ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀଭାବେ ମନୁଷ୍ୟର ସ୍ଥିତିକୁ ଅସ୍ବୀକାର କରିହେବ ନାହିଁ। ଅନ୍ୟମାନଙ୍କ ଠାରୁ ସେ ଭିନ୍ନ କେବଳ ତା’ର ନିଜର ବିଚାରଗତ ବୁଦ୍ଧିପାଇଁ। ସେ ଶିକ୍ଷିତ, ସଭ୍ୟ ତଥା ପରି ମାର୍ଜିତ ବୋଲି ହିଁ ତାକୁ ଶ୍ରେଷ୍ଠଭାବେ ବିବେଚନା କରାଯାଇଛି। ସୃଷ୍ଟିର ବିବର୍ତ୍ତନ ମାଧ୍ୟମରେ ତାର କ୍ରମବିକାଶ ହୋଇଚାଲିଛି। ସେ ଆଜି ପୂର୍ଣ୍ଣାଙ୍ଗ ମଣିଷ ବୋଲି ନିଜର ପରିଚୟ ସୃଷ୍ଟି କରିଛି। ଶାରୀରିକ ଅଭିବୃଦ୍ଧି ସହ ବୁଦ୍ଧି ବିବେକ ହିଁ ତାକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିଛି। ବଣଜଙ୍ଗଲର ଯାଯାବର ଜୀବନଯାପନକୁ ଛାଡ଼ି ସେ ଏବେ ସ୍ଥାୟୀ। ସମୟାନୁସାରେ ନିଜକୁ ଉପଯୋଜିତ କରିପାରିଛି ବୋଲି ସେ ଆଜି ତାର କାୟା ଚତୁର୍ଦିଗକୁ ବିସ୍ତାର କରିପାରିଛି। ଖରା, ବର୍ଷା କାକରକୁ ଖାତିରି ନ କରି ସେ ଆକାଶରେ ଉଡୁଛି, ସମୁଦ୍ର ଗର୍ଭରେ ଭାସୁଛୁ, ପୁଣି ମହାକାଶରେ ଯାଇ ପାଦ ଥାପିପାରିଛି। ଏହାହିଁ ତା’ ଜ୍ଞାନକୌଶଳର ପରିଚୟ। ଶିକ୍ଷ୍ୟା ହିଁ ତାକୁ ଓ ତା’ ଜୀବନକୁ ଦେଇଛି ଏକ ନୂତନ ଦିଗ୍ଦର୍ଶନ। ସେ ଶିକ୍ଷାର ମହତ୍ତ୍ବକୁ ବୁଝିଛି, ତା’ ସହ ନିଜକୁ ସାମିଲ୍ କରି ସଭ୍ୟତାର ବିକାଶ ପଥରେ ଆଗେଇ ଚାଲିଛି। ବାସ୍ତବିକ କହିବାକୁ ଗଲେ, ଶିକ୍ଷା ହିଁ ମଣିଷକୁ ଶିଖାଏ ଓ ବୁଦ୍ଧିଜୀବୀ ଭାବେ ଗଢ଼ି ତୋଳେ, ଏଥିରେ ଦ୍ବିମତ ନାହିଁ।
ଶିକ୍ଷା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ପ୍ରତିଟି ମନୁଷ୍ୟ ପାଇଁ ତଥା ସମାଜ ପାଇଁ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରେ। ସମୟକ୍ରମେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ରୂପରେଖ ବଦଳିବାରେ ଲାଗିଛି। ଗୁରୁକୁଳର ଚତୁରାଶ୍ରମର ଶିକ୍ଷାବ୍ୟବସ୍ଥା ଏବେ ବଦଳି ବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ଆର୍ଯ୍ୟମାନଙ୍କ କୁଟୀର ଆଶ୍ରମ ପରିବର୍ତ୍ତିତ ହୋଇ ଉଚ୍ଚ ମହଲରେ ରୂପାନ୍ତର ସହ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଛାତ୍ରଛାତ୍ରୀମାନଙ୍କର ପୋଷାକପରିଚ୍ଛଦ ତଥା ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। ସେହିପରି ଶିକ୍ଷାନୁଷ୍ଠାନର ପ୍ରକୋଷ୍ଠଗୁଡ଼ିକ ଅତି ଉଚ୍ଚମାନର ତଥା ବିଳାସମୟ ଶ୍ରେଣୀକକ୍ଷର ରୂପ ଧାରଣ କରିଛି। ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ଛାତ୍ରଛାତ୍ରୀ ମାନେ ନିଜକୁ ବେଶ୍ ଖୁସି ଅନୁଭବ କରନ୍ତି ବୋଲି କୁହାଯାଉଛି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସଜାଡ଼ିବା ପାଇଁ ସରକାରୀସ୍ତରରେ ନିଆଯାଉଥିବା ପଦକ୍ଷେପ ବହୁ ବିଳମ୍ବରେ ହେଲେ ମଧ୍ୟ ଗ୍ରହଣୀୟ । ଏସବୁ ସତ୍ତ୍ବେ ବୁଦ୍ଧିଜୀବୀମାନଙ୍କ ମନରେ ଏବେ ବି ଅନେକ ପ୍ରଶ୍ନ ଉଠେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ!
ଉଚ୍ଚଶିକ୍ଷାର ପରିସ୍ଥିତି ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ତଥା ଉଦ୍ବେଗଜନକ। ଏଥିପାଇଁ ନା ଶିକ୍ଷକ ଚିନ୍ତିତ, ନା ଶିକ୍ଷାନୁଷ୍ଠାନ, ନା ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ କରୁଥିବା ବିଶ୍ଵବିଦ୍ୟାଳୟ। ଉଚ୍ଚଶିକ୍ଷାର ଭବିଷ୍ୟତ କୁଆଡ଼େ କୁଆଡ଼େ ଧସିଯାଉଛି ଭାବିଲେ କଷ୍ଟ ଲାଗେ। ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ। ନାମଲେଖା ଆବେଦନ, ଶିକ୍ଷାନୁଷ୍ଠାନରେ ପ୍ରବେଶ, ପରୀକ୍ଷା ପାଇଁ ଫର୍ମ ପୂରଣ, ତା’ପରେ ପରୀକ୍ଷା, ପରୀକ୍ଷା ମୂଲ୍ୟାୟନ ଓ ଶେଷରେ ପରୀକ୍ଷା ଫଳାଫଳ। ସବୁକିଛି ବାଟବଣା ଓ ବିପର୍ଯ୍ୟସ୍ତ। ଛାତ୍ରଛାତ୍ରୀମାନଙ୍କ ପଢ଼ାପଢ଼ିରେ ଏତେଟା ଆନ୍ତରିକତା ଦେଖିବାକୁ ମିଳୁନି। ଶିକ୍ଷା ପ୍ରତି ଓ ଶିକ୍ଷକଙ୍କ ପ୍ରତି ସେମିତି ବିଶେଷ ଆନୁଗତ୍ୟ ନାହିଁ। ଅଧ୍ୟାପନା ଅଧ୍ୟାପକଅଧ୍ୟାପିକାଙ୍କର ମଧ୍ୟ ଧ୍ୟାନ କମିବାରେ ଲାଗୁଛି। ଫଳରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ପାଉଛି। ଏହା ପଛରେ ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନ, ପ୍ରବେଶ ଗ୍ରହଣ ପ୍ରକ୍ରିୟା, ଅଧ୍ୟାପନାର ଅନିୟମିତତା, ପରୀକ୍ଷା ମୂଲ୍ୟାୟନର ଅବବ୍ୟସ୍ଥା ତଥା ଛାତ୍ରଛାତ୍ରୀଙ୍କ ମଧରେ ଶିକ୍ଷା ଗ୍ରହଣରେ ଅନାଗ୍ରହ ପ୍ରମୁଖ କାରଣ। ଯେଉଁଦିନ ପରୀକ୍ଷା ଖାତାର ସଠିକ୍ ମୂଲ୍ୟାଙ୍କନ ହେବ, ସେଦିନ ହିଁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଉଚ୍ଚଶିକ୍ଷା ବିଭାଗର ପ୍ରବେଶ ଗ୍ରହଣ ଅତ୍ୟନ୍ତ ବିଳମ୍ବିତ ପ୍ରକ୍ରିୟା। ଏହା ସେମିଷ୍ଟର ଇଣ୍ଟରନାଲ୍ ପରୀକ୍ଷା ପର୍ଯ୍ୟନ୍ତ କ୍ରମାଗତଭାବେ ଚାଲୁରହେ, ଯାହା ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା କଥା। ଯଦି ପ୍ରବେଶ ଗ୍ରହଣ ପ୍ରକ୍ରିୟା ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହେ, ତେବେ ଛାତ୍ରଛାତ୍ରୀମାନେ କ୍ଲାସ୍ କରିବାରୁ ବଞ୍ଚିତ ହେବେ କି ନାହିଁ, ତାହା ବିଭାଗୀୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ। ତାଛଡ଼ା ସେମିଷ୍ଟର ପରୀକ୍ଷା ପରେପରେ ପୁଣି ମୂଲ୍ୟାୟନରେ ଅଧ୍ୟାପକଅଧ୍ୟାପିକାମାନେ ଏତେ ବ୍ୟସ୍ତ ରୁହନ୍ତି ଯେ, ଅଧ୍ୟାପନା କେତେବେଳେ କରିବେ? ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ ହେବାର ପ୍ରମୁଖ କାରଣ ପରୀକ୍ଷାର ଉତ୍ତରପତ୍ର ମୂଲ୍ୟାୟନ ପ୍ରକ୍ରିୟା, ଯାହା ଅଧ୍ୟାପନା ତଥା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଅନାଗ୍ରହ ଉପରେ ଗଭୀର ପ୍ରଭାବ ପକାଇଥାଏ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଉ ପରୀକ୍ଷାକୁ ନେଇ ଭୟ ନାହିଁ। ସେମାନେ ଭଲଭାବେ ଜାଣିଗଲେଣି, ଅକୃତକାର୍ଯ୍ୟ ହେବାର କୌଣସି ଦୁର୍ଭାଗ୍ୟ ନାହିଁ। ଯାହା ଲେଖିଲେ ୬୦ ପ୍ରତିଶତରୁ ଅଧିକ ଅଙ୍କ ମିଳିବ; କିନ୍ତୁ ତାଠୁ କମ୍ ନୁହେଁ। ଅଧ୍ୟାପକଅଧ୍ୟାପିକାମାନେ ବୁଝିସାରିଛନ୍ତି, ପିଲାମାନଙ୍କୁ ସସମ୍ମାନେ ପାସ୍ କରିବା ଅତ୍ୟନ୍ତ ଜରୁରୀ। ଉଚ୍ଚ କର୍ତ୍ତୃପକ୍ଷଙ୍କ କଡ଼ା ସନ୍ଦେଶ କୌଣସି ପିଲା ଫେଲ୍ ହେବେନାହିଁ। ସେହି ହିସାବରେ ଖାତା ଦେଖାଯିବା ଦରକାର। ଇଣ୍ଟରନାଲ୍ ପରୀକ୍ଷା ନିଜ ବିଭାଗର ଅଧ୍ୟାପକଅଧ୍ୟାପିକାମାନେ ମୂଲ୍ୟାୟନ କରିଥିବାରୁ ମନଇଚ୍ଛା ଉତ୍ତର ଖାତାରେ ଅଙ୍କ ଦେବାରେ କୌଣସି ଅସୁବିଧା ହୁଏନାହିଁ। ସେମିଷ୍ଟର ପରୀକ୍ଷାର ମୂଲ୍ୟାୟନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। ତା’ର ଆଲୋଚନା ନିହାତି ଜରୁରୀ। ପରୀକ୍ଷା କେନ୍ଦ୍ରର ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତରପତ୍ରକୁ ସାରିବାକୁ ପଡ଼ିଥାଏ। କେନ୍ଦ୍ରର ନିର୍ଦ୍ଧାରିତ ସମୟକୁ କେହି ଖାତାଦେଖାରେ ସଦୁପଯୋଗ କରନ୍ତି ନାହିଁ। କୌଣସି ବିଷୟରେ ଯଦି ୫୦୦ ଖାତାର ମୂଲ୍ୟାୟନ କରାଯାଏ, ତାହା ପାଞ୍ଚରୁ ସାତଦିନ ନିର୍ଦ୍ଧାରିତ କରାଯାଇଥାଏ। ମୂଲ୍ୟାୟନ ଦାୟିତ୍ୱରେ ଯଦି ଚାରିରୁ ପାଞ୍ଚ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଏ ତେବେ ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କ ଭାଗରେ ୧୦୦ କିମ୍ବା ୧୨୫ଟି ଖାତା ମୂଲ୍ୟାୟନ କରିବାକୁ ପଡ଼ିଥାଏ। ତେବେ ଦିନକୁ ୨୦ ରୁ ୨୫ ଖଣ୍ଡ ଖାତା ଦେଖିବା ପାଇଁ ହୋଇଥାଏ। କିନ୍ତୁ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ନିୟମିତ ଭାବେ ପ୍ରତିଦିନ ଖାତା ଦେଖନ୍ତି କି ? କିଛି ଅଧ୍ୟାପକ ଅଧ୍ୟାପିକା ଗୋଟେ ଦିନରେ ୫୦ ରୁ ୬୦, ତ ଆଉ କିଏ ୭୦ ଖାତା ମୂଲ୍ୟାୟନ କରିଦିଅନ୍ତି। ୨/୩ ଘଣ୍ଟାରେ ୭୦/୮୦ ବିଜ୍ଞାନ ଖାତାର ମଲ୍ୟାୟନ କଥା ଭାବିଲେ ବିସ୍ମୟ ସୃଷ୍ଟି ହୁଏ ।
ଏମାନେ ଖାତାର କାଗଜ ସଂଖ୍ୟାକୁ ଆଧାର କରି ମୂଲ୍ୟାୟନ କରୁଥିବା ପରି ବୋଧହୁଏ। ଯେ ଯେତେ ଅଧିକ ଲେଖିଛି, ସେ ସେତେ ଅଧିକ ଅଙ୍କ ପାଉଛି, ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ। ଏଠି ପରୀକ୍ଷା ଆଉ ମୂଲ୍ୟାୟନ ଏକ ପ୍ରହସନ। ପିଲାମାନେ ବୁଝି ସାରିଲେଣି କ୍ଲାସ କଲେ ଢୋ ନ କଲେ ଢୋ। ଏଠି ଧୁଆମୁଳା ଅଧୁଆମୁଳା ସବୁ ସମାନ। ପାଠ ନ ପଢ଼ି, କ୍ଲାସ ନ କରି ଯଦି ପାସ୍, ତେବେ କ୍ଲାସ କରିବାରେ କି ଆବଶ୍ୟକ। ଅଧ୍ୟାପକଅଧ୍ୟାପିକାମାନେ ଭି ମାନସିକ ସ୍ତରରେ ଆଶ୍ବସ୍ତ ହେଲେଣି, ଯଦି ପିଲାମାନେ କ୍ଲାସ୍ ନଆସି କୃତକାର୍ଯ୍ୟ ହେଇପାରୁଛନ୍ତି, ତେବେ କ୍ଲାସ୍ କରିବାର କିଛି ଆବଶ୍ୟକତା ନାହିଁ। ତେଣୁ ଏହି ଅାଧାରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଛି କି ହ୍ରାସ ପାଉଛି, ତାହା ବିଭାଗୀୟ ପ୍ରଶାସନ ଧ୍ୟାନ ଦେବା ନିହାତି ଜରୁରୀ। ଖାଲି ଆବେଦନ, ପ୍ରବେଶ ଗ୍ରହଣ, ଫର୍ମ ପୂରଣ, ପରୀକ୍ଷା ଦେଇ ଖଣ୍ଡେ ଖଣ୍ଡେ ପ୍ରମାଣପତ୍ର ମାଧ୍ୟମରେ ସାକ୍ଷରତା ହାର ବଢ଼େଇ ଦେଲେ ଶିକ୍ଷାର ମାନ ବୃଦ୍ଧି େହାଇଯିବ, ଏହା ଏକ ପ୍ରହେଳିକା ମାତ୍ର।
ଡ଼ ମନୋଜ କୁମାର ମହାନ୍ତି
ଭଦ୍ରକ, ମୋ ୮୮୯୫୩୪୧୦୩୩