ସାଧାରଣତଃ ପୂଜାପାଠ ରୀତିନୀତି ଓ ଆନୁସଙ୍ଗିକ କାର୍ଯ୍ୟ ସହ କଥା ଗାୟନ ବା ବାଚକର ଭୂମିକା ପୁରୁଷ ପୁରୋହିତ ଓ ସେମାନଙ୍କ ସହଯୋଗୀଙ୍କ ଦ୍ୱାରା କରାଯାଇଥାଏ। କିନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଅନେକ ଜନଜାତି ସମ୍ପ୍ରଦାୟ ମଧ୍ୟରେ ମହିଳାମାନେ ଏହି ପୁରୋହିତର ଭୂମିକା ନିର୍ବାହ କରୁଛନ୍ତି। ଏହି ମହିଳା ପୁରୋହିତମାନଙ୍କୁ ଆଦିବାସୀ ସମ୍ପ୍ରଦାୟରେ ଗୁରୁମାଇ କୁହାଯାଏ। ସେମାନେ ଜନଜାତିଙ୍କ ଲୌକିକ ଦେବୀ ପରମ୍ପରାର ଅନନ୍ୟ ବାର୍ତ୍ତାବହ।
ଗୁରମାଇ ତିନି ପ୍ରକାରର। ପାଟ ଗୁରୁମାଇ, ଶିରା ଗୁରୁମାଇ ଓ ଗୁଣିଆ ଗୁରୁମାଇ। ପାଟ ଗୁରୁମାଇ କେବଳ ବାଲିଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ପୂଜା ଅନୁଷ୍ଠାନର ରୀତିନୀତିରେ ମୁଖ୍ୟ ପୂଜକର ଦାୟିତ୍ୱ ନିର୍ବାହ କରନ୍ତି। ଶିରା ଗୁରୁମାଇ ଗାଁରେ ଗ୍ରହ ଦୋଷ, ରିଷ୍ଟ ଖଣ୍ଡନ, ଝଡ଼ା ଫୁଙ୍କା, ରୋଗ ବଇରାଗ ଉପଚାର ଆଦି କରନ୍ତି। ଗୁଣିଆ ଗୁରୁମାଇ ଯନ୍ତ୍ର ତନ୍ତ୍ର ମନ୍ତ୍ରର ଉପଯୋଗ କରି ଭୂତ, ପ୍ରେତ, ଅପଦେବତାଙ୍କୁ ବଳି ଭୋଗ ଓ ପୂଜା ପାଠ କରି ସନ୍ତୁଷ୍ଟ କରାଇଥା’ନ୍ତି।
ଜନଜାତି ସଂସ୍କୃତିରେ ଗୁରୁମାଇ ଏପରି ଜଣେ ସମ୍ମାନନୀୟା ମହିଳା, ଯିଏ ସେମାନଙ୍କ ଧର୍ମୀୟ ରୀତିନୀତି, ପୂଜାପାଠ ଓ ତତସମ୍ପର୍କିତ କାହାଣୀର ସାମାଜିକ ପରମ୍ପରାକୁ ବଞ୍ଚାଇ ରଖିଥା’ନ୍ତି। କିମ୍ୱଦନ୍ତୀ, କାହାଣୀ, ଗୀତ, ରୀତିନୀତି ବିଷୟରେ ସେମାନଙ୍କର ଚମତ୍କାର ଜ୍ଞାନକୁ ପରବର୍ତ୍ତୀ ପିଢ଼ିକୁ ବାଣ୍ଟିବାର ଗୁରୁ ଦାୟିତ୍ୱ ନେଇଥା’ନ୍ତି। ଗୁରୁମାଇ ହେବା ପାଇଁ ଉତ୍ତମ ସ୍ମୃତି ଶକ୍ତି ସହ ଅସୀମ ଧୈର୍ଯ୍ୟ ଏବଂ ନିଷ୍ଠା ଆବଶ୍ୟକ। ଜନଜାତି ଦେବୀଦେବତାଙ୍କ ସ୍ତୁତି, ଜଣାଣ, ଆବାହନ ସଙ୍ଗୀତ, କଥା, କିମ୍ୱଦନ୍ତୀ ଆଦି ପାଇଁ କୌଣସି ପୁସ୍ତକ ନାହିଁ, କେବଳ ଶ୍ରୁତିରେ ବା ଶୁଣି ତାହା ମନେ ରଖିବାକୁ ହୁଏ। ଦୈନନ୍ଦିନ ଜୀବନଚର୍ଯ୍ୟା ମଧ୍ୟ ଗୁରୁମାଇ ଶୁଦ୍ଧପୂତ ଭାବରେ ନିର୍ବାହ କରନ୍ତି।
ଓଡ଼ିଶା ଓ ଏହାର ସୀମାନ୍ତ ବସ୍ତର ଅଞ୍ଚଳର ଯାନିଯାତ୍ରା, ମେଳାମହୋତ୍ସବ ବା ଜଗାରରେ ଗୁରୁମାଇ ହିଁ ପୂଜାର୍ଚ୍ଚନା କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତି। ଏଥିରେ ତିନିଜଣ ପୂଜକଙ୍କ ଆବଶ୍ୟକତା ପଡ଼େ। ମୁଖ୍ୟ ଗୁରୁମାଇଙ୍କୁ ପାଟ ଗୁରୁମାଇ ବା ବଡ଼ ଗୁରୁମାଇ କୁହାଯାଉଥିବାବେଳେ ଦ୍ୱିତୀୟ ଏବଂ ତୃତୀୟ ଗୁରୁମାଇଙ୍କୁ ଚେଲି ଗୁରୁମାଇ ବା ନନୀ ଗୁରୁମାଇ କୁହାଯାଏ। ସାଧାରଣତଃ ଦ୍ୱିତୀୟ ଗୁରୁମାଇ ମୁଖ୍ୟ ଗୁରୁମାଇ ବା ପାଟ ଗୁରୁମାଇଙ୍କ ଶିଷ୍ୟା ହୋଇଥିବା ବେଳେ ତୃତୀୟ ଗୁରୁମାଇ ଶିକ୍ଷଣ ପ୍ରକ୍ରିୟାରେ ଥା’ନ୍ତି। ଯାତ୍ରା ବା ଜଗାର ସମୟରେ ପୁରାଣ ବା କଥା ଗାଇବା ସମୟରେ କେବଳ ମୁଖ୍ୟ ଏବଂ ଶିଷ୍ୟ ଗୁରୁମାଇ ‘ଧନକୁଲ’ ବାଦ୍ୟଯନ୍ତ୍ର ବଜାନ୍ତି। ତୃତୀୟ ଗୁରୁମାଇ କେବଳ ଗୀତରେ ଅଂଶଗ୍ରହଣ କରିପାରିବେ ବାଦ୍ୟଯନ୍ତ୍ର ବାଜାଇ ପାରିବେ ନାହି। ଗୁରୁମାଇ ହେବା ପାଇଁ କିମ୍ୱା ଅଭ୍ୟାସ ଆରମ୍ଭ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ। କିମ୍ୱା କୌଣସି ପ୍ରତିଷ୍ଠିତ ଗୁରୁ-ଶିଷ୍ୟା ପରମ୍ପରା ନାହିଁ। ଏହା ବଂଶାନୁକ୍ରମିକ ମଧ୍ୟ ନୁହେଁ। ଗୁରୁମାଇ ଯେ କେବଳ ମହିଳା ମାନେ ହିଁ ହେବେ ସେପରି ବାଧ୍ୟବାଧକତା ନାହିଁ। କେତେକ ସ୍ଥାନରେ ପୁରୁଷ ଗୁରୁମାଇ ମଧ୍ୟ ଅଛନ୍ତି। କିନ୍ତୁୁ ସେମାନେ ମହିଳା ବେଶ ଧାରଣ କରିଥା’ନ୍ତି।
ଜନଜାତି ସଂସ୍କୃତିରେ ଗୁରୁମାଇଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ପ୍ରାଚୀନ ବାଦ୍ୟଯନ୍ତ୍ର ଧନକୁଲର ବ୍ୟବହାରକୁ ଏଯାଏଁ ସେମାନେ ସଂରକ୍ଷିତ କରି ରଖିଛନ୍ତି। ଏହି ବାଦ୍ୟର ସଂଯୋଜନା ଓ ବାଦନର ଶୈଳୀ ସ୍ୱତନ୍ତ୍ର ଓ ଅନନ୍ୟ। ଏହି ବାଦ୍ୟଟି ଜଗାର ଓ ଗୁରୁମାଇ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗୁରୁମାଇଙ୍କ ବ୍ୟତୀତ ଅନ୍ୟ କେହି ବି ଏହି ବାଦ୍ୟ ବଜେଇ ପାରିବେ ନାହିଁ କି ଏହାର ତାଳ ଓ ଲୟରେ ଗାୟନ କରିପାରିବେ ନାହିଁ। ଏହି ବାଦ୍ୟ ବି ଅଦ୍ଭୁତ ଓ ଚମତ୍କାର। ଏହା ଘରକରଣା ଜିନିଷରୁ ପ୍ରସ୍ତୁତ ହୁଏ। ‘ଧନକୁଲ’ ବିନା ଜଗାର କଳ୍ପନା କରିହୁଏ ନାହିଁ। ଏହାକୁ ‘ବାଜନା ହାଣ୍ଡି’ ବୋଲି ବି କୁହାଯାଏ। ଏହି ବାଦ୍ୟଯନ୍ତ୍ରଟି ଦୁଇଟି ଧନୁ, ଦୁଇଟି ଝିକନ ଡୋରୀ, ଦୁଇଟି ବଡ଼ ହାଣ୍ଡି ଏବଂ ଦୁଇଟି କୁଲାର ସମ୍ମିଶ୍ରଣରେ ନିର୍ମିତ ହୁଏ। ହାଣ୍ଡି ରଖିବା ପାଇଁ ଧାନ ନଡ଼ା ଦ୍ୱାରା ନିର୍ମିତ ଦୁଇଟି ଗୋଲେଇ ଯାହାକୁ ସ୍ଥାନୀୟ ଭତରି ହଲବୀ ଭାଷାରେ ‘ଆଁଏରା ବ ବେଣ୍ଡରୀ’ କୁହାଯାଏ। ଧନୁର ଗୋଟିଏ ମୁଣ୍ଡ ହାଣ୍ଡି ମୁହଁରେ ଆଚ୍ଛାଦିତ କୁଲା ଉପରେ ଏବଂ ଅନ୍ୟ ମୁଣ୍ଡ ତଳ ଭୂମିରେ ଥାଏ। ଗୁରୁମାଇ ମାଞ୍ଚି ବସି ବାମ ଗୋଡ଼ ତଳେ ଧନୁର ଏକ-ତୃତୀୟାଂଶ ଭାଗକୁ ଧରି ଧନୁର ଡୋରୀ ବା ପ୍ରତ୍ୟାଞ୍ଚାକୁ ବାମ ହାତର ଆଙ୍ଗୁଠିରେ ଧୀରେ ଧୀରେ ଟାଣନ୍ତି ଏବଂ ଡାହାଣ ହାତରେ ଛିରଣୀ କାଣ୍ଡିକୁ ଧୀରେ ଧୀରେ ଘଷି ଘଷି ବାଦନ କରନ୍ତି। ଏହି କାରଣରୁ ଧନୁର ଟାଙ୍କରୁ ହାଣ୍ଡି ଉପରେ ରଖାଯାଇଥିବା କୁଲା ଓ ଝିକାନ ଡୋରୀରୁ ‘ଘୁମ୍-ଛର ଘୁମ୍-ଧର-ଘର, ଘୁମ୍-ଛର ଘମ୍-ଖର’ ଶବ୍ଦର ଏକ ସଙ୍ଗୀତ ଊତ୍ପନ୍ନ ହୁଏ। ଯେହେତୁ ଏହି ବାଦ୍ୟଯନ୍ତ୍ରଟି ମୁଖ୍ୟତଃ ଧନୁ ଏବଂ କୁଲାର ମିଶ୍ରଣକୁ ନେଇ ଗଠିତ, ତେଣୁ ଏହାର ନାମ ‘ଧନୁକୁଲା’, ଯାହା ଅପଭ୍ରଂଶ ହୋଇ ‘ଧନକୁଲ’ ହୋଇଛି। ଏହି ବାଦ୍ୟଯନ୍ତ୍ରରୁ ନିଃସୃତ ଚମତ୍କାର ସଙ୍ଗୀତକୁ ‘ଧନୁସଙ୍ଗୀତ’ କୁହାଯିବା ଉଚିତ। ଏହି ବାଦ୍ୟର ପ୍ରତ୍ୟେକ ଅଂଶର ବିଭିନ୍ନ ନାମ ରହିଛି। ଧନୁକୁ ‘ଧନକୁଲ ଦାଣ୍ଡି’, ପ୍ରତ୍ୟାଞ୍ଚାକୁ ‘ଝିକନ୍ ଡୋରି’, କୁଲାକୁ ‘ଢାଙ୍କନ କୁଲା’, ହାଣ୍ଡିକୁ ‘ଗୁମରା ହାଣ୍ଡି’ ବା ‘ଗୋଦନା ହାଣ୍ଡି’, ବାଉଁଶ କମଚିକୁ ‘ଛିରଣୀ କାଣ୍ଡି’ ଓ ମାଚିକୁ ‘ବୈଠକ ମାଚି’ କୁହାଯାଏ।
ଜନଜାତି ପରମ୍ପରାରେ ଧର୍ମୀୟ ରୀତିନୀତି ଓ ଅନୁଷ୍ଠାନ ମନୋରଞ୍ଜନ ପାଇଁ ନୁହେଁ, ବରଂ ଈଶ୍ୱରୀୟ କୃପା ଲାଭର ଅତୁଟ ବିଶ୍ୱାସ ଥାଏ। ସେଇଥିପାଇଁ ଗୁରୁମାଇ କୌଣସି ଅଭିନୟ, ନୃତ୍ୟ, ଅଙ୍ଗଭଙ୍ଗୀ ବିନା କେବଳ ଶୁଦ୍ଧ ଭକ୍ତି ଚିତ୍ତରେ ଦେବକଥାକୁ ଗାୟନ କରନ୍ତି। ପ୍ରତ୍ୟେକ ଜଗାରର ମଧ୍ୟ ନିଜସ୍ୱ ନିର୍ଦ୍ଦିଷ୍ଟ ପ୍ରୟୋଜନ ରହିଥାଏ। ବାଲି ଯାତରା ବ୍ୟତୀତ ଅନ୍ୟ ଜଗାରର ପୂଜାପାଠରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗୁରୁମାଇଙ୍କୁ ନିମନ୍ତ୍ରଣ କରିବା ପାଇଁ କୌଣସି ବିଶେଷ ଔପଚାରିକତା ପୂରଣ କରିବାର ପରମ୍ପରା ନାହିଁ। କିନ୍ତୁ ବାଲି ଜଗାରରେ ଗୁରୁମାଇଙ୍କୁ ନିମନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ବାଲି ଜଗାରର ଆୟୋଜକମାନଙ୍କୁ ବାଧ୍ୟତାମୂଳକ ଭାବେ ଗୁରୁମାଇଙ୍କୁ ତିନିଥର ଭେଟିବାର ଔପଚାରିକତା ଅନିବାର୍ଯ୍ୟ। ବାଲି ଜଗାର ପ୍ରସ୍ତୁତିରେ ସର୍ବପ୍ରଥମେ ଯାତ୍ରା ଆରମ୍ଭର ପ୍ରାୟ ଦୁଇ ମାସ ପୂର୍ବରୁ ଜାଗର ଗାୟିକା ପୂଜାରିଣୀ ବା ଗୁରୁମାଇଙ୍କୁ ଯୋଗାଯୋଗ କରିବାକୁ ପଡ଼ିଥାଏ। କାରଣ ଯଦି ଅନ୍ୟ କେହି ଗ୍ରାମବାସୀ ସେହି ଗୁରୁମାଇଙ୍କ ସହିତ ଯୋଗାଯୋଗ କରିସାରିଛନ୍ତି, ତେବେ ପରେ ଆସିଥିବା ଆୟୋଜକଙ୍କୁ ନିରାଶ ହେବାକୁ ପଡ଼ିପାରେ।
ପ୍ରଥମ ଥର ସାକ୍ଷାତରେ କେବଳ ପ୍ରାଥମିକ ବା ଔପଚାରିକ ବାର୍ତ୍ତାଳାପ ହୁଏ। ଦ୍ୱିତୀୟ ଥରର ଭେଟକୁ ‘ସାନ୍ ମାଙ୍ଗନି’ ଓ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭେଟକୁ ‘ବଡ଼’ ମାଙ୍ଗନି’ କୁହାଯାଏ। ‘ସାନ ମାଙ୍ଗନି’ରେ ଗୁରୁମାଇ ଏବଂ ତାଙ୍କ ଗାଁର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆୟୋଜକଙ୍କ ତରଫରୁ ସୌଜନ୍ୟମୂଳକ ଭାବେ କିଛି ସମଗ୍ରୀ ଦେବାକୁ ପଡ଼ିଥାଏ। ଗୁରୁମାଇଙ୍କ ସହ ତାଙ୍କ ଗ୍ରାମବାସୀଙ୍କୁ ବାଲି ଜାଗାର କରିବାକୁ ନିମନ୍ତ୍ରଣ କରାଯାଏ। ଏଥିସହିତ ‘ବଡ଼ ମାଙ୍ଗନି’ର ତାରିଖ ମଧ୍ୟ ସ୍ଥିର କରାଯାଏ। ତା’ପରେ ନିର୍ଦ୍ଧାରିତ ତାରିଖରେ ଆୟୋଜକମାନେ ପୁନର୍ବାର ‘ବଡ଼ମାଙ୍ଗନି’ ପାଇଁ ଗୁରୁମାଇଙ୍କ ଗାଁ କୁ ଯାଆନ୍ତି। ଏହି ସମୟରେ ମଧ୍ୟ ତାଙ୍କୁ ଏବଂ ତାଙ୍କ ଗାଁର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଏ ଓ କଥାବାର୍ତ୍ତା ଚୂଡ଼ାନ୍ତ ହୁଏ। ଏଥିରେ ଗୁରୁମାଇଙ୍କୁ ଆୟୋଜକଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ମାନଦେୟ ସ୍ଥିରୀକୃତ ହୁଏ। ମାନଦେୟ ଭାବରେ ତିନିରୁ ଚାରି ହଜାର ଟଙ୍କା, ପ୍ରାୟ ଦୁଇଶହ କିଲୋ ଧାନ ଏବଂ ଶାଢ଼ି ଦେବାକୁ ନିଷ୍ପତ୍ତି ନିଆଯାଏ। ଗୁରୁମାଇଙ୍କୁ ଖୁବ ଧୂମଧାମରେ ବାଦ୍ୟ ବାଜଣା ସହ ବାଲି ଜାଗର ଯାତ୍ରା ହେଉଥିବା ଗାଁକୁ ସ୍ୱାଗତ କରାଯାଏ।
ଜାଗର ସାମୂହିକ ହେଉ କିମ୍ୱା ବ୍ୟକ୍ତିଗତ, ସମସ୍ତଙ୍କର ସହଭାଗିତା ରହିଥାଏ। ଜନଜାତିମାନେ ଏହାକୁ ସେମାନଙ୍କର ନିଜସ୍ୱ ପର୍ବ ଭାବରେ ବିବେଚନା କରି ସମସ୍ତେ ଜାତି, ଲିଙ୍ଗ, ଭାଷା-ବୋଲି ଜୀବନଚର୍ଯ୍ୟା ଇତ୍ୟାଦିକୁ ବାଦ ଦେଇ ଯାତ୍ରାରେ ହସଖୁସିରେ ଅଂଶଗ୍ରହଣ କରନ୍ତି। ଯାତ୍ରା ପାଳନ ବା ଅନୁଷ୍ଠାନରେ ସମସ୍ତଙ୍କର ଭୂମିକା ସ୍ଥିର ହୋଇଥାଏ। ନିର୍ଦ୍ଧାରିତ ତିଥି ଓ ବାରରେ ବାଲି ଜାଗର ଆରମ୍ଭ ହୁଏ। ଆରମ୍ଭରୁ ଗୁରୁମାଇ ଜଗାର ପୂଜା ପାଇଁ ପ୍ରସ୍ତୁତ କରାଯାଇଥିବା ବାଲିଘରେ ରହି ଶୁଚିମନ୍ତ ହୋଇ ନୂଆ ଲୁଗା ପରିଧାନ ପୂର୍ବକ ପୂଜା ଅନୁଷ୍ଠାନର ଶୁଭାରମ୍ଭ କରନ୍ତି। ଦେବାଦେବୀଙ୍କୁ ସୁମରଣା କରି ବାଲି ସ୍ଥଳକୁ ଆହ୍ୱାନ କରି ଚାଉଳ ପୁଞ୍ଜି ସ୍ଥାପନ କରନ୍ତି। ଧୂପ, ଦୀପ, ଫୁଲ, ସିନ୍ଦୂର, ମୁଆଁ, ପଣା, ନଡ଼ିଆ, କଦଳୀ ଭୋଗ ଲଗାନ୍ତି। ିଏହି ଉପଚାର ବାଲି ଜାଗର ସରିବା ପର୍ଯ୍ୟନ୍ତ ନିତିଦିନ ଚାଲିଥାଏ। ଏଥିସହ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ବିଶେଷ ପୂଜା ହୁଏ। ଧନକୁଲ ବାଦ୍ୟ ବଜାଇ ବଜାଇ ଗୁରୁମାଇ ଯେଉଁ ବନ୍ଦନା ଗାନ କରନ୍ତି ତାହା ଏହିପରି –
ସୁମରଣା – ଶଏ ଶରନ ଲକ୍ଷେ ଜୁହାର, ଶଏ ଲକ୍ଷେ ଜୁଆର, କୋଟି ନମସ୍କାର ହରି ବୋଲ, କୋଟି ନମସ୍କାର।
ଆହ୍ୱାନ- ହରି ବୋଲ ହରି ବୋଲ ରାମ ରାମ ହରି ବୋଲ ହରି ବୋଲ ରାମ ରାମ, ସେଇ ବୋଲେ ଶାଳଗ୍ରାମ ପ୍ରଭୁ, ସେଇ ବୋଲେ ସୀତା ତ ରାମ, ହରି ହରି ବୋଲି ଜାଗେ ପ୍ରଭୁ, ମୋର ରାମ ବୋଲି ବସେ।
ଦେବୀ ନିମନ୍ତ୍ରଣ – ରାମ ରାମ ହରି ହରି ଯେ, ରାମ ରାମ ଯେ ହରି ହରି, ଧରିଲୁ ଦେବୀର ନାମ ଯେ ଧରିଲୁ ଦେବୀର ନାମ, ମାଁ ବୋଲିବି ପାଟ ରାନୀ, ପାଟ ରାନୀ ତମେ ମଗୋ ଯେ , ପାଟ ରାନୀ ତମେ, ନାଚି ନାଚି ଆସି ଯିବାର ଯେ, ଡୋଲି ଡୋଲି ଆସି ଯିବାର, ସୁତାର ତାଗେ ଯେ ଆସି ଯିବାର, ମୋତିର ମାଲେ ଆସି ଯିବାର ଯେ, ସୁତାର ତାଗେ ଆସି ଯିବାର, ପାଟ ରାନୀ ତମେ ବୋଲେ, ପାଟ ରାଣୀଯେ ତମେ ବୋଲେ, ପାଟ ରାଣୀ ତମେ ମାଗୋ।
୧୨ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବାଲି ଯାତ୍ରା ବା ବାଲି ଜାଗରକୁ ‘ପାଟ ବାଲି’, ପ୍ରତି ୩ ବର୍ଷରେ ଅନୁଷ୍ଠିତ ହେଉଥିବା ଯାତରାକୁ ‘ପରଜା ବାଲି’ କୁହାଯାଏ। ଜନଜାତିଙ୍କ କୃଷି ଦେବତା ‘ଭୀମା’ଙ୍କ ଜନ୍ମ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ କ୍ରିୟାକଳାପ ଏହି ବାଲି ଜାଗରରେ ଅନୁଷ୍ଠିତ ହୁଏ। ୩ ମାସ ଧରି ଅନୁଷ୍ଠିତ ହେଉଥିବା ଏହି ଯାତରାର ପ୍ରତ୍ୟେକ କ୍ରିୟାକଳାପ ଗୁରୁମାଇଙ୍କୁ ନେଇ ହିଁ ଅନୁଷ୍ଠିତ ହୁଏ। ଗୁରୁମାଇଙ୍କ ପୂଜା ବିଧି ଉପରେ ହିଁ ବାଲି ଯାତରା ଓ ଗାଁର ଭବିଷ୍ୟତ ନିର୍ଭର କରେ। ବାଲି ଯାତ୍ରା ସାରିବା ପର ଦିନ ଗୁରୁମାଇ ଦେବାଦେବୀଙ୍କୁ ସ୍ୱସ୍ଥାନକୁ ପଠାଇ ଦିଅନ୍ତି। ୩ ମାସ ଧରି ବାଲି ଯାତରାରେ ସାମିଲ ହୋଇଥିବା କିଶୋର କିଶୋରୀଙ୍କୁ ପିତାମାତାଙ୍କୁ ସମର୍ପି ଦିଅନ୍ତି। ସମସ୍ତଙ୍କୁ ଧନ୍ୟବାଦ ଜଣାନ୍ତି। ଗୁରମାଇଙ୍କୁ ଗ୍ରାମବାସୀ ମଧ୍ୟ କୃତଜ୍ଞତା ଜଣାନ୍ତି। ବାଦ୍ୟ ବାଜଣା, ଶସ୍ୟ, ଟଙ୍କା, ନୂଆ ଲୁଗା ସହ ଗୁରୁମାଇଙ୍କୁ ତାଙ୍କ ଗାଁରେ ଛାଡ଼ି ଦିଅନ୍ତି। ଭଗବତ ଆରାଧନା, ପୂଜା ଅନୁଷ୍ଠାନ ମାତୃଶକ୍ତିଙ୍କ ଦ୍ୱାରା ସମ୍ପାଦିତ କରିବାର ଏକ ସୁନ୍ଦର ଧାରାକୁ ଅବ୍ୟାହତ ରଖିପାରିଛନ୍ତି ଗୁରୁମାଇମାନେ।
ପ୍ରଭାତୀ ବିଶୋୟୀ
ନବରଙ୍ଗପୁର, ମୋ: ୯୪୩୭୯୦୨୦୯୧