକ ଦୁରୂହ ବ୍ୟାପାର। ଏହି ଖରାପ ହସ୍ତାକ୍ଷର ଦ୍ୱାରା କେବଳ ଆମ ଦେଶରେ ନୁହେଁ, ବିଶ୍ୱର ଅନେକ ଦେଶରେ କେତେ ଯେ ରୋଗୀଙ୍କ ଜୀବନ ଅକାଳରେ ନିର୍ବାପିତ ହୋଇଯାଏ, ତାହାର ହଜାର ହଜାର ଉଦାହରଣ ରହିଛି। କେତେକ ଏହି ଭୁଲ ଔଷଧ ସେବନ କରି, ଭୁଲ୍ ଇଂଜେକସନ ନେଇ ଜୀବନ ସାରା ଯନ୍ତ୍ରଣା ଭୋଗନ୍ତି। ଜର୍ମାନୀର ପ୍ରସିଦ୍ଧ ରକ୍ଷଣ ଭାଗ ଫୁଟବଲ୍ ଖେଳାଳି ଜିନ୍-ପିଏରେ-ଆଦାମ୍ସ ଭୁଲ ଇଂଜେକ୍ସନ ନେଇ ଦୀର୍ଘ ୪୦ ବର୍ଷକାଳ କୋମାରେ ରହି ୭୩ ବର୍ଷ ବୟସରେ ଆଖି ବୁଜିଲେ। ମାତ୍ର ୩୩ ବର୍ଷ ବେଳେ ଡାକ୍ତରଙ୍କ ଘାତକ ହସ୍ତାକ୍ଷର ପାଇଁ ସେ କୋମାକୁ ଚାଲିଯାଇଥିଲେ। ୧୯୮୨ ମସିହାରେ ଏହି ବିବାଦୀୟ ମର୍ମନ୍ତୁଦ ଅଘଟଣ ସମଗ୍ର ଫୁଟ୍ବଲ ଜଗତକୁ ଦୋହଲାଇ ଦେଇଥିଲା। ସାଧାରଣ ଆଣ୍ଠୁଯନ୍ତ୍ରଣାରୁ ରକ୍ଷା ପାଇଁ ଅସ୍ତ୍ରୋପଚାର ବେଳେ ନିଶ୍ଚେତକ ଡାକ୍ତରଙ୍କ ଅକ୍ଷର ଠିକ୍ ଭାବେ ପଢ଼ି ନ ପାରି ସମ୍ପୃକ୍ତ ସହାୟକ ଅଧିକ ଡୋଜ୍ ଦେବାରୁ ଆଦାମ୍ସଙ୍କର ମସ୍ତିଷ୍କଘାତ ଘଟି ସେ କୋମାକୁ ଚାଲି ଯାଇଥିଲେ। ଏହା କେବଳ ଗୋଟିଏ ଉଦାହରଣମାତ୍ର। ଏପରି ଅନେକ ଘଟଣା କଦର୍ଯ୍ୟ ହସ୍ତାକ୍ଷର ଯୋଗୁଁ ଘଟୁଥିବା ଅଛପା ନୁହେଁ।
ବେଳେବେଳେ ଅଧିକାଂଶ ଡାକ୍ତର ଲେଖିଥିବା ଚିଠାକୁ ସାଧାରଣ ଲୋକ ତ ଦୂରେ ଥାଉ ଔଷଧ ଦୋକାନୀ ମଧ୍ୟ ପଢ଼଼ି ପାରି ନ ଥା’ନ୍ତି। ବେଳେ ବେଳେ ତାହା ଏପରି କଦର୍ଯ୍ୟ ହୋଇଥାଏ ଯେ ଔଷଧ ଦୋକାନଟି ପରିସ୍ଥିତି ଚାପରେ ଔଷଧ ଦେବାକୁ ବାଧ୍ୟ ହୁଏ। ହସ୍ତାକ୍ଷର ଖରାପ ହେବାର ଅନ୍ୟ ଏକ କାରଣ ଭାରତୀୟ ଡାକ୍ତର ପ୍ରତି ରୋଗୀ ପାଇଁ ମାତ୍ର ୪ ମିନିଟ୍ ସମୟ ଦେଇଥା’ନ୍ତି, ଯେଉଁଠି ଆମେରିକା, ଜର୍ମାନ୍, ସୁଇଜର୍ଲାଣ୍ଡ ପରି ଦେଶରେ ୧୦ ମିନିଟ୍ରୁ ଅଧିକ ସମୟ ଦିଅନ୍ତି। ତେଣୁ ଏହାର ପରିଣତି କେତେ ଯେ ଭୟଙ୍କର, ତାହା ଅନୁମେୟ। ଆମେରିକାର ଜାତୀୟ ବିଜ୍ଞାନ ପ୍ରତିଷ୍ଠାନର ଏକ ଗବେଷଣା ଅନୁଯାୟୀ, ଡାକ୍ତରଙ୍କର ଏହି ଅସ୍ପଷ୍ଟ ଅକ୍ଷର ପାଇଁ ବର୍ଷକୁ ସେଠାରେ ହାରାହାରି ୭୦୦୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ ଘଟୁଛି। ଏପରିକି ଏଥିଯୋଗୁଁ ମଧ୍ୟ ବର୍ଷକୁ ୧୫ ଲକ୍ଷ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ୁଛି। ଆମ ଦେଶର ସ୍ଥିତି ଆହୁରି ସଂଗିନ୍। ପ୍ରତିଦିନ ବିଭିନ୍ନ ଡାକ୍ତରଖାନାରେ ଭୁଲ ଇଂଜେକସନ ଓ ଔଷଧ ସେବନ ଦ୍ୱାରା କେତେ ଯେ ରୋଗୀ ଆଖି ବୁଜୁଛନ୍ତି ତା’ର ହିସାବ ନାହିଁ। କେହି କେହି ଡାକ୍ତରଙ୍କୁ ଗାଳି ମାଡ଼ ଦେବା, ଡାକ୍ତରଖାନାର ଆସବାବପତ୍ର ଭଙ୍ଗାରୁଜା କରିବା, ମାମଲା ଥାନା ଓ କୋର୍ଟକଚେରୀ ପର୍ଯ୍ୟନ୍ତ ଯିବା ଭଳି ଘଟଣା ଘଟୁଛି। ଡାକ୍ତରଙ୍କ ଭୁଲ ଚିଠା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ରୋଗୀର ମୃତ୍ୟୁ ଘଟିବା ନିଶ୍ଚୟ ଦୁଃଖଦାୟକ।
୨୦୧୬, ସେପ୍ଟେମ୍ୱର ୨୧ରେ ମେଡିକାଲ୍ କାଉନସିଲ ଅଫ୍ ଇଣ୍ଡିଆ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଯେଉଁ ଡାକ୍ତରଙ୍କର ହସ୍ତାକ୍ଷର ଭଲ ନ ଥିବ ସେମାନେ ପ୍ରେସକ୍ରିପ୍ସନରେ ଔଷଧର ନାଁ ବଡ଼ ଅକ୍ଷର ବା କ୍ୟାପିଟାଲ ଲେଟରରେ ସ୍ପଷ୍ଟ ଭାବେ ଲେଖିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଛନ୍ତି। ଆମ ରାଜ୍ୟର ହାଇକୋର୍ଟ ମଧ୍ୟ ଏ ବିଜ୍ଞପ୍ତି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡାକ୍ତରଙ୍କ ପ୍ରେସକ୍ରିପସନ, ଓପିଡି ସ୍ଲିପ୍, ପୋଷ୍ଟମର୍ଟମ ରିପୋର୍ଟ, ଇଞ୍ଜୁରି ରିପୋର୍ଟ ଇତ୍ୟାଦିର ଲେଖା ସ୍ପଷ୍ଟ ହେବା ସହିତ ବୋଧଗମ୍ୟ ହେବା ଆବଶ୍ୟକ। ଗୋଟିଏ ମେଡିକାଲ ରିପୋର୍ଟରେ କୌଣସି ଦ୍ୱନ୍ଦ୍ୱ ବା ତାହାର ଅର୍ଥ ଖୋଜିବା ଭଳି ସ୍ଥିତି ରହିବା ଅନୁଚିତ୍। ଡାକ୍ତରୀ ପେସା ପାଇଁ ଯଥେଷ୍ଟ ସମ୍ମାନ ରଖିଛି। ରୋଗୀଙ୍କୁ କାନ୍ଧରେ ବୋହିନେବା, କୋଭିଡ୍-୧୯ର ମୁକାବିଲା ପାଇଁ ହଜାର ହଜାର ଡାକ୍ତର ବୀର ସୈନିକଙ୍କ ପରି ସହାୟ ହେବା ପ୍ରଶଂସନୀୟ। ପ୍ରକାରାନ୍ତେ ଡାକ୍ତରଙ୍କ ଅସ୍ପଷ୍ଟ ଅକ୍ଷର ଯୋଗୁଁ ଚିକିତ୍ସାରେ ବିଳମ୍ୱ ହେବା ସହିତ ନମୁନା ପରୀକ୍ଷଣ ଓ ରୋଗ ନିଦାନରେ ବିକଳ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ବେଳେ ବେଳେ ଡାକ୍ତରଙ୍କ କଦର୍ଯ୍ୟ ହସ୍ତାକ୍ଷର କୌଣସି ପରିବାରକୁ ସର୍ବସ୍ୱାନ୍ତ କରିବା ସହିତ ଭଗବାନଙ୍କ ଦ୍ୱିତୀୟ ଅବତାର ଉପରୁ ଆସ୍ଥା ଓ ବିଶ୍ୱାସ ତୁଟିଯିବା ପରି ପରିସ୍ଥିତି ସୃଷ୍ଟି ହେଉଛି। ଡାକ୍ତରଙ୍କ ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ ହେଉଛି ରୋଗୀର ଜୀବନ ରକ୍ଷା। ତେଣୁ ଡାକ୍ତରଙ୍କ ହସ୍ତାକ୍ଷର ଘାତକ ନହେଉ। ହସ୍ତାକ୍ଷର ପାଇଁ ଜୀବନ ନଯାଉ।
ଅଭିମନ୍ୟୁ ଧଳ
ପଟ୍ଟାମୁଣ୍ଡାଇ, ମୋ : ୯୮୬୧୦୪୮୦୫୨