ଗବେଷଣା ନିବନ୍ଧର ପ୍ରକାଶନ ସଂଖ୍ୟାକୁ ନେଇ ଦୀର୍ଘକାଳ ଧରି ଆମେରିକା ବିଶ୍ୱ ନେତୃତ୍ୱ ଗ୍ରହଣ କରିଥିଲା। ଆମେରିକାର ଏହି ପ୍ରଭୁତ୍ୱରେ ଏବେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପ୍ରାୟ ଅର୍ଦ୍ଧେକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଚୀନୀୟ ଗବେଷକମାନେ କିମ୍ବା ଚୀନର ବିଜ୍ଞାନାଗାରମାନଙ୍କ ସହ ପ୍ରାଥମିକ ଭାବେ ଅନୁବନ୍ଧିତ ହୋଇ ଗବେଷଣା କରୁଥିବା ଗବେଷକମାନେ ଆମେରିକାରୁ ପ୍ରକାଶ ପାଉଥିବା ଗବେଷଣା ନିବନ୍ଧଠାରୁ ଅଧିକ ସଂଖ୍ୟକ ନିବନ୍ଧ ପ୍ରକାଶ କରୁଛନ୍ତି। ସାଇନ୍ସ ଆଣ୍ଡ ଇଂଜିନିୟରିଂ କନଫରେନ୍ସ ଏବଂ ପିଅର-ରିଭ୍ୟୁଡ୍ ଜର୍ଣ୍ଣାଲମାନଙ୍କରେ ୨୦୧୦ ମସିହାରେ ଚୀନରୁ ପ୍ରକାଶ ପାଇଥିବା ଏବଂ ସ୍ପୋପସ୍ ଡାଟାବେସ୍ରେ ସୂଚୀତ ଗବେଷଣା ନିବନ୍ଧର ସଂଖ୍ୟା ୩.୦୯ ଲକ୍ଷ ଥିଲାବେଳେ ୨୦୨୦ ମସିହାରେ ତାହା ୬.୬୯ ଲକ୍ଷରେ ପହଞ୍ଚିଥିଲା। ଅପରପକ୍ଷରେ ୨୦୧୦ ମସିହାରେ ଆମେରିକାରୁ ପ୍ରକାଶ ପାଇଥିବା ଗବେଷଣା ନିବନ୍ଧର ସଂଖ୍ୟା ୪ ଲକ୍ଷ ଥିଲାବେଳେ ୨୦୨୦ ମସିହାରେ ତାହା ୪.୫୬ ଲକ୍ଷରେ ପହଞ୍ଚିଥିଲା। ୨୦୨୦ ମସିହାରେ ଭାରତବର୍ଷରୁ ପ୍ରକାଶ ପାଇଥିବା ଗବେଷଣା ନିବନ୍ଧର ସଂଖ୍ୟା ୧.୪୯ ଲକ୍ଷ ଥିଲା ଏବଂ ଏହି ତାଲିକାରେ ଭାରତ ୩ୟ ସ୍ଥାନ ଅଧିକାର କରି ଅନ୍ୟାନ୍ୟ ବହୁ ବିକଶିତ ରାଷ୍ଟ୍ରଙ୍କୁ ପଛରେ ପକାଇ ଦେଇଛି।
୧୯୭୭ ମସିହାରେ ଚୀନ କୃଷି, ଶିଳ୍ପ, ଦେଶରକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅତ୍ୟନ୍ତ ସୁଦୃଢ଼ କରିବା ପାଇଁ ୪ଟି ରାଷ୍ଟ୍ରୀୟ ଆଧୁନିକୀକରଣ କାର୍ଯ୍ୟକ୍ରମର ରୂପାୟନ କରିଥିଲା। ଚୀନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ନିରନ୍ତର ପ୍ରୟାସ ଓ ପୁଞ୍ଜିନିବେଶକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇଥିଲା। ୨୦୧୫ ମସିହା ବେଳକୁ ଚୀନ ତା’ର ଜିଡିପିର ୨.୦୭ ପ୍ରତିଶତ ଗବେଷଣା ଓ ବିକାଶ କ୍ଷେତ୍ରରେ ବ୍ୟୟ କରୁଥିଲା। ୨୦୧୮ ମସିହା ବେଳକୁ ଚୀନରେ ୪ ନିୟୁତରୁ ଊର୍ଦ୍ଧ୍ବ ବୈଜ୍ଞାନିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନିୟୋଜିତ ଥିଲେ, ଯାହାକି ବିଶ୍ୱରେ ସର୍ବାଧିକ ଥିଲା।
ଅପରପକ୍ଷରେ ଚୀନରୁ ପ୍ରକାଶ ପାଉଥିବା ଗବେଷଣା ନିବନ୍ଧର ମାନରେ ଏବେ ହ୍ରାସ ପରିଲକ୍ଷିତ ହେଉଛି ଏବଂ ଏହି ତାଲିକାରେ ଆମେରିକା ସର୍ବାଗ୍ରେ ରହିଛି। ଚୀନର ରିସର୍ଚ୍ଚ ଆଉଟପୁଟକୁ ନେଇ ବିଶ୍ୱରେ ଦିନେ ଯେଉଁ ହଟଚମଟ ସୃଷ୍ଟି ହୋଇଥିଲା ତହିଁରେ ଏବେ ଭଟ୍ଟା ପଡୁଥିବାର ଦୃଷ୍ଟିଗୋଚର ହେଉଛି।
୨୦୧୮ ମସିହାରେ ଚୀନ୍ ସରକାର ଏକ ନୀତି ଘୋଷଣା କରିଥିଲେ ଏବଂ ଏହା ବୈଜ୍ଞାନିକ କଦାଚାରକୁ ସମୂଳେ ବିନାଶ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଅପଖ୍ୟାତି ଅର୍ଜନ କରିଥିବା ବୈଜ୍ଞାନିକମାନଙ୍କୁ କୌଣସି ଗବେଷଣା ଅନୁଦାନ କିମ୍ବା ପୁରସ୍କାର ପ୍ରଦାନ ନକରିବା ସହ ଶିକ୍ଷାଜଗତ ବାହାରେ ମଧ୍ୟ ସେମାନେ ଯେପରି କୌଣସି ସୁବିଧା ସୁଯୋଗ ନ ପାଆନ୍ତି ସେଭଳି ଦଣ୍ଡବିଧି ପ୍ରଣୟନ କରାଯାଇଥିଲା। ବିଶ୍ୱ ପ୍ରସିଦ୍ଧ ‘ନେଚର’ ପତ୍ରିକା ମଧ୍ୟ ଏ ବିଷୟରେ ସ୍ପଷ୍ଟଭାବେ ଉଲ୍ଲେଖ କରିଛି। ୨୦୨୦ ମସିହାରେ ଚୀନ ତା’ର ନୀତିକୁ ପରିବର୍ତ୍ତନ କରି ଗବେଷଣା ନିବନ୍ଧ ପ୍ରକାଶନ କରୁଥିବା ଗବେଷକମାନଙ୍କୁ ବୋନସ ପ୍ରଦାନ କରିବା ଆରମ୍ଭ କଲା। ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଚୀନର ଅଭୂତପୂର୍ବ ଅଭିବୃଦ୍ଧିର ଆଉ ଏକ ଉଲ୍ଲେଖନୀୟ ବିଶେଷତା ହେଲା ୨୦୧୦ ମସିହାରେ ଚୀନ ଶୁଭାରମ୍ଭ କରିଥିବା ତା’ର ‘ହଜାର ପ୍ରତିଭା କାର୍ଯ୍ୟକ୍ରମ’ର କାର୍ଯ୍ୟାନ୍ୱୟନ। ବିଦେଶରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଶେଷଜ୍ଞମାନଙ୍କୁ ଚୀନକୁ ଆଣି ସେମାନଙ୍କୁ ଉପଯୁକ୍ତ ଭାବେ ନିଯୁକ୍ତି ଦେଇ ଚୀନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ରୂପରେଖକୁ ନବଦିଗନ୍ତ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ବିଦେଶରୁ ଚୀନକୁ ଆସୁଥିବା ବିଶେଷଜ୍ଞମାନେ ଚୀନର ମୂଳ ବାସିନ୍ଦା ହେବା ବାଧ୍ୟତାମୂଳକ ନଥିଲା। ଚୀନ ସରକାର ଏହି ଜ୍ଞାନୋଦୀପ୍ତ ବିଦେଶୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନଙ୍କୁ ବିପୁଳ ପ୍ରୋତ୍ସାହନ ପ୍ରଦାନ ପୂର୍ବକ ଏକକାଳୀନ ବହୁପରିମାଣର ବୋନସ୍ ପ୍ରଦାନ, ବିଶେଷ ରିସର୍ଚ୍ଚ ଗ୍ରାଣ୍ଡ ପ୍ରଦାନ, ଅନୁଦାନ ପ୍ରଦାନରେ ଅଗ୍ରାଧିକାର, ଯଦି ସେମାନେ ଚୀନ ନାଗରିକ ହୋଇନଥା’ନ୍ତି ତେବେ ଭିସା ପ୍ରଦାନରେ ବିଶେଷାଧିକାର ଏବଂ ତତ୍ସହ ଚୀନରେ ରହିବାକୁ ଉତ୍ତମ ବାସସ୍ଥାନର ମଧ୍ୟ ବନ୍ଦୋବସ୍ତ କରୁଛନ୍ତି।
ଜାନୁଆରୀ-୨୦୨୩ରେ ପ୍ରକାଶିତ ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଏହି ‘ହଜାର ପ୍ରତିଭା କାର୍ଯ୍ୟକ୍ରମ’ର ‘ଯୁବ ରୂପରେଖ’ ବହୁ ଯୁବ ବୈଜ୍ଞାନିକଙ୍କୁ ଚୀନକୁ ଆକର୍ଷିତ କରି ଆଣିପାରିଲା। କିନ୍ତୁ ପ୍ରତିଷ୍ଠିତ ବରିଷ୍ଠ ବୈଜ୍ଞାନିକମାନେ ଚୀନ୍ର ଏହି ନୀତି ଦ୍ୱାରା ପ୍ରଭାବିତ ହେଲେ ନାହିଁ।
୨୦୧୮ ମସିହାରେ ଆମେରିକାର ନ୍ୟାୟ ବିଭାଗ ଆମେରିକାରେ କାମ କରୁଥିବା ଗବେଷକଙ୍କର ଚୀନ ସହିତ ଥିବା ସମ୍ପର୍କକୁ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଚାର୍ଲସ ଲାଇବର ଚୀନର ‘ହଜାର ପ୍ରତିଭା କାର୍ଯ୍ୟକ୍ରମ’ରୁ ଅର୍ଥ ଲାଭ କରିଛନ୍ତି, କିନ୍ତୁ ଆମେରିକାର ଆଭ୍ୟନ୍ତରୀଣ ରାଜସ୍ୱ ସେବା ବିଭାଗକୁ ଏ ସମ୍ବନ୍ଧରେ ଅବଗତ କରାଇନଥିଲେ। ସେଥିପାଇଁ ସେ ୨୦୨୧ ମସିହାରେ ଅପରାଧୀ ଭାବେ ସାବ୍ୟସ୍ତ ହୋଇଥିଲେ ଏବଂ ଏପ୍ରିଲ ୨୦୨୩ରେ ଦଣ୍ଡିତ ହୋଇଥିଲେ।
ପ୍ରଦ୍ୟୋଗିକ ନବପ୍ରବର୍ତ୍ତନ ଅତ୍ୟାଧୁନିକ ଚୀନର ହୃଦୟରେ ଏଭଳି ଭାବେ ବସାବାନ୍ଧି ରହିଛି ଯେ ଚୀନର ମୁଖ୍ୟ ରାଜନୈତିକ ବିଚାରଧାରାକୁ ‘ଟେକ୍ନୋ ନ୍ୟାସନାଲିଜମ୍’ ବା ‘ବୈଷୟିକୀ ରାଷ୍ଟ୍ରବାଦ’ ବୋଲି ଅଭିହିତ କରାଯାଇଛି। କୌଣସି ଏକ ରାଷ୍ଟ୍ରର ପ୍ରଯୁକ୍ତିବିଦ୍ୟା କିଭଳି ଭାବେ ତା’ର ସମାଜ ଓ ସଂସ୍କୃତିକୁ ପ୍ରଭାବିତ କରିଥାଏ ଟେକ୍ନୋ-ନ୍ୟାସନାଲିଜମ୍ ମାଧ୍ୟମରେ ତାହା ଜାଣିବା ସହଜସାଧ୍ୟ ହୋଇଥାଏ। ଏହି ଚିନ୍ତାଧାରା ବିଶ୍ୱାସକୁ ଦୃଢ଼ୀଭୂତ କରିଥାଏ ଯେ କୌଣସି ଏକ ରାଷ୍ଟ୍ରର ସଫଳତା ସେତିକିବେଳେ ଜଣାପଡ଼ିଥାଏ ଯେତେବେଳେ ସେହି ରାଷ୍ଟ୍ର ତା’ର ପ୍ରଯୁକ୍ତିବିଦ୍ୟାକୁ ସାର୍ଥକ ଭାବେ ଉପଯୋଗ କରିବା ସହ କିଭଳି ଭାବେ ସର୍ବସାଧାରଣ ଜନତାଙ୍କ ପାଖରେ ଏହାକୁ ପ୍ରଚାରିତ ଓ ପ୍ରସାରିତ କରିଥାଏ।
ସମଗ୍ର ବିଶ୍ୱରେ ଯେତେ ସଂଖ୍ୟକ ପେଟେଣ୍ଟ ପଞ୍ଜିକରଣ କରାଯାଇଥାଏ ତା’ର ପ୍ରାୟ ଅର୍ଦ୍ଧେକ ହେଉଛି ଚୀନର। ୨୦୨୧ ମସିହା ନବସୃଜନ କ୍ଷେତ୍ରରେ ଏକ ଉତ୍ତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି ଏବଂ ଏହି ବର୍ଷ ସମଗ୍ର ବିଶ୍ୱରେ ରେକର୍ଡ ୩.୪ ନିୟୁତ ପେଟେଣ୍ଟ ପଞ୍ଜିକୃତ କରାଯାଇଛି। ୨୦୨୧ ମସିହାରେ ଚୀନର ବୌଦ୍ଧିକ ସମ୍ପତ୍ତି ମାଲିକାନା ସ୍ୱତ୍ୱ ପ୍ରତିଷ୍ଠାନ ୧.୫୯ ନିୟୁତ ସଂଖ୍ୟକ ପେଟେଣ୍ଟ ଦରଖାସ୍ତ ପଞ୍ଜିକରଣ କରିଥିଲା।୨୦୨୦ ମସିହା ଅପେକ୍ଷା ଏହା ଥିଲା ୫.୯ ପ୍ରତିଶତ ଅଧିକ। ୨୦୨୧ ମସିହାରେ ଭାରତ ୬୧,୫୭୩ଟି ପେଟେଣ୍ଟ ଦରଖାସ୍ତ ଗ୍ରହଣ କରି ସେସବୁକୁ ପଞ୍ଜିକରଣ କରିଥିବାବେଳେ ପୂର୍ବବର୍ଷ ତୁଳନାରେ ଏହା ୫.୫ ପ୍ରତିଶତ ଅଧିକ ଥିଲା। ପେଟେଣ୍ଟ ପଞ୍ଜିକରଣ କ୍ଷେତ୍ରରେ ସମ୍ପ୍ରତି ଭାରତ ୬ଷ୍ଠ ସ୍ଥାନ ଅଧିକାର କରିଛି। ୨୦୨୧ ମସିହାରେ ଆମେରିକା (୫୯୧,୪୭୩ ପେଟେଣ୍ଟ ପଞ୍ଜିକରଣ କରିଥିବାବେଳେ ଜାପାନ ୨, ୮୯,୨୦୦ ପେଟେଣ୍ଟ, ଦକ୍ଷିଣ କୋରିଆ ୨, ୩୭,୯୯୮ପେଟେଣ୍ଟ ପଞ୍ଜିକରଣ କରିଛି।
୨୦୨୧ ମସିହାରେ ସମଗ୍ର ବିଶ୍ୱରେ ୧,୬୦୮,୩୬୫ ସଂଖ୍ୟକ ପେଟେଣ୍ଟ ଅନୁମୋଦନ କରାଯାଇଛି ଏବଂ ତନ୍ମଧ୍ୟରୁ ୮୮ ପ୍ରତିଶତ ବିଶ୍ୱର ମାତ୍ର ୬ ଟି ରାଷ୍ଟ୍ରର ଦରଖାସ୍ତକାରୀଙ୍କୁ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ଚୀନ୍ ସର୍ବାଗ୍ରେ ରହିଛି। ଚୀନ ମୋଟ ୩୬ଟି କ୍ଷେତ୍ର ମଧ୍ୟରୁ ୨୯ଟି କ୍ଷେତ୍ରରେ ସମଗ୍ର ବିଶ୍ୱରେ ପେଟେଣ୍ଟ ଅନୁମୋଦନରେ ଶୀର୍ଷ ସ୍ଥାନରେ ଥିଲାବେଳେ ଆମେରିକା ମାତ୍ର ୪ଟି କ୍ଷେତ୍ରରେ ଓ ଜାପାନ ୩ଟି କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଛି।
ଡକ୍ଟର ଚିତ୍ତରଞ୍ଜନ ମିଶ୍ର
ଭୁବନେଶ୍ୱର, ମୋ: ୯୩୩୮୨୦୪୯୯୩