ବଢ଼ୁଛି ମହିଳା ବିରୋଧୀ ଅପରାଧ!

ଆଇନ୍‌‌ ଯେତେ କଠୋର ହେଲେ ମଧ୍ୟ ପୁଲିସ୍‌‌ ପ୍ରଶାସନ ଯଦି ଦାୟିତ୍ୱ ନିର୍ବାହରେ ଅବହେଳା ପ୍ରଦର୍ଶନ କରେ ତେବେ ଅପରାଧ ଓ ହିଂସା ବୃଦ୍ଧି ପାଏ। ମୋକଦ୍ଦମାଗୁଡ଼ିକ ବର୍ଷବର୍ଷ ଧରି ପଡ଼ିରହିବା, ସାକ୍ଷୀଙ୍କୁ ପ୍ରଭାବିତ କରିବା, ସରକାରୀ ଓକିଲଙ୍କ ନିଷ୍କ୍ରିୟତା, ଏପରିକି ଏହି ଅପରାଧୀମାନେ ଜାମିନ୍‌‌ରେ ଆସି ଏତଲାକାରୀଙ୍କୁ ଭୟଭୀତ କରିବା ଆଦି କାରଣରୁ ଅପରାଧ ଜନିତ ମାମଲା ସଂଖ୍ୟା ଏବଂ ଦଣ୍ଡବିଧାନ ହାର କମୁଛି। କେତେକ କ୍ଷେତ୍ରରେ ବିଚାର ଶେଷ ପାଇଁ ୩୦ ବର୍ଷରୁ ଊର୍ଦ୍ଧ୍ବ […]

ଆଇନ୍‌‌ ଯେତେ କଠୋର ହେଲେ ମଧ୍ୟ ପୁଲିସ୍‌‌ ପ୍ରଶାସନ ଯଦି ଦାୟିତ୍ୱ ନିର୍ବାହରେ ଅବହେଳା ପ୍ରଦର୍ଶନ କରେ ତେବେ ଅପରାଧ ଓ ହିଂସା ବୃଦ୍ଧି ପାଏ। ମୋକଦ୍ଦମାଗୁଡ଼ିକ ବର୍ଷବର୍ଷ ଧରି ପଡ଼ିରହିବା, ସାକ୍ଷୀଙ୍କୁ ପ୍ରଭାବିତ କରିବା, ସରକାରୀ ଓକିଲଙ୍କ ନିଷ୍କ୍ରିୟତା, ଏପରିକି ଏହି ଅପରାଧୀମାନେ ଜାମିନ୍‌‌ରେ ଆସି ଏତଲାକାରୀଙ୍କୁ ଭୟଭୀତ କରିବା ଆଦି କାରଣରୁ ଅପରାଧ ଜନିତ ମାମଲା ସଂଖ୍ୟା ଏବଂ ଦଣ୍ଡବିଧାନ ହାର କମୁଛି। କେତେକ କ୍ଷେତ୍ରରେ ବିଚାର ଶେଷ ପାଇଁ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗୁଛି। ଅପରାଧୀ ଦଣ୍ଡ ପାଇଲା ବେଳକୁ ପୀଡ଼ିତ / ପୀଡ଼ିତା ଇହଧାମରେ ନ ଥÒବା ପରି ଅଭାବନୀୟ ଘଟଣା ମଧ୍ୟ ଦେଖÒବାକୁ ମିଳୁଛି। ସେଥିପାଇଁ କୁହାଯାଏ ‘ବିଡ଼ମ୍ବିତ ନ୍ୟାୟ, ଅନ୍ୟାୟ ସମାନ।’ ଆମ ବିଚାର ବ୍ୟବସ୍ଥା ଦେଖି ଜଣେ ବିଦେଶୀ କହିଥିଲେ, ‘ଭାରତୀୟ ବିଚାର ବ୍ୟବସ୍ଥା ଓକିଲମାନଙ୍କ ପାଇଁ ନନ୍ଦନକାନନ।’ ତାରିଖ ପରେ ତାରିଖ ଗଡ଼଼ି ଚାଲିଲେ ତାଙ୍କର ରୋଜଗାର ସେହି ପରିମାଣରେ ବଢ଼଼ିଥାଏ। ବିଶେଷକରି ପ୍ରଭାବଶାଳୀ ବ୍ୟକ୍ତି, ଧନୀ, ରାଜନୈତିକ ହସ୍ତକ୍ଷେପ, ପୁଲିସ୍‌‌ ପ୍ରଶାସନର ଉଦାସୀନତା ମୋକଦ୍ଦମାଗୁଡ଼ିକୁ ଦୁର୍ବଳ କରିଦିଏ। ବିଶେଷକରି ମହିଳା ବିରୋଧୀ ହିଂସା ଓ ଅପରାଧର ହାର ଉପରୋକ୍ତ କାରଣଗୁଡ଼ିକ ଯୋଗୁଁଁ ଆହୁରି ଶୋଚନୀୟ ହୋଇପଡ଼ୁଛି।

ମହିଳାମାନଙ୍କ ବିରୋଧରେ ଅନେକ କ୍ଷେତ୍ରରେ ବିଭିନ୍ନ ପ୍ରସଙ୍ଗରେ ହିଂସା ଓ ଅପରାଧମାନ ସଂଘଟିତ ହେଉଥିଲେ ହେଁ ସେଗୁଡ଼ିକୁ ସାଧାରଣତଃ ଅଣଦେଖା କରିଦିଆଯାଏ। ଘରେ ଓ ପରିବାରରେ ଯାହା ଘଟେ, ସେଥିରେ ଓଲଟା ଦୋଷ ଯାଏ ମହିଳାମାନଙ୍କ ଉପରକୁ। ପତି ଦ୍ୱାରା ପତ୍ନୀ, ଶାଶୂ ଓ ନଣନ୍ଦ ଦ୍ୱାରା ବୋହୂ, ବୋହୂ ଦ୍ୱାରା ଶାଶୂ ନିର୍ଯାତିତ ଓ ଉତ୍ପୀଡ଼ିତ ହେଉଥିବା ଦେଖାଯାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଦା କହିଥିଲେ – ‘ମହିଳା ହିଁ ମହିଳାଙ୍କର ବଡ଼ଶତ୍ରୁ।’ ଏକ ସର୍ବେକ୍ଷଣର ତଥ୍ୟାନୁଯାୟୀ, ପରିବାର ସଦସ୍ୟ, ବନ୍ଧୁ, ସମ୍ପର୍କୀୟଙ୍କ ଦ୍ୱାରା ପ୍ରାୟ ୯୦ ପ୍ରତିଶତ ମହିଳା ହିଂସା ସଂଘଟିତ ହୋଇଥାଏ। ଏହି ଘଟଣା ଥାନାକୁ ଗଲେ ପରିବାର ସଦସ୍ୟମାନଙ୍କ ଦ୍ବାରା ଘରର ଗୁମର ପଦାରେ ନପଡ଼ିବା ପାଇଁ ଉତ୍କୋଚ, ରାଜନୈତିକ ହସ୍ତକ୍ଷେପ ଆଦି ଜରିଆରେ ମାମଲାକୁ ଦୁର୍ବଳ କରିଦେବାର ଚେଷ୍ଟା କରାଯାଏ। ଫଳରେ ପୁଲିସ୍‌‌ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଷ୍କ୍ରିୟ ହୋଇଯାଏ।

୨୦୨୩, ଡିସେମ୍ବରରେ ପ୍ରକାଶ ପାଇଥିବା ‘କ୍ରାଇମ୍‌‌ ଇନ୍‌‌ ଇଣ୍ଡିଆ- ୨୦୨୨’ ରିପୋର୍ଟ ଅନୁଯାୟୀ ୨୦୨୨ରେ ଓଡ଼ିଶାରେ ୭, ୩୯୩ଟି ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାର ଫଇସଲା ହୋଇଥିବା ବେଳେ ସେଥିରୁ ୬୭୧ଟିରେ ଦଣ୍ଡବିଧାନ ହୋଇଥିଲା ଏବଂ ୬୬୧୩ଟି ମାମଲାରେ ଅଭିଯୁକ୍ତ ମାନେ ଦୋଷମୁକ୍ତ ହୋଇଥିଲେ। ଦଣ୍ଡବିଧାନ ହାର ଥିଲା ମାତ୍ର ୯.୨ ପ୍ରତିଶତ। ୨୦୨୩ ମସିହା ଆରମ୍ଭରେ ଓଡ଼ିଶାରେ ୧, ୬୯, ୫୫୨ଟି ମହିଳା ବିରୋଧୀ ଆପରାଧିକ ମାମଲା ବିଚାରାଧୀନ ରହିଥିଲା। ଏହିପରି ଭାବରେ ସାରା ଦେଶରେ ବର୍ଷ ପରେ ବର୍ଷ ବିଚାରାଳୟ ଉପରେ ମହିଳା ବିରୋଧୀ ହିଂସା ମାମଲା ବୋଝ ବଢ଼଼ି ଚାଲିଛି। ଜାତୀୟ ସ୍ତରରେ ଏହିଭଳି ମାମଲାରେ ଦଣ୍ଡବିଧାନ ହାର ୨୫.୩ ପ୍ରତିଶତ ଥିଲା ବେଳେ ଓଡ଼ିଶାରେ ଏହା ୯.୫ ପ୍ରତିଶତ। ମହିଳା ବିରୋଧୀ ହିଂସା ଫଇସଲା ଓ ଦଣ୍ଡବିଧାନରେ ବିଳମ୍ବ ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁନାହିଁ କି? ଜଣେ ମହିଳା କେତେଥର ତା’ର ନିର୍ଯାତନାର କାହାଣୀ ବିଚାରାଳୟରେ ବଖାଣିବ? ବିପକ୍ଷ ଲୋକଙ୍କ ପ୍ରଶ୍ନବାଣରେ ରକ୍ତାକ୍ତ ହେବ? ବିଡ଼ମ୍ବିତ ନ୍ୟାୟ ଯୋଗୁଁଁ ଅନେକ ଯୁବତୀ / ମହିଳା ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରୁଛନ୍ତି। ଜଣେ ମହିଳା ହିଂସାର ଶିକାର ହୋଇ ଆଇନ୍‌‌ର ଦ୍ୱାରସ୍ଥ ହେବା ଏବଂ ବିଡ଼ମ୍ବିତ ନ୍ୟାୟ ପ୍ରକ୍ରିୟାରେ ଅବହେଳିତ ଓ ଲାଞ୍ଛିତ ହେବା ପରେ ମାନସିକ ସ୍ଥିତି ହରାଇ ଅବସାଦଗ୍ରସ୍ତ ହୁଏ। ସାଇ, ପଡ଼ିଶାଙ୍କ ବ୍ୟଙ୍ଗୋକ୍ତି ସହି ସହି ଅବଶିଷ୍ଟ ଜୀବନ ପାଷାଣୀ ଅହଲ୍ୟା ପରି ବିତେଇବାକୁ ପଡ଼େ। ସେ ଅନୁଭବ କରେ ତା’ ନାରୀ ଜୀବନର ବ୍ୟର୍ଥତା। କଳଙ୍କିତ ଜୀବନ ନେଇ ହାଃହୁତାସରେ ଜୀବନ କଟାଏ।

ଆଇନ୍‌‌ କଠୋର ହେଲେ ମଧ୍ୟ ଏହାର ଗଳାବାଟ ରହିଛି ଖସିଯିବା ପାଇଁ। ବିଚାରପତି ସବୁ ସତ୍ୟ ଜାଣିଲେ ସୁଦ୍ଧା ଆଇନ୍‌‌, ନିୟମ, କାନୁନରେ ବନ୍ଧା। ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାର ଦଣ୍ଡବିଧାନ ହାର ନ୍ୟୂନ ରହିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌‌ବେଗ ପ୍ରକାଶ କରିବା ସହିତ ଏହାର ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ତ୍ୱରିତ ବିଚାରପାଇଁ ଅଧିକ ଅଦାଲତ ଖୋଲିବା ପାଇଁ ଦେଇଥିବା ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ। ଆମକୁ ମନେରଖିବାକୁ ହେବ ନାରୀର ଉନ୍ନତିରେ ଦେଶର ପ୍ରଗତି। ଯେଉଁଠାରେ ନାରି ସମାଜ ନିର୍ଯାତିତ, ଲାଞ୍ଛିତ, ଅପମାନିତ ସେ ସମାଜ, ଜାତି, ରାଜ୍ୟ ଓ ଦେଶ କେବେ ଶ୍ରେଷ୍ଠ ହୋଇପାରିବ ନାହିଁ।

ସଂଧ୍ୟାରାଣୀ ଧଳ
ଭୁବନେଶ୍ୱର, ମୋ: ୯୫୫୬୫୮୬୦୩୦

About The Author: The Sakala