ବୃକ୍ଷ ରୁଷିଲେ ପ୍ରଳୟ !

କେଉଁ ଆଦିମ କାଳରୁ ବୃକ୍ଷ ବା ଗଛ ସହିତ ଆମ ଭାରତୀୟ ସଂସ୍କୃତିର ଏକ ପୁରାତନ ସମ୍ପର୍କ ଜଡ଼ିତ, ତାହା ଅକଳନୀୟ। ତଥାପି ବିଭିନ୍ନ ସମୟରେ ବିଭିନ୍ନ ଯୁଗପୁରୁଷଙ୍କ ଆବିର୍ଭାବ ଏବଂ ସେମାନଙ୍କ ଲେଖନୀ ନିଃସୃତ ସୃଜନ, ବୃକ୍ଷ ସମ୍ପର୍କିତ ବିଭିନ୍ନ ତଥ୍ୟ ଆମ ସଂସ୍କୃତିରେ ବୃକ୍ଷର ଗୁରୁତ୍ୱକୁ ମନନ କରାଇବା ସହ ଏ ମହାଜାଗତିକ ଭାବନାକୁ ଅଧିକ ଶକ୍ତିଶାଳୀ କରି ଗଢ଼ିତୋଳେ। ଭାରତୀୟ ସଭ୍ୟତା ବହୁ ପ୍ରାଚୀନ। ସେଥିପାଇଁ ଆମ ସଭ୍ୟତା ଓ ଆମ ସଂସ୍କୃତି […]

କେଉଁ ଆଦିମ କାଳରୁ ବୃକ୍ଷ ବା ଗଛ ସହିତ ଆମ ଭାରତୀୟ ସଂସ୍କୃତିର ଏକ ପୁରାତନ ସମ୍ପର୍କ ଜଡ଼ିତ, ତାହା ଅକଳନୀୟ। ତଥାପି ବିଭିନ୍ନ ସମୟରେ ବିଭିନ୍ନ ଯୁଗପୁରୁଷଙ୍କ ଆବିର୍ଭାବ ଏବଂ ସେମାନଙ୍କ ଲେଖନୀ ନିଃସୃତ ସୃଜନ, ବୃକ୍ଷ ସମ୍ପର୍କିତ ବିଭିନ୍ନ ତଥ୍ୟ ଆମ ସଂସ୍କୃତିରେ ବୃକ୍ଷର ଗୁରୁତ୍ୱକୁ ମନନ କରାଇବା ସହ ଏ ମହାଜାଗତିକ ଭାବନାକୁ ଅଧିକ ଶକ୍ତିଶାଳୀ କରି ଗଢ଼ିତୋଳେ।

ଭାରତୀୟ ସଭ୍ୟତା ବହୁ ପ୍ରାଚୀନ। ସେଥିପାଇଁ ଆମ ସଭ୍ୟତା ଓ ଆମ ସଂସ୍କୃତି ସୃଷ୍ଟିରେ ବୃକ୍ଷର ଗୁରୁତ୍ୱକୁ ସିଦ୍ଧ କରିବା ତଥା ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଅନୁଭବ କରାଇବା ପାଇଁ ବୃକ୍ଷକୁ ଦେବତାର ସ୍ଥାନ ଦେଇଛି। ଏହା ହିଁ ପ୍ରମାଣିତ କରେ ବୃକ୍ଷ ସହିତ ଆମର ଏ ସମ୍ପର୍କ କେଡ଼େ ନିର୍ମଳ ଓ ନିବିଡ଼। ଆମ ସଂସ୍କୃତି ସର୍ବଦା ମହାନ। ଏହାକୁ ବୈଜ୍ଞାନିକ, ଦାର୍ଶିନିକ ଆଦି ଯେକୌଣସି ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇପାରେ।

ଏହି ଚିରନ୍ତନ ଭାବନାର ବାସ୍ତବତାକୁ ଆମେ ଆଜି କିନ୍ତୁ ଅନୁଭବ କରିବାରେ ଏକ ବ୍ୟତିକ୍ରମର ବିବର୍ତ୍ତନ ମଧ୍ୟକୁ ଠେଲି ହୋଇଯାଉଛୁ; ଯାହାର ଫଳସ୍ୱରୂପ ବୃକ୍ଷ ପ୍ରତି ଥିବା ଆମର ସେ ପୁରାତନ ଭଲପାଇବା ଓ ବର୍ତ୍ତମାନ ଭଲପାଇବା ମଧ୍ୟରେ ଏକ ବିଭେଦ ସୃଷ୍ଟି ହୋଇଯାଇଛି। ଏହି ବିଭେଦକୁ ଏକାକାର କରିବା ପାଇଁଁ ଆମକୁ ଆମର ପୁରାତନ ଭାବନାକୁ ଫେରାଇ ଆଣିବାକୁ ପଡ଼ିବ। ଜାତିସଂଘ ଅଧୀନରେ କାର୍ଯ୍ୟରତ ସଂସ୍ଥା ୟୁଟିଲିଟି ବିଡର ତଥ୍ୟ ଅନୁସାରେ ଭାରତ ଗତ ୩୦ ବର୍ଷ ମଧ୍ୟରେ ପାଖାପାଖି ୬, ୬୮, ୪୦୦ ହେକ୍ଟର ଜଙ୍ଗଲ ହରାଇ ବିଶ୍ୱ ଜଙ୍ଗଲ କ୍ଷୟ କଳାତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ବ୍ରାଜିଲ ଓ ଇଣ୍ଡୋନେସିଆ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ବ୍ରାଜିଲ ୧୬, ୯୫, ୭୦୦ ହେକ୍ଟର ଓ ଇଣ୍ଡୋନେସିଆ ୬, ୫୦, ୦୦୦ ହେକ୍ଟର ଜଙ୍ଗଲ ହରାଇଛନ୍ତି। ଭାରତ କେତେକ ସମୟରେ ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ୧୯୯୦ ରୁ ୨୦୨୦ ମସିହା ମଧ୍ୟରେ ସର୍ବାଧିକ ଜଙ୍ଗଲ ହରାଇଥିବା ଦେଶ ତାଲିକାରେ ଭାରତ ଥିଲା ପ୍ରଥମ। ଏହି ସମୟରେ ଭାରତ ପ୍ରାୟ ୨, ୮୪, ୪୦୦ ହେକ୍ଟର ଜଙ୍ଗଲ ହରାଇଥିଲା। ପୂର୍ବ ତୁଳନାରେ ଭାରତ ୨୦୦୦ ମସିହାଠାରୁ ଏଯାବତ ପାଖାପାଖି ୫.୬ % ଗଛ ହରାଇଛି।

ଜାତିସଂଘର ଅନ୍ୟ ଏକ ଚିନ୍ତନୀୟ ତଥ୍ୟ ଅନୁସାରେ ଆମ ସବୁଜ ଗ୍ରହ ତା’ର ସବୁଜତାକୁ ହରାଇବାରେ ଦ୍ରୁତ ଅଗ୍ରସର। ୨୦୨୦ ମସିହାର ଜାତିସଂଘର ଏହି ରିପୋର୍ଟ ଅନୁସାରେ ପୃଥିବୀ ପ୍ରତିବର୍ଷ ୭୦, ୦୦, ୦୦୦ ହେକ୍ଟର ଜଙ୍ଗଲ ହରାଉଛି। ପରିଣାମ ସ୍ୱରୂପ ପ୍ରତିବର୍ଷ ବିଶ୍ୱତାପନର ବିଷ ବଳୟ ମଧ୍ୟକୁ ଆମେ ଆପଣାଛାଏଁ ଝାସ ଦେଇଚାଲିଛୁ। ଅଙ୍ଗାରକାମ୍ଳର ଅାଁ ମଧ୍ୟରେ କବଳିତ ହେବାରେ ଆମେ ମଧ୍ୟ ପଛରେ ନାହୁଁ। ବର୍ଷକୁ ବର୍ଷ ଅଙ୍ଗାରକାମ୍ଳର ନିର୍ଗମନ ବଢ଼଼ିବାରେ ଲାଗିଛି। ଏହି ସୂତ୍ରରେ ଆମ ରାଜଧାନୀ ଦିଲ୍ଳୀର କଥା କାହାକୁ ଅବା ଅଜଣା। ଏଥିସହିତ ତାପମାତ୍ରାର ଅହେତୁକ ବୃଦ୍ଧି ଜଳଭାଗ ମଧ୍ୟରେ ଦଣ୍ଡାୟମାନ ସୁଉଚ୍ଚ ବରଫ ପାହାଡ଼କୁ ଦ୍ରୁତ ବେଗରେ ତରଳାଇବାରେ ଲାଗିଛି ଓ ସ୍ଥଳଭାଗର ପରିମାଣକୁ ଗିଳି ଚାଲିଛି। ଏହି ଧାରା ଯଦି ବଜାୟ ରହେ ବିଶ୍ୱର ପ୍ରମୁଖ ମହାନଗରୀ ଯଥା ଭାରତର ମୁମ୍ୱାଇ, ଜାପାନର ଟୋକିଓ, ଆମେରିକାର ନ୍ୟୁୟର୍କ, ମାୟାମି, ଚୀନର ସାଂଘାଇ ୨୦୫୦ ସୁଦ୍ଧା ଜଳସମାଧି ନେବାର ଆଶଙ୍କା ଅସତ୍ୟ ହୋଇ ନ ପାରେ। ପୁଣି ବିଶ୍ୱତାପନ ଏହି ବେଗରେ ବଢ଼଼ିଚାଲିଲେ ୨୦୫୦ ମସିହା ବେଳକୁ ଏହା ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ ସମୟର ୨-୪ ଡିଗ୍ରୀ ବୃଦ୍ଧି ପାଇଯିବ। ଏହାଫଳରେ ସମ୍ଭବତଃ ଜୀବଜଗତ ଏକ ମରୁଭୂମିରେ ପରିଣତ ହୋଇପାରେ।

ଆମେ ମିଳିମିଶି ଜୀବଜଗତକୁ ଜୀବନ ଧାରଣ ପାଇଁ ଅଯୋଗ୍ୟ କରିପକାଉଛୁ। ତଥାପି ଗଛଟିଏ ସବୁ ବିପଦର ବିଷକୁ ପାନ କରି ଆମ ପାଇଁ ଶିବ ପାଲଟିଛି। ସକଳ ଜୀବଜଗତର କଲ୍ୟାଣାର୍ଥେ ଦେବାଧିଦେବ ମହାଦେବ ଶିବ ସଦାସର୍ବଦା ସ୍ଥିର, ଧ୍ୟାନମଗ୍ନ। ସେହିପରି ଗଛଟିଏ ମଧ୍ୟ ଗୋଟିଏ ସ୍ଥାନରେ ସ୍ଥିର ହୋଇ ସଦାସର୍ବଦା ଧ୍ୟାନମଗ୍ନ ଆମ ଜୀବଜଗତର ସକଳ କଲ୍ୟାଣ ପାଇଁ। ଶିବ ସକଳ ଶକ୍ତିର ପ୍ରତିରୂପ। ଏହି ଶକ୍ତି ପରି ବୃକ୍ଷ ସୂର୍ଯ୍ୟଙ୍କ ତାପଶକ୍ତିର ଜ୍ୱାଳାକୁ ଶୋଷଣ ପୂର୍ବକ ଖାଦ୍ୟରୂପରେ ଆମଠାରେ ଉପଲବ୍ଧ କରାଏ। ପ୍ରତିକ୍ଷଣରେ ଅଙ୍ଗାରକାମ୍ଳ ରୂପକ ବିଷକୁ ଅନବରତ ପାନକରି ଆମକୁ ଅମ୍ଳଜାନର ଅମୃତ ଦେଇଚାଲିଛି। ଏଣୁ ଗଛଟିଏ ଆମ ପାଇଁ ସତ୍ୟ ସନାତନର ଅନ୍ୟତମ ରୂପ – ଶିବ।

ବୃକ୍ଷଲତାକୁ କେବଳ ଶିବ ରୂପରେ ଗ୍ରହଣ କରିନେଲେ ଆମର ଦାୟିତ୍ୱ ସରିଯିବ ନାହିଁ। ଆମ ମନରେ ଏ ପ୍ରଶ୍ନ ମଧ୍ୟ ଉଠିବା ଦରକାର ଯେ ଆମେ ଆଉ କେତେଦିନ ଭସ୍ମାସୁର ସାଜି ଏ ଶିବରୂପୀ ବୃକ୍ଷ ଦେବତାଙ୍କୁ ବିଷ ପିଆଇ ଚାଲିବୁ! ଆମେ ଯଦି ଆମର ଶିବ ପୂଜାକୁ କେବଳ ମନ୍ଦିର ମଧ୍ୟରେ ସୀମିତ ନ ରଖି ସେହି ପରମ ଆରାଧ୍ୟଙ୍କୁ ଆମ ଚତୁଃପାର୍ଶ୍ବରେ ବୃକ୍ଷ ରୂପରେ ପ୍ରତିଷ୍ଠା କରି ମନ ତଥା ହୃଦୟର ସମର୍ପଣ କରୁ ତାହା ହେବ ଆମ ପାଇଁ ଶ୍ରେଷ୍ଠ ଶିବପୂଜା।

ମନେ ରଖିବାକୁ ହେବ ଶିବ ରୁଷିଲେ ତାଣ୍ଡବ, ବୃକ୍ଷ  ରୁଷିଲେ ପ୍ରଳୟ। ତେଣୁ ଆମର ଏ ସର୍ବପୁରାତନ ସମ୍ପର୍କକୁ ଚିରନ୍ତନ କରିବା ପୂର୍ବକ ବୃକ୍ଷରୋପଣର ପବିତ୍ରତମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆଜିର ଅବକ୍ଷୟମୁଖୀ ପ୍ରକୃତିର ଆହ୍ୱାନ ଅଟେ। ଏଣୁ ଏହି ଆହ୍ୱାନକୁ ସହୃଦୟତାର ସହ ସ୍ୱୀକାର କରିବା ସହିତ ପ୍ରକୃତିର ପ୍ରିୟ ପୁତ୍ର ଓ ପୁତ୍ରୀ ହୋଇ ଜୀବଜଗତ ତଥା ପରିବେଶକୁ ଶିବମୟ କରିବା।

ଚନ୍ଦନ କୁମାର ଦାସ
ଭୋଗରାଇ, ମୋ: ୮୧୧୪୩୪୫୯୮୮

About The Author: The Sakala