ହିରୋସିମା ଓ ନାଗାସାକିର ବିଭୀଷିକା ପରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗିତା ପାଇଁ ଅନେକ ଦେଶ ପଛଘୁଞ୍ଚା ଦେବା ସ୍ୱାଭାବିକ। କିନ୍ତୁ ପାରମ୍ପରିକ ଶକ୍ତି ଉତ୍ସ ଯଥା କୋଇଲା, ପେଟ୍ରୋଲ ଓ ଗ୍ୟାସ ଇତ୍ୟାଦି ସରିଗଲା ପରେ ଅନ୍ୟ ଶକ୍ତି ଉତ୍ସ ପ୍ରତି ଧ୍ୟାନ ଦେବା ଛଡ଼ା ଆଉ ଉପାୟ ନାହିଁ। ଏହି ପୃଷ୍ଠଭୂମିରେ ସୌର ଶକ୍ତି, ପବନ ଶକ୍ତି ଓ ପରମାଣୁ ଶକ୍ତିକୁ ବିକଳ୍ପ ଭାବରେ ନେବାକୁ ହେବ। ସୌର ଶକ୍ତି ଏବେ ମଧ୍ୟ ଏକ ବ୍ୟୟବହୁଳ ବ୍ୟାପାର। ପବନ ଶକ୍ତିର ଉପଯୋଗିତା ସବୁଠି ହେଇପାରିବ ନାହିଁ। କିନ୍ତୁ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ଏକ ଉତ୍କୃଷ୍ଟ ବିକଳ୍ପ।
୧୯୫୦ ମସିହାରେ ପ୍ରଥମ ପରମାଣୁ ବିଜୁଳି ଘର ଆମେରିକାରେ ପ୍ରତିଷ୍ଠା କରାଯାଇଥିଲା। ଏବେ ବିଶ୍ୱର ୧୧% ବିଜୁଳି ପରମାଣୁ ଶକ୍ତିରୁ ଆସୁଛି। ବିଶ୍ୱର ୫୦ଟି ଦେଶରେ ମୋଟ ୨୨୫ ପରମାଣୁ ଶକ୍ତି କେନ୍ଦ୍ର ଅଛି। ହିରୋସିମା ଓ ନାଗାସାକି ଭଳି ବିଭୀଷିକା ଦେଖିଥିବା ଜାପାନ ଭଳି ଦେଶରେ ପ୍ରାୟ ୩୦ ରୁ ଅଧିକ ଆଣବିକ ଶକ୍ତି କେନ୍ଦ୍ର ରହିଛି। ଏଥିରୁ ଦେଶର ୨୭% ବିଜୁଳି ଶକ୍ତି ଆସିଥାଏ। ଆମେରିକାରେ ୯୮ଟି ଆଣବିକ ରିଆକ୍ଟର ଦେଶର ଶତକଡ଼ା ୨୦ ଭାଗ ବିଜୁଳି ଶକ୍ତି ଉତ୍ପନ୍ନ କରିଥା’ନ୍ତି। ତେଣୁ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର କରି କିଛିମାତ୍ରାରେ ବିଶ୍ୱର ଶକ୍ତି ଚାହିଦାକୁ ମେଣ୍ଟାଇ ହେବ।
ପରମାଣୁ ଶକ୍ତି କେନ୍ଦ୍ରରେ ଜାଳେଣି ବା କଞ୍ଚାମାଲ୍ ଭାବରେ ୟୁରାନିୟମ, ଥୋରିୟମ ଭଳି ବିରଳ ଧାତୁ ବ୍ୟବହାର କରା ଯାଇଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁରାନିୟମ ପ୍ରାକୃତିକ ଭାବରେ ଆମ ଦେଶର ଝାଡ଼ଖଣ୍ଡ, ତେଲଙ୍ଗାନା, ଆସାମ, ମେଘାଳୟର ବିଭିନ୍ନ ଅଞ୍ଚଳରେ ଅଛି। ଯଦିଓ ଜୀବାଶ୍ମ ଇନ୍ଧନ ଅପେକ୍ଷା ୟୁରାନିୟମ ଓ ଥୋରିୟମ ଭଳି ଆଣବିକ ବିରଳ ଇନ୍ଧନ ଅତି ଅଳ୍ପମାତ୍ରାରେ ଉପଲବ୍ଧ, କିନ୍ତୁ ଏହା ଜୀବାଶ୍ମ ଇନ୍ଧନଠାରୁ ୮୦୦୦ ଗୁଣ ଅଧିକ ଉପଯୋଗୀ। ଆମ ଦେଶର ଓଡ଼ିଶା ଓ କେରଳର ଉପକୂଳ ସମୁଦ୍ର ବାଲିରେ ପ୍ରଚୁର ପରିମାଣରେ ଥୋରିୟମ ଅଛି, ଯାହାକୁ ଉପଯୋଗ କରି ଆମ ଦେଶ ବିଜୁଳି ଶକ୍ତି ଉତ୍ପନ୍ନ କରି ପାରିବ। ଆମ ଦେଶ ଏବେ ପରମାଣୁ ଶକ୍ତି କେନ୍ଦ୍ର ପରିଚାଳନା କରିବାରେ ବିଶ୍ୱରେ ଅନନ୍ୟ କୃତିତ୍ୱ ହାସଲ କରିଛି। ଯଦିଓ ରୁଷିଆର ଚେର୍ଣ୍ଣୋବିଲ ଭଳି କେତେକ ବିରଳ ଦୁର୍ଘଟଣା ଆଣବିକ ଶକ୍ତି କେନ୍ଦ୍ର ଇତିହାସରେ ଘଟିଛି, ତଥାପି ଉପଯୁକ୍ତ ପରିଚାଳନା ଓ ଦକ୍ଷତା ଜ୍ଞାନ ଯୋଗୁଁ ସେଭଳି ଦୁର୍ଘଟଣାର ପୁନରାବୃତ୍ତି ହେବାର ଆଶଙ୍କା କ୍ଷୀଣ।
ପରମାଣୁ ପ୍ରତ୍ୟେକ ମୌଳିକ ପଦାର୍ଥର ସବୁଠୁ ଛୋଟ ଜିନିଷ। ପରମାଣୁ ଭିତରେ ଆହୁରି ଛୋଟ ଜିନିଷ ସବୁ ରହିଛି। ପରମାଣୁର କେନ୍ଦ୍ରରେ ଅତି ସୂକ୍ଷ୍ମ ନିଉଟ୍ରନ ଓ ପ୍ରୋଟନ ଥାଆନ୍ତି। କେନ୍ଦ୍ର ଚାରିପଟେ ଇଲେକ୍ଟ୍ରନ ସବୁ ଘୂରି ବୁଲୁଥା’ନ୍ତି। ପରମାଣୁ ଭିତରେ ଥିବା ପ୍ରୋଟନ ସଂଖ୍ୟାକୁ ତା’ର ପରମାଣୁ କ୍ରମାଙ୍କ କୁହାଯାଏ। ଯାହାର ପରମାଣୁ କ୍ରମାଙ୍କ ଅଧିକ ତା’ର ପରମାଣୁ ବଡ଼ ଓ ଓଜନିଆ। ଗୋଟିଏ ଲୁହା ରଡ୍ ଏବଂ ସେଇ ଏକା ଆକାରର ଏକ ସୀସା ରଡ୍ ନେଲେ ସହଜରେ ଜାଣିହେବ କିଏ ଓଜନିଆ। ସୀସାର ପରମାଣୁ କ୍ରମାଙ୍କ (୮୨) ଅଧିକ ହେଇ ଥିବାରୁ ଏହା ଲୁହା (୨୫) ଠାରୁ ଭାରି। ସେମିତି ଆହୁରି ଭାରି ଓ ଓଜନିଆ ପରମାଣୁ ହେଲା ୟୁରାନିୟମ (୯୨), ପ୍ଲୁଟୋନିୟମ (୯୪) ଇତ୍ୟାଦି। ଏହି ସବୁ ଓଜନିଆ ପରମାଣୁ ଭିତରେ ଅନେକ ପ୍ରୋଟନ ଓ ନିୟୁଟ୍ରନ ରହିଥା’ନ୍ତି। ଏହିସବୁ ଓଜନିଆ ପରମାଣୁକୁ ଭାଙ୍ଗିବା ସମ୍ଭବ। ୟୁରାନିୟମ ପରି ଭାରି ପରମାଣୁକୁ ଯଦି ଏକ ନିଉଟ୍ରନ ସହ ଆଘାତ କରାଯାଏ ଏହା ଭାଙ୍ଗିଯିବ। ଏଥିରେ ଥିବା ନିୟୁଟ୍ରନ, ପ୍ରୋଟୋନ, ଇଲେକ୍ଟ୍ରନମାନେ ବାହାରି ଯାଇ ଅଲଗା ଅଲଗା ହାଲକା ପଦାର୍ଥର ନୂଆ ନୂଆ ପରମାଣୁ ତିଆରି କରନ୍ତି। ଏହି ପ୍ରକ୍ରିୟାରେ କିଛି ଓଜନର ହିସାବ ମିଳେନି। ସେଇ ହିସାବ ମିଳୁନଥିବା ଓଜନ ଶକ୍ତିରେ ପରିଣତ ହୁଏ। ଏହା ଆଇନଷ୍ଟାଇନଙ୍କ ବିଖ୍ୟାତ ଓଜନ ଓ ଶକ୍ତି ସମୀକରଣ ଦ୍ୱାରା ସମ୍ଭବ ହୁଏ। ୧୧୮ଟି ମୌଳିକ ପଦାର୍ଥର ପରମାଣୁକୁ ନେଇ ଅନେକ ପ୍ରକାର ବସ୍ତୁର ଅଣୁ ତିଆରି ହୁଏ। ପରମାଣୁ କେବେ ମରେନି। ରାସାୟନିକ କିମ୍ୱା ନାଭିକୀୟ ପ୍ରକ୍ରିୟାରେ ଏହାର ପରିବର୍ତ୍ତନ ଅନ୍ୟ ଜିନିଷକୁ ହୋଇପାରେ, ଠିକ ପୁନର୍ଜନ୍ମ ହେବା ପରି। ତେଣୁ ଆମେ ପରମାଣୁକୁ ଅମର କହି ପାରିବା।
ଗୋଟିଏ ୟୁରାନିୟମ କିମ୍ୱା ପ୍ଲୁଟୋନିୟମ ପରମାଣୁ ଭାଙ୍ଗିବା ଦ୍ୱାରା ୨୦୦ ରୁ ଅଧିକ ମେଗା ଇଲେକ୍ଟ୍ରନ ଭୋଲଟ ଶକ୍ତି ବାହାରେ। ତା’ ମାନେ ଏକ ଗ୍ରାମ ୟୁରାନିୟମ ପରମାଣୁକୁ ଭାଙ୍ଗିଲେ ଯେତିକି ଶକ୍ତି ମିଳିବ ତାହା ୨୦୦୦ ଲିଟର ତୈଳ କିମ୍ୱା ୩୦୦୦ କିଲୋ କୋଇଲାରେ ଥିବା ଶକ୍ତି ସଂଗେ ସମାନ। ସେଇ ଶକ୍ତିକୁ ଉପଯୋଗ କରି ପାଣିକୁ ଗରମ କରି ବାଷ୍ପ ତିଆରି ହୁଏ। ବାଷ୍ପ ଟରବାଇନକୁ ବୁଲେଇ ବିଜୁଳି ତିଆରି କରେ। ଏହିପରି ପରମାଣୁରୁ ବିଜୁଳି ତିଆରି ହୁଏ, ଯେମିତି ତାପଜ ବିଜୁଳି କେନ୍ଦ୍ରରେ କୋଇଲା କିମ୍ବା ଗ୍ୟାସ ବ୍ୟବହୃତ ହୋଇଥାଏ। ଜଳ ବିଦ୍ୟୁତ ଯୋଜନାରେ ପାଣିରୁ ବିଜୁଳି ଉତ୍ପାଦନ କରାଯାଏ। କିନ୍ତୁ ପରମାଣୁ ବିଜୁଳି କେନ୍ଦ୍ରରେ ନା ପାଣିର ଦରକାର ହୁଏ ନା କୋଇଲା। ଏଠି ଜାଳେଣି ରୂପେ ବିଡ଼ା ବିଡ଼ା ୟୁରାନିୟମ ରଡ ବ୍ୟବହାର କରା ଯାଇଥାଏ। ୟୁରାନିୟମ ରଡକୁ ଭାରି ଜଳରେ କିମ୍ୱା ସାଧାରଣ ଜଳରେ ବୁଡ଼େଇ ରଖାଯାଏ। ସେଇ ୟୁରାନିୟମ ରଡ ପାଖକୁ ଏକ ନିୟୁଟ୍ରନ ଉତ୍ସ, ଯାହାଠୁ କ୍ରମାଗତ ଶକ୍ତିଶାଳୀ ନିୟୁଟ୍ରନ ବାହାରୁ ଥାଏ, ରଖି ଦିଆଯାଏ। ସେ ନିୟୁଟ୍ରନ ୟୁରାନିୟମ ରଡରେ ଥିବା ୟୁରାନିୟମ ପରମାଣୁ ସହ ଧକା ଖାଇ ତା’କୁ ଭାଙ୍ଗିଦିଏ। ଏହାକୁ ନାଭିକୀୟ ବିଖଣ୍ଡନ ବା ବିଘଟନ କୁହାଯାଏ। ପ୍ରତିଟି ୟୁରାନିୟମର ପରମାଣୁ ଭାଙ୍ଗି ଛୋଟ ଛୋଟ ମୌଳିକ ପଦାର୍ଥର ପରମାଣୁରେ ପରିଣତ ହୁଏ। ୨୦୦ ମେଗା ଇଲେକ୍ଟ୍ରନ ଭୋଲଟରୁ ଅଧିକ ତାପଜ ଶକ୍ତି ନିର୍ଗତ ହୁଏ। ଏହି ତାପଜ ଶକ୍ତି ପାଣିକୁ ଗରମ କରି ବାଷ୍ପ ତିଆରି କରେ। ସେଇ ବାଷ୍ପ ସାହାଯ୍ୟରେ ଟରବାଇନ ବୁଲି ବିଜୁଳି ଉତ୍ପାଦନ କରେ। ସବୁଠୁ ଭଲ କଥା ହେଲା ପରମାଣୁ ବିଜୁଳି କେନ୍ଦ୍ରରୁ କୌଣସି ଧୂଆଁ ବାହାରେ ନାହିଁ। ଏଠାରୁ ଉତ୍ପାଦନ ହେଉଥିବା ବିଜୁଳିର ଦାମ ତାପଜ ବିଜୁଳି କେନ୍ଦ୍ରର ବିଜୁଳିଠାରୁ ଶସ୍ତା ହେଇଥାଏ।
ପରମାଣୁରୁ ବିଜୁଳି ଶକ୍ତି ଉତ୍ପାଦନ କେନ୍ଦ୍ର ଆମ ଦେଶରେ ପ୍ରଥମେ ମହାରାଷ୍ଟ୍ରର ତାରାପୁରଠାରେ ତିଆରି ହେଇଛି। ପରବର୍ତ୍ତୀ ସମୟରେ ଆମ ଦେଶରେ ଅନେକ ସ୍ଥାନରେ ଅତ୍ୟାଧୁନିକ ପରମାଣୁ ବିଜୁଳି କେନ୍ଦ୍ର ପ୍ରତିଷ୍ଠା ହେଇଛି। ଯଦିଓ ଆମ ଦେଶରେ ପରମାଣୁ ବିଜୁଳି ଉତ୍ପାଦନ ଲଗାତାର ବଢ଼଼ିବାରେ ଲାଗିଛି, ତଥାପି ଅନ୍ୟ ଦେଶଗୁଡିକୁ ତୁଳନା କଲେ ଆମେ ଅନେକ ପଛରେ ଅଛେ। ଫ୍ରାନ୍ସ, ଜାପାନ, ଆମେରିକା ଆଦି ଦେଶଗୁଡ଼ିକ ସେମାନଙ୍କର ଅଧିକାଂଶ ବିଜୁଳି ପରମାଣୁ ଶକ୍ତିର ଉପଯୋଗରୁ କରିଥା’ନ୍ତି। ନିଆଁ ଭଳି ବିପଜ୍ଜନକ ଜିନିଷ ଓ ହାତୀ ଭଳି ବିଶାଳ ପ୍ରାଣୀକୁ ଆୟତ୍ତ କରି ପାରିଥିବା ମଣିଷ ପରମାଣୁର ଭୟାବହତାକୁ ନ ଡରି ଶାନ୍ତିପୂର୍ଣ୍ଣ ବିନିଯୋଗ କରି ମାନବ ସମାଜର କଲ୍ୟାଣ କରିବା ଶ୍ରେୟସ୍କର।
ଡକ୍ଟର ନରେନ୍ଦ୍ର ସେଠୀ
ଝାଡ଼ଖଣ୍ଡ, ମୋ: ୭୦୦୪୦୬୮୧୧୦