ଦୟନୀୟ ଦୟା ନଦୀ

ଯେଉଁ ନଦୀଜଳରେ କପିଳ ମୁନି ତପସ୍ୟା କରି ମୋକ୍ଷ ପ୍ରାପ୍ତି ହୋଇଥିଲେ, ଯେଉଁ ନଦୀରେ ସ୍ନାନ କରି ପଞ୍ଚୁପାଣ୍ଡବ ପାପ ମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟା ପରବଶ ହୋଇ କଳିଙ୍ଗ ଯୁଦ୍ଧରେ ନିହତ ଲୋକମାନଙ୍କୁ କୋଳେଇ ନେଇ ନିଜେ ରକ୍ତରଞ୍ଜିତ ହୋଇଥିଲା, ଯେଉଁ ନଦୀ ଦିନେ ମଗଧର ‘ଚଣ୍ଡାଶୋକ’ଙ୍କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ଯେଉଁ ନଦୀ ନିଜ କୂଳରେ ଗଢ଼ି ଉଠିଥିବା ଜନବସତିର ଜୀବନ ରେଖାଥିଲା, ଯେଉଁ ନଦୀ ଅତୀତରେ ଖୋର୍ଦ୍ଧାରେ ଚାଲିଥିବା […]

ଯେଉଁ ନଦୀଜଳରେ କପିଳ ମୁନି ତପସ୍ୟା କରି ମୋକ୍ଷ ପ୍ରାପ୍ତି ହୋଇଥିଲେ, ଯେଉଁ ନଦୀରେ ସ୍ନାନ କରି ପଞ୍ଚୁପାଣ୍ଡବ ପାପ ମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟା ପରବଶ ହୋଇ କଳିଙ୍ଗ ଯୁଦ୍ଧରେ ନିହତ ଲୋକମାନଙ୍କୁ କୋଳେଇ ନେଇ ନିଜେ ରକ୍ତରଞ୍ଜିତ ହୋଇଥିଲା, ଯେଉଁ ନଦୀ ଦିନେ ମଗଧର ‘ଚଣ୍ଡାଶୋକ’ଙ୍କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ଯେଉଁ ନଦୀ ନିଜ କୂଳରେ ଗଢ଼ି ଉଠିଥିବା ଜନବସତିର ଜୀବନ ରେଖାଥିଲା, ଯେଉଁ ନଦୀ ଅତୀତରେ ଖୋର୍ଦ୍ଧାରେ ଚାଲିଥିବା ନୌବାଣିଜ୍ୟର ପ୍ରମୁଖ କେନ୍ଦ୍ର ଥିଲା, ସେ ହେଉଛି ଦୟା ନଦୀ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦୟା ନଦୀର ପବିତ୍ରତା ଓ ସ୍ବଚ୍ଛତା ହ୍ରାସ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ସହ ବିକାଶ ନାମରେ ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ଯୋଗୁଁଁ ଦୟା ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି।

ଭାରତ ସରକାରଙ୍କର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ୨୦୨୩ ମସିହାରେ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଓଡ଼ିଶାରେ ୯୪, ୦୨୫ଟି ପୋଖରୀ; ୭୮, ୦୬୭ଟି ଟାଙ୍କି; ୬୭୯ଟି ହ୍ରଦ/କେନାଲ; ୧୬୦୬ଟି ରିଜର୍ଭୟରରେ ମଧୁର ଜଳ ଗଚ୍ଛିତ ରହିଛି। ତା’ ସହିତ ସମୁଦାୟ ୨୪, ୮୭୩ କି.ମି ଦୈର୍ଘ୍ୟ ନଦୀଗୁଡ଼ିକରେ ମଧୁର ଜଳ ପ୍ରବାହିତ ହେଉଛି ଏବଂ ବାର୍ଷିକ ହାରାହାରି ୧୨୦୦ମି.ମି.ବୃଷ୍ଟିପାତ ଯୋଗୁଁଁ ଓଡ଼ିଶାକୁ ଏକ ଜଳସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରାଯାଉଛି। ଏ ସବୁ ସତ୍ତ୍ବେ ପ୍ରଦୂଷଣ କାରଣରୁ ଗଚ୍ଛିତ ଓ ପ୍ରବାହିତ ଜଳ ଆମର ଉପଯୋଗୀ ହୋଇ ପାରୁନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଭାରତରେ ଯେଉଁ ୩୫୧ଟି ନଦୀ ମାତ୍ରାଧିକ ପ୍ରଦୂଷିତ, ତନ୍ମଧ୍ୟରୁ ଦୟା ସମେତ ଓଡ଼ିଶାର ୧୯ଟି ନଦୀ ରହିଛି।

ଦୟା ‘କୁଆଖାଇ’ର ଏକ ଶାଖା ନଦୀ। ଦଧିଚି ମୁନିଙ୍କ ନାମରୁ ଏହି ନଦୀର ନାମ ‘ଦୟା’ ହୋଇଛି। ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ‘ଦଧିଆ’, ପରେ ‘ଦହିଆ’ ଓ ତା’ ପରେ ‘ଦୟା’ ହୋଇଛି। ଏହା ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ଠାରୁ ବାହାରି ଧଉଳି, ଡେଲାଙ୍ଗ, ତିରିମଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ବସନ୍ତପୁର, ଗଡ଼଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୪୦ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି। ଏହି ଅଞ୍ଚଳର ପ୍ରାୟ ୪ଲକ୍ଷ ଲୋକ ଏହି ନଦୀ ଉପରେ ନିର୍ଭରଶୀଳ। ୧୨୦୦ ହେକ୍ଟର ଚାଷ ଜମି ଏବଂ ୮୦, ୦୦୦ରୁ ଊର୍ଦ୍ଧ୍ବ ଲୋକ ପିଇବା ପାଣି ପାଇଁ ଏହି ନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ଭର କରିଥା’ନ୍ତି।

ଏବେ ଭୁବନେଶ୍ୱରର ଦୂଷିତ ଜଳ ଓ ପଦାର୍ଥ ଗଙ୍ଗୁଆ ନାଳ ଦେଇ ପିପିଲି ନିକଟବର୍ତ୍ତୀ କଣ୍ଟି କାଜ ଦେଇ ସିଧାସଳଖ ଦୟା ନଦୀକୁ ପ୍ରବେଶ କରି ବିଗତ ଏକ ଦଶନ୍ଧି ଧରି ତା’ର ଜଳକୁ ପ୍ରଦୂଷିତ କରିଚାଲିଛି। ଏତଦ୍‌‌ବ୍ୟତୀତ କେତେକ ଅସାମାଜିକ ତତ୍ତ୍ୱ ନଦୀ ପଠାକୁ ପୋତି ଘର ଓ ଚାଷ କାର୍ଯ୍ୟରେ ବିନିଯୋଗ କରୁଛନ୍ତି, ଯାହା ଜଳ ନିଷ୍କାସନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି। ଦୀର୍ଘଦିନ ଧରି ପାଣି ଜମି ରହି ମଶା, ମାଛିଙ୍କ ବଂଶ ବଢ଼଼ିବା ସହିତ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ୁଛି। ନିୟମିତ ବ୍ୟବଧାନରେ ନଦୀ ଜଳକୁ ପରିଷ୍କାର କରାଯାଉ ନ ଥିବାରୁ ତାହା ସମ୍ପୂର୍ଣ୍ଣ କଲିକତି ଓ ଚିଙ୍ଗୁଡ଼ି ଦଳରେ ପରିପୂର୍ଣ୍ଣ ହୋଇରହୁଛି। ଫଳରେ କଣାସ ଅଞ୍ଚଳର ଅନେକ ମତ୍ସ୍ୟଜୀବୀଙ୍କର ତେଲଲୁଣ ସଂସାର ଉଜୁଡ଼ି ଯାଇଛି ଏବଂ ବର୍ଷା ଋତୁରେ ସେହି ଅଞ୍ଚଳର ଚାଷଜମି ବନ୍ୟାପ୍ଲାବିତ ହେଉଛି। ଏହାଛଡ଼ା ଜୈବ ବିବିଧତା ହ୍ରାସ ପାଇବା ଯୋଗୁଁଁ ଚିଲିକାରୁ ଲୁଣି ପାଣି ଓଲଟା ଦୟାନଦୀରେ ପ୍ରବେଶ କରୁଥିବାରୁ ମଧୁର ଜଳ ଲବଣାକ୍ତ ହେଉଛି। ସେଥିରେ ପୁଣି ମିଶୁଛି ଚାଷଜମିରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକଯୁକ୍ତ ପାଣି। ବାଲି ମାଫିଆମାନଙ୍କର ମାତ୍ରାଧିକ ବାଲି ଖନନ ଯୋଗୁଁଁ ଜଳଧରଣର ଶକ୍ତି ହ୍ରାସ ପାଉଛି ଏବଂ ଖରାଦିନେ ନଦୀଗର୍ଭ ଶୁଷ୍କ ରହୁଛି।

ଦୟାନଦୀର ଏହି ଭଳି ଅବସ୍ଥାକୁ ନେଇ ଅନେକ ଆନ୍ଦୋଳନ ହୋଇଛି। କିନ୍ତୁ ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁଁ ଅବସ୍ଥାରେ ପରିବର୍ତ୍ତନ ହୋଇପାରୁନାହିଁ। ଅତୀତରେ ନଦୀ ଜଳ ପ୍ରଦୂଷଣକୁ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ହେବାକୁ ଥିବା ସ୍ୱିରେଜ୍‌‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏ ଯାଏଁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ। ବିଡିଏ ଦ୍ୱାରା ‘ସେଭ୍‌‌ ଦୟା’ କମିଟି ଗଠନ କରାଯାଇ ପ୍ରଦୂଷଣକୁ ନିୟମିତ ବ୍ୟବଧାନରେ ମାପିବା ସହ ପ୍ରଦୂଷଣକୁ କିଭଳି ଭାବେ ନିୟନ୍ତ୍ରଣ କରାଯାଇପାରିବ, ସେ ଦିଗରେ ଯୋଜନା ହୋଇଥିଲା। କିନ୍ତୁ ତାହା କାଗଜକଲମରେ ସୀମିତ ରହିଯାଇଛି। ଜଳସମ୍ପଦ ବିଭାଗ ଦ୍ୱାରା ନଦୀଜଳର ସୁରକ୍ଷା ଓ ନଦୀବନ୍ଧ ଉନ୍ନତିକରଣ ନିମନ୍ତେ ସ୍ୱତନ୍ତ୍ର ବ୍ୟୟ ବରାଦ ହେଉଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି। ତେଣୁ ଯୋଜନା କିଭଳି ବାସ୍ତବରେ ପରିଣତ ହେବ, ସେଦିଗରେ ସରକାର ଯତ୍ନବାନ ହେବ ଉଚିତ୍‌‌।

କେବଳ ଦୟା ନୁହେଁ, ରାଜ୍ୟର ଅଧିକାଂଶ ନଦୀର ଅବସ୍ଥା ଏହିଭଳି। ତେଣୁ ନଦୀ ଦୁରବସ୍ଥାରେ ସୁଧାର ଆଣିବା ପାଇଁ ହେଲେ ନଦୀ ଶଯ୍ୟାକୁ ସଫା କରିବା, ନଦୀର ଦୁଇ ପାର୍ଶ୍ବରେ ବନୀକରଣ କରିବା, ବିକଳ୍ପ ଜଳ ସଂରକ୍ଷଣ ପାଇଁ ଯୋଜନା କରିବା, କିଭଳି ଅବିରତ ଧାରା ଓ ଜୈବ ବିବିଧତା ପୁନରୁଦ୍ଧାର ହେବ ତାହା ଉପରେ କାର୍ଯ୍ୟ କରିବା ଦରକାର। ଖାଲି ସରକାରଙ୍କର ତ୍ରୁଟିକୁ ଲୋକଲୋଚନକୁ ନ ଆଣି ନଦୀର ସୁରକ୍ଷା ପ୍ରତି ସାଧାରଣ ଲୋକ ମଧ୍ୟ ତତ୍ପର ହେବା ଦରକାର। ଆମେ ଆହ୍ୱାନ କରିବା ଦୟା ନଦୀ ପ୍ରତି ସମସ୍ତଙ୍କର ଦୟା ଭାବ ଜାଗ୍ରତ ହେଉ। ପ୍ରକୃତି ସୁରକ୍ଷିତ ରହୁ। ନଚେତ୍‌‌ ବିକାଶ ନାମରେ ସଭ୍ୟତାକୁ ନଷ୍ଟ କରିବା ମାନବସଭ୍ୟତା ପ୍ରତି କୁଠାରାଘାତ ହେବ।

ଶ୍ରୀବତ୍ସ ନାୟକ
(ଅଧ୍ୟାପକ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ)
କଟକ, ମୋ:୯୪୩୮୦୭୦୮୪୯

About The Author: The Sakala