ଅଙ୍ଗପ୍ରତ୍ୟଙ୍ଗର କଳାବଜାର

ଆଧୁନିକ ଚିକିତ୍ସା ବିଜ୍ଞାନରେ ଅଙ୍ଗଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ଅନେକ ଜୀବନକୁ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇପାରୁଛି। ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ମଧ୍ୟ କରାଯାଇଛି। କିନ୍ତୁ ଏହି ମହତ୍ତର ସେବା ଓ ମନୋଭାବକୁ କଳଙ୍କିତ କରୁଛି ମାନବର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଳାବଜାରୀ ବା ବେଆଇନ କାରବାର। ଏତ ପରିସଂଖ୍ୟାନୁ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରତିବର୍ଷ ଦେଢ଼ ଲକ୍ଷରୁ ଅଧିକ ମାନବ ଅଙ୍ଗ ପ୍ରତିରୋପଣ କରାଯାଉଥିବା ବେଳେ ଏହା ଆବଶ୍ୟକ କରୁଥିବା ଲୋକଙ୍କ […]

ଆଧୁନିକ ଚିକିତ୍ସା ବିଜ୍ଞାନରେ ଅଙ୍ଗଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ଅନେକ ଜୀବନକୁ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇପାରୁଛି। ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ମଧ୍ୟ କରାଯାଇଛି। କିନ୍ତୁ ଏହି ମହତ୍ତର ସେବା ଓ ମନୋଭାବକୁ କଳଙ୍କିତ କରୁଛି ମାନବର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଳାବଜାରୀ ବା ବେଆଇନ କାରବାର। ଏତ ପରିସଂଖ୍ୟାନୁ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରତିବର୍ଷ ଦେଢ଼ ଲକ୍ଷରୁ ଅଧିକ ମାନବ ଅଙ୍ଗ ପ୍ରତିରୋପଣ କରାଯାଉଥିବା ବେଳେ ଏହା ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ପନ୍ଦର ଲକ୍ଷରୁ ଅଧିକ। ତେଣୁ ଚାହିଦା ଅଧିକ ଥିବାରୁ ଲୋକେ ଜୀବନ ବଞ୍ଚାଇବା ପାଇଁ ଅଧିକରୁ ଅଧିକ ଅର୍ଥ ଦେଇ ଅଙ୍ଗପ୍ରତ୍ୟଙ୍ଗ କିଣିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି, ଯାହାର ଫାଇଦା ନେଉଛନ୍ତି ଦଲାଲ୍‌‌ ବା ଅନୈତିକ ଅଙ୍ଗ ଚାଲାଣକାରୀ।

ଏହାକୁ ଦୃଷ୍ଟିରେ ରଖି ୧୯୯୪ ମସିହାରେ ଭାରତରେ ମାନବ ଅଙ୍ଗ ପ୍ରତିରୋପଣ ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହାପରେ ମାନବ ଅଙ୍ଗର ବ୍ୟବସାୟକୁ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରାଗଲା। ତଥାପି ଏହାକୁ ଭ୍ରୂକ୍ଷେପ ନ କରି ଦଲାଲ୍‌‌ମାନେ ଦେଶର ପ୍ରତିଟି କୋଣରେ ସକ୍ରିୟ ଅଛନ୍ତି। ଅଙ୍ଗ ବେପାରରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷ ଯୋଜନାବଦ୍ଧ ଭାବେ ଗରିବ ଓ ଅସହାୟ ଲୋକଙ୍କୁ ଅଳ୍ପ କିଛି ଟଙ୍କା ବିନିମୟରେ ଅଙ୍ଗ ବିକ୍ରି କରିବାକୁ ପ୍ରୋତ୍ସାହିତ କରିଥା’ନ୍ତି। ଅନେକ ସମୟରେ ଅଙ୍ଗଦାତାଙ୍କୁ ନିର୍ଦ୍ଧାରିତ ଟଙ୍କା ମିଳୁନଥିବାରୁ ଠକେଇର ଶିକାର ହୁଅନ୍ତି। ନିକଟରେ ଏଭଳି ଏକ ଗ୍ୟାଙ୍ଗ ଠାବ ହୋଇଥିଲା, ଯାହାର ସମ୍ପର୍କ ବାଂଲାଦେଶରୁ ଝାଡ଼ଖଣ୍ଡ ଦେଇ ଗୁରୁଗ୍ରାମ ଜୟପୁର ପର୍ଯ୍ୟନ୍ତ ଲମ୍ବିଥିଲା। ଏହି ଗ୍ୟାଙ୍ଗ ବାଂଲାଦେଶର ଗରିବ ଲୋକଙ୍କୁ ସେମାନଙ୍କ କିଡନୀ ବିକ୍ରି କରିବା ପାଇଁ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଥିଲା। ଏପରିକି କେତେଜଣ ଗରିବ ବାଂଲାଦେଶୀଙ୍କୁ ଗୁରୁଗ୍ରାମ ଅଣାଯାଇ ସେଠାରେ କିଛିଦିନ ରଖି ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ନିରୀକ୍ଷା କରି କିଡ୍‌‌ନି ବିକ୍ରି ପାଇଁ ଜୟପୁର ନିଆଯାଇଥିଲା, ଯେଉଁଠାରେ ବଡ଼ ଡାକ୍ତରଖାନାରେ ସେମାନଙ୍କର ସୁସ୍ଥ ଅଙ୍ଗକୁ ବାହାର କରି ଜଣେ ଧନୀ ବ୍ୟକ୍ତିଙ୍କ ଅସୁସ୍ଥ ଶରୀରରେ ପ୍ରତିରୋପଣ କରାଯାଇଥିଲା।

କିଛି ରୋଗୀ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଯେକୌଣସି ମୂଲ୍ୟ ଦେବାକୁ ଚାହୁଁଥିବା ବେଳେ ବଞ୍ଚିବା ପାଇଁ ଆଇନ ଭାଙ୍ଗିବାକୁ ପ୍ରସ୍ତୁତ ହୁଅନ୍ତି। ଏହି ପ୍ରକ୍ରିୟାରେ ଦୁର୍ବଳ ଓ ଗରିବଙ୍କ ଭୟଙ୍କର ଶୋଷଣ ହୋଇଥାଏ। ୨୦୧୭ ମାର୍ଚ୍ଚରେ ଗ୍ଲୋବାଲ ଫାଇନାନ୍ସିଆଲ ଇଣ୍ଟିଗ୍ରିଟି ଦ୍ୱାରା ‘ଗ୍ଲୋବାଲ କ୍ରାଇମ୍‌‌ ଆଣ୍ଡ ଦି ଡେଭଲପିଂ ୱାର୍ଲ୍ଡ’ ଉପରେ ପ୍ରକାଶିତ ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ମାନବ ଅଙ୍ଗର ବାର୍ଷିକ ବେଆଇନ କାରବାର ଆନୁମାନିକ ୮୪୦ କୋଟି ଡଲାରରୁ ଅଧିକ ହେବ ଏବଂ ପ୍ରତିବର୍ଷ ପ୍ରାୟ ୧୨, ୦୦୦ ଅଙ୍ଗ ପ୍ରତିରୋପଣ ବେଆଇନ ଭାବରେ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୨୦୦୭ ମସିହାରେ ଭାରତରେ ୩୦୫ ଜଣ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୨୯ ପ୍ରତିଶତ ମହିଳା ଏବଂ ୭୧ ପ୍ରତିଶତ ପୁରୁଷ କିଡନୀ ବିକ୍ରି କରିବାକୁ ପ୍ରସ୍ତୁତ ଥିଲେ। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ମହିଳା ଓ ୯୫ ପ୍ରତିଶତ ପୁରୁଷ ଦିନ ମଜୁରିଆ କିମ୍ୱା ରାସ୍ତାକଡ଼ ବିକ୍ରେତା ଭାବେ କାମ କରୁଥିବା ବେଳେ ମୋଟ ୭୧ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ। ୯୬ ପ୍ରତିଶତ ଅଙ୍ଗ ବିକ୍ରେତା ଋଣ ପରିଶୋଧ କରିବା ପାଇଁ କିଡନି ବିକ୍ରି କରିଥିଲେ। ଏହି ସର୍ବେକ୍ଷଣ ଅନୁଯାୟୀ, ସେମାନଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ ଋଣମୁକ୍ତ ହୋଇପାରିନଥିଲେ। କାରଣ ସେମାନଙ୍କର ଶାରୀରିକ କ୍ଷମତା କ୍ରମାଗତ ଭାବରେ ହ୍ରାସ ପାଉଥିଲା ଏବଂ ସେମାନେ ପୂର୍ବଭଳି କାମ କରିବାକୁ ସକ୍ଷମ ନଥିଲେ।

ଅଙ୍ଗଦାନ ପରେ ଚିକିତ୍ସା ଓ ପରିଚ୍ଛନ୍ନତା ବ୍ୟବସ୍ଥା ଠିକ୍‌‌ ନ ଥିଲେ ଅଙ୍ଗଦାନକାରୀ ହେପାଟାଇଟିସ୍‌‌ ବି, ହେପାଟାଇଟିସ୍‌‌ ସି ଓ ଏଚ୍‌‌ ଆଇଭି ଭଳି ରୋରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଅସ୍ତ୍ରୋପଚାର ପରେ ଯତ୍ନ ଅଭାବରୁ ମାନସିକ ଓ ଶାରୀରିକ ଯନ୍ତ୍ରଣା, ଅବସାଦ ଓ ଅନ୍ୟାନ୍ୟ ମାନସିକ ଅସୁସ୍ଥତା କାରଣରୁ ଅଙ୍ଗଦାନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାର ତଥ୍ୟ ମିଳିଛି। ଏ ସମ୍ପର୍କିତ ବିଭିନ୍ନ ରିପୋର୍ଟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଭାରତରେ ମାନବ ଅଙ୍ଗ ମଧ୍ୟରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଅଙ୍ଗ ହେଉଛି କିଡ୍‌‌ନି, ଯାହାର ମୂଲ୍ୟ ୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଲିଭର ବା ଯକୃତ ହେଉଛି, ଦ୍ୱିତୀୟ ସର୍ବାଧିକ ବିକ୍ରି ହେଉଥିବା ଅଙ୍ଗ, ଯାହାର ହାରାହାରି ମୂଲ୍ୟ ୧୫ ଲକ୍ଷରୁ ଆରମ୍ଭ ହୋଇ ୫୦ ଲକ୍ଷ କିମ୍ୱା ଅଧିକ ହୋଇପାରେ। ଏତଦ୍‌‌ବ୍ୟତୀତ ଆଖି, ରକ୍ତ, ଚର୍ମ, ହାଡ଼ ଓ ଲିଗାମେଣ୍ଟର ଚାହିଦା ମଧ୍ୟ ରହିଛି। ହୃତ୍‌‌ପିଣ୍ଡ ଓ ଫୁସଫୁସ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଚାହିଦା ଅଧିକ ଥିବାରୁ ଏହାର ଦାମ୍‌‌ ଅଧିକ, କିନ୍ତୁ ପ୍ରତିରୋପଣ ଅସ୍ତ୍ରୋପଚାରର ବୈଷୟିକ ଜଟିଳତା ହେତୁ ସେମାନଙ୍କର ବେଆଇନ ବ୍ୟବସାୟ କମ୍‌‌ ରହିଛି।

ବେଆଇନ ଅଙ୍ଗ ପ୍ରତ୍ୟାରୋପଣରେ ଭେଦଭାବର ଆଉ ଏକ ଚିନ୍ତାଜନକ ଦିଗ ହେଉଛି ସୁସ୍ଥ ଅଙ୍ଗଗୁଡ଼ିକ ସାଧାରଣତଃ ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଦ୍ୱାରା ବିକ୍ରି କରାଯାଏ ଏବଂ ହିତାଧିକାରୀମାନେ ପ୍ରାୟତଃ ଧନୀ ଲୋକ ଅଟନ୍ତି। ଏହି ଧାରା ଏକାଧିକ ସ୍ତରରେ ପ୍ରକାଶ ପାଇଥାଏ। ଉଦାହରଣ ସ୍ୱରୂପ, ବିକାଶଶୀଳ ଦେଶମାନଙ୍କରେ ଲୋକମାନେ ଅଙ୍ଗଦାତା ଏବଂ ବିକଶିତ ଦେଶମାନଙ୍କରେ ଲୋକମାନେ ଗ୍ରହଣକାରୀ ଅଟନ୍ତି। ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଅଙ୍ଗଦାନକାରୀ ଏବଂ ପୁରୁଷମାନେ ଗ୍ରହଣକାରୀ। ପ୍ରାୟତଃ କିଡନୀ, ଜୀବନ୍ତ ଟିସୁ କିମ୍ୱା ଯକୃତ ଇତ୍ୟାଦି କଳା ଲୋକଙ୍କଠାରୁ ନିଆଯାଇ ଗୋରା ଲୋକଙ୍କ ଠାରେ ପ୍ରୟୋଗ କରାଯାଏ। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଯେ ତୁର୍କୀ କିମ୍ୱା ପେରୁ ବଂଶୋଦ୍ଭବ ଲୋକଙ୍କ କିଡନି ଆଫ୍ରିକୀୟ, ଦକ୍ଷିଣ ଏସୀୟ କିମ୍ୱା ଫିଲିପାଇନ୍ସ ଲୋକଙ୍କ କିଡନି ତୁଳନାରେ ମହଙ୍ଗା।

ୱାର୍ଲ୍ଡ କିଡନୀ ଫୋରମର ଏକ ଅଧ୍ୟୟନ ଅନୁଯାୟୀ, ପାକିସ୍ତାନ, ଭାରତ ଓ ତୁର୍କୀ ଭଳି ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଦେଶଗୁଡ଼ିକ ସମଗ୍ର ବିଶ୍ୱରେ ସବୁଠାରୁ ଲୋକପ୍ରିୟ ‘କିଡନି ବଜାର’ ଭାବରେ ଅପ୍ରୀତିକର ଖ୍ୟାତି ଅର୍ଜନ କରିଛନ୍ତି। ଏହି ଦେଶଗୁଡ଼ିକରେ କିଡନି ପ୍ରତିରୋପଣ ମାତ୍ର ୧୫ ହଜାର ଟଙ୍କାରୁ ଆରମ୍ଭ କରି ଦେଢ଼ଲକ୍ଷ ପର୍ଯ୍ୟନ୍ତ ପ୍ୟାକେଜରେ ସମ୍ପନ୍ନ ହୋଇପାରୁଛି। ଅଙ୍ଗର ମୂଲ୍ୟ ଚାହିଦା ଓ ଯୋଗାଣର ବଜାର ନିୟମ ଦ୍ୱାରା ନିୟନ୍ତ୍ରିତ ହୁଏ। ୨୦୦୭ରେ ପାକିସ୍ତାନରୁ ୨୫୦୦ କିଡନୀ ବିକ୍ରି ହୋଇଥିଲା, ସେଥିମଧ୍ୟରୁ ଦୁଇ-ତୃତୀୟାଂଶ ବିଦେଶୀ ଥିଲା। ଭାରତରେ ମଧ୍ୟ ୨୦୦୮ମସିହାରେ କୋଟି କୋଟି ଟଙ୍କାର ‘କିଡ୍‌‌ନୀ ଦୁର୍ନୀତି’ ସାମ୍ନାକୁ ଆସିଥିଲା, ଯେଉଁଥିରେ ପଶ୍ଚିମ ଉତ୍ତରପ୍ରଦେଶର ଗରିବଙ୍କଠାରୁ କିଡ୍‌‌ନି ନିଆଯାଇ ଆମେରିକା, ବ୍ରିଟେନ୍‌‌, କାନାଡା, ସାଉଦି ଆରବ ଓ ଗ୍ରୀସ୍‌‌ର ଗ୍ରାହକଙ୍କଠାରେ ପ୍ରତିରୋପଣ କରାଯାଇଥିଲା।

ଅଙ୍ଗର କଳାବଜାର ମାନବିକତା ପ୍ରତି ଅପମାନ ଓ ନିନ୍ଦନୀୟ। ଅଙ୍ଗଗୁଡ଼ିକର କଳାବଜାରୀରେ ଅପରାଧିକ ପୃଷ୍ଠଭୂମି ଗୋପନୀୟତା କାରଣରୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ କୌଣସି ସଠିକ ତଥ୍ୟ ଉପଲବ୍ଧ ନାହିଁ। ତଥାପି ଆମେ ପୁରୁଣା ତଥ୍ୟରୁ ଏହି ବ୍ୟବସାୟର ବ୍ୟାପକତା ଅନୁମାନ କରିପାରିବା। ତେଣୁ ଅଙ୍ଗଦାନକାରୀଙ୍କ କରୁଣାମୟ କାହାଣୀକୁ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଉପରକୁ ଉଠି ମାନବିକତାର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହ ନିଜ ଜୀବନ ଭଳି ଅନ୍ୟମାନଙ୍କ ଜୀବନ ପ୍ରତି ସମ୍ୱେଦନଶୀଳ ହେବା ଆଜି ଜରୁରୀ ହୋଇପଡ଼ିଛି। ଉଲ୍ଲେଖଯୋଗ୍ୟ, ଯଦି କୌଣସି ବ୍ୟକ୍ତିର ବାଧ୍ୟବାଧକତାର ଫାଇଦା ଉଠାଇ କେହି ନିଜର ଧନଶକ୍ତି ବଳରେ ଅନ୍ୟର ଅଙ୍ଗ ଛଡ଼ାଇ ନେଇ ନିଜର ଆୟୁଷକୁ ଦୁଇରୁ ଚାରି ବର୍ଷ ବୟସ ବଢ଼଼ାଇ ଦିଅନ୍ତି, ତେବେ ଏହା ଅମାନବୀୟ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼, ମୋ: ୯୪୩୭୬୪୨୯୪୭

About The Author: The Sakala