ସହରୀ ଗଛମାନଙ୍କର ଭାବନାତ୍ମକ ଜୀବନ

ସହରର କୋଳାହଳମୟ ଜୀବନରେ ଗଛମାନେ ନିରବରେ ଠିଆ ହୋଇଛନ୍ତି। ସେମାନେ ଆମ ପାଇଁ ଛାୟା ବିତରଣ କରନ୍ତି, ଅମ୍ଳଜାନ ଯୋଗାନ୍ତି ଏବଂ ପ୍ରଦୂଷଣ ବିରୁଦ୍ଧରେ ଅଦୃଶ୍ୟ ସଂଗ୍ରାମ କରୁଛନ୍ତି। କିନ୍ତୁ ଏହି ସହରୀ ଗଛମାନଙ୍କର ଜୀବନ କେବଳ ଜୈବିକ କାର୍ଯ୍ୟରେ ସୀମିତ ନୁହେଁ; ନୂତନ ବୈଜ୍ଞାନିକ ଗବେଷଣା ସୂଚାଇଦିଏ ଯେ ସେମାନଙ୍କର ମଧ୍ୟ ଏକ ଭାବନାତ୍ମକ ଅସ୍ତିତ୍ବ ରହିଛି, ଯାହା ପ୍ରଦୂଷଣ, ଶବ୍ଦ ଓ ମାନବୀୟ ହସ୍ତକ୍ଷେପ ଦ୍ୱାରା ପ୍ରଭାବିତ ହୋଇଥାଏ। ଆମେମାନେ ଦୀର୍ଘ ଦିନ ଧରି […]

ସହରର କୋଳାହଳମୟ ଜୀବନରେ ଗଛମାନେ ନିରବରେ ଠିଆ ହୋଇଛନ୍ତି। ସେମାନେ ଆମ ପାଇଁ ଛାୟା ବିତରଣ କରନ୍ତି, ଅମ୍ଳଜାନ ଯୋଗାନ୍ତି ଏବଂ ପ୍ରଦୂଷଣ ବିରୁଦ୍ଧରେ ଅଦୃଶ୍ୟ ସଂଗ୍ରାମ କରୁଛନ୍ତି। କିନ୍ତୁ ଏହି ସହରୀ ଗଛମାନଙ୍କର ଜୀବନ କେବଳ ଜୈବିକ କାର୍ଯ୍ୟରେ ସୀମିତ ନୁହେଁ; ନୂତନ ବୈଜ୍ଞାନିକ ଗବେଷଣା ସୂଚାଇଦିଏ ଯେ ସେମାନଙ୍କର ମଧ୍ୟ ଏକ ଭାବନାତ୍ମକ ଅସ୍ତିତ୍ବ ରହିଛି, ଯାହା ପ୍ରଦୂଷଣ, ଶବ୍ଦ ଓ ମାନବୀୟ ହସ୍ତକ୍ଷେପ ଦ୍ୱାରା ପ୍ରଭାବିତ ହୋଇଥାଏ।

ଆମେମାନେ ଦୀର୍ଘ ଦିନ ଧରି ଭାବନାତ୍ମକ ଦୃଷ୍ଟିରୁ ଗଛମାନଙ୍କୁ ନିଷ୍କ୍ରିୟ ଜୀବ ଭାବେ ଦେଖି ଆସିଛନ୍ତି। କିନ୍ତୁ ୨୦୨୩ରେ ଜର୍ମାନୀର ହାଇନରିଖ ହାଇନ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ପ୍ରମାଣ କଲା ଯେ ଗଛମାନେ ସେମାନଙ୍କ ପରିବେଶରୁ ସଂକେତ ଗ୍ରହଣ କରି ପ୍ରତିକ୍ରିୟା ପ୍ରକାଶ କରନ୍ତି। ସହରୀ ଗଛମାନେ ଯାନବାହନର କାର୍ବନ ମନୋକ୍ସାଇଡ୍‌‌ ଓ ନାଇଟ୍ରୋଜେନ ଅକ୍ସାଇଡ୍‌‌ର ଉଚ୍ଚସ୍ତରରେ ଅଭିଯୋଜନ କରିଥା’ନ୍ତି, ଯାହା ସେମାନଙ୍କ ଅଭ୍ୟନ୍ତରୀଣ ପ୍ରକ୍ରିୟାରେ ‘ଚାପ’ ସୃଷ୍ଟି କରେ। ଏକ ରିପୋର୍ଟ ଅନୁସାରେ, ଭାରତର ସହରମାନଙ୍କରେ ବାୟୁ ପ୍ରଦୂଷଣ ସ୍ତର ପ୍ରାୟତଃ ୧୫୦-୨୦୦ ମଧ୍ୟରେ ରହୁଛି। ଏହା ଗଛମାନଙ୍କର ପ୍ରାକୃତିକ ଉପାୟରେ ଅଭିବୃଦ୍ଧିକୁ ୩୦% ପର୍ଯ୍ୟନ୍ତ ହ୍ରାସ କରେ। ଏହି ‘ଚାପ’ କେବଳ ଶାରୀରିକ ନୁହେଁ। ଗଛମାନେ ରାସାୟନିକ ସଂକେତ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରି ଏହି ପରିସ୍ଥିତିର ମୁକାବିଲା କରନ୍ତି, ଯାହା ଏକ ପ୍ରାରମ୍ଭିକ ଭାବନାତ୍ମକ ପ୍ରତିକ୍ରିୟାକୁ ସୂଚାଇଥାଏ।

ସହରୀ ଶବ୍ଦ ପ୍ରଦୂଷଣ ମଧ୍ୟ ଗଛମାନଙ୍କୁ ପ୍ରଭାବିତ କରେ। ୨୦୧୮ରେ ଫ୍ରଣ୍ଟିୟର୍ସ ଜର୍ନାଲରେ ପ୍ରକାଶିତ ଏକ ଗବେଷଣା ସୂଚାଇଛି ଯେ ଉଚ୍ଚ ତରଙ୍ଗ ଶବ୍ଦ (ଟ୍ରାଫିକ ଶବ୍ଦ) ଗଛମାନଙ୍କର ପ୍ରକାଶ ସଂଶ୍ଳେଷଣ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ, ଯାହା କ୍ଲୋରୋଫିଲ୍‌‌ ଉତ୍ପାଦନରେ ପରୋକ୍ଷ ହ୍ରାସ ଘଟାଇଥାଏ। ବଡ଼ବଡ଼ ସହର/ମହାନଗରମାନଙ୍କରେ, ଯେଉଁଠାରେ ଟ୍ରାଫିକ ଶବ୍ଦ ପ୍ରାୟତଃ ୭୦-୯୦ ଡେସିବେଲ୍‌‌ ପର୍ଯ୍ୟନ୍ତ ପହଞ୍ଚେ, ଗଛମାନେ ଏକ ଅଦୃଶ୍ୟ ସଂଘର୍ଷକୁ ପ୍ରତିଦିନ ସାମ୍ନା କରନ୍ତି। ଏହା ସେମାନଙ୍କ ମୂଳ ମାଧ୍ୟମରେ ପୋଷଣ ଗ୍ରହଣ ଓ ବାୟୁ ଶୁଦ୍ଧିକରଣ କ୍ଷମତାକୁ ଦୁର୍ବଳ କରେ। ଏହି ପରିସ୍ଥିତିରେ ଗଛମାନେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଯେଉଁ ଅଭିଯୋଜନ କରନ୍ତି, ତାହା ମାନବ ମସ୍ତିଷ୍କରେ ଚାପ ସମୟରେ ହେଉଥିବା ପ୍ରତିକ୍ରିୟା ସହ ସାମଞ୍ଜସ୍ୟ ରଖେ।
ସହରୀ ଗଛମାନେ ମାନବ କାର୍ଯ୍ୟକଳାପରୁ ମଧ୍ୟ ମୁକ୍ତ ନୁହନ୍ତି। ରାସ୍ତା ନିର୍ମାଣ, ଅତ୍ୟଧିକ ଛାଟଣି ଓ ମାଟି ସଙ୍କୋଚନ ସେମାନଙ୍କ ଜୀବନଚକ୍ରକୁ ବ୍ୟାହତ କରେ। ଭାରତୀୟ ସହରୀ ବନଜ ସର୍ବେକ୍ଷଣ ୨୦୨୧ ତଥ୍ୟ ଅନୁସାରେ, ଦେଶର ୫୦%ରୁ ଅଧିକ ସହରୀ ଗଛ ଅସ୍ୱାଭାବିକ ବୃଦ୍ଧି ବା ଅକାଳ ମୃତ୍ୟୁର ଶିକାର ହେଉଛନ୍ତି। ଏହା ଏକ ନିରବ ସଙ୍କଟ, ଯାହାକୁ ଆମେ ଅଣଦେଖା କରୁଛୁ। ଗଛମାନଙ୍କର ଏହି ଭାବନାତ୍ମକ ଅବସ୍ଥା ସେମାନଙ୍କ ସାମାଜିକ ଭୂମିକା(ପଶୁପକ୍ଷୀଙ୍କ ଆଶ୍ରୟ ଓ ମାନବ ସମାଜକୁ ସେବା)କୁ ମଧ୍ୟ ପ୍ରଭାବିତ କରେ। ସହରୀ ଗଛମାନେ ସାମଗ୍ରିକ ପରିସଂସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ୨୦୨୨ରେ ଏନଭାୟରନମେଣ୍ଟାଲ ମାଇକ୍ରୋବାୟୋମ ଜର୍ନାଲରେ ପ୍ରକାଶିତ ଏକ ଗବେଷଣା ପ୍ରକାଶ କରିଛି ଯେ ଗଛମାନେ ମାଟିର ମାଇକୋରାଇଜାଲ ଫଙ୍ଗସ୍‌‌ ମାଧ୍ୟମରେ ପରସ୍ପର ସହ ପୋଷଣ ଓ ସୂଚନା ଆଦାନପ୍ରଦାନ କରନ୍ତି, ଯାହାକୁ ବୈଜ୍ଞାନିକମାନେ ‘ଉଡ୍‌‌ ୱାଇଡ୍‌‌ ୱେବ୍‌‌’ ବୋଲି ଅଭିହିତ କରିଛନ୍ତି। କିନ୍ତୁ ସହରୀ ପରିବେଶରେ କଂକ୍ରିଟ୍‌‌ ଓ ମାଟି ଦୂଷଣ ବୃକ୍ଷମାନଙ୍କର ସମ୍ବେଦନଶୀଳ ପ୍ରକ୍ରିୟାକୁ ବ୍ୟାହତ କରେ। ଉଦାହରଣସ୍ୱରୂପ, କଟକ ଓ ଭୁବନେଶ୍ୱରର ରାସ୍ତାଘେରା ଗଛମାନଙ୍କ ମୂଳ ସହରୀ ମାଟି ସଙ୍କୋଚନ ଓ ଭିତ୍ତିଭୂମି ଯୋଗୁଁଁ ଅଗଭୀର ସ୍ତରରେ ସୀମିତ, ଯାହା ସେମାନଙ୍କ ମାଇକୋରାଇଜାଲ ସଂଯୋଗ ଓ ସାମାଜିକ ଯୋଗାଯୋଗକୁ ପ୍ରଭାବିତ କରିଥାଏ। ଏହି ନିରବ ବିଚ୍ଛେଦ ଗଛମାନଙ୍କ ମଧ୍ୟରେ ଏକ ଅଦୃଶ୍ୟ ଏକାକୀତ୍ୱ ସୃଷ୍ଟି କରେ, ଯାହା ଆମେ ମାନବ ସମାଜରେ ସାମାଜିକ ବିଚ୍ଛିନ୍ନତା ସହ ତୁଳନା କରିପାରୁ।

ଜଳବାୟୁ ପରିବର୍ତ୍ତନ ସହରୀଗଛମାନଙ୍କ ପାଇଁ ଆଉ ଏକ ସଙ୍କଟ। ଓଡ଼ିଶାରେ ୨୦୨୪ ଗ୍ରୀଷ୍ମଋତୁରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌‌ ଅତିକ୍ରମ କରିଥିଲା, ଯାହା ସହରୀ ଗଛମାନଙ୍କର ପାଣି ଶୋଷଣ କ୍ଷମତାକୁ ୨୫% ହ୍ରାସ କରିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଦର୍ଶାଏ। ଏହି ଅସହଜ ପରିସ୍ଥିତିରେ ଗଛମାନେ ନିଜର ପତ୍ର ଝଡ଼ାଇ କିମ୍ୱା ଅଙ୍କୁରଣ ସ୍ଥଗିତ ରଖି ଏକପ୍ରକାର ଆତ୍ମରକ୍ଷା ପନ୍ଥା ଗ୍ରହଣ କରନ୍ତି। ଏହା ମାନବ ଶରୀରରେ ଅତ୍ୟଧିକ ଗରମ ସମୟରେ ଶକ୍ତି ସଞ୍ଚୟ ପାଇଁ କାର୍ଯ୍ୟକଳାପ ହ୍ରାସ କରିବା ସହ ସମାନ। ଏହି ପ୍ରତିକ୍ରିୟା ଗଛମାନଙ୍କର ଏକ ସଂଜ୍ଞାନିକ ସଚେତନତାକୁ ସୂଚାଇଥାଏ, ଯାହା ସେମାନଙ୍କ ଭାବନାତ୍ମକ ଅବସ୍ଥାର ଏକ ପ୍ରତିଫଳନ। ଏହା ସହରୀ ବାସିନ୍ଦାଙ୍କ ପାଇଁ ମଧ୍ୟ ଏକ ସଙ୍କେତ ଯେ ଆମେ ଯେଉଁ ପରିବେଶ ସୃଷ୍ଟି କରୁଛୁ, ତାହା ଆମ ସହଜୀବୀମାନଙ୍କୁ କିପରି ପ୍ରଭାବିତ କରୁଛି।

ଏହି ତଥ୍ୟଗୁଡ଼ିକ ଆମକୁ ସହରୀ ଗଛମାନଙ୍କ ପ୍ରତି ନୂତନ ଦାୟିତ୍ୱବୋଧ ବିଷୟରେ ସୂଚାଇ ଦିଏ। ସହରୀ ଗଛମାନଙ୍କର ଭାବନାତ୍ମକ ଜୀବନକୁ ସମ୍ମାନ ଦେବା କେବଳ ଏକ ବୈଜ୍ଞାନିକ ଆଲୋଚନା ନୁହେଁ, ବରଂ ଏକ ନୈତିକ ଓ ସାମାଜିକ ଦାୟିତ୍ୱ। ଏହାର ପ୍ରଥମ ପଦକ୍ଷେପ ହେଉଛି ସହର ନିର୍ମାଣରେ ସବୁଜ ଅଞ୍ଚଳର ପ୍ରସାର। ଭାରତ ସରକାରଙ୍କ ‘ସ୍ମାର୍ଟ ସିଟି ମିଶନ୍‌‌’ ଅଧୀନରେ ସହରମାନଙ୍କରେ ସବୁଜ କରିଡର ଓ ଉଦ୍ୟାନ ନିର୍ମାଣର ଯୋଜନା ରହିଛି। ଏହି ପ୍ରୟାସକୁ ତ୍ୱରାନ୍ୱିତ କରି ଗଛମାନଙ୍କ ମୂଳ ପାଇଁ ଅଧିକ ସ୍ଥାନ, ସୁସ୍ଥ ମାଟି ଓ ପାଣି ସଂରକ୍ଷଣ ବ୍ୟବସ୍ଥା ନିଶ୍ଚିତ କରାଯିବା ଆବଶ୍ୟକ। ଦ୍ୱିତୀୟତଃ, ଶବ୍ଦ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ନୀତି ପ୍ରଣୟନ ଜରୁରୀ। ଉଦାହରଣ ସ୍ୱରୂପ, ସିଙ୍ଗାପୁର ଭଳି ରାଷ୍ଟ୍ରରେ ଶବ୍ଦ ପ୍ରଦୂଷଣକୁ ୫୫ ଡେସିବେଲ୍‌‌ରେ ସୀମିତ ରଖିବା ଦ୍ୱାରା ଗଛମାନଙ୍କ ସ୍ୱାସ୍ଥ୍ୟ ଓ ବୃଦ୍ଧିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ଓଡ଼ିଶାରେ ମଧ୍ୟ ଏହି ମଡେଲ୍‌‌ ଅନୁସରଣ କରାଯାଇପାରେ। ତୃତୀୟତଃ, ସାମୁଦାୟିକ ସଚେତନତା ଓ ଶିକ୍ଷା ଆବଶ୍ୟକ। ସ୍ଥାନୀୟ ବାସିନ୍ଦାମାନଙ୍କୁ ଗଛମାନଙ୍କ ସହ ଏକ ଭାବନାତ୍ମକ ସମ୍ପର୍କ ଗଢ଼ିବାକୁ ଉତ୍ସାହିତ କରାଯାଇପାରେ। ଉଦାହରଣ ସ୍ୱରୂପ, ଜାପାନର ସିରାକାୱା ସହରରେ ‘ଗଛ ସଂରକ୍ଷଣ ଦିବସ’ ପାଳନ କରାଯାଏ, ଯେଉଁଠାରେ ପିଲାମାନେ ଗଛମାନଙ୍କ ପାଇଁ ଗୀତ ଗାଆନ୍ତି ଓ ସେମାନଙ୍କ ଯତ୍ନ ନିଅନ୍ତି। ଏହି ପ୍ରଥା ଆମ ସହରମାନଙ୍କରେ ଆରମ୍ଭ ହୋଇପାରେ, ଯାହା ଆଗାମୀ ପିଢ଼ିଙ୍କ ମଧ୍ୟରେ ଗଛମାନଙ୍କ ପ୍ରତି ସମ୍ମାନ ଓ ସମବେଦନା ଜାଗ୍ରତ କରିବ। ଏହା ସହରୀ ଗଛମାନଙ୍କ ଜୀବନକୁ ସୁଧାରିବା ସହ ଆମ ସାଂସ୍କୃତିକ ମୂଲ୍ୟବୋଧକୁ ପୁନର୍ଜନ୍ମ ଦେବ।

ସହରୀ ଗଛମାନେ ଆମ ପାଇଁ କେବଳ ପ୍ରକୃତିର ଉପହାର ନୁହନ୍ତି; ସେମାନେ ଆମର ନିରବ ସାଥୀ, ଯେଉଁମାନେ ଆମ ସହରର କୋଳାହଳ ଓ ଅବ୍ୟବସ୍ଥା ମଧ୍ୟରେ ଅଟଳ ଭାବେ ଠିଆ ହୋଇ ଆମ ଜୀବନଯାତ୍ରାକୁ ସୁସଂହତ ଓ ସୁରକ୍ଷିତ କରନ୍ତି। ସେମାନଙ୍କର ଭାବନାତ୍ମକ ଜୀବନ କିନ୍ତୁ ପ୍ରଦୂଷଣରେ ଦମିତ ହୋଇଯାଇଥାଏ, ଶବ୍ଦରେ ବିଦୀର୍ଣ୍ଣ ହୋଇଥାଏ ଏବଂ ମାନବୀୟ ଅବହେଳାରେ ଅନାଦୃତ ହୋଇଥାଏ। ଯେତେବେଳେ ଆମେ ଏକ ପୁରାତନ ବଟବୃକ୍ଷ ତଳେ ଛାଇରେ ବସି ଶାନ୍ତି ଅନୁଭବ କରୁ, ସେତେବେଳେ ଆମେ କ’ଣ କେବେ ସେହି ଗଛର ନିରବ କାହାଣୀକୁ ଶୁଣିବାକୁ ଚେଷ୍ଟା କରୁ? ସେ ଆମକୁ କେଉଁ ସଙ୍କେତ ଦେଉଛି, ତା’ର ପତ୍ରରେ ଲୁଚିଥିବା ଚାପ, ତା’ର ମୂଳରେ ଅନୁଭବ ହେଉଥିବା ସଙ୍କୋଚନ ସେ ବିଷୟରେ କେବେ ଜାଣିବାକୁ ଇଚ୍ଛା କରିଛୁ କିମ୍ବା ଅନୁଭବ କରିଛୁ?

ଗଛମାନଙ୍କର ଏହି ଭାବନାତ୍ମକ ଜୀବନକୁ ସ୍ୱୀକୃତି ଓ ସମ୍ମାନ ଦେଇ ଆମେ ସେମାନଙ୍କ ସହ ଏକ ନୂତନ ସମ୍ପର୍କ ଗଢ଼ିପାରିବା, ଯେଉଁଠାରେ ସେମାନେ କେବଳ ଆମ ପାଇଁ ସେବା ପ୍ରଦାନ କରିବେ ନାହିଁ, ବରଂ ଆମେ ମଧ୍ୟ ସେମାନଙ୍କ ସୁଖ, ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ଦାୟୀ ହେବୁ। ଏହି ପାରସ୍ପରିକ ସମ୍ୱନ୍ଧ ଆମ ସହରକୁ କେବଳ ସୁନ୍ଦର ନୁହେଁ, ସମବେଦନାପୂର୍ଣ୍ଣ ଓ ସ୍ଥାୟୀ କରିବ। ଆସନ୍ତୁ, ଆମେ ଏକ ପଦକ୍ଷେପ ନେଇ ସହରୀ ଗଛମାନଙ୍କ ଏହି ଅଜଣା କାହାଣୀକୁ ଶୁଣିବା, ବୁଝିବା ଓ ସମ୍ମାନ ଦେବା ଆରମ୍ଭ କରିବା।

ବରେଣ୍ୟ ଦାସ
କଲିକାତା, ମୋ: ୮୩୩୫୯୪୯୪୭୭

About The Author: The Sakala