ସ୍ୱର୍ଣ୍ଣିମ ପ୍ରକ୍ଷେପଣର ବିଜ୍ଞାନ

ଗତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ୍‌‌ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ଆମ ଦେଶରେ ଜାଭେଲିନ୍‌‌ ପ୍ରକ୍ଷେପଣ ଖେଳରେ ଗଭୀର ଆଗ୍ରହ ସୃଷ୍ଟି ହୋଇଛି। ସଦ୍ୟସମାପ୍ତ ପ୍ୟାରିସ ଅଲମ୍ପିକରେ ୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ନୀରଜ ରୌପ୍ୟ ପଦକ ହାସଲ କରିଛନ୍ତି। ଜାଭେଲିନ୍‌‌ ଆମ ଦେଶର ଏକ ପାରମ୍ପରିକ ଖେଳ। ଏହା ଆମ ଦେଶରେ ସାଧାରଣତଃ ବର୍ଛା କିମ୍ୱା ଭାଲ୍ଲା ନାମରେ ପରିଚିତ। ପୂର୍ବେ ରାଜା ମହାରାଜାମାନେ […]

ଗତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ୍‌‌ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ଆମ ଦେଶରେ ଜାଭେଲିନ୍‌‌ ପ୍ରକ୍ଷେପଣ ଖେଳରେ ଗଭୀର ଆଗ୍ରହ ସୃଷ୍ଟି ହୋଇଛି। ସଦ୍ୟସମାପ୍ତ ପ୍ୟାରିସ ଅଲମ୍ପିକରେ ୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ନୀରଜ ରୌପ୍ୟ ପଦକ ହାସଲ କରିଛନ୍ତି। ଜାଭେଲିନ୍‌‌ ଆମ ଦେଶର ଏକ ପାରମ୍ପରିକ ଖେଳ। ଏହା ଆମ ଦେଶରେ ସାଧାରଣତଃ ବର୍ଛା କିମ୍ୱା ଭାଲ୍ଲା ନାମରେ ପରିଚିତ। ପୂର୍ବେ ରାଜା ମହାରାଜାମାନେ ଅବସର ସମୟରେ ଏହି ଭାଲ୍ଲା ଫିଙ୍ଗା ଖେଳରେ ଭାଗ ନେଉଥିଲେ। ସେମାନଙ୍କର ମଧ୍ୟ ସ୍ୱତନ୍ତ୍ର ଭାଲ୍ଲା ଫିଙ୍ଗା ବାହିନୀ ଥିଲା, ଯାହା ଯୁଦ୍ଧର ପରିଣତି ନିର୍ଦ୍ଧାରଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲା। ଜାଭେଲିନ୍‌‌ ଫିଙ୍ଗାରେ ଏବେ ବିଶ୍ୱ ରେକର୍ଡ ହେଉଛି ୯୮.୪୮ ମିଟର ଯାହା ଚେକୋସ୍ଲୋଭାକିଆର ଖେଳାଳୀ ଜାନ୍‌‌ ଜେଲେନି ୧୯୯୬ ମସିହା ଆଟଲାଣ୍ଟା ଅଲମ୍ପିକ୍ସ ପ୍ରତିଯୋଗିତାରେ ପ୍ରତିଷ୍ଠା କରିଥିଲେ। ଜାଭେଲିନ୍‌‌ ଖେଳ ପ୍ରଥମେ ଗ୍ରୀସ୍‌‌ର ପ୍ରାଚୀନ ଅଲିମ୍ପିକ ଖେଳରେ ଖ୍ରୀଷ୍ଟପୂର୍ବ ୭୦୮ରେ ପାଞ୍ଚୋଟି ଖେଳ ମଧ୍ୟରେ ସାମିଲ୍‌‌ ହୋଇଥିଲା। ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଏହା ବିଭିନ୍ନ ୟୁରୋପୀୟ ଦେଶରେ ଲୋକପ୍ରିୟ ହୋଇଥିଲା। ଆଧୁନିକ ଅଲମ୍ପିକ୍‌‌ ଖେଳରେ ପୁରୁଷ ବିଭାଗରେ ଜାଭେଲିନ୍‌‌ ପ୍ରକ୍ଷେପଣକୁ ପ୍ରଥମେ ୧୯୦୮ ମସିହାରେ ଏବଂ ମହିଳା ବିଭାଗରେ ପ୍ରଥମେ ୧୯୩୨ ମସିହାରେ ସ୍ଥାନିତ କରାଯାଇଥିଲା।

ଜାଭେଲିନ୍‌‌ ମୁଖ୍ୟତଃ ତିନୋଟି ଅଂଶକୁ ନେଇ ଗଠିତ। ଯଥା ଅଗ୍ରଭାଗ, ଦଣ୍ଡ ଓ ମୁଠା। ସାଧାରଣତଃ କାଠ କିମ୍ୱା ଧାତୁ ନିର୍ମିତ ଏହି ମୁନିଆ ଉପକରଣଟିକୁ ଧରି ଫୋଫାଡ଼ିବା ପାଇଁ ଏହାର ମାଧ୍ୟାକର୍ଷଣ କେନ୍ଦ୍ର ସ୍ଥାନକୁ ଚିହ୍ନିତ କରାଯାଇଥାଏ। ଅନ୍ତର୍ଜାତୀୟ ଦୌଡ଼କୁଦ ପରିଷଦର ମାର୍ଗଦର୍ଶିକା ଅନୁସାରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଜାଭେଲିନ୍‌‌ର ଦୈର୍ଘ୍ୟ ୨.୬ ରୁ ୨.୭ ମିଟର ଏବଂ ଓଜନ ୮୦୦ ଗ୍ରାମ୍‌‌ ହେବା ବାଧ୍ୟତାମୂଳକ ହୋଇଥିବା ବେଳେ ମହିଳା ବର୍ଗ ପାଇଁ ଏହାର ଦୈର୍ଘ୍ୟ ୨.୨ ରୁ ୨.୩ ମିଟର ଏବଂ ଓଜନ ୬୦୦ ଗ୍ରାମ୍‌‌। ପ୍ରତିଯୋଗୀମାନେ ପ୍ରାୟ ୩୦ ମିଟର ଦୂରରୁ ଦୌଡ଼ି ଦୌଡ଼ି ଆସି ବକ୍ରାକାର ସୀମାରେଖା ମଧ୍ୟରୁ ଜାଭେଲିନ୍‌‌କୁ କାନ୍ଧ ଉପରୁ ଫିଙ୍ଗିବାକୁ ଉଦ୍ୟମ କରନ୍ତି। ଏହା ଆକାଶମାର୍ଗରେ ଗତି କରି ଭୂମିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭୂମି ସ୍ପର୍ଶ କରେ। ଖେଳର ନିୟମ ଅନୁଯାୟୀ, ଜାଭେଲିନ୍‌‌ର ଅଗ୍ରଭାଗ ହିଁ ପ୍ରଥମେ ଭୂମି ସ୍ପର୍ଶ କରି ମାଟିରେ ପ୍ରବେଶ କରିବା ଆବଶ୍ୟକ। ଫିଙ୍ଗା ଯାଇଥିବା ସ୍ଥାନରୁ ଜାଭେଲିନ୍‌‌ ଭୂମି ଭେଦ କରିଥିବା ସ୍ଥାନର ଦୂରତା ଆଧାରରେ ପ୍ରତିଯୋଗିତାର ବିଜେତା ନିର୍ଣ୍ଣୟ କରାଯାଏ।

ଏହି କ୍ରୀଡ଼ା ଶାରୀରିକ ସାମର୍ଥ୍ୟ, ପ୍ରକ୍ଷେପଣ କୌଶଳ ଓ ଗତିବିଜ୍ଞାନ ପ୍ରୟୋଗର ଏକ ଉତ୍ତମ ସମନ୍ୱୟର ପ୍ରତୀକ। ସଂବେଗର ସ୍ଥାନାନ୍ତର, ପ୍ରକ୍ଷେପଣ ବେଗ ଏବଂ ପ୍ରକ୍ଷେପଣ କୋଣ ମଧ୍ୟରେ ଉଚିତ ସମନ୍ୱୟ ରହିଲେ ସଫଳତାର ସମ୍ଭାବନା ଅଧିକ ହୁଏ। ସଂବେଗର ସ୍ଥାନାନ୍ତର ନିୟମରେ କ୍ରୀଡ଼ାବିତ୍‌‌ ଦ୍ରୁତଗତିରେ ଦୌଡ଼ିବା ଦ୍ୱାରା ନିଜ ଶରୀର ଯଥେଷ୍ଟ ସଂବେଗ ବହନ କରିଥାଏ। କୌଣସି ଗତିଶୀଳ ବସ୍ତୁର ସଂବେଗ, ଏହାର ବସ୍ତୁତ୍ୱ ଓ ବେଗର ଗୁଣଫଳ ସଙ୍ଗେ ସମାନ। ଜାଭେଲିନ୍‌‌ ଫିଙ୍ଗିବା ସମୟରେ କ୍ରୀଡ଼ାବିତ୍‌‌ ନିଜ ଶରୀରର ଏହି ସଂବେଗକୁ କୌଶଳପୂର୍ଣ୍ଣ ଭାବରେ ଜାଭେଲିନ୍‌‌କୁ ସ୍ଥାନାନ୍ତରିତ କରିଥାଏ। ଶରୀରର ମଧ୍ୟ ଭାଗରୁ ଦକ୍ଷତାର ସହ ପ୍ରାପ୍ତ ସଂବେଗକୁ ଚାବୁକ ଭଳି ଏକ ତରଙ୍ଗାୟିତ ପ୍ରକ୍ରିୟା ଜରିଆରେ କ୍ରମାନ୍ୱୟରେ ଅଣ୍ଟା, କାନ୍ଧ ଓ କହୁଣି ଦେଇ ଜାଭେଲିନ୍‌‌କୁ ସ୍ଥାନାନ୍ତରିତ କରିବାକୁ ପଡ଼େ। ପରିଶେଷରେ କ୍ରୀଡ଼ାବିତ୍‌‌ ପଛ ଗୋଡ଼ ଉପରେ ଭରା ଦେଇ ଦୁଇ ବାହୁକୁ ସିଧା ପ୍ରସାରିତ କରି ଜାଭେଲିନ୍‌‌କୁ ଆଖି ସହିତ ଏକ ସରଳରେଖାରେ ରଖି ନିକ୍ଷେପ କରେ। ଜାଭେଲିନ୍‌‌ର ସ୍ୱଳ୍ପ ବସ୍ତୁତ୍ୱ ହେତୁ ସଂବେଗର ସଂରକ୍ଷଣ ନିୟମ ଅନୁସାରେ ଏହା ଉଚ୍ଚ ଗତି ପ୍ରାପ୍ତ ହୋଇ ଅଧିକ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ।

ସେହିପରି ପ୍ରକ୍ଷେପିତ କୌଣସି ବସ୍ତୁର ଅତିକ୍ରାନ୍ତ ଦୂରତା ଏହାର ପ୍ରକ୍ଷେପ ବେଗ ଉପରେ ନିର୍ଭରଶୀଳ। ପ୍ରକ୍ଷେପ ବେଗର ଦୁଇଟି ଉପାଦାନ ଥାଏ। ଯଥା – ଭୂଲମ୍ୱୀୟ ବେଗ ଓ ଭୂସମାନ୍ତରୀୟ ବେଗ। ପ୍ରକ୍ଷେପର ଭୂଲମ୍ୱୀୟ ବେଗ ଦ୍ୱାରା ଏହା ଊର୍ଦ୍ଧ୍ବଗତି ପ୍ରାପ୍ତ ହେବାକୁ ସକ୍ଷମ ହେଉଥିଲା ବେଳେ ଭୂସମାନ୍ତରୀୟ ବେଗ ଦ୍ୱାରା ହିଁ ଏହା ଭୂମି ଉପରେ ଦୂରତା ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ। ଗତିବିଜ୍ଞାନରେ ଏହି ଅତିକ୍ରାନ୍ତ ଦୂରତାକୁ ରେଞ୍ଜ କୁହାଯାଏ। ସୁତରାଂ କୌଣସି ପ୍ରକ୍ଷେପିତ ବସ୍ତୁର ଅତିକ୍ରାନ୍ତ ଦୂରତା ବୃଦ୍ଧି କରିବାକୁ ହେଲେ ଏହାକୁ ଅଧିକ ବେଗରେ ପ୍ରକ୍ଷେପ କରିବାକୁ ପଡ଼େ। ଏଥିପାଇଁ ଫିଙ୍ଗିବାର ଅବ୍ୟବହିତ ପୂର୍ବରୁ କ୍ରୀଡ଼ାବିତ୍‌‌ ନିଜ ଶରୀରକୁ ସ୍ପ୍ରିଙ୍ଗ ଭଳି ପଛକୁ ବଙ୍କେଇ ନେଇ ଜାଭେଲିନ୍‌‌କୁ ନିକ୍ଷେପ କରେ। ଏହା ଦ୍ୱାରା ଫିଙ୍ଗାଳି ମାତ୍ର ୨୦ କି.ମି/ଘଣ୍ଟା ବେଗରେ ପ୍ରାରମ୍ଭରୁ ଦୌଡୁଥିଲେ ସୁଦ୍ଧା ଜାଭେଲିନ୍‌‌କୁ ଯଥେଷ୍ଟ ଅଧିକ ବେଗରେ, ଏପରିକି ପ୍ରାୟ ୧୦୦ କି.ମି/ଘଣ୍ଟା ଭଳି ଉଚ୍ଚ ବେଗରେ ଗତିଶୀଳ କରିବାକୁ ସକ୍ଷମ ହୁଏ।

ଉତ୍ତମ ଅତିକ୍ରାନ୍ତ ଦୂରତା ହାସଲ କରିବା ନିମନ୍ତେ ଜାଭେଲିନ୍‌‌କୁ କେବଳ ଅଧିକ ବେଗରେ ଫିଙ୍ଗିଲେ ହେବ ନାହିଁ; ଏହାକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ କୋଣରେ ଫିଙ୍ଗିବା ଆବଶ୍ୟକ। ଗତିବିଜ୍ଞାନରେ ଜାଭେଲିନ୍‌‌ର ଗତିକୁ ପ୍ରକ୍ଷେପ ଗତି କୁହାଯାଏ। କୌଣସି ବସ୍ତୁକୁ ଫିଙ୍ଗିବା ଦ୍ୱାରା ଏହା ଆକାଶମାର୍ଗରେ ଆଗକୁ ଗତି କରୁଥିବା ସମୟରେ ଏହା ଉପରେ ସର୍ବଦା ପୃଥିବୀର ମାଧ୍ୟାକର୍ଷଣ ବଳ ନିମ୍ନଦିଗରେ କାର୍ଯ୍ୟକାରୀ ହେଉଥାଏ। ଫଳରେ ଏହାର ଗତିପଥ ନିରନ୍ତର ନିମ୍ନ ଦିଗରେ ବିକ୍ଷେପିତ ହୋଇ ଏକ ପାରାବୋଲାକାର ରୂପ ନେଇଥାଏ। ଗତିବିଜ୍ଞାନର ସୂତ୍ର ଅନୁସାରେ, ଉଭୟ ପ୍ରକ୍ଷେପ ବିନ୍ଦୁ ଓ ଅବତରଣ ବିନ୍ଦୁ ଗୋଟିଏ ଉଚ୍ଚତାରେ ଅବସ୍ଥାନ କରୁଥିଲେ ପ୍ରକ୍ଷେପିତ କୋଣର ପରିମାଣ ୪୫ ଡିଗ୍ରୀ ହେଲେ ଯାଇ ଅତିକ୍ରାନ୍ତ ଦୂରତା ସର୍ବାଧିକ ହୋଇଥାଏ। ମାତ୍ର ଜାଭେଲିନ୍‌‌ ଫିଙ୍ଗା କ୍ଷେତ୍ରରେ ପ୍ରକ୍ଷେପ ବିନ୍ଦୁ (ଫିଙ୍ଗାଳିର କାନ୍ଧ) ଅବତରଣ ବିନ୍ଦୁ (ଭୂମି) ଠାରୁ ଅଧିକ ଉଚ୍ଚତାରେ ରହୁଥିବାରୁ ଏହି ନିୟମ ସାମାନ୍ୟ ବଦଳି ପ୍ରକ୍ଷେପଣର କୋଣ ୩୨ ରୁ ୩୭ ଡିଗ୍ରୀ ମଧ୍ୟରେ ସୀମିତ ରହିଲେ ହିଁ ସର୍ବାଧିକ ଦୂରତା ପ୍ରାପ୍ତ ହୋଇଥାଏ।

ଏହାଛଡ଼ା ଜାଭେଲିନ୍‌‌ ଖେଳ ଆହୁରି ଅନେକ କାରକ, ଯଥା ବାୟୁ ପ୍ରବାହର ଦିଗ, ବାୟୁ ପ୍ରବାହର ବେଗ, ଦଣ୍ଡ ଚାରିପଟେ ଅତିକ୍ରମ କରୁଥିବା ବାୟୁସ୍ରୋତର ରୂପରେଖ, ବାୟୁର ତାପମାତ୍ରା ଇତ୍ୟାଦି ଉପରେ ନିର୍ଭର କରେ। ସୁତରାଂ ଜାଭେଲିନ୍‌‌ ପ୍ରକ୍ଷେପଣ ଖେଳ ଏକ ଜଟିଳ ଓ ଉଚ୍ଚକୋଟିର ପ୍ରତିଯୋଗିତା। ଏଥିରେ ପାରଦର୍ଶିତା ହାସଲ କରିବା ପାଇଁ ହେଲେ ଖେଳାଳିକୁ ଯଥେଷ୍ଟ ଅଭ୍ୟାସ ତଥା ଉଚ୍ଚକୋଟିର ବୈଜ୍ଞାନିକ କୌଶଳ ପ୍ରୟୋଗ ତଥା ପ୍ରଦର୍ଶନ କରିବା ଅପରିହାର୍ଯ୍ୟ। (ଏଜୁକେଶନ୍‌‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର)

ନିକୁଞ୍ଜ ବିହାରୀ ସାହୁ
ଭୋପାଲ, ମୋ: ୮୦୧୮୭୦୮୮୫୮

About The Author: The Sakala