ଆନ୍ତର୍ଜାତିକସ୍ତରରେ ୨୦୨୪ରେ ୫୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରରେ ସ୍ଥାନୀୟ ସରକାର ଗଠନ ନିମନ୍ତେ ନିର୍ବାଚନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ଅବସରରେ ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପଯୋଗରେ ଅସତ୍ୟ ଓ ବିଭ୍ରାନ୍ତିକର ଖବର ପ୍ରସାର ଜନିତ ବିପତ୍ତିକୁ ନେଇ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇଛି। ଅନେକ ରାଷ୍ଟ୍ରରେ ସରକାରଙ୍କ ପକ୍ଷରୁ ପ୍ରଯୁକ୍ତି ବିଦ୍ୟା ଓ ସାମାଜିକ ଗଣମାଧ୍ୟମ ମଞ୍ଚର କର୍ମକର୍ତ୍ତାମାନଙ୍କୁ ଏହି ଦିଗରେ ବୈଷୟିକ କୌଶଳ ଉପଯୋଗରେ ଅସତ୍ୟ ପ୍ରସାର ରୋକିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କେତେକ ରାଷ୍ଟ୍ରରେ ଆଧୁନିକ ପ୍ରଯୁକ୍ତି କୌଶଳ ଦୁରୁପଯୋଗ ପ୍ରତିରୋଧ ନିମନ୍ତେ ଆଇନ ମଧ୍ୟ ପ୍ରଣୟନ ହୋଇଛି କିମ୍ୱା ପ୍ରଚଳିତ ଆଇନକୁ ସଶକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି।
ଏଆଇ ଏକ କ୍ରମବିକଶିତ ପର୍ଯ୍ୟାୟ ମଧ୍ୟ ଦେଇ ଗତି କରୁଥିବା ହେତୁ ଏ କ୍ଷେତ୍ରରେ ଗବେଷଣା ଓ ନୂତନ ଉତ୍ପାଦ ଉଦ୍ଭାବନରେ କୌଣସି ରାଷ୍ଟ୍ର ପ୍ରତିବନ୍ଧକ ସୃଷ୍ଟି କରିବା ନିମନ୍ତେ ଅନିଚ୍ଛୁକ। ଏକପକ୍ଷରେ ଏଆଇ ଦ୍ୱାରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନଠାରୁ ଆରମ୍ଭ କରି କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଓ ମନୋରଞ୍ଜନ ଆଦି ପ୍ରତ୍ୟେକ ସ୍ତରରେ ଯୁଗାନ୍ତକାରୀ ପରିବର୍ତ୍ତନ ଏବଂ ତଦ୍ଜନିତ ଗୁଣବତ୍ତା ବିକାଶର ସୁବିଧାସୁଯୋଗ କେହି ହାତ ଛଡ଼ା କରିବା ଚାହାନ୍ତି ନାହିଁ। ଅପରପକ୍ଷରେ ଏଆଇର ଦୁରୁପଯୋଗ ସମତାଳରେ ବଢ଼଼ି ଚାଲିଥିବା ବେଳେ କୌଣସି ପ୍ରଯୁକ୍ତି ବିଦ୍ୟା ବା ସଫ୍ଟୱେର ଅନୁଷ୍ଠାନ କିମ୍ୱା ସରକାର ଏକାକୀ ଏହାର ମୁକାବିଲା କରିବା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ବର୍ଗର ସମ୍ମିଳିତ ପ୍ରଚେଷ୍ଟା ଜରୁରୀ।
ଜର୍ମାନୀର ମ୍ୟୁନିକ୍ ସହରରେ ଗତ ଫେବୃଆରୀ ୧୬ରୁ ୧୮ ତାରିଖ ତିନିଦିନ ଧରି ‘ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା। ଏହି ମଞ୍ଚରେ ଏଆଇ ଉତ୍ପାଦ ଓ ସେବାରେ ସମ୍ପୃକ୍ତ ବିଶ୍ୱର କେତେକ ପ୍ରମୁଖ କମ୍ପାନୀ ଆଗାମୀ ନିର୍ବାଚନରେ ଏଆଇ ଦୁରୁପଯୋଗ ପ୍ରତିରୋଧ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ଏକ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିଛନ୍ତି। ସେମାନଙ୍କ ମଧ୍ୟରେ ଆଡୋବ, ଆମାଜନ, ଗୁଗୁଲ, ଆଇବିଏମ, ମେଟା, ମାଇକ୍ରୋସଫ୍ଟ, ଓପନ ଏଆଇ ଓ ଟିକଟକ ଭଳି ପ୍ରସିଦ୍ଧ କମ୍ପାନୀ ସହ ଆନ୍ଥ୍ରୋପିକ, ଇନଫେକ୍ସସନ ଏଆଇ ଭଳି ସଫ୍ଟୱେର ସଂସ୍ଥା, ଇଲେଭେନ ଲ୍ୟାବ ଭଳି ଭଏସ-କ୍ଳୋନ ସେବା, ମ୍ୟାକ ଆଫ, ଟ୍ରେଣ୍ଡସ ମାଇକ୍ରୋ ଭଳି ପ୍ରତିରକ୍ଷା ସେବା ଓଷ୍ଟବିଲିଟି ଏଆଇ, ଷ୍ଟେବଲ ଡିଫୁଜନ ଭଳି ଇମେଜ-ଜେନେରେଟର କମ୍ପାନୀ ସାମିଲ ଥିବା ଜଣାପଡ଼ିଛି। ଏକ୍ସ ସମେତ ଅନ୍ୟ କେତେକ କମ୍ପାନୀ ପରେ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିବା ସୂଚନା ମିଳିଛି।
‘ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀ’ର ୨୦୨୪ରେ ୬୦ତମ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ୭୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରର ୩୫୦ରୁ ଊର୍ଦ୍ଧ୍ବ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବିଶେଷଜ୍ଞ ଯୋଗ ଦେଇଥିଲେ। କ୍ରମାଗତ ଭାବେ ୧୯୬୩ରୁ ଆୟୋଜିତ ଏହି ସ୍ୱାଧୀନ ସମ୍ମିଳନୀରେ ବିଭିନ୍ନ ବିଶେଷଜ୍ଞ, ପ୍ରଶାସକ, ରାଜନୈତିକ ନେତୃବର୍ଗ ଓ ସାମାଜିକ କର୍ମୀ ପ୍ରମୁଖ ଯୋଗ ଦେଇ ବିଶ୍ୱସୁରକ୍ଷା ଦିଗରେ ବହୁଦିଗରୁ ଆଲୋଚନା କରିଥା’ନ୍ତି। ଆୟୋଜକଙ୍କ ବିଚାରରେ ଏଆଇ, ମୁଖ୍ୟତଃ ଡିପ୍ଫେକ୍ ଉପଯୋଗରେ ନିର୍ବାଚନ ପ୍ରଚାରରେ ବିଭ୍ରାନ୍ତି ଏକ ଆନ୍ତର୍ଜାତିକ ସମସ୍ୟା ଭାବେ ବିବେଚିତ ହୋଇ ସମ୍ମିଳୀନରେ ବିଚାରବିମର୍ଶ ଆହ୍ୱାନ କରାଯାଇଛି।
୨୦୨୪େରେ ବିଭିନ୍ନ ରାଷ୍ଟ୍ରରେ ଅନୁଷ୍ଠିତ ହୋଇସାରିଥିବା ଏବଂ ହେବାକୁ ଯାଉଥିବା ନିର୍ବାଚନରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି। ଗତ ଫେବୃୟାରୀରେ ବାଂଲାଦେଶ, ପାକିସ୍ତାନ, ତାଇୱାନ ଓ ଇଣ୍ଡୋନେସିଆରେ ନିର୍ବାଚନ ସରିଥିବା ବେଳେ ଭାରତ, ରୁଷ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନଠାରୁ ଦକ୍ଷିଣ ଆଫ୍ରିକା, ଏଲସାଲଭାଡେର ଭଳି ରାଷ୍ଟ୍ରରେ ଆଉ କିଛି ମାସ ପରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏଆଇର ଦୁରୁପଯୋଗକୁ ନିୟନ୍ତ୍ରଣ କରିବା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ।
ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ଇମେଜ ଜେନେରେଟର ଯୋଗେ ଅସତ୍ୟ ଭିଡିଓ ଓ ଭଏସ-କ୍ଳୋନିଂ ଯୋଗେ ଅସତ୍ୟ ଅଡିଓ ପ୍ରଯୋଜନା ଓ ପ୍ରସାର ନିର୍ବାଚନ ପ୍ରଚାରରେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି। ଜାନୁୟାରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ହାମେସ୍ପିୟାରଠାରେ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଷ୍ଟ୍ରପତି ଜୋ ବାଇଡନ ଜନସାଧାରଣଙ୍କୁ ଭୋଟ ଦେବାରେ ନିରୁତ୍ସାହିତ କରୁଥିବା ଅଡିଓ ପ୍ରସାରିତ ହୋଇଥିଲା। ଅନ୍ୟ ଚର୍ଚ୍ଚିତ ଉଦାହରଣ ମଧ୍ୟରେ ସ୍ଳୋଭାକିଆ ନିର୍ବାଚନରେ ଜେଲ୍ରେ ଥିବା ଜଣେ ପ୍ରାର୍ଥୀ ଜନବିରୋଧୀ ମନ୍ତ୍ରଣା କରୁଥିବା ଅଡିଓ ସୋସିଆଲ ମିଡିଆରେ ଘୂରି ବୁଲିଥିଲା।
ମ୍ୟୁନିକ୍ ଏଆଇ ଦୁରୁପଯୋଗ ପ୍ରତିରୋଧ ଚୁକ୍ତି ପ୍ରମୁଖ ପ୍ରଯୁକ୍ତି ମଞ୍ଚଙ୍କ ପକ୍ଷରୁ ବିଚାର ବିମର୍ଶ ପରେ ଗୃହୀତ। ମୂଳତଃ ଏହା ସାଙ୍କେତିକ। ଯେଉଁ ମଞ୍ଚଗୁଡ଼ିକ ବ୍ୟବହାର କରି ଡିପ୍ଫେକ୍ ପ୍ରସ୍ତୁତ କରାଯାଉଛି ଏବଂ ଯେଉଁ ମଞ୍ଚଗୁଡ଼ିକରେ ପ୍ରସାରିତ ହେଉଛି ଉଭୟ ବର୍ଗର ଆୟୋଜକଗଣ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରସ୍ତୁତ ଅଡିଓ ଓ ଭିଡିଓ ପ୍ରତି ସତର୍କ ଦୃଷ୍ଟି ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। କୌଣସି ସୃଜନକୁ ବାରଣ କରିବା କିମ୍ୱା ମଞ୍ଚରୁ ବାହାର କରିଦେବା ଭଳି ଚରମ ପଦକ୍ଷେପ ନେବା ନିମନ୍ତେ ପରାମର୍ଶ ଦିଆଯାଇନାହିଁ। ବିଭିନ୍ନ ରାଷ୍ଟ୍ରରେ ପ୍ରଚଳିତ ନିୟମକାନୁନ ଅନୁଯାୟୀ ସୃଜନ ଓ ସୃଜନ ପ୍ରସାରଣ ନିୟନ୍ତ୍ରଣକୁ ଉଚିତ ବ୍ୟବସ୍ଥା ଦର୍ଶାଯାଇଛି। ମ୍ୟୁନିକ୍ ଚୁକ୍ତିରେ ୨୦୨୪ ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ଆଠ ଗୋଟି ଦିଗକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମତଃ, ଏଆଇ ବ୍ୟବହାରରେ ଡିପ୍ଫେକ୍ ଭଳି ଅଡିଓ ଓ ଭିଡିଓ ସମସ୍ୟାର ସମାଧାନ ନିମନ୍ତେ ଗବେଷଣା ଓ ପ୍ରଯୁକ୍ତି କୌଶଳ ଉଦ୍ଭାବନ ପ୍ରତି ବିଭିନ୍ନ ମଞ୍ଚ ଧ୍ୟାନ ଦେବେ। ଦ୍ୱିତୀୟତଃ, ସାର୍ବଜନୀନସ୍ତରରେ ଡିପ୍ଫେକ୍ ନିର୍ବାଚନ ଉପାଦାନଗୁଡ଼ିକର ପ୍ରତିରୋଧ ନିମନ୍ତେ ସାଧନ ପ୍ରସ୍ତୁତିକୁ ଉତ୍ସାହିତ କରିବେ। ତୃତୀୟତଃ, କିଏ ନିର୍ବାଚନୀ ଡିପ୍ଫେକ୍ ପ୍ରସ୍ତୁତ କରୁଛି ଏବଂ କେଉଁସୂତ୍ରରୁ ପ୍ରକାଶିତ ହେଉଛି ତାହା ସହଜରେ ନିର୍ଣ୍ଣୟ କରିବା ନିମନ୍ତେ ଉଦ୍ୟମ କରାଯିବ। ଚତୁର୍ଥତଃ, ଡିପ୍ଫେକ୍ ଚିହ୍ନଟ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯିବ। ପଞ୍ଚମତଃ, ନିର୍ବାଚନ ପ୍ରଚାରରେ ଡିପ୍ଫେକ୍ ପ୍ରସାରଣ ରୋକିବା ନିମନ୍ତେ ଗୋଟିଏ ପ୍ରଯୁକ୍ତି ମଞ୍ଚ ଅର୍ଜନ କରୁଥିବା ତଥ୍ୟ ଓ ଜ୍ଞାନ ଅନ୍ୟକୁ ପ୍ରଦାନ କରିବେ। ଫଳରେ ଏକ ସମ୍ମିଳିତ ଅଭିଯାନ ଆୟୋଜନ ସମ୍ଭବ ହେବ। ଷଷ୍ଠରେ, ପ୍ରସ୍ତାବିତ ଅଭିଯାନରେ ସ୍ୱଚ୍ଛତା ଅବଲମ୍ୱନ ପ୍ରତି ଧ୍ୟାନ ଦିଆଯିବ। ସପ୍ତମତଃ, ନିର୍ବାଚନ ପ୍ରଚାରରେ ଏଆଇ ଦୁରୁପଯୋଗ ପ୍ରତିରୋଧ କାର୍ଯ୍ୟକ୍ରମରେ ସାମାଜିକ ସଂଗଠନଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯିବ। ଅଷ୍ଟମତଃ, ଅଭିଯାନକୁ ସଫଳ କରିବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବା ତଥା ଗଣମାଧ୍ୟମ ସାକ୍ଷରତା ପ୍ରସାର ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ଇତ୍ୟାଦି।
ଏଆଇ କ୍ଷେତ୍ରରେ ଗବେଷଣା ତ୍ୱରାନ୍ୱିତ ହେବାରେ ଲାଗିଛି। ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଡିପ୍ଫେକ୍ ପ୍ରତିରୋଧ ନିମନ୍ତେ ବିଚାରବିମର୍ଶ ଚାଲିଥିବା ଅବସରରେ ଚାଟ-ଜିପିଟି ପକ୍ଷରୁ ୧୫ ଫେବୃୟାରୀ ୨୦୨୪ରେ ‘ସୋରା’ ନାମକ ଏକ ନୂତନ ପ୍ରଯୁକ୍ତି କୌଶଳ ଉଦ୍ଭାବନ ଘୋଷଣା କରାଯାଇଥିଲା। ଲିଖିତ ନିର୍ଦ୍ଦେଶ ପାଇବା ସଙ୍ଗେସଙ୍ଗେ ‘ସୋରା’ କ୍ଷୁଦ୍ର ଅବଧିର ଭିଡିଓ ପ୍ରସ୍ତୁତ କରିବା କ୍ଷମତା ଅଧିକାରୀ। ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ, ଏହି ଧରଣର ପ୍ରଯୁକ୍ତି କୌଶଳ ପୂର୍ବରୁ ଗୁଗୁଲ, ମେଟାଓ ରନୱେ ଏଆଇ ଭଳି ସଂସ୍ଥା ପ୍ରସ୍ତୁତ କରିସାରିଥିଲେ ହେଁ ‘ସୋରା’ର ଭିଡିଓର ମାନ ଗୁଣାତ୍ମକ ଦୃଷ୍ଟିରୁ ଭଲ ବୋଲି କୁହାଯାଉଛି। ଏହି ପ୍ରଯୁକ୍ତି କୌଶଳ ତୁରନ୍ତ ବ୍ୟବହାର ଲାଗି ସର୍ବସାଧାରଣରେ ଉପଲବ୍ଧ ହୋଇନଥିଲେ ସୁଦ୍ଧା ଅନୁରୂପ ସୁବିଧାସୁଯୋଗ ଡିପ୍ଫେକ୍ ଭିଡିଓ ପ୍ରସ୍ତୁତିକୁ ଅଧିକ ସୁଗମ କରିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଦଳେ ଗଣମାଧ୍ୟମ ସମୀକ୍ଷକ ପ୍ରମୁଖ ପ୍ରଯୁକ୍ତି କୌଶଳ ମଞ୍ଚଗୁଡ଼ିକ ପକ୍ଷରୁ ପ୍ରସ୍ତୁତ ମ୍ୟୁନିକ୍ ଚୁକ୍ତିକୁ ଡିପ୍ଫେକ୍ ଓ ଅନ୍ୟାନ୍ୟ ଏଆଇ ଦୁରୁପଯୋଗ ପ୍ରତିରୋଧ କ୍ଷେତ୍ରରେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବର୍ଣ୍ଣନା କରୁଥିବା ବେଳେ ଅନ୍ୟ ଦଳେ ଘୋଷିତ ନିର୍ଦ୍ଦେଶାବଳୀ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରିଥା’ନ୍ତି। ମୁଖ୍ୟତଃ, ଲିଖିତ ନିର୍ଦ୍ଦେଶରେ ଭିଡିଓ ପ୍ରସ୍ତୁତି ପ୍ରଣାଳୀ ନିୟନ୍ତ୍ରଣ ନିମନ୍ତେ ବ୍ୟବସ୍ଥା ଉଦ୍ଭାବନ ଓ ପ୍ରଚଳନ ପୂର୍ବରୁ ଏହି ଧରଣର ପ୍ରଯୁକ୍ତି କୌଶଳ ବ୍ୟବହାର ନିଷିଦ୍ଧ କରିବା ନିମନ୍ତେ ଦାବି ନିର୍ବାଚନୀ ବର୍ଷରେ ଗୁରୁତ୍ୱ ବହନ କରେ।
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪