ଓଡ଼ିଆ ଲିପିରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ

ଅତୀତ ଓ ବର୍ତ୍ତମାନର ଓଡ଼ିଆ ଭାଷାରେ କହିବା, ଲେଖିବା, ପଢ଼଼ିବାର ପ୍ରବୃତ୍ତି, ମାନସିକତା ଓ ଦୃଷ୍ଟିକୋଣରେ ଅନେକ ପରିବର୍ତ୍ତନ ହୋଇଛି। ଦିନ ଥିଲା ଯେତେବେଳେ ଓଡ଼ିଆ କବିର ଗୀତ, ଛନ୍ଦ, କବିତାକୁ ସଭାରେ ପଣ୍ଡିତଙ୍କଠାରୁ ଆରମ୍ଭ କରି ପଥପ୍ରାନ୍ତରେ ଲୋକମୁଖରେ ଶୁଣାଯାଉଥିଲା। କିନ୍ତୁ ଏବେ ସାଧାରଣ ଲୋକେ ଓଡ଼ିଆ କାବ୍ୟ କବିତା ଦୂରେ ଥାଉ କଥାବାର୍ତ୍ତା ହେବାକୁ ବି ପସନ୍ଦ କରୁନାହାନ୍ତି। ବରଂ ଓଡ଼ିଆରେ ନ କହି ପାରିବା ଏକ ବିଶେଷଗୁଣ ଭାବେ ଗଣା ହେଲାଣି। ତେବେ […]

ଅତୀତ ଓ ବର୍ତ୍ତମାନର ଓଡ଼ିଆ ଭାଷାରେ କହିବା, ଲେଖିବା, ପଢ଼଼ିବାର ପ୍ରବୃତ୍ତି, ମାନସିକତା ଓ ଦୃଷ୍ଟିକୋଣରେ ଅନେକ ପରିବର୍ତ୍ତନ ହୋଇଛି। ଦିନ ଥିଲା ଯେତେବେଳେ ଓଡ଼ିଆ କବିର ଗୀତ, ଛନ୍ଦ, କବିତାକୁ ସଭାରେ ପଣ୍ଡିତଙ୍କଠାରୁ ଆରମ୍ଭ କରି ପଥପ୍ରାନ୍ତରେ ଲୋକମୁଖରେ ଶୁଣାଯାଉଥିଲା। କିନ୍ତୁ ଏବେ ସାଧାରଣ ଲୋକେ ଓଡ଼ିଆ କାବ୍ୟ କବିତା ଦୂରେ ଥାଉ କଥାବାର୍ତ୍ତା ହେବାକୁ ବି ପସନ୍ଦ କରୁନାହାନ୍ତି। ବରଂ ଓଡ଼ିଆରେ ନ କହି ପାରିବା ଏକ ବିଶେଷଗୁଣ ଭାବେ ଗଣା ହେଲାଣି। ତେବେ କିଛି ମୁଷ୍ଟିମେୟ ଗୋଷ୍ଠୀଙ୍କ ଗବେଷଣା ଓ ସରକାରୀ ଉଦ୍ୟମର ଫଳ ସ୍ୱରୂପ ଓଡ଼ିଆ ଶାସ୍ତ୍ରୀୟ ଓ ସରକାରୀ ଭାଷାର ମାନ୍ୟତା ପାଇଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବର କଥା ନିଶ୍ଚୟ। ଭାରତକୁ ଯଦି ଉତ୍ତର ଓ ଦକ୍ଷିଣ ଭାବେ ଭାଗ କରାଯାଏ, ତେବେ ଦକ୍ଷିଣର ଚାରୋଟି ଭାଷା ପରେ ଓ ସଂସ୍କୃତକୁ ଛାଡ଼ିଦେଲେ ଅବଶିଷ୍ଟ ଭାରତର ଏକମାତ୍ର ଭାଷା ଓଡ଼ିଆ, ଯାହା ଶାସ୍ତ୍ରୀୟ ମାନ୍ୟତାର ମାନଦଣ୍ଡକୁ ପୂରଣ କରୁଛି ଓ ମାନ୍ୟତା ପାଇଛି। ପ୍ରତିଟି ଓଡ଼ିଆର ଛାତି ଗର୍ବରେ ଫୁଲି ଉଠିଲା ଭଳି ଏ କଥାଟି ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ନ ହେଲେ ଯେଉଁ ଓଡ଼ିଆମାନେ ମାତ୍ର କିଛିଦିନ ଓଡ଼ିଶା ବାହାରେ ରହି ନିଜ ଭାଷାକୁ ଭୁଲି ନିଜ କଥା ବାର୍ତ୍ତାରେ ସେଇ ପ୍ରବାସୀ ଭାଷାର ଖଣ୍ଡିଆ ଶବ୍ଦ ପ୍ରୟୋଗ କରି ନିଜେ ଆହ୍ଲାଦିତ ହୁଅନ୍ତେ? ସେମାନେ ଜାଣିନାହାନ୍ତି ଯେ ସେମାନେ କ’ଣ ଭୁଲ କରୁଛନ୍ତି। ଜଗନ୍ନାଥେ ସେମାନଙ୍କୁ କ୍ଷମା କରନ୍ତୁ ଓ ସଦ୍‌‌ବୁଦ୍ଧି ଦିଅନ୍ତୁ। ସେମାନେ ନିଜ ଭାଷାର ପ୍ରାଚୀନତା ଓ ମହନୀୟତା ବିଷୟରେ ସଚେତନ ହୁଅନ୍ତୁ।

ନିଜ ଭାଷା ପ୍ରତି ମମତା କ୍ରମଶଃ ପାଣିଚିଆ ଧରି ଆସୁଥିବା ବେଳେ ପ୍ରଯୁକ୍ତି ବିଦ୍ୟାର ବିସ୍ଫୋରଣ ଜନିତ ନୂଆ ନୂଆ କୌଶଳ ସବୁ ଭାଷା ଆଗରେ ଏକ ନୂଆ ସମସ୍ୟା ଓ ସମ୍ଭାବନା ଭାବେ ଉଭା ହୋଇଛନ୍ତି। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସାଙ୍ଗରେ ତାଳ ଦେଇ ଚାଲିପାରିଲେ ଭାଷା ଖାଲି ବଞ୍ଚି ରହିବ ତା’ ନୁହେଁ, ଭାଷାର ବ୍ୟାପ୍ତି ମଧ୍ୟ ଘଟିବ। ତେବେ ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ଯେ ଯେଉଁ ଲୋକମାନେ ଓଡ଼ିଆକୁ ଏବେ ବି ନିଜ ସହିତ ଧରି ରଖିଛନ୍ତି ଏବଂ ଓଡ଼ିଆ ଭାଷାକୁ ଦୈନନ୍ଦିନ ଚାଲିଚଳଣି, କଥାବାର୍ତ୍ତାରେ ବ୍ୟବହାରରେ କରୁଛନ୍ତି ସେମାନଙ୍କ ଆଗରେ କ’ଣ କ’ଣ ଆହ୍ୱାନ ସବୁ ରହୁଛି।

କମ୍ପ୍ୟୁଟର ଓ ମୋବାଇଲରେ ଓଡ଼ିଆରେ ଲେଖିବାକୁ ଅନେକ ପ୍ରକାର ସଫ୍ଟୱେର ଅଛି। ଏଠି କମ୍ପ୍ୟୁଟର, ମୋବାଇଲ, ସଫ୍ଟୱେର, ଏ ତିନିଟି ଶବ୍ଦର ମୂଳ ହେଲା ଇଂରାଜୀ। ଏଇ ଶବ୍ଦକୁ ଏହି ସ୍ତମ୍ଭ ଲେଖାରେ ବ୍ୟବହାର କରିବାକୁ ମୁଁ ଯଦି ଓଡ଼ିଆର ସମଅର୍ଥବୋଧକ ଶବ୍ଦ ଖୋଜିଥା’ନ୍ତି, ତେବେ ପାଇନଥା’ନ୍ତି। କାରଣ ଏଗୁଡ଼ିକ ବୈଦେଶିକ ଶବ୍ଦ। ଯଦି ଟାଣି ଓଟାରି ଏଣୁତେଣୁ ଶବ୍ଦଗୁଡ଼ିଏ ଯୋଡ଼ି, ତା’କୁ ବ୍ୟବହାର କରିଥା’ନ୍ତି, ତେବେ ଅଧା ପାଠକ ବୁଝି ପାରି ନଥା’ନ୍ତେ। ଆଉକିଛି ପାଠକ ‘କ’ ବୁଝିଲା ବେଳେ ବେଶ ଆଉକିଛି ପାଠକ ‘ଖ’ ବୋଲି ବୁଝି ଥା’ନ୍ତେ। କିନ୍ତୁ ମୂଳ ଇଂରାଜୀ ଶବ୍ଦ ବ୍ୟବହାର ଫଳରେ ସେ ପ୍ରକାର ଦ୍ୱନ୍ଦ୍ୱ ରହିଲା ନାହିଁ ଏବଂ ଲେଖାଟି ସାବଲୀଳ ହେଲା। ଏଇଠି ପ୍ରଶ୍ନ ଉଠେ ଯେ ଏଭଳି ବୈଦେଶିକ ଶବ୍ଦର ପ୍ରୟୋଗର ମାତ୍ରା ଯଦି ବଢ଼଼ିଚାଲେ, ତେବେ ଯେଉଁ ଭାଷାଟି ସୃଷ୍ଟି ହେବ ତାହା କ’ଣ ଓଡ଼ିଆ ଭାଷାରେ ଗଣା ହେବ ନା ଏକ ଖିଚିଡ଼ି ଭାଷା ହେବ?

ଭାଷା ଏକ ପ୍ରବାହମାନ ନଦୀ ଭଳି। ଏହା ଯେତେ ଯେତେ ଆଗକୁ ଆଗକୁ ଗଡ଼ି ଗଡ଼ି ଚାଲେ ଅନେକ ଶାଖା ନଦୀ ସହିତ ମିଶି କଳେବର ସ୍ଫୀତ ହୁଏ ଓ ଶକ୍ତି ବଢ଼଼ିଚାଲେ। ଓଡ଼ିଆ ବା ଯେକୌଣସି ଭାଷାରେ କିଛି ନିଜସ୍ୱ, କିଛି ବୈଦେଶିକ ଶବ୍ଦ ମିଶି ରହିଥାଏ। ଏମିତିରେ ଓଡ଼ିଆ ଭାଷାରେ ଇଂରାଜୀ ଶବ୍ଦକୁ ବାଦ ଦେଲେ ଅନେକ ଶବ୍ଦ ମିଳିବ, ଯାହାକି ଓଡ଼ିଆ ଭାବରେ ଗଣାହେଲେ ମଧ୍ୟ ତାହା ଅନ୍ୟଭାଷାରୁ ପଶିଆସିଛି ଏବଂ ବହୁଳ ବ୍ୟବହାର ଫଳରେ କାଳକ୍ରମେ ଓଡ଼ିଆ ବୋଲି ଗୃହୀତ ହେଇସାରିଛି। ଯେଉଁ ଇଂରାଜୀ ଶବ୍ଦ ସବୁ କହିବା, ଲେଖିବା ଓ ପଢ଼଼ିବା ନିହାତି ଦରକାର, ତା’କୁ ସେଇମିତି ମୂଳ ଶବ୍ଦରୁ ଗ୍ରହଣ କରିନେଲେ କ୍ରମଶଃ ତାହା ଓଡ଼ିଆ ଶବ୍ଦ ଭାବେ ପରିଗଣିତ ହୋଇଯିବ।

ଇଚ୍ଛ।। ଥାଇ ମଧ୍ୟ ଆମେ ଶହେ ପ୍ରତିଶତ ଓଡ଼ିଆର ବ୍ୟବହାର କାହିଁକି କରିପାରୁନାହୁଁ ତା’ର ବୈଷୟିକ ଦିଗ ସମ୍ୱନ୍ଧରେ ଏବେ ଚର୍ଚ୍ଚା କରିବା। ଓଡ଼ିଆରେ କହିବା, ଲେଖିବା ନିଶ୍ଚିତ ରୂପେ ଆମ ଓଡ଼ିଆ ପ୍ରୀତିର ଅନନ୍ୟ ନମୁନା ହେଇପାରିବ। ଇଚ୍ଛା ଥାଇ ମଧ୍ୟ ବେଳେ ବେଳେ ଓଡ଼ିଆର ବ୍ୟବହାର କରିହେଉନାହିଁ। ଗୋଟିଏ ଉଦାହରଣ ଦ୍ୱାରା ଏକଥା ବୁଝିବାକୁ ଚେଷ୍ଟା କରିବା। ‘କଳିଙ୍ଗ ଇତିହାସ’ ନାମକ ଏକ ସାହିତ୍ୟ ସୃଜନଶୀଳ ଗୋଷ୍ଠୀ ପ୍ରତି ସପ୍ତାହରେ ରବିବାର ସନ୍ଧ୍ୟା ସାତରୁ ରାତି ନ’ ଟା ପର୍ଯ୍ୟନ୍ତ ଏକ ଆଭାସୀ ଆଲୋଚନାର ଆୟୋଜନ କରିଥାଏ। ସାରା ପୃଥିବୀରୁ ଆଗ୍ରହୀ ଲୋକମାନେ ଏଥିରେ ଯୋଗ ଦେଇଥା’ନ୍ତି। ସପ୍ତାହ ଆରମ୍ଭରେ ଏହାର କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ସୂଚନା ସମ୍ଭାବ୍ୟ ଶ୍ରୋତାଙ୍କ ପାଖରେ ପହଞ୍ଚାଇ ଦିଆଯାଏ। ସୂଚନା ପତ୍ରଟି ଇଂରାଜୀରେ ହିଁ ପ୍ରସ୍ତୁତ ହୋଇଥାଏ। ତେବେ ଆୟୋଜକ ସ୍ଥିର କଲେ ଏଣିକି ଏହି ସୂଚନାପତ୍ର ଓଡ଼ିଆରେ ପ୍ରସ୍ତୁତ ହେବ। ଏହା କରିବାବୁ କ’ଣ କ’ଣ ସମସ୍ୟା ଉପୁଜିବ ଓ କିଭଳି ଏହାର ସମାଧାନ ହୋଇପାରିବ ତାହା ଆୟୋଜକମାନେ ଆଲୋଚନା କଲେ। ଓଡ଼ିଆ ଭାଷାର ବହୁଳ ବ୍ୟବହାରରେ କେଉଁ କେଉଁ ପ୍ରତିବନ୍ଧକ ଅଛି ଓ କିଭଳି ତାହାର ସମାଧାନ ଆବଶ୍ୟକ ତାହା ଜଣାପଡ଼ିଲା।

‘କଳିଙ୍ଗ ଇତିହାସ’ର ୱେବିନାରର ସୂଚନା ପତ୍ରରୁ ଯଦି ଆମେ ଏହା ଦେଖିବା ତେବେ ଏହି ସମସ୍ୟା ବିଷୟରେ କିଛିଟା ଧାରଣା ସ୍ପଷ୍ଟ ହେବ। ଜୁମ ଆପରେ ଇଂରାଜୀରେ ଟାଇପ କରି ବିଷୟବସ୍ତୁର ନାଁ, ବକ୍ତାଙ୍କ ନାଁ, ତାରିଖ ଓ ସମୟ – ତଥ୍ୟ ଭର୍ତ୍ତି କଲାପରେ ଆଭାସୀ ବୈଠକର ଯୋଗଦାନ ଲିଙ୍କ ଇଂରାଜୀରେ ମିଳିବ। ସେଥିରେ ଓଡ଼ିଆରେ କିଛି ଲେଖିବା ପାଇଁ(ଗୁଗୁଲ୍‌‌ ଇନ୍‌‌ପୁଟ୍‌‌ ଟୁଲ୍‌‌)କୁ ଯାଇ ଭାଷା ଚୟନ କଲା ପରେ ଇଂରାଜୀରେ ଟାଇପ କରି ଚାହୁଁଥିବା ବାକ୍ୟ ଓ ଶବ୍ଦ ସବୁ ଆଣି ଜୁମରୁ ମିଳିଥିବା ପୃଷ୍ଠାରେ ସଠିକ ସ୍ଥାନରେ ଖଞ୍ଜିବାକୁ ପଡ଼ିବ। ସବୁ ହେଲା ପରେ ମଧ୍ୟ ୱେବଲିଙ୍କ ଇଂରାଜୀରେ ରହିବ ହିଁ ରହିବ। ଇଂରାଜୀରେ ଯେଉଁ କାମଟି ଅଳ୍ପ ସମୟ ଓ ଅପେକ୍ଷାକୃତ ତ୍ରୁଟିଶୂନ୍ୟ ହେଇପାରିଥା’ନ୍ତା, ଓଡ଼ିଆରେ ତାହା ବିଭିନ୍ନ ସ୍ତରରେ, ଅଧିକା ସମୟ ଦେଇ ଓ ଅତ୍ୟନ୍ତ ସତର୍କତାର ସହ କରିବାକୁ ପଡ଼ିବ। ଏଇଠି ବୈଷୟିକ ଜ୍ଞାନର ଆଉ ଟିକିଏ ଉତ୍କର୍ଷ କ୍ରିୟାର ଆବଶ୍ୟକତା ରହୁଛି।

ବର୍ତ୍ତମାନ ଯେହେତୁ ମେସିନ୍‌‌ ଲର୍ଣ୍ଣିଂ(ଯାନ୍ତ୍ରିକ ଶିକ୍ଷା), କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସି)ର ବିପୁଳ ସମ୍ଭାବନା ଆମ ଆଗରେ ଉଭା ହେଇଛି, ଆମ ଓଡ଼ିଆ ତନ୍ତ୍ର ବିଶାରଦମାନେ ନିରୁତା ଓଡ଼ିଆରେ ଲେଖିବା, ଅନୁବାଦ କରିବା ଇତ୍ୟାଦି ବ୍ୟବସ୍ଥାଗୁଡ଼ିକ ଯଥାଶୀଘ୍ର ଆମ ଆଗରେ ଉପସ୍ଥାପନା କରିପାରିଲେ ଏଇ ଜାତି ଓ ଭାଷା ଅନନ୍ତ କାଳ ପର୍ଯ୍ୟନ୍ତ ଖାଲି ତିଷ୍ଠି ରହିବ ନାହିଁ, କ୍ରମଶଃ ଉତ୍ତରୋତ୍ତର ଉନ୍ନତି କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏଥିପାଇଁ ଓଡ଼ିଆ ଭାଷା ମାଧ୍ୟମରେ ସ୍କୁଲ ଶିକ୍ଷା ସମାପ୍ତ କରି କମ୍ପ୍ୟୁଟର ଇଂଜିନିୟର ହୋଇଥିବା ବିଶାରଦମାନଙ୍କର ଗୁରୁଦାୟିତ୍ୱ ରହିଛି। ଆମ ଭାଷାକୁ ଆମେ ଘଷି ମାଜି ଚକମକ କରିବାନି ତ ଆଉ କିଏ କରିବ?

ସୁନୀଲ ବିଶ୍ୱାଳ
ସୁନାବେଡ଼ା, ମୋ: ୭୦୦୮୫୮୦୫୨୮

About The Author: The Sakala